ଦେଶ ବିଦେଶ

ଜାପାନରେ ମଧ୍ୟାବଧି ନିର୍ବାଚନ ପାଇଁ ବାଟ ଫିଟିଲା, ନିମ୍ନ ସଦନ ଭଙ୍ଗ କଲେ ପ୍ରଧାନମନ୍ତ୍ରୀ ସାନେ ତାକାଇଚୀ

ଜାପାନରେ ମଧ୍ୟାବଧି ନିର୍ବାଚନ ଘୋଷଣା କରାଯାଇଛି।ତାକାଇଚୀ ପ୍ରଧାନମନ୍ତ୍ରୀ ହେବାର ମାତ୍ର ୩ ମାସରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତାକାଇଚୀ ଅକ୍ଟୋବର ୨୦୨୫ରେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ।

ଟୋକିଓ ୨୩।୧: ଜାପାନରେ ମଧ୍ୟାବଧି ନିର୍ବାଚନ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ସାନେ ତାକାଇଚୀ ଶୁକ୍ରବାର ସଂସଦର ନିମ୍ନ ସଦନ( ହାଉସ ଅଫ ରିପ୍ରେଜେଣ୍ଟେଟିଭସ୍)କୁ ଭଙ୍ଗ କରିଛନ୍ତି। ଫଳରେ ୮ ମାର୍ଚ୍ଚ ମଧ୍ୟାବଧି ନିର୍ବାଚନ ପାଇଁ ରାସ୍ତା ସଫା ହୋଇଯାଇଛି। ତାକାଇଚୀ ପ୍ରଧାନମନ୍ତ୍ରୀ ହେବାର ମାତ୍ର ୩ ମାସରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ସେ ତାଙ୍କର ଉଚ୍ଚ ଲୋକପ୍ରିୟତା (ପାଖାପାଖି ୭୦% ଆପ୍ରୁଭାଲ ରେଟିଂ)ର ଲାଭ ନେଇ କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲଡିପି)କୁ ସଂଖ୍ୟାଗରିଷ୍ଠ ଦଳ କରିବାକୁ ଚାହୁଁଛନ୍ତି।

ତାକାଇଚୀ ଅକ୍ଟୋବର ୨୦୨୫ରେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଜଣେ ଋଢୀବାଦୀ ନେତ୍ରୀ ଓ ତାଙ୍କ ପାର୍ଟି ଗତ ବର୍ଷମାନଙ୍କରେ ଦୁର୍ନୀତି, ଫଣ୍ଡିଂ ସ୍କାଣ୍ଡାଲ ଓ ୟୁନିଫିକେସନ ଚର୍ଚ ସହ ପୁରୁଣା ସମ୍ପର୍କକୁ ନେଇ ବେଶ୍ କ୍ଷତିର ସମ୍ମୁଖୀନ ହୋଇଛି। ୨୦୨୪ ନିର୍ବାଚନରେ ଏଲଡିପିକୁ ନିମ୍ନ ସଦନରେ ମାମୁଲି ବହୁମତ ମିଳିଥିଲା, ହେଲେ ଉଚ୍ଚ ସଦନରେ ଆଦୌ ସଂଖ୍ୟାଗରିଷ୍ଠତା ନଥିଲା। ତେବେ ଆଗକୁ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ଏକ ନୂଆ ବିରୋଧୀ ମେଣ୍ଟ ସେଣ୍ଟ୍ରିଷ୍ଟ ରିଫର୍ମ ଆଲାଏନ୍ସ ମୁଣ୍ଡ ଟେକିଛି। ହେଲେ ଏବେବି ଦେଶରେ ବିପକ୍ଷ ଏକଜୁଟ ନାହାନ୍ତି।

ତାକାଇଚୀ ତାଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ଦ୍ୱାରା ଏଲଡିପି ଓ ଜାପାନ ଇନୋଭେସନ ପାର୍ଟି (ଜେଆଇପି) ମେଣ୍ଟକୁ ମଜଭୁତ କରିବାକୁ ଚାହୁଁଛନ୍ତି। ଏହି ପଦକ୍ଷେପ ଯୋଗୁ ମୁଦ୍ରାସ୍ଫୀତି ଓ ମାନ୍ଦାବସ୍ଥାର ଶିକାର ହୋଇଥିବା ଅର୍ଥ ବ୍ୟବସ୍ଥାକୁ ସାହାରା ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ବଜେଟ ପାଇଁ ସଂସଦୀୟ ଭୋଟ ଟଳିଯିବ। ତେବେ ନିର୍ବାଚନ ହେଲେ ତାକାଇଚୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠୁ ଦୃଢ ଦାବିଦାର ମନେ କରାଯାଉଛି। ଏହି ନିର୍ବାଚନକୁ ଜାପାନ ରାଜନୀତିରେ ସବୁଠୁ ବଡ଼ ବାଜି ବୋଲି ଏବେ କୁହାଯାଉଛି। ନିର୍ବାଚନରେ ଯଦି ଏଲଡିପିକୁ ସଂଖ୍ୟାଗରିଷ୍ଠତା ମିଳେ ତେବେ ତାକାଇଚୀଙ୍କ ସ୍ଥିତି ମଜଭୁତ ହୋଇଯିବ। ନଚେତ ତାଙ୍କ କାର୍ଯ୍ୟକାଳ ବିପଦରେ ପଡିଯିବ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button