ଜୀବନଚର୍ଯ୍ୟା

AI model will diagnose: ସ୍ବାସ୍ଥ୍ୟ ସମ୍ବାଦ: ରାତିକ ନିଦରୁ ରୋଗ ନିରୂପଣ କରିବ ଏଆଇ ମଡେଲ୍‌

ରୋଗ ଯୋଗୁଁ ରୋଗୀ କି ପ୍ରକାର ବିପଦରେ ପଡ଼ିପାରନ୍ତି ତାହା ଆକଳନ କରିବା ଲାଗି ଦୀର୍ଘବର୍ଷ ଧରି ଡାକ୍ତରମାନେ ଲକ୍ଷଣ, ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଅତୀତ ଅସୁସ୍ଥତା ଓ ଚିକିତ୍ସାର ତଥ୍ୟ ଉପରେ ନିର୍ଭର କରିଆସୁଛନ୍ତି। ଏତେ କଥା ଯଦି ରାତିକ ନିଦ୍ରାରୁ ଜାଣିହୁଏ, କ୍ଷତି କ’ଣ?

ରୋଗ ଯୋଗୁଁ ରୋଗୀ କି ପ୍ରକାର ବିପଦରେ ପଡ଼ିପାରନ୍ତି ତାହା ଆକଳନ କରିବା ଲାଗି ଦୀର୍ଘବର୍ଷ ଧରି ଡାକ୍ତରମାନେ ଲକ୍ଷଣ, ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଅତୀତ ଅସୁସ୍ଥତା ଓ ଚିକିତ୍ସାର ତଥ୍ୟ ଉପରେ ନିର୍ଭର କରିଆସୁଛନ୍ତି। ଏତେ କଥା ଯଦି ରାତିକ ନିଦ୍ରାରୁ ଜାଣିହୁଏ, କ୍ଷତି କ’ଣ? ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଷ୍ଟାନ୍‌ଫୋର୍ଡ ମେଡିସିନ୍‌ରେ ଥିବା ଗବେଷକମାନେ ନିଦ୍ରା ସଙ୍କେତ ବାରିବା ଲାଗି ‌େଗାଟାଏ ନୂତନ ଏଆଇ ମଡେଲ୍‌ ପ୍ରସ୍ତୁତ କରିଛନ୍ତି। ଉକ୍ତ ମଡେଲ୍‌ କେବଳ ଗୋଟିଏ ରାତ୍ରିର ନିଦ୍ରାରୁ ନିଃସୃତ ମାନସିକ ସଙ୍କେତ ରେକର୍ଡ କରି ଶତାଧିକ ଶାରୀରିକ ଅସୁସ୍ଥତା ସମ୍ବନ୍ଧୀୟ ପୂର୍ବାଭାସ ଦେବାକୁ ସମର୍ଥ। ‘ସ୍ଲିପ୍‌ ଏଫ୍‌ଏମ୍‌’ ନାମରେ ପରିଚିତ ‘ଦି ଫାଉଣ୍ଡେସ୍‌ନାଲ୍‌ ଏଆଇ ମଡେଲ୍‌’କୁ ୬୫ ହଜାର ‌ଲୋକଙ୍କଠାରୁ ସଂଗୃହୀତ ପ୍ରାୟ ୬ ଲକ୍ଷ ଘଣ୍ଟା ଶୟନ ତଥ୍ୟାବଳି ଦ୍ବାରା ତାଲିମ ଦିଆଯାଇଛି। ଏଥିରେ ରହିଛି ମସ୍ତିଷ୍କ କାର୍ଯ୍ୟକଳାପ, ହୃତ୍‌ପିଣ୍ଡ କାର୍ଯ୍ୟକଳାପ, ଶ୍ବାସକ୍ରିୟା ସଙ୍କେତ, ଗୋଡ଼ ଚଳାଚଳ, ଚକ୍ଷୁ ଚଳାଚଳ ଓ ଅନ୍ୟାନ୍ୟ ମାନସିକ ତଥ୍ୟାବଳି। ବିଭିନ୍ନ ପ୍ରକାର ସେନ୍‌ସର୍‌ ଦ୍ବାରା ଏସବୁ ତଥ୍ୟ ସଂଗ୍ରହ କରାଯାଇଥିଲା।

ଏ ଗବେଷଣା ପତ୍ରର ଅନ୍ୟତମ ସହ-ଲେଖକ ଡାକ୍ତର ଜେମ୍‌ସ ଜୌ କହିଛନ୍ତି, ‘‘ଏଆଇ ଟୁଲ୍‌ ଦୃଷ୍ଟିରୁ ବିଚାର କଲେ, ନିଦ୍ରା ଉପରେ ବିଶେଷ ଗବେଷଣା ହୋଇ ନ ଥିଲା। ପାଥୋଲୋଜି ଅଥବା କାର୍ଡିଓଲୋଜି ସଂକ୍ରାନ୍ତ ରୋଗ ନିଦାନ ନିମନ୍ତେ ଅନେକ ଏଆଇ କାର୍ଯ୍ୟ କରୁଛନ୍ତି, କିନ୍ତୁ ନିଦ୍ରା ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିଲେ ବି ତା’ ଉପରେ ସେମାନେ ଆଦୌ ଦୃଷ୍ଟି ଦେଉନାହାନ୍ତି।’’ ଉକ୍ତ ଏଆଇ ମଡେଲ୍‌କୁ ତାଲିମ ଦେବା ଲାଗି ଷ୍ଟାନ୍‌ଫୋର୍ଡ ମେଡିସିନ୍‌ ଗବେଷକମାନେ ୨ରୁ ନେଇ ୯୬ ବର୍ଷ ବୟସ ପର୍ଯ୍ୟନ୍ତ ୩୫,୦୦୦ ନିଦ୍ରିତ ରୋଗୀଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ୧୯୯୯ରୁ ୨୦୨୪ ମଧ୍ୟରେ ଷ୍ଟାନ୍‌ଫୋର୍ଡର ସ୍ଲିପ୍‌ କ୍ଲିନିକ୍‌ରେ ସେମାନେ ରୋଗୀମାନଙ୍କର ପଲିସମ୍‌ନୋଗ୍ରାଫି ଡେଟା ରେକର୍ଡ କରାଇଥିଲେ। ତା’ପରେ ଉକ୍ତ ଡେଟାକୁ କ୍ଷୁଦ୍ର କ୍ଷୁଦ୍ର ଭାଗକରି ତାହା ଦ୍ବାରା ଏଆଇ ମଡେଲ୍‌କୁ ତାଲିମ ଦିଆଯାଇଥିଲା।

ଏଥର ସେମାନେ ‘ସ୍ଲିପ୍‌ ଏଫ୍‌ଏମ୍‌’କୁ ରୋଗ ନିରୂପଣ କ୍ଷେତ୍ରରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କଲେ। ଫଳାଫଳରୁ ଜଣାପଡ଼ିଲା, ଭବିଷ୍ୟତରେ ସମ୍ପୃକ୍ତ ରୋଗୀମାନଙ୍କୁ ଆକ୍ରାନ୍ତ କରିବାର ସମ୍ଭାବନା ଥିବା ପ୍ରାୟ ୧୩୦ ପ୍ରକାର ରୋଗ ସମ୍ବନ୍ଧରେ ଏହା ଅ‌େପକ୍ଷାକୃତ ସଠିକ୍‌ ସୂଚନା ପ୍ରଦାନ କରିଛି। ବିଭିନ୍ନ ପ୍ରକାର କର୍କଟରୋଗ, ଗର୍ଭଧାରଣ ଜଟିଳତା, ରକ୍ତ ସଞ୍ଚାଳନ ଅବସ୍ଥା ଓ ମସ୍ତିଷ୍କ ବିକୃତି ଆଦି ରୋଗ ସଂକ୍ରାନ୍ତୀୟ ଭବିଷ୍ୟବାଣୀ କରିବା ଲାଗି ଭାଷା ପରିବର୍ତ୍ତେ ‌ଏବେ ‘ସ୍ଲିପ୍‌ ଏଫ୍‌ଏମ୍‌’ ‘କନ୍‌କର୍ଡାନ୍‌ସ ଇଣ୍ଡେକ୍ସ’ ବା ସଂକ୍ଷେପରେ ‘ସି-ଇଣ୍ଡେକ୍ସ’ ଯୋଗେ ସୂଚନା ଦେଉଛି। ଏହା ଗୋଟାଏ ଗାଣିତକ ପଦ୍ଧତି। ଉଦାହରଣ ସ୍ବରୂପ ହୃଦ୍‌ଘାତ ଆଶଙ୍କା ସଙ୍କେତ ୦.୮୧, ପ୍ରୋଷ୍ଟେଟ୍‌ କ୍ୟାନ୍‌ସର୍‌ ସଙ୍କେତ ୦.୮୯, ସ୍ତନ କର୍କଟରୋଗ ୦.୮୭ ଓ ମୃତ୍ୟୁ ୦.୮୪ ଇତ୍ୟାଦି। କିନ୍ତୁ, ଏଥିରୁ ସଠିକ୍‌ ଅର୍ଥ ବାହାର କରିବା ସମସ୍ତଙ୍କ ପକ୍ଷେ ସହଜ ନୁହେଁ। ‘ସ୍ଲିପ୍‌ ଏଫ୍‌ଏମ୍‌’ କିପରି ଭାଷା, ବିଶେଷକରି ଇଂରେଜୀ ଭାଷାରେ ରୋଗ ସଂକ୍ରାନ୍ତ ପୂର୍ବାଭାସ ସୂଚାଇବ ତା’ଉପରେ ଗବେଷଣା ଚାଲିଛି ବୋଲି ଡାକ୍ତର ଜୌ କହିଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button