Yusuf Pathan: ମମତାଙ୍କଠୁ ମୁହଁ ଫେରାଇବା ପରେ ଭାଗ୍ୟ ଖୋଲିଲା! ୨୦ କୋଟିର ପ୍ଲଟ୍କୁ ନେଇ ବଡ଼ ଖେଳ! ୟୁସୁଫ ପଠାନଙ୍କୁ ମିଳିଲା ଗ୍ରୀନ୍ ସିଗନାଲ୍
କ୍ରିକେଟ୍ ପଡ଼ିଆରେ ଛକା, ଚୌକା ମାରି ଚର୍ଚ୍ଚାକୁ ଆସୁଥିବା ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ଏବେ ରାଜନୀତି ଓ ଜମି ବିବାଦକୁ ନେଇ ଚର୍ଚ୍ଚାରେ। ଗୁଜରାଟର ବଡ଼ୋଦରାରେ ଦୀର୍ଘ ବର୍ଷ ଧରି ଚାଲିଥିବା ଏକ ମୂଲ୍ୟବାନ ପ୍ଲଟ୍କୁ ନେଇ ବିବାଦରେ ଏବେ ନୂଆ ମୋଡ଼ ଆସିଛି।

ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ଛକା, ଚୌକା ମାରି ଚର୍ଚ୍ଚାକୁ ଆସୁଥିବା ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ଏବେ ରାଜନୀତି ଓ ଜମି ବିବାଦକୁ ନେଇ ଚର୍ଚ୍ଚାରେ। ଗୁଜରାଟର ବଡ଼ୋଦରାରେ ଦୀର୍ଘ ବର୍ଷ ଧରି ଚାଲିଥିବା ଏକ ମୂଲ୍ୟବାନ ପ୍ଲଟ୍କୁ ନେଇ ବିବାଦରେ ଏବେ ନୂଆ ମୋଡ଼ ଆସିଛି। ପ୍ରାୟ ୨୦.୫୩ କୋଟି ଟଙ୍କାର ଜମି ଆବଣ୍ଟନକୁ ବଡ଼ୋଦରା ମହାନଗର ନିଗମର ସ୍ଥାୟୀ କମିଟି ମଞ୍ଜୁରି ଦେଇଛି। ତେବେ ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
୯୭୮ ବର୍ଗମିଟର ଜମି, ମୂଲ୍ୟ ୨୦ କୋଟିରୁ ଅଧିକ!
ବଡ଼ୋଦରାରେ ୟୁସୁଫ ପଠାନଙ୍କ ଘର ପାଖରେ ଥିବା ୯୭୮ ବର୍ଗମିଟରର ଏକ ପ୍ଲଟ୍କୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଥିଲା। ଏହି ଜମିର ବଜାର ମୂଲ୍ୟ ପ୍ରାୟ ୨୦.୫୩ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଜମିର ପ୍ରତି ବର୍ଗମିଟର ମୂଲ୍ୟ ୨.୧୦ ଲକ୍ଷ ଟଙ୍କା ହିସାବରେ ଏହି ଆକଳନ କରାଯାଇଛି। ଏହି ପ୍ଲଟ୍ରୁ ୫୦୦ ବର୍ଗମିଟର ଜମି ୟୁସୁଫ ପଠାନଙ୍କୁ ଉପହାର ସ୍ୱରୂପ ଦେବାକୁ ସରକାରଙ୍କ ପ୍ରସ୍ତାବ ରହିଛି। ଅବଶିଷ୍ଟ ୪୭୮ ବର୍ଗମିଟର ଜମିର ନିର୍ଦ୍ଧାରିତ ମୂଲ୍ୟ ଉପରେ ୪୫ ପ୍ରତିଶତ ରିହାତି ଦେଇ ଆବଣ୍ଟନ କରାଯିବ। ଅର୍ଥାତ୍ ନିର୍ଦ୍ଧାରିତ ମୂଲ୍ୟର ମାତ୍ର ୫୫ ପ୍ରତିଶତ ଅର୍ଥ ଦେଇ ଏହି ଜମି ନେଇପାରିବେ ପଠାନ। ଶୁକ୍ରବାର ବଡ଼ୋଦରା ମହାନଗର ନିଗମର ସ୍ଥାୟୀ କମିଟି ବୈଠକରେ ଏହି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଅନୁମୋଦନ ମିଳିଛି। ଗୁଜରାଟ ସରକାରଙ୍କ ଅନୁମତି ପରେ ଏହି ପ୍ରସ୍ତାବ କମିଟି ନିକଟକୁ ଆସିଥିଲା। ତେବେ ସରକାର ଏହାକୁ ଏକ ସ୍ୱତନ୍ତ୍ର ମାମଲା ଭାବେ ବିବେଚନା କରିଛନ୍ତି। ଭବିଷ୍ୟତରେ ଏଭଳି ଜମି ଆବଣ୍ଟନ ପାଇଁ ଏହାକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି।
ତେବେ ଏହି ଜମି ବିବାଦ ଆଜିର ନୁହେଁ। ୨୦୧୨ରେ ୟୁସୁଫ ପଠାନ ନିଜ ଘରକୁ ଲାଗିଥିବା ୯୭୮ ବର୍ଗମିଟର ଜମିକୁ ୯୯ ବର୍ଷିଆ ଲିଜ୍ରେ ନେବାକୁ ଆବେଦନ କରିଥିଲେ। ଜଣେ ଅନ୍ତର୍ଜାତୀୟ କ୍ରିକେଟର ଭାବେ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତାକୁ ସେ ଏହାର କାରଣ ଦର୍ଶାଇଥିଲେ। ଏହା ପରେ ମଧ୍ୟ ଜମି ଉପରେ ବାଡ଼ ଦେଇ ପଠାନ ଏହାକୁ ନିଜ ଦଖଲରେ ରଖିଥିବା ଅଭିଯୋଗ ଆଣିଥିଲା ମହାନଗର ନିଗମ। ୨୦୨୪ ଜୁନ୍ରେ ଜମିରୁ ଅବୈଧ ଦଖଲ ହଟାଇବା ପାଇଁ ତାଙ୍କୁ ନୋଟିସ୍ ଦିଆଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୫ ଅଗଷ୍ଟରେ ହାଇକୋର୍ଟ ସରକାରଙ୍କ ପୁରୁଣା ନିଷ୍ପତ୍ତିକୁ କାଏମ ରଖିଥିଲେ। କେବଳ ଦୀର୍ଘଦିନ ଧରି ଜମି ଦଖଲରେ ରଖିଲେ ଏହା ଉପରେ ଆଇନଗତ ଅଧିକାର ମିଳିଯାଏ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। ପରେ ପଠାନ ଏହି ରାୟ ବିରୋଧରେ ଅପିଲ୍ କରିଥିଲେ। ୨୦୨୬ ଅଗଷ୍ଟ ୩୧ରେ ସେ ବିନା ସର୍ତ୍ତରେ ଅପିଲ୍ ପ୍ରତ୍ୟାହାର କରିନେଇଥିଲେ।
ରାଜନୀତିରେ ନୂଆ ମୋଡ଼, ବିରୋଧୀଙ୍କ ପ୍ରଶ୍ନ
ୟୁସୁଫ ପଠାନ ପଶ୍ଚିମବଙ୍ଗର ବହରମପୁର ଲୋକସଭା ଆସନରୁ ତୃଣମୂଳ କଂଗ୍ରେସ ଟିକେଟ୍ରେ ବିଜୟୀ ହୋଇ ସଂସଦକୁ ଯାଇଥିଲେ। ମମତା ବାନାର୍ଜୀଙ୍କ ଦଳ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ମଧ୍ୟରେ ଗୁଜରାଟରେ ଏହି ଜମି ଆବଣ୍ଟନକୁ ନୂଆ ରାଜନୈତିକ ରଙ୍ଗ ଦିଆଯାଉଛି।
ସୌଜନ୍ୟ ସମ୍ବାଦ




