Toilet: ପାରଳା ପୌରପରିଷଦର ୧୦ ଶୌଚାଳୟରେ ଝୁଲୁଛି ତାଲା
ଅବ୍ୟବସ୍ଥା ଘେରରେ ପାରଳା ସହରରେ ଥିବା ସମସ୍ତ ଶୌଚାଳୟ। ପରିଚାଳନା ଗତ ତ୍ରୁଟି ଯୋଗୁଁ ଅଧିକାଂଶ ଶୌଚାଳୟ ବର୍ତ୍ତମାନ ଅଚଳ ଅବସ୍ଥାରେ। ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ଓ ସହରକୁ ଆସୁଥିବା ହଜାର ହଜାର ଜନ ସାଧାରଣ।

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଅବ୍ୟବସ୍ଥା ଘେରରେ ପାରଳା ସହରରେ ଥିବା ସମସ୍ତ ଶୌଚାଳୟ। ପରିଚାଳନା ଗତ ତ୍ରୁଟି ଯୋଗୁଁ ଅଧିକାଂଶ ଶୌଚାଳୟ ବର୍ତ୍ତମାନ ଅଚଳ ଅବସ୍ଥାରେ। ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ଓ ସହରକୁ ଆସୁଥିବା ହଜାର ହଜାର ଜନ ସାଧାରଣ। ତେବେ ଗଜପତିଜିଲ୍ଲା ପୌରପାଳିକାର ଦାୟିତ୍ଵହୀନତାକୁ ସବୁ ମହଲରେ କଡା ସମାଲୋଚନା କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୧୦ଟି ଶୌଚାଳୟ ଅଚଳ ଅବସ୍ଥାରେ ରହିଛି। କେଉଁଠି ତାଲା ପଡିଛି ତ ଆଉ କେଉଁଠି ପାଣି ଅଭାବରୁ ବ୍ଯବହାର ହୋଇପାରୁନି ଆଉ କିଛି ଶୌଚାଳୟ ମରାମତି ନହୋଇ ଭାଙ୍ଗିରୁଜି ଯାଇଛି। ଫଳରେ ସ୍ବଚ୍ଛ ଅଭିଯାନରେ ସରକାରଙ୍କ ଉଦ୍ଦେଶ୍ୟ ଠାରୁ ବହୁ ଦୂରରେ ରହି ଯାଇଛି ପାରଳା ପୌରପରିଷଦ।
ସବୁଠି ସମାନ ଅବସ୍ଥା। ସ୍ଥିତି ଏମିତି ହୋଇଛି କଉଟା ମରାମତି କରିବେ ଆଉ କଉଟା ତାଲା ଖୋଲି କାର୍ଯ୍ୟକାରୀ କରିବେ ତାହା ବି ପୌରପରିଷଦ ନିଷ୍ପତ୍ତି ନେଇପାରିନି। ସହରର ୧ ନମ୍ବର ୱାର୍ଡ ସୁବାଶ ନଗର/ରେଲିସାହିର ଥିବା ଶୌଚାଳୟ ନଷ୍ଟ ହୋଇଯାଇଥିବା ବେଳେ ବ୍ଯବହାର ଉପଯୋଗୀ ନହୋଇ ତାଲା ପଡ଼ି ରହିଛି। ସଦରା ବନ୍ଧ ନିକଟରେ ଥିବା ଶୌଚାଳୟର ମଧ୍ୟ ସମାନ ଅବସ୍ଥା, ପୂର୍ତ୍ତ ବିଭାଗର କଲୋନିରେ ଥିବା ଶୌଚାଳୟରେ ମଧ୍ୟ ତାଲା ପଡ଼ିଛି, ପାଣି ଅଭାବରୁ ବ୍ୟବହାର ହୋଇପାରୁନି, ମେଦିରି ସାହିର ମଧ୍ୟ ଶୌଚାଳୟ ରେ ରହିଥିବା ପେନ, ପାଇପ ଲାଇନ ସବୁ ନଷ୍ଟ ହେଇଯାଇଛି ମରାମତି ନହୋଇ ପରି ଅଚଳ ଅବସ୍ଥାରେ ରହିଛି, ଶଙ୍କୁରି ବନ୍ଧ ନିକଟରେ ଥିବା ଶୌଚାଳୟ ମଧ୍ୟ ବ୍ଯବହର ଉପଯୋଗୀ ନାହିଁ। କଟକିଆ ସାହିରେ ଥିବା ଶୌଚାଳୟ ମଧ୍ୟ ଭଙ୍ଗା ଦଦରା ଅବସ୍ଥାରେ ରହିଛି। ସମାନ ଭାବରେ ନୂଆଁ ବାସଷ୍ଟାଣ୍ଡ ପରିସରରେ ଥିବା ଶୌଚାଳୟରେ ମରାମତି ଅଭାବରୁ ତାଲା ଝୁଲୁଛି। ଆଉ କିଛି ଶୌଚଳୟ ବାହାରୁ ଚକାଚକ କିନ୍ତୁ ଭିତରେ ସବୁ ନଷ୍ଟ ହୋଇଯାଇଛି କିନ୍ତୁ ସମସ୍ଯା ସମ୍ପର୍କରେ ପୌର ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।
ମୁକ୍ତା ଯୋଜନା ମାଧ୍ୟମରେ ଶୌଚାଳୟ ନିର୍ମାଣ
ସେହିଭଳି ଦୋଳବନ୍ଧ ନିକଟରେ, ଟାଉନ ହଲ ପରିସରରେ ଏଭଳି ତିନୋଟି ସ୍ଥାନରେ ମୁକ୍ତା ଯୋଜନା ମାଧ୍ୟମରେ ନୂତନ ଭାବରେ ଶୌଚାଳୟ ନିର୍ମାଣ କରଯାଇଛି କିନ୍ତୁ ସର୍ବସାଧାରଣ ବ୍ୟବହାର କରିବା ବଦଳରେ ଦୁଇବର୍ଷ ହେଲା ତାଲା ପଡିଛି ଫଳରେ କାମରେ ଲାଗି ପାରୁନି। ଅନ୍ୟପକ୍ଷରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସର୍ବସାଧାରଣ ବ୍ୟବହାର ନିମନ୍ତେ ସହରରେ ଗୋଟିଏ ବି ଶୌଚାଳୟ ନଥିବାରୁ ଜନସାଧାରଣ ଶୌଚ ପାଇଁ ବିଭିନ୍ନ ସମସ୍ୟାର ସମୁଖୀନ ହେବା ସହ ବାହାର ପରିସ୍ରା କରିବା ପାଇଁ ବାଧ୍ୟ ହେଉଛନ୍ତି। ବସ୍ତି ଅଞ୍ଚଳ ବାସିନ୍ଦା ବି ବହୁ ସମସ୍ଯାର ସମୁଖୀନ ହେଉଛନ୍ତି। କିନ୍ତୁ ବାହାରୁ ସହରକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ମହିଳା ମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସମସ୍ଯା କହିଲେ ନସରେ।
ପାରଳାଖେମୁଣ୍ଡିରେ ୧୬ ଗୋଟି ଶୌଚାଳୟ
ତେବେ ଏନେଇ ପାରଳା ପୌରପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁଙ୍କ କହିବା ହେଲା ସହରରେ ମୋଟ ୧୬ ଗୋଟି ଶୌଚାଳୟ ରହିଛି ସେଥି ମଧ୍ୟରୁ ୪ ଟି ସୁଲଭକୁ ହସ୍ତାନ୍ତର ହୋଇଛି। ନୂତନ ଭାବରେ ନିର୍ମାଣ ହୋଇଥିବା ୩ଟି କର୍ମଚାରୀ ଅଭାବରୁ କାର୍ଯ୍ୟକାରି ହୋଇ ପାରିନାହିଁ, ବଳକା ଯାହା ବିଭିନ୍ନ କାରଣରୁ ବନ୍ଦ ହୋଇ ରହିଛି ତାର ମରାମତି ପାଇଁ ଆସନ୍ତା ବୈଠକରେ ପ୍ରସ୍ତାବ ଦିଆଯିବ ପୌରପରିଷଦର ନିଷ୍ପତ୍ତି କ୍ରମେ ପଦକ୍ଷେପ ନିଆଯିବ। ତେବେ ବର୍ଷ ବର୍ଷ ଧରି ଅଚଳ ହୋଇ ରହିଥିବା ଶୌଚାଳୟକୁ ପୂର୍ଣ୍ଣରୁଧାର କରିବା ଦିଗରେ ପୌରପରିଷଦ ପଦକ୍ଷେପ ନନେଇ ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ବଦଳରେ ବିଗାଡିବାରେ ପରୋକ୍ଷରେ ସହାୟକ ହେଉଥିବା ଚର୍ଚ୍ଚା ହେଉଛି।
ସୌଜନ୍ୟ ସମ୍ବାଦ




