Blast The Jaffar Express ପୁଣି ଜାଫର ଏକ୍ସପ୍ରେସକୁ ଟାର୍ଗେଟ: ଆଇଇଡି ବିସ୍ଫୋରଣରେ ରେଳ ଟ୍ରାକ୍ ଉଡ଼ିଲା, ବହୁ ପାକିସ୍ତାନୀ ସେନା କର୍ମଚାରୀଙ୍କ ମୃତ୍ୟୁ ଆଶଙ୍କା

ଇସଲାମାବାଦ: ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ପୁଣି ଥରେ ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରାଯାଇଛି। ବାଲୁଚ୍ ରିପବ୍ଲିକାନ୍ ଗାର୍ଡ(ବିଆର୍‌ଜି) ଟ୍ରେନ୍ ଉପରେ ଆକ୍ରମଣ କରିଛନ୍ତି। ସେମାନେ ରେଳ ଟ୍ରାକ୍‌ରେ ଏକ ଶକ୍ତିଶାଳୀ ଆଇଇଡି ବିସ୍ଫୋରଣ କରି ଏହାକୁ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣ ଯୋଗୁ କ୍ୱେଟାରୁ ରାୱଲପିଣ୍ଡି ଯାଉଥିବା ଟ୍ରେନ୍‌ର ଅନେକ କୋଚ୍ ଲାଇନଚ୍ୟୁତ ହୋଇଯାଇଛି। ବାଲୁଚ୍ ରିପବ୍ଲିକାନ୍ ଗାର୍ଡ ଏହି ଆକ୍ରମଣ ପାଇଁ ଦାୟୀଥିବା ଘୋଷଣା କରିଛି। ବେଲୁଚିସ୍ତାନର ସ୍ୱାଧୀନତା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିବେ ବୋଲି ସଂଗଠନ କହିଛି।

ଶିକାରପୁରଠାରେ ବିସ୍ଫୋରଣ

ସିନ୍ଧ୍‌ର ଶିକାରପୁର ନିକଟରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଟ୍ରେନ୍‌ର ତିନୋଟି ବଗି ଲାଇନଚ୍ୟୁତ ହୋଇଯାଇଛି। ବାଲୁଚ୍ ରିପବ୍ଲିକାନ୍ ଗାର୍ଡସ୍ ପକ୍ଷରୁ ଏକ ବିବୃତି ଜାରି କରି ଏହି ଆକ୍ରମଣକୁ ସେମାନଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଇଛି।

ରିମୋଟ୍ କଣ୍ଟ୍ରୋଲ୍ ଦ୍ବାରା ବିସ୍ଫୋରଣ

ଆକ୍ରମଣକାରୀମାନେ ଶିକାରପୁର ଓ ଜାକୋବାବାଦ ମଧ୍ୟରେ ଅବସ୍ଥିତ ସୁଲତାନ କୋଟ ସହରରେ ଆଇଇଡି ଲଗାଇଥିଲେ। ରିମୋଟ୍ କଣ୍ଟ୍ରୋଲ୍ ବ୍ୟବହାର କରି ଏହାକୁ ବିସ୍ଫୋରଣ କରିଥିଲେ। ଟ୍ରେନ୍‌ଟିକୁ ଏକ ନିର୍ଦ୍ଦିଷ୍ଟ ସମୟରେ ଟାର୍ଗେଟ କରାଯାଇଥିଲା ଯେତେବେଳେ ବହୁ ସଂଖ୍ୟକ ପାକିସ୍ତାନୀ ସେନା କର୍ମଚାରୀ ଏଥିରେ ଯାତ୍ରା କରୁଥିଲେ। ବିଆର୍‌ଜି ଦାବି କରୁଛି ଯେ ଆକ୍ରମଣରେ ଅନେକ ପାକିସ୍ତାନୀ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଓ ଅନେକ ଗୁରୁତର ଆହତ ହୋଇଛନ୍ତି।

ଜାଫର ଏକ୍ସପ୍ରେସ୍‌କୁ ବାରମ୍ବାର ଟାର୍ଗେଟ୍ କରାଯାଉଛି

ଗତ ବର୍ଷ ମଧ୍ୟରେ ଜାଫର ଏକ୍ସପ୍ରେସ୍‌କୁ ଅନେକ ଥର ବାଲୁଚ୍ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି । ଏହି ଧାରା ୧୧ ମାର୍ଚ୍ଚ ୨୦୨୫ ରେ ଆରମ୍ଭ ହୋଇଥିଲା। ଯେତେବେଳେ ବେଲୁଚିସ୍ତାନ ଲିବରେସନ ଆର୍ମି ପ୍ରଥମେ ଟ୍ରେନ୍ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ୨୦୨୫ ଜୁନ୍, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଓ ଡିସେମ୍ବରରେ ଟ୍ରେନ୍‌ରେ ବୋମା ବିସ୍ଫୋରଣ କରାଯାଇଛି ସେପ୍ଟେମ୍ବର ୨୦୨୫ ରେ ମାସ୍ତୁଙ୍ଗ ନିକଟରେ ଏକ ବିସ୍ଫୋରଣରେ ମହିଳା ଓ ଶିଶୁ ସମେତ ୧୨ ଜଣ ଗୁରୁତର ଆହତ ହୋଇଥିଲେ। ପ୍ରାୟ ୨୭୦ ଜଣ ଯାତ୍ରୀ ଏକ ଟ୍ରେନରେ ଥିଲେ। ,ହାପରେ ୧୦ ଘଣ୍ଟାରୁ କମ୍ ସମୟ ମଧ୍ୟରେ ସେହି ଅଞ୍ଚଳରେ ଦ୍ୱିତୀୟ ବୋମା ବିସ୍ଫୋରଣ ହୋଇଥିଲା। ଡିସେମ୍ବରରେ ଆଉ ଏକ ଆକ୍ରମଣ ହୋଇଥିଲା। କିନ୍ତୁ ଟ୍ରେନ୍‌ଟି ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଯାଇଥିବାରୁ ଯାତ୍ରୀମାନେ ସୁରକ୍ଷିତ ରହିଥିଲେ।

ବାଲୁଚ୍ ଗୋଷ୍ଠୀର ଚେତାବନୀ

ବାଲୁଚ୍ ରିପବ୍ଲିକାନ୍ ଗାର୍ଡସ୍ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ବେଲୁଚିସ୍ତାନର ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଁ ସେମାନଙ୍କର ଅଭିଯାନକୁ ଜୋରଦାର କରିବେ । ସେମାନଙ୍କର ପ୍ରାଥମିକ ଉଦ୍ଦେଶ୍ୟ ପାକିସ୍ତାନୀ ସାମରିକ ସମ୍ବଳ ଓ କର୍ମଚାରୀଙ୍କୁ ସର୍ବାଧିକ କ୍ଷତି ପହଞ୍ଚାଇବା।

ସୌଜନ୍ୟ ସମ୍ବାଦ