ଦେଶ ବିଦେଶ

Trump said about Greenland Issue: ନରମିଲା ଟ୍ରମ୍ପଙ୍କ ସ୍ବର: ଗ୍ରିନ୍‌ଲାଣ୍ଡ ପାଇଁ ଘୋଷଣା କରିଥିବା ଶୁଳ୍କ ହଟିଲା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରିନ୍‌ଲାଣ୍ଡକୁ ନେଇ ଉପରେ ୟୁରୋପୀୟ ଦେଶମାନଙ୍କ ଉପରେ ଶୁଳ୍କ ଲଗାଇବାର ଧମକ ପ୍ରତ୍ୟାହାର କରିନେଇଛନ୍ତି। ତାଙ୍କର ସ୍ବର ନରମିଛି।

ଡାଭୋସ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରିନ୍‌ଲାଣ୍ଡକୁ ନେଇ ଉପରେ ୟୁରୋପୀୟ ଦେଶମାନଙ୍କ ଉପରେ ଶୁଳ୍କ ଲଗାଇବାର ଧମକ ପ୍ରତ୍ୟାହାର କରିନେଇଛନ୍ତି। ତାଙ୍କର ସ୍ବର ନରମିଛି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ ଗ୍ରିନ୍‌ଲାଣ୍ଡ ପ୍ରସଙ୍ଗରେ ଡେନମାର୍କ ସମେତ କୌଣସି ୟୁରୋପୀୟ ଦେଶ ଉପରେ ଆଉ ଶୁଳ୍କ ଲଗାଇବେ ନାହିଁ। ପୂର୍ବରୁ, ଟ୍ରମ୍ପ ଇଙ୍ଗିତ ଦେଇଥିଲେ, ଗ୍ରିନ୍‌ଲାଣ୍ଡକୁ ନେଇ ତାଙ୍କର ଦାବି ପୂରଣ ନହେଲେ ସେ, ୟୁରୋପ ଉପରେ ଆର୍ଥିକ ଚାପ ପକାଇପାରନ୍ତି। ତଥାପି, ସେ ଏବେ ତାଙ୍କର ମତ ବଦଳାଇଛନ୍ତି ଓ କହିଛନ୍ତି ଯେ, ସେ ଏପରି ପଦକ୍ଷେପ ନେବେ ନାହିଁ।

ଟ୍ରମ୍ପ କ’ଣ କହିଲେ?
ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମରେ ତାଙ୍କ ଭାଷଣରେ କହିଥିଲେ ଯେ, ସେ ଏବେ ଗ୍ରିନ୍‌ଲାଣ୍ଡ ଦଖଲ କରିବା ପାଇଁ ସାମରିକ ଶକ୍ତି ବ୍ୟବହାର କରିବାରୁ ପଛକୁ ହଟି ଯାଉଛନ୍ତି। ତଥାପି, ଟ୍ରମ୍ପ ସ୍ପଷ୍ଟ ଭାବରେ କହିଥିଲେ ଯେ, ତାଙ୍କର ଲକ୍ଷ୍ୟ ଗ୍ରିନ୍‌ଲାଣ୍ଡ ହାସଲ କରିବା। ସେ କହିଥିଲେ,ମୁଁ ଗ୍ରିନ୍‌ଲାଣ୍ଡ ଉପରେ ପୂର୍ଣ୍ଣ ଅଧିକାର, ମାଲିକାନା ଓ ନିୟନ୍ତ୍ରଣ ଚାହୁଁଛି। କିନ୍ତୁ ଏହା ସହିତ ସେ ଏହା ହାସଲ କରିବା ପାଇଁ ବଳ ବ୍ୟବହାର କରିବେ ନାହିଁ ବୋଲି ମଧ୍ୟ କହିଥିଲେ। ଟ୍ରମ୍ପଙ୍କ ବକ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରଥମ ଥର ପାଇଁ, ଜଣେ ଆମେରିକୀୟ ରାଷ୍ଟ୍ରପତି ଅନ୍ୟ ଦେଶର ଅଞ୍ଚଳ ଦଖଲ କରିବା ବିଷୟରେ ଏକ ଅନ୍ତର୍ଜାତୀୟ ମଞ୍ଚରେ ଖୋଲାଖୋଲି ଭାବରେ ଏତେ ସ୍ପଷ୍ଟ ଭାଷାରେ କଥା ହୋଇଛନ୍ତି।

ୟୁରୋପୀୟ ଦେଶ ଓ ନାଟୋ ଉପରେ ବର୍ଷିଲେ
ଭାଷଣରେ ଟ୍ରମ୍ପ ୟୁରୋପୀୟ ଦେଶ ଓ ନାଟୋକୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଓ ପରେ ଆମେରିକା ୟୁରୋପକୁ ରକ୍ଷା କରିଥିଲା। ଦଶନ୍ଧି ଧରି ଆମେ ସେମାନଙ୍କୁ ଯାହା ଦେଇ ଆସିଛୁ ତାହା ତୁଳନାରେ ଏହା ଏକ ବହୁତ ଛୋଟ ଦାବି। ସେ ଗ୍ରିନ୍‌ଲାଣ୍ଡ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ ଯେ ଏହି ସ୍ଥାନଟି ଥଣ୍ଡା ଓ ଏହାର ଅବସ୍ଥିତି ଠିକ୍ ନୁହେଁ। ତଥାପି ଏହା ଆମେରିକାର ଜାତୀୟ ସୁରକ୍ଷା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତରେ ଆର୍କଟିକ ଅଞ୍ଚଳ ରଣନୈତିକ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ତେଣୁ ଗ୍ରିନ୍‌ଲାଣ୍ଡ ଉପରେ ଆମେରିକାର ନିୟନ୍ତ୍ରଣ ରହିବା ଉଚିତ।

ଆମେ ବଳ ପ୍ରୟୋଗ କରି ଗ୍ରିନ୍‌ଲାଣ୍ଡ ହାସଲ କରିପାରିବୁ
ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ ସେ ଚାହିଁଲେ ବଳ ପ୍ରୟୋଗ କରି ଗ୍ରିନ୍‌ଲାଣ୍ଡ ହାସଲ କରିପାରିବେ। ଯଦି ମୁଁ ଅଧିକ ଶକ୍ତି ଓ ବଳ ପ୍ରୟୋଗ କରେ, ତେବେ କେହି ଆମକୁ ଅଟକାଇ ପାରିବେ ନାହିଁ। କିନ୍ତୁ ମୁଁ ତାହା କରିବି ନାହିଁ। ମୋର ଆବଶ୍ୟକତା ନାହିଁ। ମୁଁ ଏହା କରିବାକୁ ଚାହୁଁନାହିଁ। ଟ୍ରମ୍ପ ଏହା ମଧ୍ୟ ଚେତାବନୀ ଦେଇଥିଲେ ଯେ, ନାଟୋ ଆମେରିକାର ବିସ୍ତାରବାଦୀ ଉଦ୍ଦେଶ୍ୟକୁ ବାଧା ଦେବା ଉଚିତ ନୁହେଁ। ଆମେରିକା ନିଜ ସ୍ୱାର୍ଥକୁ ପ୍ରାଥମିକତା ଦେବ।

ଧମକ ପ୍ରତ୍ୟାହାର କରାଯାଇଛି, କିନ୍ତୁ ଇଚ୍ଛା ରହିଛି
ସାମଗ୍ରିକ ଭାବରେ, ଟ୍ରମ୍ପ ୟୁରୋପ ଉପରେ ଶୁଳ୍କ ଲାଗୁ କରିବାର ତାଙ୍କର ଧମକକୁ ଅସ୍ଥାୟୀ ଭାବରେ ପ୍ରତ୍ୟାହାର କରିଛନ୍ତି। ସେ କହିଛନ୍ତି , ସେ ଗ୍ରିନ୍‌ଲାଣ୍ଡ ସମ୍ପର୍କରେ ସାମରିକ କାର୍ଯ୍ୟାନୁଷ୍ଠାନରୁ ଓହରିଯିବେ। ତଥାପି, ଗ୍ରିନ୍‌ଲାଣ୍ଡ ଅଧିଗ୍ରହଣ କରିବାର ଇଚ୍ଛା ରହିଛି। ନାଟୋ ଓ ୟୁରୋପୀୟ ଦେଶଗୁଡ଼ିକ ଉପରେ ଚାପ ପକାଇ ସେ କହିଛନ୍ତି , ଆମେରିକା ସେମାନଙ୍କ ପାଇଁ ବହୁତ କିଛି କରିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button