ଓଡିଶା

Sambalpur: ସମ୍ବଲପୁରବାସୀଙ୍କୁ ମିଳିବ ବିଶୁଦ୍ଧ ପାଣି, ଉନ୍ନତ ସ୍ବାସ୍ଥ୍ୟସେବା: ୪୫୧ କୋଟିର ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅତ୍ୟାଧୁନିକ ଟ୍ରମା କେୟାର୍ କେନ୍ଦ୍ର କୋଠାର ଲୋକାର୍ପଣ କରିବା ସହ ମହାନଗରବାସୀଙ୍କ ପାଇଁ ବୃହତ୍‌ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ସମ୍ବଲପୁର: ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅତ୍ୟାଧୁନିକ ଟ୍ରମା କେୟାର୍ କେନ୍ଦ୍ର କୋଠାର ଲୋକାର୍ପଣ କରିବା ସହ ମହାନଗରବାସୀଙ୍କ ପାଇଁ ବୃହତ୍‌ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମ୍ବଲପୁର ସହରବାସୀଙ୍କ ବହୁ ପୁରୁଣା ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ରବିବାର ଜମାଦାରପାଲିଠାରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ବିଶିଷ୍ଟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ସହର ମଧ୍ୟରେ ପ୍ରାୟ ୩୪୦ କିଲୋମିଟର ଦୀର୍ଘ ପାଣି ପାଇପ୍‌ଲାଇନ୍ ବିଛାଯିବ। ସେଥିପାଇଁ ଗୋଟିଏ ‘ଇନ୍‌ଟେକ୍ ୱେଲ୍’ ଓ ଦୁଇଟି ଆଧୁନିକ ‘ୱାଟର୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ’ ନିର୍ମାଣ କରାଯିବ। ସମ୍ବଲପୁର ପଟେ ୬୫ ଏମ୍‌ଏଲ୍‌ଡି ଓ ବୁର୍ଲା ପଟେ ୩୫ ଏମ୍‌ଏଲ୍‌ଡି କ୍ଷମତାର ଦୁଇଟି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାପିତ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ଦିନକୁ ମୋଟ ୧୦୦ ମିଲିୟନ୍ ଲିଟର ପାନୀୟ ଜଳ ଉପଲବ୍ଧ ହେବା ସହିତ ସହରର ୪୧ଟି ୱାର୍ଡରେ ପ୍ରାୟ ୫ ଲକ୍ଷ ଜନସାଧାରଣ ଉପକୃତ ହେବେ। ଏହି ପ୍ରକଳ୍ପ ହେବା ଦ୍ବାରା ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ହେବ ‌ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ‘ଅମୃତ ୨.୦’ ଅଧୀନରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ଯୋଜନାର ଅଂଶବିଶେଷ। ଏଥିରେ ସହରବାସୀ ସିଧାସଳଖ ଟ୍ୟାପ୍‌ରୁ ପାଣି ଆଣି ପିଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅତ୍ୟାଧୁନିକ ଟ୍ରମା କେୟାର୍ କେନ୍ଦ୍ର ଲୋକାର୍ପିତ

ସେହିପରି ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଟ୍ରମା କେୟାର କେନ୍ଦ୍ର ଓ ଓପିଡି କୋଠାର ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାସହିତ ଡାକ୍ତରଖାନା ପରିସରରେ ୨ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସିଏସ୍‌ଏସ୍‌ଡି କୋଠା ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏଠାରେ ଆଧୁନିକ ପ୍ରଣାଳୀ ମାଧ୍ୟମରେ ବିଭିନ୍ନ ଚିକିତ୍ସା ସାମଗ୍ରୀ ଓ ଉପକରଣକୁ ସଫା ବା ଷ୍ଟେର୍‌ଲାଇଜ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ବର୍ତ୍ତମାନ ସମୟରେ ଦୁର୍ଘଟଣା ହାର ବଢ଼ି ଚାଲିଥିବାରୁ ପ୍ରତି ଜିଲ୍ଲାରେ ଟ୍ରମା କେୟାର କେନ୍ଦ୍ରର ଆବଶ୍ୟକତା ବୃଦ୍ଧି ପାଇଛି। ରାଜ୍ୟରେ ସମୁଦାୟ ୮୯ଟି ଅତ୍ୟାଧୁନିକ ଟ୍ରମା କେୟାର କେନ୍ଦ୍ର ଖୋଲିବାକୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ଦୁର୍ଘଟଣାଜନିତ ମୃତ୍ୟୁ ଓ କ୍ଷୟକ୍ଷତି କମାଯାଇ ପାରିବ। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ କରିବା ଦିଗରେ ରାଜ୍ୟ ସରକାର ବିଭିନ୍ନ ଡାକ୍ତରଖାନାର ଉନ୍ନତୀକରଣ କରୁଥିବାବେଳେ ରବିବାର ସମ୍ବଲପୁର ଡାକ୍ତରଖାନାର ନୂଆ ଓପିଡି କୋଠା ଏହାର ଏକ ଅଂଶ। ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌ଏମ୍‌ସି କମିସନର ରେହାନ ଖତ୍ରୀ, ସମ୍ବଲପୁର ଏସ୍‌ପି ମୁକେଶ ଭାମୁ, ସିଡିଏମ୍‌ଓ ଡା. ପ୍ରଦୀପ ହୋତା, ପୂର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button