ଅର୍ଥନୀତିଦେଶ ବିଦେଶ

Economic Survey Report 2025-26: ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬: ତଳମୁହଁା ହେବ ବିକାଶ, ଆସନ୍ତାବର୍ଷ ଅଭିବୃଦ୍ଧି ୭.୨%କୁ କମିବ

୨୦୨୬-୨୭ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୫-୨୬ ପାଇଁ ଦେଶର ମୋଟ....

ନୂଆଦିଲ୍ଲୀ: ୨୦୨୬-୨୭ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୫-୨୬ ପାଇଁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୪ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। କିନ୍ତୁ ୨୦୨୬-୨୭ରେ ଜିଡିପି ଅଭିବୃଦ୍ଧି ୬.୮-୭.୨ ପ୍ରତିଶତକୁ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ବିଶ୍ବବ୍ୟାପୀ ଭୂରାଜନୈତିକ ସଙ୍କଟ, କଠିନ ଆର୍ଥିକ ସ୍ଥିତି ସତ୍ତ୍ବେ ଭାରତୀୟ ଅର୍ଥନୀତି ଚମତ୍କାର ପ୍ରଦର୍ଶନ ଜାରି ରଖିବ ବୋଲି ଆଶାବ୍ୟକ୍ତ କରାଯାଇଛି। ଦେଶର ମୁଣ୍ଡପିଛା ଜାତୀୟ ଆୟ ୨୦୨୫-୨୬ରେ ୨.୨୦ ଲକ୍ଷ (୨,୧୯,୫୭୫) ଟଙ୍କା ହେବ। ୨୦୨୪-୨୫ରେ ତାହା ୨.୦୫ ଲକ୍ଷ ଟଙ୍କା ଥିଲା। ବର୍ଷକରେ ମୁଣ୍ଡପିଛା ଆୟରେ ପାଖାପାଖି ୨୦ ହଜାର ଟଙ୍କା ବୃଦ୍ଧି ଘଟିଛି।

 

୨୦୨୫-୨୬ରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୧ ପ୍ରତିଶତକୁ ଖସିବ। ୨୦୨୪-୨୫ରେ କୃଷି ଅଭିବୃଦ୍ଧି ୪.୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଥିଲା। ତେବେ ପ୍ରାଣୀଧନ ଓ ମତ୍ସ୍ୟ କ୍ଷେତ୍ରର ଅଭିବୃଦ୍ଧି ୫-୬ ପ୍ରତିଶତ ହାରରେ ସ୍ଥିର ରହିବ। ଶିଳ୍ପ ଅଭିବୃଦ୍ଧି ୬.୨ ପ୍ରତିଶତକୁ ବୃଦ୍ଧି ପାଇବ, ଯାହା ପୂର୍ବବର୍ଷ ୫.୯ ପ୍ରତିଶତ ରହିଥିଲା। ସେବା କ୍ଷେତ୍ରର ଅଭିବୃଦ୍ଧି ହାର ମଧ୍ୟ ୯.୧ ପ୍ରତିଶତକୁ ବୃଦ୍ଧି ପାଇବ। ଚଳିତ ଆର୍ଥିକବର୍ଷରେ ବିତ୍ତୀୟ ନିଅଣ୍ଟ ୪.୮ ପ୍ରତିଶତରେ ରହିବାକୁ ଥିବା ବେଳେ ଆସନ୍ତା ଆର୍ଥିକବର୍ଷରେ ଏହା ୪.୪ ପ୍ରତିଶତରେ ରହିବ ବୋଲି ସର୍ଭେରେ ଆକଳନ କରାଯାଇଛି। ସେହିପରି ଖୁଚୁରା ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରହିଲେ ମଧ୍ୟ ଆସନ୍ତା ଆର୍ଥିକ ବର୍ଷକୁ ସେଥିରେ ବୃଦ୍ଧି ଘଟିବା ଆଶଙ୍କା ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସର୍ଭେରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି। ୟୁରିଆର ଅତ୍ୟଧିକ ବ୍ୟବହାର କମ୍‌ କରିବା ଲାଗି ତାହାର ଖୁଚୁରା ମୂଲ୍ୟ ବଢ଼ାଇବାକୁ କୁହାଯାଇଛି। ଡିଜିଟାଲ୍‌ ନିଶାରେ ପଡ଼ିଥିବା ଯୁବପିଢ଼ିଙ୍କୁ ଉଦ୍ଧାର କରିବା ଲାଗି ବୟସ ଆଧାରିତ କଟକଣା ଲଗାଇବାକୁ ମଧ୍ୟ ସୁପାରିସ କରାଯାଇଛି। ନିର୍ବାଚନରେ ଜିତିବା ଲାଗି ମାଗଣା ସ୍କିମ୍‌କୁ ନେଇ ରାଜନୈତିିକ ଦଳଗୁଡ଼ିକ ମଧ୍ୟରେ ଚାଲିଥିବା ପ୍ରତିଯୋଗିତାକୁ ନେଇ ସର୍ଭେରେ ସତର୍କ କରାଯାଇଛି। ଏହାଦ୍ବାରା ରାଜ୍ୟଗୁଡ଼ିକର ବିତ୍ତୀୟ ସ୍ଥିତି ବିଗିଡ଼ିବା ସହ ତାହା ଭବିଷ୍ୟତର ନିବେଶ ସାମର୍ଥ୍ୟକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ସେହିପରି, ଦେଶରେ ମେଦବହୁଳତାକୁ ଏକ ବହୁତ ବଡ଼ ସମସ୍ୟା ଭାବେ ଅଭିହିତ କରାଯାଇଛି। ଏହା ଆଉ ସ୍ବାସ୍ଥ୍ୟ ସମସ୍ୟାରେ ସୀମିତ ନାହିଁ। ଏହା ଦେଶର ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିବ ବୋଲି ସର୍ଭେ‌ରେ କୁହାଯାଇଛି। ମେଦବହୁଳତା ସମସ୍ୟାକୁ ରୋକିବା ଲାଗି ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟର ବିଜ୍ଞାପନ ଉପରେ ସକାଳ ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ କଟକଣା ଲଗାଇବାକୁ ପରାମର୍ଶ ଦିଆଯାଇଛି। ମନରେଗାରେ ହୋଇଥିବା ପରିବର୍ତ୍ତନର କାରଣ ବିଷୟରେ ସର୍ଭେରେ ଆଲୋଚନା କରାଯାଇଛି। ମନରେଗାର ମୂଳ ଢାଞ୍ଚାରେ ସମସ୍ୟା ଥିବାରୁ ସେଥିରେ ପରିବର୍ତ୍ତନ କରି ଭିବି-ଜି ରାମ ଜି ଯୋଜନା ଅଣାଯାଇଥିବା ସଫେଇ ଦିଆଯାଇଛି। ବିଶ୍ବ ବାଣିଜ୍ୟରେ ଦେଖାଦେଇଥିବା ଅସ୍ଥିରତା ପରିପ୍ରେକ୍ଷୀରେ ସରକାର ‘ସ୍ବଦେଶୀ’ ନୀତିକୁ ଆପଣାଇବାକୁ ପରାମର୍ଶ ଦିଆଯାଇଛି। ଆମେରିକା ସହ ଚଳିତ ବର୍ଷ ବାଣିଜ୍ୟ ରାଜିନାମା ‌ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି। କୃତ୍ରିମ  ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମ୍ପର୍କରେ କୁହାଯାଇଛି ଯେ ଭାରତକୁ ନିଜସ୍ବ ଏଆଇ ସମାଧାନର ଆବଶ୍ୟକତା ରହିଛି। ଅଷ୍ଟମ ଶ୍ରେଣୀ ପରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ି ଦେଉଥିବାରୁ ଉଦ୍‌ବେଗ ପ୍ରକାଶ କରାଯାଇଛି ଓ ତାହାର ସମାଧାନ ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି।

ଆସନ୍ତାବର୍ଷ ଅଭିବୃଦ୍ଧି ୭.୨%କୁ କମିବ
୨୦୨୫-୨୬ ଅଭିବୃଦ୍ଧି ୭.୪% ରହିଛି
ବୟସ ଆଧାରିତ ଡିଜିଟାଲ୍‌ କଟକଣା ପ୍ରସ୍ତାବ
ମେଦବହୁଳତା ଏକ ଆର୍ଥିକ ବିପତ୍ତି
ମାଗଣା ସ୍କିମ୍‌କୁ ନେଇ ଚେତାବନୀ
ମୁଣ୍ଡପିଛା ଆୟ ୨.୨୦ ଲକ୍ଷ ଟଙ୍କା

ସରକାର ନିକଟରେ ନେଇଥିବା ସଂସ୍କାରଧର୍ମୀ ପଦକ୍ଷେପ ଅର୍ଥନୀତିର ମଧ୍ୟମ ଅବଧି ଅଭିବୃଦ୍ଧିକୁ ୭ ପ୍ରତିଶତ ନିକଟତର ରଖିଛି। ବିଶ୍ବରେ ଅନିଶ୍ଚିତତା ସତ୍ତ୍ବେ ଭାରତର ଅର୍ଥନୈତିକ ଦୃଶ୍ୟପଟ ଭଲ ରହିବ। ବିଶ୍ବର ପ୍ରତିକୂଳ ପରିସ୍ଥିତିରେ ନିରାଶ ନ ହୋଇ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି ଅର୍ଥନୈତିକ ସର୍ଭେରେ ପରାମର୍ଶ ଦିଆଯାଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଏକ ଚିନ୍ତାଜନକ ବିଷୟ। କିନ୍ତୁ ଏବେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୨ ଟଙ୍କା ଭଳି ସ୍ତରରେ ପହଞ୍ଚିଯାଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ଅନୁଭୂତ ହେଉନାହିଁ। କାହିଁକି ଏଭଳି ହେଉଛି ତାହାର ଉତ୍ତର ସର୍ଭେ ରିପୋର୍ଟରେ ରହିଛି। ଆମେରିକା ସରକାର ଲଗାଇଥିବା ଶୁଳ୍କର ପ୍ରଭାବ ଯୋଗୁଁ ଦୁର୍ବଳ ହୋଇପଡ଼ିଥିବା ଟଙ୍କାର ପ୍ରଭାବ ଜଣାପଡ଼ୁନାହିଁ। ଅନ୍ୟପକ୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଦୃଢ଼ ରହିବା ମଧ୍ୟ ଏହି ପ୍ରଭାବକୁ ଅନେକାଂଶରେ ଅଟକାଇ ଦେଉଛି। ତେଣୁ ଟଙ୍କା ମୂଲ୍ୟ ପାଇଁ ଯେତିକି ପ୍ରଭାବ ପଡ଼ିବା କଥା ତାହା ଅନୁଭୂତ ହେଉନାହିଁ। ଅ‌ଶୋଧିତ ତୈଳ ଦର ମଧ୍ୟ ଉଚ୍ଚା ନଥିବା ଅର୍ଥନୀତିକୁ ସୁହାଉଛି। କିନ୍ତୁ ଏହାର ପ୍ରଭାବରେ ନିବେଶକମାନେ ବେଶ୍‌ ସତର୍କ ହୋଇପଡ଼ିଛନ୍ତି। ସେମାନେ ଭାରତ ପ୍ରତି ପୂର୍ବ ଭଳି ପ୍ରତିବଦ୍ଧତା ଦେଖାଉନାହାନ୍ତି। ସେଥିପ୍ରତି ଦୃଷ୍ଟି ଦେବାକୁ ସ‌ର୍ଭେରେ ପରାମର୍ଶ ଦିଆଯାଇଛି।

 

ଭାରତ ବିଶ୍ବର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଥିବା ରିପୋର୍ଟରେ ଦାବି କରାଯାଇଛି। ଆମେରିକା, ଚୀନ ଓ ଜର୍ମାନୀ ପଛକୁ ଏହି ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଗତବର୍ଷ ସରକାର ଘୋଷଣା କରିଥିଲେ ଯେ ଜାପାନକୁ ଅତିକ୍ରମ କରି ଭାରତ ଚତୁର୍ଥ ବଡ଼ ଅର୍ଥନୀତିର ମାନ୍ୟତା ହାସଲ କରିିଛି। ସମାଜର ନିମ୍ନ ୧୦ ପ୍ରତିଶତ ଲୋକଙ୍କ ଖର୍ଚ୍ଚ ବଢ଼ିଛି। ଗ୍ରାମାଞ୍ଚଳରେ ଗୋଚର ଭଳି ସାମୂହିକ ସଂପତ୍ତି ପରିଚାଳନା ପାଇଁ ସ୍ବତନ୍ତ୍ର ନୀତି ଆଣିବାକୁ ସରକାରଙ୍କୁ ଅର୍ଥନୈତିକ ସର୍ଭେରେ ପରାମର୍ଶ ଦିଆଯାଇଛି।

ଏଥରର ଅର୍ଥନୈତିକ ସ‌‌ର୍ବେକ୍ଷଣ ରିପୋର୍ଟ ପୂର୍ବ ସଂସ୍କରଣଗୁଡ଼ିକଠାରୁ ଭିନ୍ନ ରହିଛି। ଏଥିରେ ୧୭ଟି ବିଷୟକୁ ସ୍ଥାନ ଦିଆଯାଇଛି। ଜାତୀୟ ପ୍ରାଥମିକତା ଆଧାରରେ ସେଗୁଡ଼ିକୁ କ୍ରମାନ୍ବୟରେ ରଖାଯାଇଛି। ଅଧିକ ବିଷୟକୁ ସ୍ଥାନ ଦିଆଯାଇଥିବାରୁ ଏଥର ସର୍ଭେ ରିପୋର୍ଟ ପୂର୍ବ ରିପୋର୍ଟଗୁଡ଼ିକ ତୁଳନାରେ ଲମ୍ବା ମଧ୍ୟ ହୋଇଛି। ଏଥିରେ ୭୩୯ଟି ପୃଷ୍ଠା ରହିଛି। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ଅଭ୍ୟୁଦୟ, ସହରାଞ୍ଚଳରେ ଲୋକମାନଙ୍କ ଜୀବନର ଗୁଣାତ୍ମକ ମାନ, ରାଜ୍ୟ ଦକ୍ଷତା ଓ ଘରୋଇ କ୍ଷେତ୍ରର ଭୂମିକା ଉପରେ ତିନିଟି ସ୍ବତନ୍ତ୍ର ପ୍ରବନ୍ଧ ମଧ୍ୟ ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button