
ଭୁବନେଶ୍ୱର: କର୍ମଜୀବୀ ପିତାମାତାଙ୍କ ପିଲାମାନଙ୍କୁ ଲାଳନପାଳନ କରିବ ବିଏମ୍ସି। ଏଥିପାଇଁ ବିଏମ୍ସି ପକ୍ଷରୁ ସହିଦନଗରସ୍ଥିତ ସମନ୍ୱିତ ସର୍ବସାଧାରଣ ସେବା କେନ୍ଦ୍ର(ଆଇପିଏସ୍ସି) କୋଠାରେ ଶିଶୁ ଗୃହ(କ୍ରେଚ୍)ର ଶୁଭାରମ୍ଭ କରାଯାଇଛି। ସରକାରୀ ପ୍ରୋତ୍ସାହନରେ ଚାଲିବାକୁ ଥିବା ଏହି କ୍ରେଚ୍ ରାଜ୍ୟର ପ୍ରଥମ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଯେଉଁଠାରେ ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଲାଳନପାଳନ କରାଯିବ। ପିଲାଙ୍କୁ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ ୯ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଏହି ଶିଶୁଗୃହରେ ରଖିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପିଲାଙ୍କ ଅଭିଭାବକଙ୍କୁ ମାସିକ ୫ଶହ ଟଙ୍କା ଦେବାକୁ ପଡ଼ିବ ବୋଲି ବିଏମ୍ସି କହିଛି।
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, କମିସନର ଚଞ୍ଚଳ ରାଣା, ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାଜକିଶୋର ଦାସ, ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା. ଅରବିନ୍ଦ ମହାନ୍ତି, ମୋବାଇଲ୍ କ୍ରେଚେସର ଥେମାଟିକ୍ ଲିଡର ଶୀତଳ ନାଗପାଲ ପ୍ରମୁଖ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ବିଏମ୍ସି ପକ୍ଷରୁ କୁହାଯାଇଛି, ଏହା ଦୀନଦୟାଲ ଜନ ଜୀବିକା ଯୋଜନା(ସହରୀ)ର ସାମାଜିକ ଭିତ୍ତିଭୂମି ଅନ୍ତର୍ଗତ କାର୍ଯ୍ୟକ୍ରମ। ସାମାଜିକ ସଂଗଠନ ମୋବାଇଲ କ୍ରେଚ୍ ସହଭାଗିତାରେ ଏହି ଶିଶୁଗୃହ ଚାଲିବ।
ଯେଉଁଠି କୁନିକୁନି ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ ଉପକରଣ, ପ୍ରାରମ୍ଭିକ ଶିକ୍ଷା ପାଇଁ ବିଭିନ୍ନ ପ୍ରକାର ଗୀତ ଓ ଖେଳକୁଦ ପାଇଁ ବ୍ୟବସ୍ଥା ରହିଛି। ଶିଶୁଗୃହକୁ ସୁନ୍ଦର ଭାବେ ସଜାଯାଇଛି। ପ୍ରତ୍ୟେକ କାନ୍ଥରେ ପଶୁ, ପକ୍ଷୀ, ବିଭିନ୍ନ ପ୍ରକାର ମାଛଙ୍କ ଚିତ୍ର ରହିଛି। ଶିଶୁଙ୍କ ମାନସିକ, ଶିକ୍ଷାଗତ ବିକାଶରେ ଏହା ସାହାଯ୍ୟ କରିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ଡେପୁଟି କମିସନର ପ୍ରିୟଙ୍କା ମଲ୍ଲିକ ସଂଯୋଜନା କରିଥିଲେ।
ସୌଜନ୍ୟ ସମ୍ବାଦ




