ଦେଶ ବିଦେଶ

ଗ୍ରେଟ୍ ନିକୋବରରେ ପ୍ରତିଷ୍ଠା ହେବ ୧୩,୦୦୦ କୋଟି ଟଙ୍କାର ନୂତନ ଗ୍ରୀନଫିଲ୍ଡ ବିମାନବନ୍ଦର

ନୂଆଦିଲ୍ଲୀ: ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର ଗ୍ରେଟ୍ ନିକୋବର ଦ୍ୱୀପପୁଞ୍ଜରେ ପ୍ରସ୍ତାବିତ ୮୧,୦୦୦ କୋଟି ଟଙ୍କାର ମେଗା ବିକାଶ ପ୍ରକଳ୍ପକୁ ନେଇ ଦେଶରେ ରାଜନୈତିକ ବାଦବିବାଦ ତେଜିବାରେ ଲାଗିଥିବା ବେଳେ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ବର୍ତ୍ତମାନ ଥିବା ନୌସେନା ଏୟାରଫିଲ୍ଡ ‘ଆଇଏନଏସ୍ ବାଜ୍’ର ସମ୍ପ୍ରସାରଣ କରିବା ବଦଳରେ ସେଠାରେ ଏକ ସମ୍ପୂର୍ଣ୍ଣ ନୂତନ ଗ୍ରେନଫିଲ୍ଡ ସାମରିକ-ବେସାମରିକ ବିମାନବନ୍ଦର ନିର୍ମାଣ କରିବାକୁ ସରକାର ସ୍ଥିର କରିଛନ୍ତି, ଯେଉଁଥିପାଇଁ ୧୩,୦୦୦ କୋଟି ଟଙ୍କା ବ୍ୟୟ କରାଯିବ। ସରକାରୀ ଏବଂ ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦ୍ୱିମୁଖୀ ବ୍ୟବହାରକାରୀ ବିମାନବନ୍ଦର ଗାଲାଥିଆ ବେ ନିକଟସ୍ଥ ଚିଙ୍ଗେନଠାରେ ପ୍ରତିଷ୍ଠା କରାଯିବ ଏବଂ ଏହା ଉଭୟ ସାଧାରଣ ନାଗରିକଙ୍କ ଯାତାୟାତ ଓ ସାମରିକ ଆବଶ୍ୟକତାକୁ ପୂରଣ କରିବ। ଗୁରୁତ୍ୱପୂର୍ଣ୍ଣ ମଲାକ୍କା ପ୍ରଣାଳୀ ନୌବାହିଜ୍ୟ ମାର୍ଗ ନିକଟରେ ଥିବା ପୂର୍ବ ଭାରତ ମହାସାଗରରେ ଏହି ପ୍ରକଳ୍ପ ଭାରତର ରଣନୈତିକ ଭିତ୍ତିଭୂମିକୁ ବହୁଗୁଣିତ କରିବ। ପୂର୍ବରୁ କ୍ୟାମ୍ପବେଲ୍ ବେ ସ୍ଥିତ ‘ଆଇଏନଏସ୍ ବାଜ୍’ର ୪,୫୦୦ ଫୁଟ୍ ବିଶିଷ୍ଟ ରନୱେକୁ ୧୦,୦୦୦ ଫୁଟକୁ ବଢ଼ାଇବା ପାଇଁ ଯୋଜନା କରାଯାଇଥିଲେ ହେଁ ଭୌଗୋଳିକ ସୀମାବଦ୍ଧତା, ନାଭିଗେସନ୍ ସମସ୍ୟା ଏବଂ ଏହାର ପ୍ରଭାବ ସ୍ଥାନୀୟ ଜନଜାତି ଓ ବନ୍ୟପ୍ରାଣୀ ବାସସ୍ଥଳୀ ଉପରେ ଅଧିକ ପଡ଼ିବାର ଆଶଙ୍କା ଥିବାରୁ ସେହି ଯୋଜନାକୁ ଏବେ ସ୍ଥଗିତ ରଖାଯାଇଛି।

ଏହି ନୂତନ ଗ୍ରିନଫିଲ୍ଡ ବିମାନବନ୍ଦର ଆଗାମୀ ୫ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଏବଂ ଏହା ନୌସେନାର କାର୍ଯ୍ୟକ୍ଷମ ନିୟନ୍ତ୍ରଣରେ ରହିବ। ପ୍ରଶାସନର କହିବା ଅନୁଯାୟୀ, ଏହି ନୂତନ ସ୍ଥାନ ଭବିଷ୍ୟତର ସମ୍ପ୍ରସାରଣ ପାଇଁ ଅଧିକ ସୁଯୋଗ ପ୍ରଦାନ କରିବା ସହ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭାରତର ସାମରିକ ପହଞ୍ଚ, ସରଭେଲାନ୍ସ କ୍ଷମତା ଏବଂ ଗତିବିଧିକୁ ଅଧିକ ମଜବୁତ କରିବ। ସମଗ୍ର ଗ୍ରେଟ୍ ନିକୋବର ପ୍ରକଳ୍ପରେ ଏହି ବିମାନବନ୍ଦର ସମେତ ଏକ ଆନ୍ତର୍ଜାତୀୟ ସିପିଂ ଟ୍ରାନ୍ସସିପମେଣ୍ଟ ବନ୍ଦର, ଶକ୍ତି ଭିତ୍ତିଭୂମି ଏବଂ ଏକ ଆଧୁନିକ ସହର ନିର୍ମାଣର ପରିକଳ୍ପନା କରାଯାଇଛି, ଯାହା ଏହି ଦ୍ୱୀପକୁ ଏକ ପ୍ରମୁଖ ଆର୍ଥିକ ତଥା ରଣନୈତିକ କେନ୍ଦ୍ରରେ ପରିଣତ କରିବ। ତେବେ ସରକାରଙ୍କ ଏହି ବିମାନବନ୍ଦର ଘୋଷଣା ସେହି ସମୟରେ ଆସିଛି, ଯେତେବେଳେ ନିକଟରେ ଦ୍ୱୀପପୁଞ୍ଜ ଗସ୍ତ କରି ସେଠାରେ ସ୍କୁବା-ଡାଇଭିଂ କରିଥିବା ସଂସଦର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ମେଗା ପ୍ରକଳ୍ପକୁ ନେଇ ପୁଣି ଥରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ରାହୁଲ ଗାନ୍ଧୀ ଏହି ପ୍ରକଳ୍ପକୁ ଦେଶର ସବୁଠାରୁ ବଡ଼ ଘୋଟାଲା ଏବଂ ପ୍ରାକୃତିକ ତଥା ଜନଜାତି ଐତିହ୍ୟ ବିରୋଧରେ ଏକ ଗୁରୁତର ଅପରାଧ ବୋଲି ଅଭିହିତ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଏହି ବିକାଶମୂଳକ କାର୍ଯ୍ୟ ଯୋଗୁଁ ବିସ୍ତୀର୍ଣ୍ଣ ବର୍ଷା ଅରଣ୍ୟ ଧ୍ୱଂସ ପାଇବ, ୧.୫ କୋଟିରୁ ଅଧିକ ଗଛ କଟାଯିବ, ପ୍ରବାଳ ପ୍ରାଚୀର ବା କୋରାଲ୍ ରୀଫ୍ ନଷ୍ଟ ହେବ ଏବଂ ସେଠାରେ ବାସ କରୁଥିବା ଅତି ସ୍ପର୍ଶକାତର ‘ଶୋମ୍ପେନ୍’ ଜନଜାତି ବିସ୍ଥାପିତ ହେବେ। ଅନ୍ୟପଟେ କଂଗ୍ରେସ ଦଳ ମଧ୍ୟ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଶାଣିତ କରି ଏହା ଉପରେ ସଂସଦରେ ବିତର୍କ ଦାବି କରିଛି। ପ୍ରକଳ୍ପର ପରିବେଶ ମଞ୍ଜୁରୀ, ଆର୍ଥିକ ବ୍ୟବହାର୍ଯ୍ୟତା, ସ୍ୱଚ୍ଛତା ଏବଂ ଆଦିବାସୀ ଅଧିକାର ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛି। ପରିବେଶବିତ୍, ମାନବବିଜ୍ଞାନୀ ଏବଂ ସ୍ଥାନୀୟ ସମୁଦାୟଙ୍କ ଦ୍ୱାରା ପ୍ରକାଶ ପାଇଥିବା ଚିନ୍ତାକୁ ସରକାର ସମାଧାନ କରିବାରେ ବିଫଳ ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button