1.55 lakh new mobile subscribers in Odisha: ଓଡ଼ିଶାରେ ୧.୫୫ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ: ୩ କମ୍ପାନିର ବଢ଼ିଲେ, ଗୋଟିଏର କମିଲେ
୨୦୨୫ ନଭେମ୍ବର ମାସରେ ଓଡ଼ିଶାରେ ୧.୫୫ ଲକ୍ଷ(୧,୫୪,୯୨୨) ନୂଆ ମୋବାଇଲ ଫୋନ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଏଥିଯୋଗୁ ରାଜ୍ୟରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୬୧ ଲକ୍ଷ ୩୬ ହଜାର ୮୨୪ରେ ପହଞ୍ଚିଛି।

ଭୁବନେଶ୍ବର: ୨୦୨୫ ନଭେମ୍ବର ମାସରେ ଓଡ଼ିଶାରେ ୧.୫୫ ଲକ୍ଷ(୧,୫୪,୯୨୨) ନୂଆ ମୋବାଇଲ ଫୋନ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଏଥିଯୋଗୁ ରାଜ୍ୟରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୬୧ ଲକ୍ଷ ୩୬ ହଜାର ୮୨୪ରେ ପହଞ୍ଚିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ୨୦୨୫ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୯ ଲକ୍ଷ ୮୧ ହଜାର ୯୦୨ ରହିଥିଲା। ରାଜ୍ୟରେ ସଂପ୍ରତି ରାଷ୍ଟ୍ରାୟତ୍ତ କମ୍ପାନି ବିଏସ୍ଏନ୍ଏଲ୍ ଏବଂ ୩ଟି ଘରୋଇ କମ୍ପାନି ମୋବାଇଲ ଟେଲିଫୋନ ସେବା ପ୍ରଦାନ କରୁଛନ୍ତି। ନଭେମ୍ବର ମାସରେ ଏମାନଙ୍କ ମଧ୍ୟରୁ ୩ଟି କମ୍ପାନି ନୂଆ ଗ୍ରାହକ ଯୋଡ଼ିଛନ୍ତି। ରିଲାଏନ୍ସ ଜିଓ ସର୍ବାଧିକ ୧,୫୯,୭୦୫ ଗ୍ରାହକ ଯୋଡ଼ିଥିବାବେଳେ ଭୋଡାଫୋନ ଆଇଡିଆ ୩୦୨୭ ଏବଂ ବିଏସ୍ଏନ୍ଏଲ୍ ୨୪୩୩ ଗ୍ରାହକ ଯୋଡ଼ିଛନ୍ତି। କିନ୍ତୁ ଅନ୍ୟପକ୍ଷରେ ଭାରତୀ ଏୟାରଟେଲ ୧୦୨୪୩ ଗ୍ରାହକ ନଭେମ୍ବର ମାସରେ ହରାଇଛି।
ନଭେମ୍ବର ମାସ ଶେଷ ସୁଦ୍ଧା ଓଡ଼ିଶାରେ ରିଲାଏନ୍ସ ଜିଓର ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୧ କୋଟି ୭୦ ଲକ୍ଷ ୯୩ ହଜାର ୩୯୫ରେ ପହଞ୍ଚିଛି। ସେହିଭଳି ବିଏସ୍ଏନ୍ଏଲ୍ର ମୋବାଇଲ ଫୋନ ଗ୍ରାହକ ସଂଖ୍ୟା ୫୫ ଲକ୍ଷ ୩୨ ହଜାର ୮୨୧ରେ ଏବଂ ଭୋଡାଫୋନ ଆଇଡିଆର ଗ୍ରାହକ ସଂଖ୍ୟା ୧୪ ଲକ୍ଷ ୯୦ ହଜାର ୩୬୮ରେ ପହଞ୍ଚିଛି। ଅନ୍ୟପକ୍ଷରେ ଭାରତୀ ଏୟାରଟେଲର ଗ୍ରାହକଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୨୦ ହଜାର ୨୪୦କୁ ହ୍ରାସ ପାଇଛି।
ନଭେମ୍ବର ମାସରେ ରାଜ୍ୟରେ ୮୯୨୭ ଜଣ ନୂଆ ଲ୍ୟାଣ୍ଡଲାଇନ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏଥିଯୋଗୁ ରାଜ୍ୟରେ ମୋଟ ଲ୍ୟାଣ୍ଡଲାଇନ ଗ୍ରାହକଙ୍କ ସଂଖ୍ୟା ୭ ଲକ୍ଷ ୧୦ ହଜାର ୫୬୩ରେ ପହଞ୍ଚିଛି। ଟେଲି ସାନ୍ଦ୍ରତା କ୍ଷେତ୍ରରେ ଓଡ଼ିଶା ଏବେ ବି ଜାତୀୟ ହାରଠାରୁ ପଛରେ ପଡ଼ିଛି। ଜାତୀୟ ସ୍ତରରେ ଟେଲି ସାନ୍ଦ୍ରତା ୮୬.୭୭ ରହିଛି। କିନ୍ତୁ ଓଡ଼ିଶାରେ ଏହା ୭୯.୦୮ ରହିଛି। ନଭେମ୍ବର ଶେଷ ସୁଦ୍ଧା ଦେଶରେ ମୋଟ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ୧୨୩ କୋଟି୪୫ ଲକ୍ଷରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୧୧୮ କୋଟି ୭୪ ଲକ୍ଷ ହୋଇଥିବାବେଳେ ଲ୍ୟାଣ୍ଡଲାଇନ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୪.୭୦ କୋଟି ରହିଛି।
ସୌଜନ୍ୟ ସମ୍ବାଦ




