Sundargarh Signing: କୃତଜ୍ଞତା ଜ୍ଞାପନ କଲେ ଆଗକୁ ବଢ଼ିପାରିବା: ସୌମ୍ୟ ରଂଜନ
ଏକାଠି ହେବା ପ୍ରକ୍ରିୟା ହିଁ ଗଣତାନ୍ତ୍ରିକ ଉତ୍ସବ। ବିକାଶ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାନ୍ତୁ। ଜନତା-ନେତା ଐକ୍ୟବଦ୍ଧ ହୋଇ ବିକାଶ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ। ‘ସମ୍ବାଦ’ ଆୟୋଜିତ ‘ସୁନ୍ଦରଗଡ଼ ସାଇନିଂ’ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

- ‘ଜନତା-ନେତା ଐକ୍ୟବଦ୍ଧ ହୋଇ ବିକାଶ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ’
- ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ‘ସୁନ୍ଦରଗଡ଼ ସାଇନିଂ’ରେ ମତ ପ୍ରକାଶ
- ଜନତା-ନେତା ଐକ୍ୟବଦ୍ଧ ହୋଇ ବିକାଶ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ
- ସୁନ୍ଦରଗଡ଼ର ସମୃଦ୍ଧି ପାଇଁ ସରକାର ପ୍ରୟାସରତ: ଉପବାଚସ୍ପତି ଭବାନୀ ଶଂକର ଭୋଇ
- ପ୍ରାକୃତିକ ସମ୍ପଦର ସଦ୍ବିନିଯୋଗ ହେଲେ ଦୟାର ପାତ୍ର ହେବାକୁ ପଡ଼ିବ ନାହିଁ: କିଶୋର ପଟେଲ
- ସୁନ୍ଦରଗଡ଼ ଜିଲ୍ଲା ଦେବାରେ ଆଗୁଆ, ପାଇବାରେ ପଛୁଆ: ତନୟା
ସୁନ୍ଦରଗଡ଼: ଏକାଠି ହେବା ପ୍ରକ୍ରିୟା ହିଁ ଗଣତାନ୍ତ୍ରିକ ଉତ୍ସବ। ବିକାଶ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାନ୍ତୁ। ଜନତା-ନେତା ଐକ୍ୟବଦ୍ଧ ହୋଇ ବିକାଶ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ। ‘ସମ୍ବାଦ’ ଆୟୋଜିତ ‘ସୁନ୍ଦରଗଡ଼ ସାଇନିଂ’ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ସିଭିକ୍ ସେଣ୍ଟର୍ (ମାଦ୍ରି କାଲୋ ଭବନ)ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ କହିଲେ, ଆଜି ଗୋଟିଏ ମଞ୍ଚରେ ନେତା ଓ ଜନତା। ନେତାମାନେ ଜନତାଙ୍କ କଥା ଶୁଣିବେ। ସୁନ୍ଦରଗଡ଼ର ବିକାଶ ପାଇଁ ଏହା ହେଉଛି ବଡ଼ମଞ୍ଚ। ସୁନ୍ଦରଗଡ଼ ଜିଲ୍ଲା ଯେଭଳି ଅଧିକ ସମୃଦ୍ଧ ହେବ, ସେନେଇ ସରକାର ପ୍ରୟାସରତ। ଏହି ପ୍ରକ୍ରିୟାରେ ଜନସାଧାରଣଙ୍କ ସହଯୋଗ ରହୁ। ସମ୍ମାନିତ ଅତିଥି ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ କହିଲେ, ଜିଲ୍ଲାର ବାସ୍ତବ ସ୍ଥିତି ଜାଣିବାରେ ଏହି କାର୍ଯ୍ୟକ୍ରମ ସୁଯୋଗ ଦେଉଛି। ପ୍ରକୃତରେ ସୁନ୍ଦରଗଡ଼ ଜିଲ୍ଲା ସବୁପ୍ରକାର ଧନର ଅଧିକାରୀ। ତେବେ ଏହାର ପ୍ରକୃତିକ ସମ୍ପଦର ସଦ୍ବିନିଯୋଗ ନିତାନ୍ତ ଜରୁରି। ଏହା ସମ୍ଭବହେଲେ ସୁନ୍ଦରଗଡ଼ ଜିଲ୍ଲାକୁ ସରକାରଙ୍କ ଦୟାର ଆବଶ୍ୟକ ପଡ଼ିବନି। ସୁନ୍ଦରଗଡ଼ ନିଜ ଗୋଡ଼ରେ ଛିଡ଼ା ହୋଇପାରିବ ବୋଲି କହିଥିଲେ।
/filters:format(webp)/sambad/media/media_files/2026/01/11/c328fefd-f983-4949-9300-6cb46231d35b-2026-01-11-22-21-18.jpg)
ଅଧ୍ୟକ୍ଷତା ସମ୍ଭାଷଣରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଲେ, ଯାହା ସୁନ୍ଦରଗଡ଼ ତଥା ଓଡ଼ିଶାରେ ଅଛି, ତାହା ଜଗତରେ ନାହିଁ। ଓଡ଼ିଶା ମାଟିତଳେ ଓ ମାଟି ଉପରେ ସବୁକିଛି ଅଛି। ୪୮୦ କିଲୋମିଟରର ବିସ୍ତୃତ ବେଳାଭୂମି ଅନ୍ୟ କୌଣସି ରାଜ୍ୟ ପାଖରେ ନାହିଁ। ଏତେ ଥାଇ ମଧ୍ୟ ଧନୀ ଓଡ଼ିଶାରେ ଓଡ଼ିଆମାନେ ଗରିବ ହୋଇ ରହିବେ କାହିଁକି? ଏ ପ୍ରଶ୍ନର ଉତ୍ତର ଆମେ କାହାକୁ ପଚାରିବା? ବାସ୍ତବରେ ଯେ ପର୍ଯ୍ୟନ୍ତ ଏହାର ଉତ୍ତର ନିଜେ ଦେବା ପାଇଁ ଆମେ ଚେଷ୍ଟା କରିବା ନାହିଁ, ନିଜ ଭିତରେ ମାନସମନ୍ଥନ କରିବା ନାହିଁ, ଆଲୋଚନା କରିବାନାହିଁ, ସେତେଦିନ ପର୍ଯ୍ୟନ୍ତ ଆମେ ଗରିବ ହୋଇ ରହିଥିବା। ଏବେ ଅସ୍ମିତା ଶବ୍ଦ ବହୁଳଭାବେ ବ୍ୟବହାର ହେଉଛି। କିନ୍ତୁ ମୋତେ ଲାଗେ, ଆମେ ଅସ୍ମିତା ଶବ୍ଦକୁ ବ୍ୟବହାର କରିବାରେ ଟିକିଏ ଭୁଲ୍ କରିଦେଉଛୁ। ଅସ୍ମିତାର ପ୍ରକୃତ ଅର୍ଥ ନେତା, ଶିକ୍ଷକ ବୁଝାଇପାରିବେ ନାହିଁ। ନିଜ ପରିଚୟକୁ ଯେଭଳିଭାବେ ଉପସ୍ଥାପନକରି ଗର୍ବ ଅନୁଭବ କରିପାରିବା, ତାହା ହେଉଛି ପ୍ରକୃତ ଅସ୍ମିତା। ଲୁହାପଥର, ସଂପ୍ରଦାୟିକ ସଦ୍ଭାବ ପାଇଁ ଆମେ ଗର୍ବିତ। ତେବେ ସମଗ୍ର ଓଡ଼ିଶାର ନିଆରାପଣକୁ ନେଇ ଗର୍ବ ଅନୁଭବ କରିବା ଉଚିତବୋଲି କହିଥିଲେ। ଏହାସହ ଶ୍ରୀ ପଟ୍ଟନାୟକ କହିଲେ, ସମ୍ଭାବନାକୁ ଚରିତାର୍ଥ କରିବାକୁ ଏହି ଆୟୋଜନ। ଏହା ଶେଷ ନୁହେଁ; ବରଂ ଏହା ଆରମ୍ଭ। ଆମେ ସମସ୍ୟାକୁ ସମାଧାନର ନିକଟତର କରିବୁ। ସହଯୋଗର ହାତ ବଢ଼ାଇବୁ। କୃତଜ୍ଞତା ଜ୍ଞାପନକଲେ ଆମେ ଆଗକୁ ବଢ଼ିପାରିବା, କିନ୍ତୁ ଅହଙ୍କାର କଲେ କିଛି ସୁଫଳ ମିଳିପାରିବ ନାହିଁ ବୋଲି କହିଥିଲେ।
ସୁନ୍ଦରଗଡ଼କୁ ଭଗବାନ ବହୁତ କିଛି ଦେଇଛନ୍ତି: ତନୟା
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ସ୍ବାଗତ ଭାଷଣରେ କହିଲେ, ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାକୁ ଭଗବାନ ବହୁତ କିଛି ଦେଇଛନ୍ତି। ଏହି ଜିଲ୍ଲା ରାଜସ୍ବ ବି ବହୁତ ଦେଉଛି। ସୁନ୍ଦରଗଡ଼ ଜିଲ୍ଲା ଦେବାରେ ଆଗୁଆ, କିନ୍ତୁ ପାଇବାରେ ଢେର୍ ପଛୁଆ। ଆମେ ଆପଣଙ୍କ ସ୍ବର ହେବୁ। ଆପଣଙ୍କ ସ୍ବର ସରକାରଙ୍କ ପାଖରେ ପହଞ୍ଚାଇବୁ। ଜିଲ୍ଲାର ବିକାଶରେ ସମସ୍ତେ ସାମିଲ ହୁଅନ୍ତୁ। ‘ପୁନଶ୍ଚ ପୃଥିବୀ’ ସଂପର୍କରେ ସେ କହିଲେ, ଏହି ଅଭିଯାନ ବର୍ତ୍ତମାନ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି। ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ ଆୟୋଜନକରି ଘରେ ଘରେ ପରିବେଶ ଯୋଦ୍ଧା ତିଆରି କରିବୁ। ସମାଜର ସମସ୍ତ ବର୍ଗର ବ୍ୟକ୍ତିବିଶେଷ ଏଥିରେ ସାମିଲ ହେବାକୁ ଆହ୍ବାନ କରିଥିଲେ। ଦ୍ବିତୀୟ ଅଧିବେଶନରେ ‘ସୁନ୍ଦରଗଡ଼ ଜିଲ୍ଲା: ରାଜସ୍ବରେ ଆଗୁଆ, ବିକାଶରେ ପଛୁଆ’ ସନ୍ଦର୍ଭରେ ଆଲୋଚନା କରାଯାଇଥିଲା। ଏଥିରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜଗାଙ୍ଗପୁର ବିଧାୟକ ଡା. ସିଏସ୍. ଏକ୍କା, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ପ୍ରମୁଖ ସକ୍ରିୟ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ୬ ଜଣ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବହୁ ନାମୀଦାମୀ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିବର୍ତ୍ତନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସୌଜନ୍ୟ ସମ୍ବାଦ




