Breaking News

ଫେମ୍‌-୨ରେ ୧୬ ଲକ୍ଷ ଇଭିକୁ ସବ୍‌ସିଡି, ଦେଶରେ ୨୫,୨୦୨ ଚାର୍ଜିଂ ଷ୍ଟେଶନ ସ୍ଥାପନ

ନୂଆଦିଲ୍ଲୀ, ୦୪/୦୧: ଦେଶରେ ଇ-ଯାନ  ଏବଂ ହାଇବ୍ରିଡ ଯାନ ଉତ୍ପାଦନକୁ ସରକାର ପ୍ରୋତ୍ସାହିତ କରିବା ଲାଗି ଫେମ୍‌ ଯୋଜନା  ଆଣିଥିଲେ । ଏହାର ଦ୍ୱିତୀୟ ପର୍ଯ୍ୟାୟରେ ସରକାର ୧୬.୧୫ ଲକ୍ଷ ଇଭିକୁ ସବ୍‌ସିଡି  ଦେଇଛନ୍ତି । ଏହା ମଧ୍ୟରେ ୧୪.୨୪ ଲକ୍ଷ  ଇ-ସ୍କୁଟର ଥିବା ବେଳେ ୧.୫୯ ଲକ୍ଷ ଇ-ତିନି  ଚକିଆ, ୨୨,୫୪୮ ୟୁନିଟ ଚାରି ଚକିଆ ଯାନ  ଏବଂ ୫୧୩୧ ୟୁନିଟ ବସ୍‌ ରହିଛି । ସେହିଭଳି  ୧୦,୯୮୫ ଇଭି ପବ୍ଲିକ ଚାର୍ଜିଂ ଷ୍ଟେଶନକୁ ମଧ୍ୟ  ମଞ୍ଜୁରି ମିଳିଛି । ୮୮୧୨ ଚାର୍ଜିଂ ଷ୍ଟେଶନ ସ୍ଥାପନ  ଲାଗି ଅର୍ଥ ପ୍ରଦାନ କରାଯାଇଛି ।

୨୦୨୪ ଅକ୍ଟୋବର ସୁଦ୍ଧା ଏସବୁ  ଯୋଜନାରେ ୮୮୪୮ କୋଟି ଟଙ୍କା ବିନିଯୋଗ  ହୋଇଛି । ଏଥିରୁ ସବ୍‌ସିଡିର ଅଂଶ ୬୫୭୭  କୋଟି ରହିଛି । ଏହାବାଦ ୨୨୪୪ କୋଟିର  ଭିତ୍ତିଭୂମି ସହାୟତା ଏବଂ ଅନ୍ୟ ଖର୍ଚ୍ଚ  ବାବଦକୁ ୨୩ କୋଟି ଟଙ୍କା ରହିଛି । ପ୍ରଥମ  ପର୍ଯ୍ୟାୟର ସଫଳତା ପରେ ୨୦୧୯ରେ ଫେମ୍‌  ୨ ଆଣିଥିଲେ ସରକାର । ଏଥିରେ ବିଭିନ୍ନ  ବର୍ଗର ଇଭି ସହ ଚାର୍ଜିଂ ଭିତ୍ତିଭୂମି ବିକାଶ  ଲାଗି ୧୧,୫୦୦ କୋଟିର ସହାୟତା ମଞ୍ଜୁର  କରିଥିଲେ ସରକାର । ଅଦ୍ୟାବଧି ଦେଶରେ  ୨୫, ୨୦୨ ଚାର୍ଜିଂ ଷ୍ଟେଶନ ବିକଶିତ ହୋଇଛି । କର୍ଣ୍ଣାଟକରେ ସର୍ବାଧିକ ୫୭୬୫ ଷ୍ଟେଶନ  ସାମିଲ ରହିଛି । ୨୦୨୪ ସେପ୍ଟେମ୍ବରରେ ଇଭି  ଗ୍ରହଣୀୟତାକୁ ଆଉ ପାଦେ ଆଗକୁ ନେବା ଲାଗି ପିଏମ୍‌ ଇ-ଡ୍ରାଇଭ ସ୍କିମ ଆସିଛି । ୨  ବର୍ଷ ଲାଗି ଏହି ଯୋଜନାକୁ ୧୦,୯୦୦ କୋଟିର  ପାଣ୍ଠି ବ୍ୟବସ୍ଥା କରାଯାଇଛି।

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.