ଓଡିଶା

VB-G RAM G: ‘ଭିବି-ଜି ରାମ ଜିରେ ଦୁର୍ନୀତି ହେବନି’: ମନରେଗାରେ ୧୦୦ ଦିନ ବଦଳରେ ୫୦ ଦିନର କାମ ମିଳୁଥିଲା

୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିସନ୍‌ ଗ୍ରାମୀଣ’ (ଭିବି-ଜି ରାମ ଜି) ଯୋଜନା ଆସିଛି। ମହାତ୍ମା ଗାନ୍ଧୀଙ୍କ ଗ୍ରାମ୍ୟ ସ୍ୱରୋଜଗାର ଲକ୍ଷ୍ୟକୁ ବାସ୍ତବରେ କିପରି ହାସଲ କରାଯାଇପାରିବ....

ଭୁବନେଶ୍ୱର: ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିସନ୍‌ ଗ୍ରାମୀଣ’ (ଭିବି-ଜି ରାମ ଜି) ଯୋଜନା ଆସିଛି। ମହାତ୍ମା ଗାନ୍ଧୀଙ୍କ ଗ୍ରାମ୍ୟ ସ୍ୱରୋଜଗାର ଲକ୍ଷ୍ୟକୁ ବାସ୍ତବରେ କିପରି ହାସଲ କରାଯାଇପାରିବ ସେ ନେଇ (ଭିବି-ଜି ରାମ ଜି) ଆଇନ ବା ଯୋଜନାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୟୁପିଏ ସରକାର ନରେଗା ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ି ରାଜନୈତିକ ଫାଇଦା ନେଉଥିଲେ। ହେଲେ ଆମେ ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ପୂରଣ କରିବାକୁ ଚାହୁଛୁ, ରାଜନୈତିକ ଫାଇଦା ଉଠାଇବାକୁ ନୁହେଁ।  ଏହି ଆଇନରେ କୃଷକ ଓ ଶ୍ରମିକଙ୍କୁ ୧୨୫ ଦିନର କାମ, ଅଧିକ ଓ ନିଶ୍ଚିତ ଆୟ ଦେବ। ମନ‌ରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବାବେଳେ ଭିବିଜିରାମଜିରେ କୌଣସି ଦୁର୍ନୀତି ହେବନି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Health: ଏମ୍‌କେସିଜିରେ ଅନ୍ଧାରରେ ରୋଗୀସେବା; ଅସ୍ତ୍ରୋପଚାର କକ୍ଷରେ ଲାଇନ୍‌ କଟିଗଲା

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ୧୯୬୦ ଓ ୧୯୭୧ରେ ଗ୍ରାମୀଣ ରୋଜଗାର ପାଇଁ ନୂଆ ଯୋଜନା କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଯଦି କାମ ଥିବ ତେବେ ସେମାନଙ୍କୁ କାମ ଯୋଗାଇ ଦିଆଯିବ। ମାତ୍ର ଲୋକଙ୍କ ପାଇଁ ଆଦୌ କର୍ମ ନିଯୁକ୍ତି ସୃଷ୍ଟି କରାଯାଉ ନଥିଲା। ୨୦୦୫ରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ନରେଗା) ଆରମ୍ଭ କରାଯାଇଥିଲା। ୨୦୦୯ରେ ଉକ୍ତ ଯୋଜନାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ନାମିତ କରାଯାଇଥିଲା। ମାତ୍ର ଏହାର ମୌଳିକ ଢାଞ୍ଚାରେ କୌଣସି ପରିବର୍ତ୍ତନ କରାଯାଇ ନ ଥିଲା। ଏଥିରେ ୧୦୦ ଦିନର ନିଶ୍ଚିତ କର୍ମନିଯୁକ୍ତି ଦେବା ପାଇଁ ନିୟମ ଥିଲେ ମଧ୍ୟ ବାସ୍ତବରେ କେବଳ ୫୦ ଦିନ କାମ ମିଳୁଥିଲା। ସେହିପରି ଯେଉଁ ଭତ୍ତା ଦିଆଯାଉଥିଲା ତାହା ଅତ୍ୟନ୍ତ ନଗଣ୍ୟ ଥିଲା। ଏହି ଯୋଜନାରେ ବିଭିନ୍ନ ରାଜ୍ୟରେ ସେତେବେଳେ ଦୁର୍ନୀତି ମଧ୍ୟ ଦେଖିବାକୁ ମିଳିଥିଲା।

ମନରେଗାରେ ୧୦୦ ଦିନ ବଦଳରେ ୫୦ ଦିନର କାମ ମିଳୁଥିଲା
ଭିବି-ଜି ରାମ ଜିରେ ୧୨୫ ଦିନ କାମ 
କାମ ନ ମିଳିଲେ ୧୫ ଦିନରେ ଭତ୍ତା
ମହାତ୍ମା ଗାନ୍ଧୀଙ୍କ ନାଁ ବ୍ୟବହାର କରି ରାଜନୈତିକ ଫାଇଦା ନେଉଥିଲା ୟୁପିଏ

ମିଛ ମଷ୍ଟରରୋଲ୍ ଦେଖାଇ ମୃତ ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ଯୋଡ଼ି ଦିଆଯାଇଥିଲା। ୟୁପିଏ ସରକାର ସମୟରେ ଯୋଜନାବଦ୍ଧ ଭାବେ ଏସବୁ ଦୁର୍ନୀତି ହୋଇଥିଲା। ବିହାରରେ ୬୦୦୦ କୋଟି ଓ ଉତ୍ତରପ୍ରଦେଶରେ ୧୦ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡ଼ି ନଥିଲା। ୨୦୧୨ ମସିହାରେ ସମ୍ବଲପୁରରେ କେତେ ଜଣ ମୃତବ୍ୟକ୍ତି, ରୋଗୀ ଏବଂ ବାର୍ଦ୍ଧକ୍ୟ ଭତ୍ତା‌ ପାଉଥିବା ବ୍ୟକ୍ତିଙ୍କ ନାମରେ ମଜୁରି ଟଙ୍କା ଉଠାଯାଇଥିଲା। ମଷ୍ଟର୍‌ ରୋଲ୍‌ରେ ମିଛ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିଲା। କିଛି ରାସ୍ତା କାମ ଆଦୌ କରା ନଯାଇ ଅର୍ଥ ହଡ଼ପ କରାଯାଇଥିଲା। ମନରେଗାରେ ଋତୁକାଳୀନ ସମସ୍ୟା ଉପରେ ଆଦୌ ଗୁରୁତ୍ୱ ଦିଆଯାଉ ନ ଥିଲା। ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ଯୋଜନାର ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁ ନ ଥିଲା। ଢାଞ୍ଚାଗତ ଦୁର୍ବଳତା ଓ ଅପାରଗତା ପାଇଁ ଏହି ଯୋଜନା ବିଫଳ ହୋଇଥିଲା। ଏହି ଯୋଜନା ଦୁର୍ନୀତିକୁ ବ୍ୟାପକ ଭାବେ ପ୍ରଶ୍ରୟ ଦେଉଥିଲା।

ତେଣୁ ଟେକ୍ନୋଲୋଜିକୁ ବ୍ୟବହାର କରି ଏସବୁ ଦୁର୍ନୀତି ରୋକିବା ଏବଂ ଯୋଜନାର ସଫଳ ରୂପାୟନ ପାଇଁ  ମୋଦୀଜୀ ‘ଭିବି-ଜି ରାମ ଜି’ ବିଲ୍‌ ପ୍ରଣୟନ କରିଛନ୍ତି। ଏଥିରେ କର୍ମନିଯୁକ୍ତିର ଅବଧିକୁ ୧୦୦ ଦିନରୁ ବୃଦ୍ଧି କରାଯାଇ ୧୨୫ ଦିନ କରାଯାଇଛି। ଗ୍ରାମରେ ବିଭିନ୍ନ ଉତ୍ପାଦକୁ ବୃଦ୍ଧି କରାଇବାରେ ନୂତନ ଯୋଜନା ସହାୟକ ହୋଇପାରିବ। ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ପାଇଁ ୯୦:୧୦, କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୦୦ ପ୍ରତିଶତ ଓ ଅନ୍ୟ ରାଜ୍ୟଗୁଡ଼ିକରେ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ।

ସେହିପରି ଏଥିରେ ୪ ପ୍ରମୁଖ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି। ସେଗୁଡ଼ିକ ହେଲା ଜଳ ସୁରକ୍ଷା ଓ ଜଳ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକୁ ପ୍ରୋତ୍ସାହନ, ମୌଳିକ ଗ୍ରାମୀଣ ଭିତ୍ତିଭୂମି ସୁଦୃଢ଼ କରିବା, ଜୀବିକାର ସୁଯୋଗ ବିସ୍ତାରିତ କରିବା ଓ ପ୍ରତିକୂଳ ପାଣିପାଗଜନିତ ଘଟଣାଗୁଡ଼ିକର ମୁକାବିଲା ପାଇଁ ପ୍ରସ୍ତୁତି କରିବା। କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାଷ ସମୟରେ ଓ ଅମଳ ସମୟରେ ଏହି କାମ ସମ୍ପୂର୍ଣ୍ଣ ବନ୍ଦ ରହିବ। ବର୍ଷକୁ ୬୦ ଦିନ ପର୍ଯ୍ୟନ୍ତ ଏହାର ଅବଧି ରଖାଯାଇଛି। ଏହାଦ୍ୱାରା କୃଷି କ୍ଷେତ୍ରରେ ଶ୍ରମିକ ଅଭାବ ସମସ୍ୟା ଦୂରହେବ, ଅଯଥା ମଜୁରି ବଢ଼ିବା ସମସ୍ୟା ବନ୍ଦ ହେବ। ଆଉ କେହି ବି ଠକି ସେହି ସମୟରେ କାମ ହେଉଛି ବୋଲି କହି ଦୁର୍ନୀତି କରିପାରିବେ ନାହିଁ। ଏଆଇ, ଜିପିଏସ୍ ଓ ମୋବାଇଲ୍ ଜରିଆରେ ସ୍ୱଚ୍ଛତା ଅଣାଯାଇପାରିବ। କାମ ମାଗିବାର ୧୫ ଦିନ ମଧ୍ୟରେ କାମ ନ ମିଳିଲେ ଭତ୍ତା ଦେବା ବାଧ୍ୟତାମୂଳକ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ରବି ନାରାୟଣ ନାଏକ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ସରକାରୀ ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ, ବିଧାୟକ ବାବୁ ସିଂହ, ଆଶ୍ରିତ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button