Gun in student’s bag: ଛାତ୍ରଙ୍କ ବ୍ୟାଗ୍ରେ ବନ୍ଧୁକ: ହଟହଟା ହେଲା ପୁଲିସ, ଅଟକ ରଖିଲେ ଅଭିଭାବକ
ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ତଥା ଖନ୍ତାପଡ଼ା ଥାନା ଅଧୀନ ଶ୍ରୀଜଙ୍ଗ ହାଇସ୍କୁଲର ଜଣେ ଅଷ୍ଟମ ଛାତ୍ରଙ୍କ ବ୍ୟାଗରୁ ମିଳିଛି ବନ୍ଧୁକ। ଏହାକୁ ନେଇ ଅନ୍ୟ ଛାତ୍ରଛାତ୍ରୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଉତ୍ତ୍ୟକ୍ତ ଅଭିଭାବକମାନେ ସ୍କୁଲ ଆଗରେ ହୋହଲ୍ଲା କରିଛନ୍ତି।

ବାହାନଗା/ଖନ୍ତାପଡ଼ା: ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ତଥା ଖନ୍ତାପଡ଼ା ଥାନା ଅଧୀନ ଶ୍ରୀଜଙ୍ଗ ହାଇସ୍କୁଲର ଜଣେ ଅଷ୍ଟମ ଛାତ୍ରଙ୍କ ବ୍ୟାଗରୁ ମିଳିଛି ବନ୍ଧୁକ। ଏହାକୁ ନେଇ ଅନ୍ୟ ଛାତ୍ରଛାତ୍ରୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଉତ୍ତ୍ୟକ୍ତ ଅଭିଭାବକମାନେ ସ୍କୁଲ ଆଗରେ ହୋହଲ୍ଲା କରିଛନ୍ତି। ଖବର ପାଇ ସ୍କୁଲରେ ପହଞ୍ଚିଥିବା ପୁଲିସକୁ ମଧ୍ୟ ଅଭିଭାବକମାନେ ଅଟକ ରଖିଥିଲେ।
ସୂଚନା ଅନୁଯାୟୀ; ଶ୍ରୀଜଙ୍ଗ ହାଇସ୍କୁଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ନିଜ ବ୍ୟାଗରେ ଏକ ବନ୍ଧୁକ ରଖିଥିବା ସହପାଠୀମାନେ ଜାଣିବା ପରେ ଶ୍ରେଣୀ ଶିକ୍ଷକ ଶରତ ବେହେରାଙ୍କୁ ଅବଗତ କରିଥିଲେ। ଏହାପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ଜେନା ପହଞ୍ଚି ବ୍ୟାଗ୍ରେ ଅସଲି ବନ୍ଧୁକ ଥିବା ଜାଣିବା ପରେ ଆତଙ୍କ ଖେଳି ଯାଇଥିଲା। ଏହି ଖବର ପ୍ରଚାର ହେବାରୁ ଶହଶହ ଅଭିଭାବକ ପହଞ୍ଚି ନିଜ ପିଲାଙ୍କ ସୁରକ୍ଷା ଦାବିରେ ସ୍କୁଲ ଆଗରେ ହୋହଲ୍ଲା କରିବା ସହ ବନ୍ଧୁକ ଆଣିଥିବା ଛାତ୍ରଙ୍କୁ ଟିସି ଦେଇ ବିଦା କରାଯାଉ ବୋଲି ଅଡ଼ି ବସିଥିଲେ।
ଖବର ପାଇ ଖନ୍ତାପଡ଼ା ଥାନା ଏଏସ୍ଆଇ ଉଦୟନାରାୟଣ ଭକ୍ତା ପହଞ୍ଚି ବନ୍ଧୁକଟି ଜବତ କରିବା ସହ ଉକ୍ତ ଛାତ୍ରଙ୍କୁ ଧରି ସ୍କୁଲ ପରିସରରୁ ବାହାରକୁ ଆସୁଥିବା ବେଳେ ଉପସ୍ଥିତ ଲୋକଙ୍କ ବିରୋଧର ଶିକାର ହୋଇଥିଲେ। ଏଏସ୍ଆଇ ଶ୍ରୀ ଭକ୍ତା ସାଦା ପୋଷାକରେ ଆସିଥିବାରୁ ସେ ଉକ୍ତ ଛାତ୍ରଙ୍କୁ ସୁରକ୍ଷା ଦେଉଥିବା ସନ୍ଦେହ କରି ଅଭିଭାବକମାନେ ତାଙ୍କୁ ଘେରିି ଯାଇଥିଲେ। ପରେ ଏସ୍ଆଇ ବିକ୍ରମ ମହାପାତ୍ର ପହଞ୍ଚି ବୁଝାସୁଝା କରିବା ସହ ୨ ଘଣ୍ଟା ପରେ ଛାତ୍ର ଜଣଙ୍କୁ ଭିଡ଼ ଭିତରୁ ଉଦ୍ଧାର କରିଥିଲେ।
ଆସନ୍ତାକାଲି ଅଭିଭାବକଙ୍କ ଉପସ୍ଥିତିରେ ଉକ୍ତ ଛାତ୍ରଙ୍କୁ ବନ୍ଧୁକ ବାବଦରେ ପଚରାଉଚରା କରାଯିବା ସହ ଜବତ ବନ୍ଧୁକଟିର ପରୀକ୍ଷଣ ପାଇଁ ଭୁବନେଶ୍ୱରସ୍ଥିତ ଫରେନ୍ସିକ ଲାବ୍କୁ ପଠାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସ୍କୁଲ ପରିସରରେ ଘଟଣା ଘଟିଥିବା ଓ ଏଥିରେ ଜଣେ ନାବାଳକ ଛାତ୍ରଙ୍କ ସମ୍ପୃକ୍ତି ଥିବାରୁ ନିୟମ ଅନୁଯାୟୀ ପୁଲିସ ସାଦା ପୋଷାକରେ ଯାଇଥିଲା ବୋଲି ସଦର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ନାୟକ କହିଛନ୍ତି।
ସୌଜନ୍ୟ ସମ୍ବାଦ




