ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଓଡ଼ିଶାରେ ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ସହ ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶାର ଦାର୍ଜିଲିଂ। କନ୍ଧମାଳ ଜିଲ୍ଲାର ଘୁମୁସର ଉଦୟଗିରି ସହିତ ଦାରିଙ୍ଗବାଡ଼ି, ଫୁଲବାଣୀ ଠାରୁ ମଧ୍ୟ କମ୍ ତାପମାତ୍ରା ସହ ପ୍ରବଳ ଶୀତ ଅନୁଭୂତ ଅଞ୍ଚଳ ଭାବେ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ରାଜ୍ୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଘୁ.ଉଦୟଗିରିରେ ତାପମାତ୍ରା ୨.୬ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ୬.୧ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରି ରେକର୍ଡ ହୋଇଛି। ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
/filters:format(webp)/sambad/media/media_files/2026/01/16/img-20260116-wa0321-2026-01-16-16-11-30.jpg)
ଓଡ଼ିଶାରେ ସବୁଠାରୁ କମ୍ ତାପମାତ୍ରା ଘୁ.ଉଦୟଗିରି ସହରରେ ରହିଛି। ସହର ଠାରୁ କିଛି ଦୂର ଆଭ୍ୟନ୍ତରୀଣ ଜଙ୍ଗଲ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ମୁକୁଲିଙ୍ଗିଆ, ଡ଼ଡାପଡ଼ା, ଲଏରେଜୁ, ସିର୍କୀ, ଗୁନ୍ଦାବାଜୁ, ଲାବୋରି ପ୍ରଭୁତି ଅଞ୍ଚଳରେ ତାପମାତ୍ରା ପ୍ରାୟତଃ ୨ ଡିଗ୍ରୀ ରହୁଥିବା ନେଇ ଅନୁମାନ କରାଯାଉଛି। ପ୍ରବଳ ଶୀତ ସାଙ୍ଗକୁ ଜାଡ଼ ଯୋଗୁଁ ଲୋକେ ଘରୁ ବାହାରିବା କଷ୍ଟ ହେଉଛି। ବିଭିନ୍ନ ସଂଗଠନ ତଥା ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ କୃଷି ଶାଖା ପକ୍ଷରୁ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ଅଞ୍ଚଳରେ ଥିବା ସମସ୍ତ ପ୍ରାକୃତିକ ପର୍ଯ୍ୟଟନ ସ୍ଥାନରେ ଶୀତର ମଜା ନେବା ପାଇଁ ପର୍ଯ୍ୟଟକମାନଙ୍କ ବଣଭୋଜିର ଆସର ଦେଖିବାକୁ ମିଳିଛି।
ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ
ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିକାଶମୂଳକ ଯୋଜନା ଗୁଡ଼ିକ ଘୁ.ଉଦୟଗିରି ଠାରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି। ବିଶେଷକରି ସିର୍କି ଡ୍ୟାମ୍, କାକଲବାକି ଜଳପ୍ରପାତ, କଲିନାଯୁ ଡ୍ୟାମ୍, ମଧୁଝରି ଘାଇ, କଳିଙ୍ଗା ବଟାନିକାଲ ଗାର୍ଡେନ, କଳିଙ୍ଗା ଘାଟି, କାଲିଗାଡୁ ହିଲଟପ୍ର ପ୍ରାକୃତିକ ସୌନ୍ଦର୍ଯ୍ୟ ଯୁବପିଢ଼ିଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନମୋହିଛି। ତାସହ ସ୍ଥାନୀୟ ଅଞ୍ଚଳରେ ଥିବା କଫି ବଗିଚାକୁ ଯାତାୟତ ନିମନ୍ତେ ପକ୍କା ସଡ଼କ ନିର୍ମାଣ ପାଇଁ ପର୍ଯ୍ୟଟକ ଦାବି କରିଛନ୍ତି। ସେପଟେ ଅଞ୍ଚଳବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇ ପ୍ରଥମ ଥର ପାଇଁ ଶୀତ ମହୋତ୍ସବର ଆୟୋଜନ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି।
ସୌଜନ୍ୟ ସମ୍ବାଦ

