ଭୁବନେଶ୍ୱର: ଗୁରୁଙ୍କ ଭିତରେ ସାରା ବିଶ୍ୱ ନିହିତ। କାରଣ ଗୁରୁଙ୍କ ବିଦ୍ୟା ବଳରେ ଜଣେ ଶିଷ୍ୟ ଜଗତକୁ ଚିହ୍ନିପାରେ। ଗୁରୁ କେବଳ ବିଦ୍ୟାଦାତା ନୁହନ୍ତି, ପଥ ପ୍ରଦର୍ଶକ। ସ୍ୱାମୀ ଦୟାନନ୍ଦ ସର୍ଭିସ୍ ମିସନ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘ଗୁରୁପ୍ରଣାମ ମହୋତ୍ସବ’ର ରଜତ ଜୟନ୍ତୀ ଉତ୍ସବରେ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଏଭଳି କହିଛନ୍ତି। କାର୍ଯ୍ୟକ୍ରମର ମୁଖ୍ୟଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ଗୁରୁମାନଙ୍କର ପୂଜା ହେଉଥିବା କାର୍ଯ୍ୟକ୍ରମ ଏକ ନିଆରା ସତ୍ସଙ୍ଗ। ଗୁରୁମାନଙ୍କୁ ପ୍ରକୃତ ସମ୍ମାନ ଦେବାକୁ ଚାହୁଥିଲେ, ନିଜେ ପଢ଼ିଥିବା ବିଦ୍ୟାଳୟକୁ ଅନ୍ତତଃ ଥରେ ପରିଦର୍ଶନ କରିବା ଉଚିତ। ନିଜେ ପଢ଼ିଥିବା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବାକୁ ପ୍ରୟାସ କଲେ, ଗୁରୁଙ୍କୁ ପ୍ରକୃତ ସମ୍ମାନ ମିଳିବ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ସାମ୍ୱାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ ଏଭଳି କାର୍ଯ୍ୟକ୍ରମ ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଖୁବ୍ ଶିକ୍ଷଣୀୟ। ସ୍ୱାମୀ ବ୍ରହ୍ମାନନ୍ଦ, ମହନ୍ତ ରାମକୃଷ୍ଣ ଦାସ ମହାରାଜ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ।

