Breaking News

ଗଣଶିକ୍ଷା ବିଭାଗର ଜାଲ୍‌ ଚିଠି ଦାଖଲ କରି ଆଶ୍ରମ କର୍ତ୍ତୃପକ୍ଷ, ସାଧାରଣ ପ୍ରଶାସନ ବିଭାଗ ହାଇକୋର୍ଟରେ ଦାଖଲ କଲା ସତ୍ୟପାଠ

କଟକ ୦୪/୦୧: ଭୁବନେଶ୍ୱରସ୍ଥିତ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମର ଆଉ ଏକ  ଜାଲିଆତି ଧରାପଡ଼ିଛି । ହାଇକୋର୍ଟରେ ଏକ ଜାଲ୍‌ ଚିଠି ଦାଖଲ କରି ଆଶ୍ରମ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ଚେଷ୍ଟା କରିଥିବା ସାଧାରଣ ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ବିବାଦୀୟ ଜମିକୁ ବୈକୁଣ୍ଠଧାମ ଆଶ୍ରମକୁ ପ୍ରଦାନ ଲାଗି  ଗଣଶିକ୍ଷା ବିଭାଗ କୁଆଡେ ସାଧାରଣ ପ୍ରଶାସନ  ବିଭାଗକୁ ଚିଠି ଲେଖି ସୁପାରିସ କରିଥିଲା । ଏହି ଚିଠିକୁ ଦର୍ଶାଇ ଉଚ୍ଛେଦ ଉପରେ  ହାଇକୋର୍ଟରୁ ରହିତାଦେଶ ନେଇଥିଲା ବୈକୁଣ୍ଠଧାମ ଆଶ୍ରମ । କିନ୍ତୁ ଏହାକୁ  ସରକାରଙ୍କ ପକ୍ଷରୁ ବିରୋଧ କରାଯିବାରୁ  ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ  ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ ।

ସାଧାରଣ ପ୍ରଶାସନ ବିଭାଗ  ପକ୍ଷରୁ ହାଇକୋର୍ଟରେ ଏ ସଂକ୍ରାନ୍ତରେ  ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ  ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଚିଠି  ଜାଲ୍‌ ବୋଲି ଦର୍ଶାଯାଇଛି । ଏଭଳି କୌଣସି  ଚିଠି ଗଣଶିକ୍ଷା ବିଭାଗ ଲେଖିନାହିଁ ବୋଲି  ଅଦାଲତଙ୍କୁ ଅବଗତ କରାଯାଇଛି ଶୁଣାଣି ଆସନ୍ତା ୧୦ତାରିଖକୁ ଧାର୍ଯ୍ୟ  କରିଛନ୍ତି । ବୈକୁଣ୍ଠଧାମ ସେବାଶ୍ରମ  ଟ୍ରଷ୍ଟ୍‌ ପକ୍ଷରୁ ଆଗତ ମାମଲାର ଶୁଣାଣି  କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌  ବି.ପି. ରାଉତରାୟ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ଘାଟିକିଆ  ମୌଜାରେ ବେଆଇନ ଭାବେ ତିଆରି  ହୋଇଥିବା ଏହି ଆଶ୍ରମକୁ ଭାଙ୍ଗିବାକୁ  ବିଡିଏ କର୍ତ୍ତୃପକ୍ଷ ଗତ ବର୍ଷ ନଭେମ୍ବର  ୨୦ତାରିଖରେ ନୋଟିସ୍‌ ଜାରି କରିଥିଲେ ।  ବିଡିଏର ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି  ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ହାଇକୋର୍ଟଙ୍କ ଦ୍ବାରସ୍ଥ  ହୋଇଥିଲା ।  ହାଇକୋର୍ଟ ଏହି ମାମଲାର   ଶୁଣାଣି କରି  ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଥିଲେ ।  ଏଥିସହ ଉକ୍ତ ବିବାଦୀୟ ଜମି ଉପରେ  କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇପାରିବ ନାହିଁ ବୋଲି ଅନ୍ତରୀଣ  ଆଦେଶ ଦେଇଥିଲେ । ମାମଲାର ଶୁଣାଣି  ଅବସରରେ ଟ୍ରଷ୍ଟ୍‌ ପକ୍ଷରୁ ହାଇକୋର୍ଟରେ  ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ  ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ  ଲେଖାଯାଇଥିବା ଏକ ଏକ ଚିଠିକୁ ଦାଖଲ  କରାଯାଇଥିଲା । ଉକ୍ତ ଚିଠିରେ ଗଣଶିକ୍ଷା  ବିଭାଗ ଉକ୍ତ ଜମିକୁ ଟ୍ରଷ୍ଟ୍‌ ନାମରେ କରିବା  ପାଇଁ ସାଧାରଣ ପ୍ରଶାସନ ବିଭାଗକୁ  ସୁପାରିସ୍‌ କରିଛି ବୋଲି କୁହାଯାଇଥିଲା ।  ହାଇକୋର୍ଟ ଏହି ଚିଠି ଆଧାରରେ ଆଶ୍ରମ  ଭଙ୍ଗାଯିବା ଉପରେ ରୋକ୍‌ ଲଗାଇଥିଲେ ।

ପୂର୍ବ ଶୁଣାଣିରେ ଏହାକୁ ରାଜ୍ୟ  ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା ।  ଏହି ଚିଠି ଜାଲ୍‌ ବୋଲି ଅଦାଲତଙ୍କୁ  ଅବଗତ କରାଯାଇଥିଲା । ହାଇକୋର୍ଟ  ଏହାକୁ ଗ୍ରହଣ କରି ସାଧାରଣ ପ୍ରଶାସନକୁ  ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।  ଆଜି ସାଧାରଣ ପ୍ରଶାସନ ଏହା ଉପରେ  ଜବାବ ରଖି ଏହି ଚିଠି ଜାଲ୍‌ ବୋଲି ସ୍ପଷ୍ଟ  କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି  ମାମଲାକୁ ଆଇନଜୀବୀ ଦୟାନନ୍ଦ ମହାପାତ୍ର,  ଅରୁଣ କୁମାର ବୁଦ୍ଧିଆ ପ୍ରମୁଖ ପରିଚାଳନା  କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି  ନକଲ ଚିଠି ସଂପର୍କରେ ‘ପ୍ରମେୟ’ରେ  ପ୍ରଥମେ ବିସ୍ତୃତ ଖବର ପ୍ରକାଶ ପାଇଥିଲା ।

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.