Breaking News

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ପରଲୋକ

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକଦଳ (ଆଇଏନ୍‌ଏଲ୍‌ଡି) ନେତା ଓମ୍ ପ୍ରକାଶ ଚୌତାଲାଙ୍କର ଶୁକ୍ରବାର ୮୯ ବର୍ଷ ବୟସରେ ଗୁରୁଗ୍ରାମସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି।

ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକଦଳ (ଆଇଏନ୍‌ଏଲ୍‌ଡି) ନେତା ଓମ୍ ପ୍ରକାଶ ଚୌତାଲାଙ୍କର ଶୁକ୍ରବାର ୮୯ ବର୍ଷ ବୟସରେ ଗୁରୁଗ୍ରାମସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି।  ୭ ଥର ବିଧାୟକ ହୋଇଥିବା ଚୌତାଲା ୧୯୮୯ ଡିସେମ୍ବରରୁ ୫ ଥର ଏବଂ ୧୯୯୯ରୁ ୨୦୦୫ ପର୍ଯ୍ୟନ୍ତ କ୍ରମାଗତ ୨ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

ଜାନୁଆରି ୧୯୩୫ରେ ଏକ ପ୍ରମୁଖ ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରିଥିବା ଚୌତାଲା ଭାରତର ଷଷ୍ଠ ଉପପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଚୌଧୁରୀ ଦେବୀ ଲାଲଙ୍କ ପୁତ୍ର ଥିଲେ। ଦେବୀଲାଲ ମଧ୍ୟ ହରିୟାଣାର ମୁଖ୍ୟମନ୍ତ୍ରୀ ଥିଲେ। ଚୌତାଲା ଭାରତୀୟ ରାଜନୀତିର ଅନ୍ୟତମ ପ୍ରବୀଣ ନେତା ଥିଲେ, ଯଦିଓ ତାଙ୍କ କ୍ୟାରିୟର ବିଭିନ୍ନ କାରଣରୁ ବିବାଦୀୟ ଥିଲା। ସେ ଉଭୟ ଏନ୍‌ଡିଏ ଓ ୨୦୦୯ରେ ଗଠିତ ତୃତୀୟ ମୋର୍ଚ୍ଚାର ଅଂଶ ଥିଲେ, ଯାହା କି ଏନ୍‌ଡିଏ କିମ୍ବା କଂଗ୍ରେସ ନେତୃତ୍ୱାଧୀନ ଉପାର ଅଂଶ ନ ଥିଲା।  ୧୯୯୯-୨୦୦୦ ମଧ୍ୟରେ ହରିୟାଣାରେ କନିଷ୍ଠ  ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତାଙ୍କୁ ୨୦୧୩ରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା ଏବଂ ସାଢ଼େ ୯ ବର୍ଷ ଜେଲରେ କାଟିବା ପରେ ଜୁଲାଇ ୨୦୨୧ରେ ତିହାର ଜେଲରୁ ମୁକୁଳିଥିଲେ। ଚୌତାଲାଙ୍କ ବିୟୋଗରେ  ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରି କହିଛନ୍ତି, ସେ ବହୁ ବର୍ଷ ଧରି ରାଜ୍ୟ ରାଜନୀତିରେ ସକ୍ରିୟ ଥିଲେ ଏବଂ ଦେବୀଲାଲଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରିଥିଲେ।

ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ଚୌତାଲାଙ୍କ ବି‌ୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।  ସାରା ଜୀବନ ସେ ରାଜ୍ୟ ଓ ସମାଜର ସେବା କରିଥିଲେବୋଲି ସେ ଟ୍ବିଟ୍ କରିଛନ୍ତି। କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଦା ଏହାକୁ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି। ସେ କହିଛନ୍ତି, ଚୌତାଲାଙ୍କ ବିୟୋଗରେ ହରିୟାଣା ରାଜ୍ୟ ଏବଂ ମୋତେ ବ୍ୟକ୍ତିଗତ ଭାବେ  ବଡ଼ ଝଟକା ଲାଗିଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.