Breaking News

ବଢ଼ୁଛି କ୍ରିକେଟ୍‌ କନ୍ଦଳ: ଚାମ୍ପିଅନ୍ସ ଟ୍ରଫି ପରେ ଗମ୍ଭୀରଙ୍କ ଭାଗ୍ୟ ନିର୍ଦ୍ଧାରଣ

ଭାରତୀୟ କ୍ରିକେଟ୍ ଦଳରେ ସବୁକିଛି ଠିକ୍ ନାହିଁ। ଏପରିକି ଡ୍ରେସିଂ ରୁମ୍‌ର ପରିବେଶ ଆଗ ଭଳି ଆଉ ହସଖୁସିଭରା ରହୁନାହିଁ। ବରଂ ଦଳରେ ଗୋଷ୍ଠୀକନ୍ଦଳ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି।

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳରେ ସବୁକିଛି ଠିକ୍ ନାହିଁ। ଏପରିକି ଡ୍ରେସିଂ ରୁମ୍‌ର ପରିବେଶ ଆଗ ଭଳି ଆଉ ହସଖୁସିଭରା ରହୁନାହିଁ। ବରଂ ଦଳରେ ଗୋଷ୍ଠୀକନ୍ଦଳ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏକଥା ବିସିସିଆଇର ବରିଷ୍ଠ କର୍ମକର୍ତ୍ତାମାନେ ଜାଣିଛନ୍ତି। ଏଣୁ ଚାମ୍ପିଅନ୍ସ ଟ୍ରଫି ପରେ ଏହାକୁ ଠିକ୍ କରିବାକୁ ଚୟନକର୍ତ୍ତା ଓ ବିସିସିଆଇ କିଛି କଠିନ ନିଷ୍ପତ୍ତି ନେଇପାରନ୍ତି। ଏପରିକି ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ କ୍ରିକେଟ୍ ଦଳର ପ୍ରଦର୍ଶନ ଉପରେ ନୂଆ ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀରଙ୍କ ଭାଗ୍ୟ ନିର୍ଭର କରୁଛି। ଚାମ୍ପିଅନ୍ସ ଟ୍ରଫିରେ ଯଦି ଟିମ୍ ଇଣ୍ଡିଆ ଭଲ କରେ, ତା’ହେଲେ ଗମ୍ଭୀରଙ୍କ କାର୍ଯ୍ୟକାଳ ଆଗକୁ ବଢ଼ିବ। ଅନ୍ୟଥା ବିସିସିଆଇ କାର୍ଯ୍ୟକାଳ ସରିବା ପୂର୍ବରୁ ଗମ୍ଭୀରଙ୍କୁ ହଟାଇବା ଭଳି ପଦକ୍ଷେପ ନେଇପାରେ। ଏଭଳି ଏକ ରିପୋର୍ଟ ମଙ୍ଗଳବାର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି।

ରିପୋର୍ଟରେ କୁହାଯାଇଛି ଯେ, ଗତବର୍ଷ ଜୁଲାଇ ମାସରେ କାର୍ଯ୍ୟକାଳ ଆରମ୍ଭ କରିଥିବା ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ଖେଳିଥିବା ୧୦ ଟେଷ୍ଟ୍‌ରୁ ୬ଟିରେ ପରାଜିତ ହୋଇଛି। ଅନଭିଜ୍ଞ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ଭାରତ ହାରିଛି। ଭାରତୀୟ ଦଳର ଫର୍ମରେ ହଠାତ୍ ଦେଖା ଦେଇଥିବା ଏହି ଅବନତିର ଅସଲ କାରଣ ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଖରାପ ପ୍ରଦର୍ଶନ ବୋଲି କୁହାଯାଇପାରେ। ତେବେ ଏହା ଗମ୍ଭୀରଙ୍କ ପାଇଁ ମଧ୍ୟ ବଡ଼ ସମସ୍ୟା ଭାବେ ଉଭା‌ ‌ହୋଇଛି। ସେହିଭଳି ବର୍ଡର-ଗାଭାସ୍କର ଟ୍ରଫି ଅବସରରେ କିଛି ବରିଷ୍ଠ ଖେଳାଳିଙ୍କ ସହ ତାଙ୍କର ମନାନ୍ତର ହୋଇଥିବା‌ ଖବର ସ୍ଥିତିକୁ ଆହୁରି ଜଟିଳ କରିଛି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଖେଳରେ ସବୁବେଳେ ଫଳାଫଳକୁ ଗୁରୁତ୍ବ ଦିଆଯାଇଥାଏ, ବର୍ତ୍ତମାନ ସୁଦ୍ଧା ଗମ୍ଭୀର କୌଣସି ଆଖିଦୃଶିଆ ସଫଳତା ଦଳକୁ ଦେଇ ନାହାନ୍ତି। ଅଷ୍ଟ୍ରେଲିଆରେ ଭାରତର ଖରାପ ପ୍ରଦର୍ଶନ ନେଇ ଗତ ଶନିବାର ବିସିସିଆଇ ସମୀକ୍ଷା କରିଥିଲା। ଏଥିରୁ ଗମ୍ଭୀର ଓ ବରିଷ୍ଠ ଖେଳାଳିଙ୍କ ମତ ଅନେକ କ୍ଷେତ୍ରରେ ଭିନ୍ନଭିନ୍ନ ଥିବା ଜଣାପଡ଼ିଛି।

ସୁପରଷ୍ଟାର୍ ସଂସ୍କୃତିକୁ ନେଇ ମତଭେଦ
ଗମ୍ଭୀର ଭାରତୀୟ ଦଳରେ ଥିବା ସୁପରଷ୍ଟାର୍ ସଂସ୍କୃତିକୁ ଶେଷ କରିବାକୁ ଚାହୁଛନ୍ତି। ଅର୍ଥାତ୍ ବରିଷ୍ଠ ଖେଳାଳିଙ୍କୁ ମିଳୁଥିବା ସ୍ବତନ୍ତ୍ର ମହତ୍ତ୍ବ ଓ ସୁବିଧା ସୁଯୋଗକୁ ବନ୍ଦ କରିଦେବା ସପକ୍ଷରେ ଅଛନ୍ତି। ଏପରିକି ପ୍ରଦର୍ଶନ ଆଧାରରେ ଦଳରେ ଖେଳାଳିଙ୍କୁ ସୁଯୋଗ ଦେବାକୁ ଜିଦ୍ ଧରୁଛନ୍ତି। ଯାହାକୁ ନେଇ ତାଙ୍କ ସହ କିଛି ଖେଳାଳିଙ୍କର ମତଭେଦ ହୋଇଛି। ଗମ୍ଭୀରଙ୍କ ଏଭଳି ପଦକ୍ଷେପକୁ ନେଇ ଦଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ‌ହୋଇଥିବା ଜଣାପଡ଼ିଛି। ଗମ୍ଭୀର ୨୦୧୨ ଆଇପିଏଲ୍‌ ଫାଇନାଲ୍ ପାଇଁ କୋଲ୍‌କାତା ନାଇଟ୍ ରାଇଡର୍ସ ଦଳରୁ ବ୍ରେଣ୍ଡନ୍ ମ୍ୟାକଲମ୍‌ଙ୍କ ଭଳି ଖେଳାଳିଙ୍କୁ ବାଦ୍ ଦେବାକୁ ଉଦାହରଣ ଭାବେ ନେଇ ଜଣେ କ୍ରିକେଟ୍ ବିଶେଷଜ୍ଞ କହିଛନ୍ତି ଯେ ସୁପରଷ୍ଟାର୍ ସଂସ୍କୃତିକୁ ଶେଷ କରିବା ଲକ୍ଷ୍ୟ ନେଇ ଗମ୍ଭୀର ଆସିଛନ୍ତି। ଏହା ହିଁ ଦଳରେ ବିଭାଜନ ସୃଷ୍ଟି କରିଛି। ସଂପୃକ୍ତ କ୍ରିକେଟ୍ ବି‌ଶେଷଜ୍ଞ ଗମ୍ଭୀର ଦିଲ୍ଲୀ ରଣଜୀ ଦଳର ଅଧିନାୟକ ଥିଲା ବେଳେ ନେଇଥିବା ଏକ କଠୋର ନିଷ୍ପତ୍ତି ବିଷୟରେ କହିଛନ୍ତି। ‘‘ଥରେ, ଦିଲ୍ଲୀ ରଣଜୀ ଦଳର ଅଧିନାୟକ ଭାବେ ଗମ୍ଭୀର ଦଳର ସମସ୍ତ ଘରୋଇ ମ୍ୟାଚ୍‌ ଉତ୍ତର-ପଶ୍ଚିମ ଦିଲ୍ଲୀରେ ଥିବା ରୋଶନାରା ପଡ଼ିଆରେ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଭାରତୀୟ ଦଳରୁ ଦୂରରେ ଥିବା ଜଣେ ବଡ଼ ଖେଳାଳି ଜାମିଆ ମିଲିଆ ଇସ୍‌ଲାମିଆ ପଡ଼ିଆର ବ୍ୟାଟିଂକୁ ସୁହାଉଥିବା ପିଚ୍‌ରେ ମ୍ୟାଚ୍ ରଖିବାକୁ କହିଥିଲେ। ଏହା ମଧ୍ୟ ସଂପୃକ୍ତ ସୁପରଷ୍ଟାର୍‌ଙ୍କ ଦକ୍ଷିଣ ଦିଲ୍ଲୀସ୍ଥିତ ବାସଭବନର ବେଶ୍ ନିକଟତର ଥିଲା। ହେଲେ ଗମ୍ଭୀର ତାଙ୍କ ଅନୁରୋଧକୁ ରଖି ନଥିଲେ। ଏଣୁ ଦଳର ହିତ ଦୃଷ୍ଟିରୁ ସେ କିଛି ବି କରି ପାରନ୍ତି। ଯାହା ବରିଷ୍ଠଙ୍କୁ କଷ୍ଟ ହେଉଛି। ସେହିଭଳି କିଛି ତାରକା ଖେଳାଳି ନିଜ ପସନ୍ଦର ହୋଟେଲ ମାଗିବା, ଅଷ୍ଟ୍ରେଲିଆରେ ଅଭ୍ୟାସ ପାଇଁ ନିଜ ସମୟ ନିଜେ ବାଛିବାକୁ ଗମ୍ଭୀର ନାପସନ୍ଦ କରିଛନ୍ତି। ସେପଟେ ପ୍ରଶିକ୍ଷକ ସେମାନଙ୍କ ସହ କୌଣସି ବିଚାରବିମର୍ଷ କରୁ ନଥିବା ବରିଷ୍ଠ ଖେଳାଳିମାନେ ହୃଦୟଙ୍ଗମ କରୁଛନ୍ତି। ସେହିଭଳି ଚୟନ ସମିତି ମଧ୍ୟ ଦଳ ବଛାହେଲା ବେଳେ ଗମ୍ଭୀରଙ୍କ ମାତ୍ରାଧିକ ହସ୍ତକ୍ଷେପକୁ ପସନ୍ଦ କରୁନି। ଏଥିନେଇ ଜଣେ ପୂର୍ବତନ ଚୟନକର୍ତ୍ତା କହିଛନ୍ତି ଯେ ଗମ୍ଭୀରଙ୍କ ରୂପରେ ବରିଷ୍ଠ ଖେଳାଳିମାନେ ଗ୍ରେଗ୍ ଚାପେଲଙ୍କ ଝଲକ ଦେଖିବାକୁ ପାଉଛନ୍ତି। ତାଙ୍କ ଅଭ୍ୟାସ ଶୈଳୀକୁ ବି କିଛି ଖେଳାଳି ଭଲ ପାଉ ନାହାନ୍ତି। ଯାହା ପରୋକ୍ଷରେ ଦଳର କ୍ଷତି କରୁଛି।

ଲମ୍ବା ଗସ୍ତରେ ପତ୍ନୀ ଓ ପିଲାଙ୍କୁ ମନା‌
ଅଷ୍ଟ୍ରେଲିଆ ଗସ୍ତର ବିପର୍ଯ୍ୟୟ ପରେ ଖେଳାଳିମାନେ ସେମାନଙ୍କ ସାଙ୍ଗରେ ପତ୍ନୀ ଓ ପିଲାଙ୍କୁ ନେଉଥିବା ନିୟମରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି ବିସିସିଆଇ। ଶନିବାରର ସମୀକ୍ଷା ବୈଠକ ପରେ ପ୍ରସ୍ତାବିତ ନିୟମ ଅନୁସାରେ ଏଣିକି ବିଦେଶ କିମ୍ବା ଘରୋଇ ଗସ୍ତରେ ଭାରତୀୟ ଖେଳାଳିମାନେ ପୂରା ସମୟ ପାଇଁ ନିଜ ସହ ପତ୍ନୀ କିମ୍ବା ପରିବାରବର୍ଗକୁ ରଖି ପାରିବେ ନାହିଁ। ଯଦି କୌଣସି ଶୃଙ୍ଖଳା ୪୫ ଦିନ ବିଶି‌ଷ୍ଟ ହୋଇଥାଏ, ତା’ହେଲେ ସେମାନେ ସର୍ବାଧିକ ୧୪ ଦିନ ପାଇଁ ପରିବାରବର୍ଗଙ୍କୁ ନିଜ ପା‌ଖରେ ରଖିପାରିବେ। ଛୋଟିଆ ଶୃଙ୍ଖଳା ପାଇଁ ସେମାନଙ୍କୁ ସର୍ବାଧିକ ୭ଦିନ ପାଇଁ ପରିବାରବର୍ଗଙ୍କୁ ନିଜ ସହ ରଖିବାର ଅନୁମତି ମିଳିବ। ବିଭିନ୍ନ ଶୃଙ୍ଖଳା, ବିଶେଷ କରି ବିଦେଶ ଗସ୍ତ ବେଳେ ଖେଳାଳିମାନେ ପୂରା ସମୟ ନିଜ ପାଖରେ ପରିବାରବର୍ଗଙ୍କୁ ରଖିଲେ ଖେଳ ଉପରେ ପୂରା ଧ୍ୟାନ ଦେଇ ପାରୁନାହାନ୍ତି ବୋଲି ବିସିସିଆଇ ହୃଦୟଙ୍ଗମ କରିଛି। ଏଣୁ ଏହି ନିୟମକୁ ଖୁବ୍‌ଶୀଘ୍ର ଲାଗୁ କରିବାକୁ ନୀତିଗତ ନିଷ୍ପତ୍ତି ନେଇ ସାରିଥିବା ଜଣାପଡ଼ିଛି।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ  ବୋର୍ଡ ମଧ୍ୟ ଶୃଙ୍ଖଳିତ ବ୍ୟବହାରକୁ ଆହୁରି କଡ଼ାକଡ଼ି କରିବାକୁ ଯାଉଛି। ବରିଷ୍ଠ ଖେଳାଳିମାନେ ଦଳୀୟ ବସ୍‌ରେ ନଯାଇ ଘରୋଇ ଗାଡ଼ିରେ ଏବଂ ନିଜ ବ୍ୟବସ୍ଥାରେ ଯିବାଆସିବା କରିବା ଉପରେ ମଧ୍ୟ ଅଙ୍କୁଶ ଲାଗିବାକୁ ଯାଉଛି। ଦଳୀୟ ଏକତା ପାଇଁ ଏଣିକି ଯେକୌଣସି ଖେଳାଳି ଯେତେ ବରିଷ୍ଠ ହେଲେ ମଧ୍ୟ କେବଳ ଟିମ୍ ବସ୍‌ରେ ଯିବା ଆସିବା କରିବେ ବୋଲି ଖେଳାଳିମାନଙ୍କୁ ଅନୌପଚାରିକ ଭାବେ ଜଣାଇ ଦିଆଯାଇଛି। ସେହିଭଳି ଯାତ୍ରା ବେଳେ ଅଧିକ ଲଗେଜ୍ ନେଇ ଯାତ୍ରା କରୁଥିବା ଖେଳାଳିଙ୍କୁ ଛାଟ ମାରିବାକୁ ଯାଉଛି ବିସିସିଆଇ। ଆଗାମୀ ସମୟରେ ନିର୍ଦ୍ଧାରିତ ୧୫୦ କିଲୋଗ୍ରାମରୁ ଅଧିକ ଓଜନର ଲଗେଜ୍ ନେଲେ, ଅତିରିକ୍ତ ‌ଲଗେଜ୍ ପାଇଁ ଖେଳାଳିଙ୍କୁ ନିଜ ପକେଟରୁ ପଇସା ଦେବାକୁ ପଡ଼ିବ। ଅନ୍ୟଏକ ଉଲ୍ଲେଖନୀୟ ଘଟଣାକ୍ରମେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ପ୍ରବନ୍ଧକ ଗୌରବ ଅରୋରାଙ୍କୁ ମଧ୍ୟ ଦଳ ସହ ଆଉ ଯାତ୍ରା କରିବାର ସୁଯୋଗ ମିଳିବ ନାହିଁ। ଅରୋରାଙ୍କୁ ମଧ୍ୟ ଦଳୀୟ ହୋଟେଲ, ଟିମ୍ ବସ୍ କିମ୍ବା ଭିଆଇପି ବକ୍ସରେ ବସିବାକୁ ଦିଆଯିବ ନାହିଁ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.