ଭୁବନେଶ୍ବର ୨୭।୫: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଉପାନ୍ତରୁ ଉପକୂଳ ସବୁଠି ଗରମ ଆଉ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ସକାଳୁ ସକାଳୁ ଆରମ୍ଭ ହୋଇଯାଉଛି ଗୁଳୁଗୁଳି । ନା ଘରେ ରହି ହେଉଛି ନା ବାହାରକୁ ବାହାରି ହେଉଛି । ଦିନ ହେଉ କି ରାତି ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ପଶ୍ଚିମ ଓଡ଼ିଶାରେ ସ୍ଥିତି ସାଂଘାତିକ । ଗରମ ଓ ଗୁଳୁଗୁଳିରେ କଲବଲ ହେଉଛି ଜନଜୀବନ । ଉପକୂଳ ଓ ଉତ୍ତର ଓଡ଼ିଶାରେ ତ ସ୍ଥିତି ଆହୁରି ଖରାପ । ଏମିତି ସ୍ଥିତିରେ ପାଣିପାଗ ବିଭାଗ କହୁଛି, ଆହୁରି ୩ ଦିନ ଯାଏଁ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ୨୯ ପୂର୍ବରୁ ତାତିରୁ ମିଳିବନି ତ୍ରାହି ।
ତେବେ ଜୁନ୍ ୨ ତାରିଖ ଯାଏଁ ହିଟୱେଭ୍ ସତର୍କତା ଜାରି କରିଛି ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ । ଗ୍ରୀଷ୍ମ ପ୍ରବାହ ଦିଶେନି, ହେଲେ ଅନୁଭବ ହୁଏ । ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର ପରି ଖଣିଜ ଅଞ୍ଚଳରେ ସ୍ଥିତି ଆହୁରି ସଂଗୀନ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ଅଂଶୁଘାତରେ ତିନୋଟି ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏଥିରୁ ରକ୍ଷା ପାଇବାକୁ ଭ୍ରାମ୍ୟମାଣ ହିଟୱେଭ ଶେଲଟର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଅସ୍ଥାୟୀ ଭ୍ରାମ୍ୟମାଣ ହିଟୱେଭ ଶେଲଟର ନିର୍ମାଣ ହେବ । ଝାରସୁଗୁଡା NH 49ରେ ଅସ୍ଥାୟୀ ହିଟୱେଭ ଶେଲଟର ନିର୍ମାଣ ହୋଇଛି । ସ୍ଥାୟୀ ହିଟୱେଭ ଶେଲଟର ପାଇଁ ଡିଜାଇନ ପ୍ରସ୍ତୁତ ସରିଲାଣି । ଆସନ୍ତା ବର୍ଷ ଖରା ଦିନ ପୂର୍ବରୁ ସ୍ଥାୟୀ ହିଟୱେଭ ଶେଲଟର ନିର୍ମାଣ କାମ ସରିବ । ଏହି ଶେଲଟରକୁ ବହୁମୁଖୀ କରିବାକୁ ବି ଯୋଜନା ରହିଛି । ଗ୍ରୀଷ୍ମ ଦିନରେ ହିଟୱେଭ ଶେଲଟର ଓ ଅନ୍ୟ ସମୟରେ ଅନ୍ୟ ସମୟରେ ଅନ୍ୟ କାମରେ ବ୍ୟବହାର ହୋଇପାରିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ସୌଜନ୍ୟ Prameya News7

