Gita Gopinath: ଭାରତ ପାଇଁ ଶୁଳ୍କଠୁ ବଡ଼ ସମସ୍ୟା ପ୍ରଦୂଷଣ: ଗୀତା ଗୋପୀନାଥ

ଡାଭୋସ: ଭାରତୀୟ ଅର୍ଥନୀତିର ସବୁଠୁ ବଡ଼ ସମସ୍ୟା ଶୁଳ୍କ ନୁହେଁ। ଅର୍ଥନୀତି ଉପରେ ଶୁଳ୍କଠାରୁ ପ୍ରଦୂଷଣର ପ୍ରଭାବ ଅଧିକ ରହିଛି ବୋଲି ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ତଥା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି। ବିଶ୍ବ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌)କୁ ସମ୍ବୋଧିତ କରି ଗୀତା କହିଲେ, ବ୍ୟବସାୟ ବିକାଶ ଉପରେ ଆଲୋଚନା ବେଳେ ପ୍ରଦୂଷଣକୁ ବିଚାରକୁ ନିଆଯାଉନାହିଁ। ପ୍ରଦୂଷଣ ଓ ତତ୍‌ ଜନିତ ସ୍ବାସ୍ଥ୍ୟ ସମସ୍ୟା ଦେଶର ଉତ୍ପାଦକତା ଓ ସାର୍ବଜନୀନ ଖର୍ଚ୍ଚ ଉପରେ ବଡ଼ ଧରଣର ଚାପ ସୃଷ୍ଟି କରିଥାଏ। ବାଣିଜ୍ୟ କଟକଣା ବା ଶୁଳ୍କ ଦ୍ବାରା ସୃ‌ଷ୍ଟି ହେଉଥିବା ଚାପଠାରୁ ତାହା ଢେର ଅଧିକ। ବାୟୁର ମାନ ଖରାପ ରହିଲେ ସ୍ବାସ୍ଥ୍ୟସେବାରେ ଖର୍ଚ୍ଚ ବଢ଼ିଥାଏ ଏବଂ ତା ସହିତ ଶ୍ରମ ସମୟ କମ୍‌ ହୋଇଥାଏ। ଦୀର୍ଘକାଳୀନ ଭିତ୍ତିରେ ତାହା ଅର୍ଥନୀତିର ପ୍ରଦର୍ଶନକୁ ପ୍ରଭାବିତ କରିଥାଏ ବୋଲି ସେ କହିଥିଲେ।ଶୁଳ୍କକୁ ନେଇ ବ୍ୟାପକ ବିତର୍କ ହେଉଛି। କିନ୍ତୁ ନୀତି ନିର୍ମାତାମାନେ ପରିବେଶ ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କାରଣ ପରିବେଶ ନଷ୍ଟ ହେ‌ଲେ ତାହାର ଅର୍ଥନୈତିକ ପ୍ରଭାବ ଦୀର୍ଘକାଳୀନ ଓ ବ୍ୟାପକ ହୋଇଥାଏ।