SCB: ଏସ୍ସିବି: ଏସ୍ସିବି ଆଇସିୟୁରେ ରୋଗୀ ଆଟେଣ୍ଡାଣ୍ଟଙ୍କୁ ମୋବାଇଲ୍ ମନା: ଅବ୍ୟବସ୍ଥା ଲୁଚାଇବାକୁ ପ୍ରୟାସ
ଏସ୍ସିବି ମେଡିସିନ୍ ଆଇସିୟୁ ଭିତରେ ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟ ଭିଡିଓ ରେକର୍ଡ କରିବା ପରେ ଅବ୍ୟବସ୍ଥାର ଭୟଙ୍କର ଚିତ୍ର ସାମନାକୁ ଆସିଥିଲା। କିନ୍ତୁ ଏହି ଘଟଣା ପରେ ଦୋଷ, ଦୁର୍ବଳତା ଲୁଚାଇବାକୁ ଆଇସିୟୁ ଭିତରକୁ କୌଣସି ଆଟେଣ୍ଡାଣ୍ଟ ମୋବାଇଲ୍ ଫୋନ୍....

କଟକ: ଏସ୍ସିବି ମେଡିସିନ୍ ଆଇସିୟୁ ଭିତରେ ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟ ଭିଡିଓ ରେକର୍ଡ କରିବା ପରେ ଅବ୍ୟବସ୍ଥାର ଭୟଙ୍କର ଚିତ୍ର ସାମନାକୁ ଆସିଥିଲା। କିନ୍ତୁ ଏହି ଘଟଣା ପରେ ଦୋଷ, ଦୁର୍ବଳତା ଲୁଚାଇବାକୁ ଆଇସିୟୁ ଭିତରକୁ କୌଣସି ଆଟେଣ୍ଡାଣ୍ଟ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ ବୋଲି ଏସ୍ସିବି କର୍ତ୍ତୃପକ୍ଷ ନିୟମ କରିଛନ୍ତି। ବାହାରେ ଖାତାରେ ଦସ୍ତଖତ କରି ସୁରକ୍ଷାକର୍ମୀଙ୍କ ଜିମାରେ ମୋବାଇଲ୍ ଫୋନ୍ ଦେଇ ଆଟେଣ୍ଡାଣ୍ଟ ଭିତରକୁ ଯିବେ। ଏକ ଘରୋଇ ସୁରକ୍ଷା ସଂସ୍ଥା ପକ୍ଷରୁ ନିୟୋଜିତ ହୋଇଥିବା ୪ ଜଣ ସୁରକ୍ଷାକର୍ମୀଙ୍କୁ ବଡ଼ଡାକ୍ତରଖାନା କର୍ତ୍ତୃପକ୍ଷ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଯାଜପୁରଜିଲ୍ଲା ବିଞ୍ଝାରପୁରର ରାକିଶୋର ଖୁଣ୍ଟିଆ(୮୭)ଙ୍କ ଛାତିରେ କଫ ଜମି ଯାଇଥିବାରୁ ଗଲା ୨ ତାରିଖରେ ସେ ଏସ୍ସିବିରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଏସ୍ସିବି ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୋମବାର ଆଇସିୟୁରେ ଅବ୍ୟବସ୍ଥା ନେଇ ଯେଉଁ ଭିଡିଓ ସାମନାକୁ ଆସିଥିଲା ଏଥିରେ ଥିବା ବୃଦ୍ଧ ଜଣକ ରାଜକିଶୋର ଥିଲେ। ମଙ୍ଗଳବାର ହୃଦ୍ଘାତରେ ରାଜକିଶୋରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ଘଟଣାରେ ପୁଅ ମହେଶ ଖୁଣ୍ଟିଆ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ରାଜକିଶୋର ହୃଦ୍ରୋଗ ସମସ୍ୟା ପାଇଁ ପ୍ରାୟ ୭ ପ୍ରକାର ଔଷଧ ନିୟମିତ ଖାଉଥିଲେ। ରାଜକିଶୋର ଆଇସିୟୁରେ ଥିବା ବେଳେ ତାଙ୍କୁ ହୃଦ୍ରୋଗ ଜନିତ ଔଷଧ ଚାଲୁ ରଖିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମହେଶ ଏହି ଔଷଧ କିଣି ଆଇସିୟୁରେ ଥିବା ନର୍ସଙ୍କ ଜିମା ଦେଇଥିଲେ। କିନ୍ତୁ କୌଣସି ଗୋଟିଏ ଔଷଧ ରାଜକିଶୋରଙ୍କୁ ଦିଆଯାଇନାହିଁ। ମୃତ୍ୟୁ ପରେ ସମସ୍ତ ଔଷଧ ଫେରସ୍ତ ହୋଇଛି। ନର୍ସଙ୍କ ଏଭଳି ଦାୟିତ୍ବହୀନତା ପାଇଁ ବାପାଙ୍କ ମୃତ୍ୟୁ ହୋଇଥିବା ପୁଅ ମହେଶ ଅଭିଯୋଗ କରିଛନ୍ତି। ରାଜକିଶୋରଙ୍କୁ ନେବୁଲାଇଜେସନ୍ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ନର୍ସ ତାହା କରି ନ ଥିଲେ। ମହେଶଙ୍କୁ ଏହା କରିବା ପାଇଁ ବାଧ୍ୟ କରାଯାଇଥିଲା। ସେଥିପାଇଁ ସେ ବାରମ୍ବାର ଆଇସିୟୁ ଭିତରକୁ ଯାଇ ନେବୁଲାଇଜେସନ୍ କରୁଥିଲେ ବୋଲି ମହେଶ କହିଛନ୍ତି। ଏଭଳି ଅଭିଯୋଗ ସାମନାକୁ ଆସିବା ପରେ ଦାୟିତ୍ବରେ ଥିବା ନର୍ସଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଛି।
ମୃତ ରାଜକିଶୋରଙ୍କ ପୁଅ ଆଣିଲେ ଚିକିତ୍ସା ଅବହେଳା ଅଭିଯୋଗ
ନର୍ସ ଦେଇ ନ ଥିଲେ ହୃଦ୍ରୋଗ ଔଷଧ
ଅନ୍ୟପଟେ ଆଇସିୟୁ ଅବ୍ୟବସ୍ଥା ପ୍ରସଙ୍ଗରେ ମେଡିସିନ୍ ବିଭାଗ ପ୍ରଫେସର ତଥା ମେଡିସିନ୍ ଆଇସିୟୁ ଇନ୍ଚାର୍ଜ ଜୟନ୍ତ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ ସବୁଆଡୁ ରୋଗୀ ରେଫର୍ ହୋଇ ଏସ୍ସିବିକୁ ଆସୁଛନ୍ତି। ଏଠାରେ ଓଭରଲୋଡ୍ ବଢ଼ୁଥିବା ବେଳେ ସେହି ହିସାବରେ ଲୋକବଳ ନାହାନ୍ତି। ଆଇସିୟୁରେ ଆବଶ୍ୟକ ଅନୁଯାୟୀ ଡାକ୍ତର ଓ ନର୍ସ ନାହାନ୍ତି।
ରୋଗୀଙ୍କୁ ଜଗିବାକୁ ଲୋକ ନାହାନ୍ତି। ବେଡ୍ ବି ପର୍ଯ୍ୟାପ୍ତ ନାହିଁ। ଏ ଘଟଣା ସବୁଦିନିଆ ନୁହେଁ। ରୋଗୀଙ୍କ କ୍ଷତି କରିବା ଉଦ୍ଦେଶ୍ୟରେ କରାଯାଉନାହିଁ। ତଦନ୍ତ କମିଟି କରି ଘଟଣାକୁ ଅନୁଧ୍ୟାନ କରାଯାଉଛି। ଲୋକଙ୍କ ଆସ୍ଥା ଏସ୍ସିବି ଉପରୁ ନତୁଟୁ। ଏହି ଦୁର୍ଘଟଣା ଯେଭଳି ପୁନଃ ନଘଟେ ସେଥିପାଇଁ ଏସ୍ସିବି ମେଡିକାଲ କଲେଜ ଡିନ୍, ଅଧୀକ୍ଷକଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଅନ୍ୟପଟେ ଆଇସିୟୁର ଭିଡିଓ ଭାଇରାଲ୍ କରି ଏସ୍ସିବିକୁ ବଦନାମ କରିବାକୁ ଉଦ୍ୟମ କରାଯାଉଥିବା ପ୍ରଫେସର ଡାକ୍ତର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




