Breaking News

ଜନବସତିମୁହାଁ ହାତୀପଲ: ସୁନ୍ଦରଗଡ଼ରେ ମାସକୁ ଭାଙ୍ଗୁଛନ୍ତି ୩୨ ଘର

ଅବାଧ ଜଙ୍ଗଲ କଟା, ଖଣି ଖନନ ଓ ଅନ୍ୟାନ୍ୟ କାରଣରୁ ଖାଦ୍ୟ ଅନ୍ବେଷଣରେ ସହର, ଗାଁ ଓ ବସ୍ତି ମୁହାଁ ହାତୀପଲ। ଉଜୁଡ଼ିଯାଉଛି ଚାଷୀଙ୍କ ଏକର ଏକର ଧାନ କ୍ଷେତ ଓ ପନିପରିବା ଫସଲ।

ରାଉରକେଲା: ଅବାଧ ଜଙ୍ଗଲ କଟା, ଖଣି ଖନନ ଓ ଅନ୍ୟାନ୍ୟ କାରଣରୁ ଖାଦ୍ୟ ଅନ୍ବେଷଣରେ ସହର, ଗାଁ ଓ ବସ୍ତି ମୁହାଁ ହାତୀପଲ। ଉଜୁଡ଼ିଯାଉଛି ଚାଷୀଙ୍କ ଏକର ଏକର ଧାନ କ୍ଷେତ ଓ ପନିପରିବା ଫସଲ। କେବଳ ଧାନ ଓ ପନିପରିବା ନଷ୍ଟ କରୁଛନ୍ତି ତା’ ନୁହେଁ, ରାତି ଅଧରେ ଗାଁ ଓ ବସ୍ତିରେ ପଶି ଖାଦ୍ୟ ଖାଇବାକୁ ଘରଗୁଡ଼ିକ ଭାଙ୍ଗି ଦେଉଛନ୍ତି। ହାତୀପଲଙ୍କ ଆକ୍ରମଣରେ ଅନେକ ପରିବାର ଗୃହଶୂନ୍ୟ ନେଉଛନ୍ତି। କିଛି ପରିବାରଙ୍କ ଘର ଆଂଶିକ ଓ ଅଧା କ୍ଷତିଗ୍ରସ୍ତ ହୋଇଛି। ଏମିତି ସ୍ଥିତି ଉପୁଜିଛି ବଣଜଙ୍ଗଲଘେରା ସୁନ୍ଦରଗଡ଼ରେ। ଜିଲ୍ଲାରେ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ଥମିବାର ନାଁ ନେଉନି। ଘଉଡ଼ାଇବାକୁ ବନ କର୍ମଚାରୀ ନାକେଦମ୍‌ ହେଉଥିଲେ ହେଁ ହାତୀପଲ ଜନବସତି ଛାଡୁନାହାନ୍ତି। ସୁନ୍ଦରରଗଡ଼ ଜିଲ୍ଲାର ବଣାଇ, ସୁନ୍ଦରଗଡ଼ ଓ ରାଉରକେଲା ତିନି ବନଖଣ୍ଡରେ ବର୍ଷତମାମ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଗତ ୭୧ ମାସ (୨୦୧୯ରୁ ୨୦୨୪ ନଭେମ୍ବର) ମଧ୍ୟରେ ହାତୀପଲ ୨୨୩୫ ଘର ଭାଙ୍ଗିଛନ୍ତି। ଅର୍ଥାତ ମାସକୁ ଜିଲ୍ଲାରେ ୩୨ ଘର ଭାଙ୍ଗୁଛନ୍ତି ହାତୀପଲ। ଭାଙ୍ଗିଥିବା ୨୨୩୫ ଘର ମଧ୍ୟରୁ ୬୭୬ ଘର ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛନ୍ତି। ୧୧୫୯ ଘର ଆଂଶିକ ଓ ୫୦% କ୍ଷତିଗ୍ରସ୍ତ ‌ହୋଇଛି। କ୍ଷତିପୂରଣ ବାବଦରେ ବନବିଭାଗ କ୍ଷତିଗ୍ରସ୍ତ ପରିବାରକୁ ଆର୍ଥିକ ସହାୟତା ଦେଇ କାମ ସାରି ଦେଉଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଜନବସତିମୁହାଁ ହାତୀପଲକୁ ଘଉଡାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ବଣାଇ ଓ ରାଉରକେଲା ବନଖଣ୍ଡରେ ହାତୀପଲ ସର୍ବାଧିକ ଘର ଭାଙ୍ଗିଛନ୍ତି। ଗୃହଶୂନ୍ୟ ପରିବାର ଜୀବନ ବଞ୍ଚାଇବା ଭୟରେ ଭିଟାମାଟି ଛାଡ଼ି ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ରାଉରକେଲା ବନଖଣ୍ଡରେ ୨୦୧୯ରେ ହାତୀପଲଙ୍କ ଆକ୍ରମଣରେ ୩୧, ୨୦୨୦ରେ ୨୧, ୨୦୨୧ରେ ୬୨, ୨୦୨୨ରେ ୬୫, ୨୦୨୩ରେ ୨୦ ଓ ୨୦୨୪ ନଭେମ୍ବର ଶେଷ ସୁଦ୍ଧା ୪ଟି ଘର ଭାଙ୍ଗି ମାଟିରେ ମିଶିଯାଇଛି। ସେହିପରି ୨୦୧୯ରେ ୭୮, ୨୦୨୦ରେ ୬୯, ୨୦୨୧ରେ ୧୧୦, ୨୦୨୨ରେ ୪୦, ୨୦୨୩ରେ ୧୫୭ ଓ ୨୦୨୪ରେ ୧୩୬ ଘର ଆଂଶିକ ଓ ୫୦% କ୍ଷତିଗ୍ରସ୍ତ ହୋଇଛି। ବଣାଇ ବନଖଣ୍ଡରେ ୨୦୧୯ରେ ୪୬, ୨୦୨୦ରେ ୨୯, ୨୦୨୧ରେ ୭୨, ୨୦୨୨ରେ ୧୦୭, ୨୦୨୩ରେ ୨୧ ଓ ୨୦୨୪ରେ ୩ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ସେମିତି ୨୦୧୯ରେ ୯୫, ୨୦୨୦ରେ ୨୯, ୨୦୨୧ରେ ୮୭, ୨୦୨୨ରେ ୧୨୮, ୨୦୨୩ରେ ୨୯୬ ଓ ୨୦୨୪ରେ ୧୬୨ ଘର ଅଧାରୁ ଅଧିକ ଭାଙ୍ଗି ଦେଇଛନ୍ତି। ସୁନ୍ଦରଗଡ଼ ବନଖଣ୍ଡରେ ୨୦୧୯ରେ ସର୍ବାଧିକ ୧୮୦ ଘର ସମ୍ପୂର୍ଣ୍ଣ ଭାଙ୍ଗିଦେଇଛନ୍ତି। ୨୦୨୧ରେ ୧, ୨୦୨୨ ଓ ୨୦୨୩ରେ ୫ଟି ଲେଖାଏଁ ଓ ୨୦୨୪ରେ ୪ଟି ଘରକୁ ଭାଙ୍ଗି ମାଟିରେ ମିଶାଇଦେଇଛନ୍ତି। ୨୦୨୯ରେ ୨୯, ୨୦୨୧ରେ ୯,‌ ୨୦୨୨ରେ ୨୩, ୨୦୨୩ରେ ୨୩ ଓ ୨୦୨୪ରେ ୩୯ଟି ଘର ୫୦% ଭାଙ୍ଗି ଦେଇଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.