ସମ୍ପାଦକୀୟ

Editorial: ତୈଳ ପ୍ରହେଳିକା

ଭେନେଜୁଏଲାର ଅପେକ୍ଷାକୃତ ଶସ୍ତା ଉଚ୍ଚ ସଲ୍‌ଫର୍‌ଯୁକ୍ତ ନିମ୍ନମାନର ତୈଳ ବିଶୋଧନ କରିବା ପାଇଁ ଭାରତୀୟ ବିଶୋଧନାଗାରମାନଙ୍କର କ୍ଷମତା ରହିଥିଲେ ହେଁ ରାଜନୈତିକ, ଅର୍ଥନୈତିକ, ବ୍ୟାବସାୟିକ ଓ ପ୍ରାବିଧିକ....

ଭେନେଜୁଏଲାର ଅପେକ୍ଷାକୃତ ଶସ୍ତା ଉଚ୍ଚ ସଲ୍‌ଫର୍‌ଯୁକ୍ତ ନିମ୍ନମାନର ତୈଳ ବିଶୋଧନ କରିବା ପାଇଁ ଭାରତୀୟ ବିଶୋଧନାଗାରମାନଙ୍କର କ୍ଷମତା ରହିଥିଲେ ହେଁ ରାଜନୈତିକ, ଅର୍ଥନୈତିକ, ବ୍ୟାବସାୟିକ ଓ ପ୍ରାବିଧିକ କାରଣମାନଙ୍କ ଯୋଗୁଁ ଭାରତ ପାଇଁ ଏହା ଏକ ନିର୍ଭରଯୋଗ୍ୟ ଯୋଗାଣକାରୀ ରୂପେ କାର୍ଯ୍ୟ କରିବାର ସମ୍ଭାବନା କ୍ଷୀଣ। ଏଣୁ ଟ୍ରମ୍ପଙ୍କର ଘୋଷଣା ସତ୍ତ୍ବେ ଭାରତ ରୁଷିଆରୁ ତୈଳ ଆମଦାନି ବନ୍ଦ କରିବା ଭଳି ମନେ ହେଉ ନାହିଁ- ତାହା ପ୍ରତ୍ୟକ୍ଷ ଭାବରେ ହେଉ କିମ୍ବା ଛଦ୍ମ ଉପାୟରେ ହେଉ।

 

ଭାରତ ଓ ଆମେରିକା ମଧ୍ୟରେ ସ୍ବାକ୍ଷରିତ ହେବାକୁ ଯାଉଥିବା ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତିରେ ରହିଥିବା କେତେଗୁଡ଼ିଏ ରହସ୍ୟମୟ ଦିଗମାନଙ୍କ ମଧ୍ୟରୁ ଯାହା ବୋଧହୁଏ ହେଉଛି ସର୍ବାଧିକ ରହସ୍ୟମୟ, ତାହା ହେଉଛି ଏହାର ଅଂଶସ୍ବରୂପ ଭାରତ ରୁଷିଆରୁ ତୈଳ କ୍ରୟ ସଂପୂର୍ଣ୍ଣ ରୂ‌େପ ବନ୍ଦ କରିବାକୁ ଯାଉଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଓ ତାଙ୍କର ପ୍ରତିନିଧିମାନେ କରି ଚାଲିଥିବା ଘୋଷଣା। ଯେହେତୁ ଭାରତ ରୁଷିଆ ଠାରୁ ଅଶୋଧିତ ପେଟ୍ରୋଲିଅମ୍ କ୍ରୟ କରିବାକୁ ଅାଳ କରି ଗତ ଅଗଷ୍ଟ ଠାରୁ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ଶତାଂଶ ହାରରେ ଟାରିଫ୍ ଲାଗୁ କରିଥିଲେ, ବର୍ତ୍ତମାନ ସେ ତାହାକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଉଥିବାରୁ ଭାରତ ରୁଷିଆରୁ ତୈଳ କ୍ରୟରେ ଅନ୍ତ ଘଟାଇବାକୁ ଯାଉଛି ବୋଲି ଘୋଷଣା କରିବା ତାଙ୍କ ପକ୍ଷରେ ସ୍ବାଭାବିକ। କିନ୍ତୁ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଭାରତ ପକ୍ଷରୁ ଏ ସଂପର୍କରେ କୌଣସି ମନ୍ତବ୍ୟ ପ୍ରଦାନ କରାଯାଇ ନାହିଁ।
ଭାରତର ଏହି ନିରବତାରେ ଅବଶ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ, ଭାରତ ରୁଷିଆ ସହିତ ସଂପାଦନ କରି ସାରିଥିବା କ୍ରୟ ଚୁକ୍ତି ଅନୁସାରେ ଆସନ୍ତା ପ୍ରାୟ ଦୁଇ ତିନି ମାସ ଧରି ଭାରତ ରୁଷିଆରୁ ଦୈନିକ ପ୍ରାୟ ୧.୨ ନିୟୁତ ବ୍ୟାରେଲ୍ ତୈଳ ଆମଦାନି କରି ଚାଲିବ। ଯଦି ବି ଭାରତ ରୁଷିଆରୁ ତୈଳ କ୍ରୟରେ ଅନ୍ତ ଘଟାଇବା ନିମିତ୍ତ ନିଷ୍ପତ୍ତି ନିଏ, ତେବେ ମଧ୍ୟ ଏଥିରେ ହଠାତ୍ ଅନ୍ତ ନ ଘଟି ଭାରତ ଧୀରେଧୀରେ କ୍ରୟ ହ୍ରାସ କରିବା ଅଧିକ ବାସ୍ତବ ମନେ ହୁଏ। ଆସନ୍ତା ଆଠରୁ ଦଶ ସପ୍ତାହ ପର୍ଯ୍ୟନ୍ତ ରୁଷିଆ ବ୍ୟାରେଲ୍ ପିଛା ୧୨ ଡଲାର୍ ଲେଖାଏଁ ରିହାତି ଦରରେ ଭାରତକୁ ତୈଳ ଯୋଗାଇବା ପାଇଁ ଚୁକ୍ତିବଦ୍ଧ ହୋଇସାରିଛି।
ଭାରତର ଜଟିଳ ବିଶୋଧନ ବ୍ୟବସ୍ଥା ରୁଷିଆରୁ ଆମଦାନି ହେଉଥିବା ୟୁରାଲ୍ ଅଶୋଧିତ ତୈଳର ବିଶୋଧନ ନିମିତ୍ତ ନିଜକୁ ପ୍ରସ୍ତୁତ କରିଥିବା ପରିପ୍ରେକ୍ଷୀରେ ହଠାତ୍ ସେଥିରେ ପରିବର୍ତ୍ତନ ଘଟିବା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଅବଶ୍ୟ ସେମାନେ ଅଣ-ୟୁରାଲ୍ ମାନର ତୈଳ ବିଶୋଧନ କରିବାକୁ ନିଜକୁ ପ୍ରସ୍ତୁତ କରିପରିବେ; କିନ୍ତୁ ଏହା ସମୟସାପେକ୍ଷ ଓ ସେମାନଙ୍କ ପାଇଁ ବ୍ୟାବସାୟିକ ଦୃଷ୍ଟିକୋଣରୁ ଅସୁବିଧାଜନକ ହେବାର ଦୃଢ଼ ସମ୍ଭାବନା ରହିଛି। ସ୍ବାଭାବିକ ଭାବରେ ଇଣ୍ଡିଆନ୍ ଅଏଲ୍ ‌କର୍ପୋରେସନ୍, ଭାରତ ପେଟ୍ରୋଲିଅମ୍ କର୍ପୋରେସନ୍, ହିନ୍ଦୁସ୍ତାନ ପେଟ୍ରୋଲିଅମ୍ କର୍ପୋରେସନ୍, ରିଲାଏନ୍‌ସ ଇଣ୍ଡଷ୍ଟ୍ରି ଓ ନୟାରା ଏନର୍ଜି ପରି ଦେଶର ପ୍ରମୁଖ ତୈଳ କଂପାନିମାନେ ଟ୍ରମ୍ପଙ୍କର ଉପରୋକ୍ତ ଘୋଷଣା ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିବା ଦେଖାଯାଇ ନାହିଁ।
ତେବେ ନିକଟ ଅତୀତରେ ଭାରତ କ୍ରମେ ରୁଷୀୟ ତୈଳ ଆମଦାନିରେ ସାମାନ୍ୟ ହ୍ରାସ ଘଟାଇ ମଧ୍ୟପ୍ରାଚ୍ୟରୁ ତୈଳ ଆମଦାନିରେ ସେଇ ଅନୁଯାୟୀ ବୃଦ୍ଧି ଘଟାଇବା ଦେଖାଯାଇଛି; କିନ୍ତୁ ରୁଷିଆରୁ ତୈଳ ଆମଦାନି ପୂରାପୂରି ବନ୍ଦ କରିବାକୁ ହେଲେ ସେଥିପାଇଁ ଏକ ସ୍ପଷ୍ଟ ରାଜନୈତିକ ତଥା ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯିବା ଆବଶ୍ୟକ। କିନ୍ତୁ ତୈଳ ଆମଦାନିର ବ୍ୟାବସାୟିକ ଅର୍ଥନୀତି ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏହା ମଧ୍ୟ ଜାତୀୟ ନିରାପତ୍ତା ସହିତ ଘନିଷ୍ଠ ରୂପେ ସଂପୃକ୍ତ ହୋଇଥାଏ। ବର୍ତ୍ତମାନର ଅତ୍ୟନ୍ତ ଜଟିଳ ଭୂ-ରାଜନୈତିକ ପରିବେଶରେ ଭାରତ ଯଦି ରୁଷିଆରୁ ତୈଳ କ୍ରୟ ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ଯାଏ, ତାକୁ ଅତ୍ୟନ୍ତ ସାବଧାନତାର ସହିତ ଏ ଦିଗରେ ଅଗ୍ରସର ହେବାକୁ ପଡ଼ିବ, ଟ୍ରମ୍ପ ଘୋଷଣା କରିଥିବା ଭଳି ତତ୍‌କ୍ଷଣାତ ନୁହେଁ। ଏଇ ସମୟରେ ରୁଷିଆ କହିଛି ଯେ ଭାରତ ତରଫରୁ ତୈଳ କ୍ରୟ ବନ୍ଦ ସଂପର୍କରେ ତାକୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।
ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଭାରତ କିନ୍ତୁ ତା’ର ତୈଳ ଆମଦାନି ପାଇଁ କୌଣସି ଗୋଟିଏ ଦେଶ ଉପରେ ଅତ୍ୟଧିକ ନିର୍ଭରଶୀଳ ନ ହୋଇ ତାହାର ବିବିଧୀକରଣ କରିବାର ଦୃଢ଼ ସମ୍ଭାବନା ଦେଖାଯାଉଛି। ଏକ ଅନୁଶୀଳନକାରୀ ସଂସ୍ଥାର ରିପୋର୍ଟ ଅନୁସାରେ ଭାରତ କ୍ରମେ ଆମେରିକୀୟ ଅ‌େଶାଧିତ ତୈଳ ଆମଦାନିରେ ବୃଦ୍ଧି ଘଟାଇବା ଫଳରେ ଭାରତର ମୋଟ ତୈଳ ଆମଦାନିରେ ତାହାର ଅଂଶ ପ୍ରାୟ ୧୦ ଶତାଂଶରେ ପହଞ୍ଚିଲାଣି। କିନ୍ତୁ ଏହା ମଧ୍ୟ ଲକ୍ଷ୍ୟ କରିବା କଥା ଯେ ଏହା ରୁଷୀୟ ତୈଳ ଆମଦାନିରେ ହ୍ରାସଜନିତ ଶୂନ୍ୟସ୍ଥାନ ପୂରଣ କରି ନାହିଁ; ବରଂ ପଶ୍ଚିମ ଆଫ୍ରିକୀୟ ଅଶୋଧିତ ତୈଳ ଆମଦାନିରେ ହ୍ରାସ ଯୋଗୁଁ ଏହା ଘଟିଛି।

 

ଅଧିକ ପରିମାଣରେ ଆମେରିକୀୟ ‘ୱେଷ୍ଟ୍ ଟେକ୍ସାସ୍ ଇଣ୍ଟର୍‌ମିଡିଏଟ୍’ ମାନର ତୈଳ ଆମଦାନି କରିବାକୁ ହେଲେ ଭାରତୀୟ ତୈଳ ବିଶୋଧନାଗାରମାନଙ୍କୁ ସେମାନଙ୍କର ପ୍ରାବିଧିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟାଇବାକୁ ପଡ଼ିବ। ସେତିକି ନୁହେଁ, ଭାରତକୁ ତା’ର ମୋଟ ତୈଳ ଚାହିଦା ପୂରଣ କରିବା ପାଇଁ ତାହାର ପ୍ରାୟ ୯୦ ଶତାଂଶ ଆମଦାନି କରିବାକୁ ପଡ଼ିଥାଏ, ଯାହା ଯୋଗୁଁ ଯୋଗାଣ ଶୃଙ୍ଖଳରେ ସାମାନ୍ୟ ବିଭ୍ରାଟ ଭାରତର ଶକ୍ତି ନିରାପତ୍ତାକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ। ଅର୍ଥନୈତିକ ଦୃଷ୍ଟିକୋଣରୁ ଏହା ଦେଶରେ ମୁଦ୍ରାସ୍ଫୀତି ଓ ଚଳନ୍ତି ହିସାବ ନିଅଣ୍ଟ ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇଥାଏ। ଯଦି ତୈଳ ଦରରେ ବ୍ୟାରେଲ୍ ପିଛା ମାତ୍ର ଏକ ଡଲାର୍ ଲେଖାଏଁ ବୃଦ୍ଧି ଘଟେ, ସେଥିଯୋଗୁଁ ଭାରତର ତୈଳ ଆମଦାନି ବିଲ୍‌ରେ ବାର୍ଷିକ ପ୍ରାୟ ୧୩,୦୦୦ କୋଟି ଟଙ୍କା ବୃଦ୍ଧି ଘଟିବ। କେବଳ ୨୦୨୫ରେ ଭାରତର ମୋଟ ତୈଳ ଆମଦାନି ବିଲ୍ ଥିଲା ୧୬୭ ବିଲିଅନ୍ ଡଲାର୍।

ଭାରତ ଭେନେଜୁଏଲାରୁ ତୈଳ ଆମଦାନି କରିବ ବୋଲି ଟ୍ରମ୍ପ ଯେଉଁ ଘୋଷଣା କରିଛନ୍ତି, ତାହା ମଧ୍ୟ ଅବାସ୍ତବ ମନେ ହୁଏ। କାରଣ ଏହି ମୋଟା କିସମର ତୈଳ ବିଶୋଧନ କରିବା ନିମିତ୍ତ ତାହାକୁ ଅନ୍ୟ ପତଳା ତୈଳ ସହିତ ମିଶାଇବାକୁ ହେବ ଏବଂ ସେଥିପାଇଁ ବିଶୋଧନାଗାରମାନଙ୍କୁ ଅଧିକ ବ୍ୟୟ ଭାର ବହନ କରିବାକୁ ହେବ। ତା’ ଛଡ଼ା ଭେନେଜୁଏଲାରେ ତୈଳ ଉତ୍ତୋଳନ ମଧ୍ୟ ଘୋର ଅନିଶ୍ଚିତତା ଦେଇ ଗତି କରୁଛି। ଟ୍ରମ୍ପଙ୍କର ବାହାସ୍ଫୋଟ ସତ୍ତ୍ବେ ଏପରିକି ଆମେରିକୀୟ ତୈଳ କଂପାନିମାନେ ମଧ୍ୟ ଏ ପର୍ଯ୍ୟନ୍ତ ଭେନେଜୁଏଲାରେ ପ୍ରବେଶ କରି କାର୍ଯ୍ୟ ଆରମ୍ଭ କରିବାକୁ ଘୋର କୁଣ୍ଠା ପ୍ରକାଶ କରିବା ଦେଖାଯାଉଛି। ଭେନେଜୁଏଲାର ଅପେକ୍ଷାକୃତ ଶସ୍ତା ଉଚ୍ଚ ସଲ୍‌ଫର୍‌ଯୁକ୍ତ ନିମ୍ନମାନର ତୈଳ ବିଶୋଧନ କରିବା ପାଇଁ ଭାରତୀୟ ବିଶୋଧନାଗାରମାନଙ୍କର କ୍ଷମତା ରହିଥିଲେ ହେଁ ରାଜନୈତିକ, ଅର୍ଥନୈତିକ, ବ୍ୟାବସାୟିକ ଓ ପ୍ରାବିଧିକ କାରଣମାନଙ୍କ ଯୋଗୁଁ ଭାରତ ପାଇଁ ଏହା ଏକ ନିର୍ଭରଯୋଗ୍ୟ ଯୋଗାଣକାରୀ ରୂପେ କାର୍ଯ୍ୟ କରିବାର ସମ୍ଭାବନା କ୍ଷୀଣ। ଏଣୁ ଟ୍ରମ୍ପଙ୍କର ଘୋଷଣା ସତ୍ତ୍ବେ ଭାରତ ରୁଷିଆରୁ ତୈଳ ଆମଦାନି ବନ୍ଦ କରିବା ଭଳି ମନେ ହେଉ ନାହିଁ- ତାହା ପ୍ରତ୍ୟକ୍ଷ ଭାବରେ ହେଉ କିମ୍ବା ଛଦ୍ମ ଉପାୟରେ ହେଉ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button