khandadhar waterfall: ୨୪ ଘଣ୍ଟାରେ ଚମତ୍କାର: ଖଣ୍ଡାଧାରରୁ ପାଣି ଝରିଲା, ଚାଷ ପାଇଁ ଶୁଖିଥିଲା
ଚବିଶ ଘଣ୍ଟାରେ ଚମତ୍କାର ହେଲା। ଶୁଖିଯାଇଥିବା ଖଣ୍ଡାଧାର ଜଳପ୍ରପାତରୁ ପୁଣି ପାଣି ଝରିଲା। ଆଜି ‘ସମ୍ବାଦ’ରେ ‘ଶୁଖିଗଲା ଚିରସ୍ରୋତା ଖଣ୍ଡାଧାର’ ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ତନାଘନା ହୋଇଥିଲା।

କେନ୍ଦୁଝର: ଚବିଶ ଘଣ୍ଟାରେ ଚମତ୍କାର ହେଲା। ଶୁଖିଯାଇଥିବା ଖଣ୍ଡାଧାର ଜଳପ୍ରପାତରୁ ପୁଣି ପାଣି ଝରିଲା। ଆଜି ‘ସମ୍ବାଦ’ରେ ‘ଶୁଖିଗଲା ଚିରସ୍ରୋତା ଖଣ୍ଡାଧାର’ ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ତନାଘନା ହୋଇଥିଲା। ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ କେନ୍ଦୁଝର ଡିଏଫ୍ଓ ଏଚ୍ଡି ଧନରାଜ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ରଖିଛନ୍ତି। ଦୁଇଦିନ ହେବ ଜଳପ୍ରପାତରେ ପାଣିସ୍ରୋତ ନଥିବା କଥାକୁ ସ୍ବୀକାର କରିଛନ୍ତି, କିନ୍ତୁ ଆଜି ଜଳାଧାର ସ୍ବାଭାବିକ ହୋଇଛି ବୋଲି କହିଛନ୍ତି। ସ୍ଥାନୀୟ ଚାଷୀ ଝରଣା ଜଳ ଅବରୋଧ କରିଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଡିଏଫ୍ଓ ସଫେଇ ଦେଇଛନ୍ତି। ତେବେ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଜଳପ୍ରପାତ ନିକଟରେ ଖଣି ଖନନ ପ୍ରସଙ୍ଗକୁ ଏଡ଼ାଇଯାଇଛନ୍ତି।
ଚାଷ ପାଇଁ ଶୁଖିଥିଲା,
ଏବେ ସ୍ବାଭାବିକ: ଡିଏଫ୍ଓ
ଖଣି ଖନନ କଥାକୁ ଏଡ଼ାଇଗଲେ
ଡିଏଫ୍ଓ ଏଚ୍ଡି ଧନରାଜଙ୍କ ସୂଚନା ଅନୁସାରେ, ଖଣ୍ଡାଧାର ଜଳପ୍ରପାତ ଶୁଖିବା ଖବରକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ ପାଇଁ କେନ୍ଦୁଝର ବନ ବିଭାଗକୁ ନିର୍ଦ୍ଦେଶ ଆସିଥିଲା। ପରେ ବିଭାଗର ଏକ ଟିମ୍ ଖଣ୍ଡାଧାର ଯାଇଥିଲେ। ଡିଏଫ୍ଓ କହିଛନ୍ତି, ଉପର କାଦକଳା ପାଖରେ ଥିବା ହଳଦିପାଣି ଗାଁ’ର ଚାଷୀମାନେ ଖଣ୍ଡାଧାର ଝରଣା ପାଣିକୁ ବ୍ୟବହାର କରି ଚାଷ କରିଥାନ୍ତି। ଖରାଦିନକୁୁ ଦୃଷ୍ଟିରେ ରଖି ସେଠାକାର ଚାଷୀ ଖରାଟିଆ ଚାଷପାଇଁ ଝରଣା ପାଣି ଅଟକାଇ ଚାଷ କରୁଥିଲେ। ସେଥିପାଇଁ ଝରଣାରେ କମ୍ ପାଣି ପ୍ରବାହିତ ହେଉଥିଲା। ଆଜି ଏହା ସ୍ବାଭାବିକ ହୋଇଛି।
ଅନ୍ୟପକ୍ଷରେ ଡିଏଫ୍ଓ ଜଳପ୍ରପାତ ଅଞ୍ଚଳରେ ଜଙ୍ଗଲ କ୍ଷୟ, ବ୍ୟାପକ ଖଣିଖନନ ଓ ପରିବେଶ କ୍ଷତି ଉପରେ କିଛି କହିନାହାନ୍ତି। କାଦକଳା ଅଞ୍ଚଳ ହେଉଛି ଚୋରା କାଠ ମାଫିଆଙ୍କ ଚରାଭୂଇଁ। ପାହାଡ଼ ସେପଟରେ ସୁନ୍ଦରଗଡ଼ଜିଲ୍ଲା ଓ ଘଞ୍ଚ ଜଙ୍ଗଲ ଯୋଗୁଁ ମାଫିଆମାନେ ଏହି ଅଞ୍ଚଳରୁ ଗଛକାଟି ଚୋରି କରିଥାନ୍ତି। ଅତୀତରେ ଏକାଧିକଥର ଚୋରାକାଠ ଗାଡ଼ି ଏଠାରେ ଦୁର୍ଘଟଣାଗ୍ରସ୍ତ ହେବା ସହ କିଛି ଚୋରାକାଠ ଗାଡ଼ି ଧରାପଡ଼ିବାର ନଜିର ରହିଛି। ଖାଲି ସେତିକି ନୁହେଁ, ଖଣ୍ଡାଧାର ପାହାଡ଼ ଅଞ୍ଚଳରୁ ପ୍ରାୟତଃ ମାଙ୍ଗାନିଜ୍ ଚୋରି ନେଇ ଅଭିଯୋଗ ହୁଏ। କେବେ କେବେ ସଂପୃକ୍ତ ଅଞ୍ଚଳରୁ ମାଙ୍ଗାନିଜ ଗାଡ଼ି ମଧ୍ୟ ଧରାପଡ଼ିଥାଏ। ସେହିପରି ଉପରମୁଣ୍ଡରେ ବେଧଡ଼କ ଖଣି ଖନନ ମଧ୍ୟ ସ୍ଥାନୀୟ ଅଞ୍ଚଳର ପରିବେଶ ଉପରେ ପ୍ରଭାବ ପକାଉଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




