ସମ୍ପାଦକୀୟ

Editorial: ତିନି ବିପଦ

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୨୦ ମସିହାର ଦିଲ୍ଲୀ ନିର୍ବାଚନ କାଳରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ବାରା ଏକ ସ୍ଲୋଗାନ ଅତ୍ୟନ୍ତ ବିବାଦୀୟ ହୋଇପଡ଼ିବା ସହିତ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ଭର୍ତ୍ସନାର ଶରବ୍ୟ ହୋଇଥିଲା....

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୨୦ ମସିହାର ଦିଲ୍ଲୀ ନିର୍ବାଚନ କାଳରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ବାରା ଏକ ସ୍ଲୋଗାନ ଅତ୍ୟନ୍ତ ବିବାଦୀୟ ହୋଇପଡ଼ିବା ସହିତ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ଭର୍ତ୍ସନାର ଶରବ୍ୟ ହୋଇଥିଲା, କାରଣ ସେହି ସ୍ଲୋଗାନରେ ଦେଶର ଗଦ୍ଦାର(ବିଶ୍ବାସଘାତକ)ମାନଙ୍କୁ ଗୁଳି କରି ଦେବାକୁ ଡାକରା ଦିଆଯାଇଥିଲା। ଏବେ ହିମନ୍ତ ବିଶ୍ବ ଶର୍ମା ସେହି ଡାକରାକୁ ଚରିତାର୍ଥ କରିବା ଲାଗି ପ୍ରସ୍ତୁତ ବୋଲି ସଂକେତ ଦେଇଛନ୍ତି।

ଆସାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଆଉ ମାତ୍ର ମାସଟିଏ ବାକି ଥିବା ବେଳେ ସେଠାକାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ କେତେକ ଅଭିବ୍ୟକ୍ତି ତୀବ୍ର ବିବାଦକୁ ଜନ୍ମ ଦେଇଛି। ପ୍ରକାଶ ଥାଉ କି ଉଭୟ ବାଚନିକ ଉଚ୍ଚାଟ ଏବଂ ଶାରୀରିକ ଭଙ୍ଗି ମାଧ୍ୟମରେ ପରିସ୍ଫୁଟ ଏହି ଅଭିବ୍ୟକ୍ତିଗୁଡ଼ିକ ଉତ୍କଟ ସାଂପ୍ରଦାୟିକ ଘୃଣା ଦ୍ବାରା ରଂଜିତ। ଏହା ସୁବିଦିତ ଯେ ହିମନ୍ତ ବିଶ୍ବ ଶର୍ମା ଆପଣା ସାଂପ୍ରଦାୟିକ ବିଦ୍ବେଷମୂଳକ ମତାମତ ବା ଚିନ୍ତାଧାରାକୁ ପ୍ରାଂଜଳ ଭାବେ ଉପସ୍ଥାପନ କରିବାରେ ସଂକୋଚ ବୋଧ କରି ନ ଥାଆନ୍ତି, କିନ୍ତୁ ତାଙ୍କୁ ଘେନି ସଦ୍ୟ ବିବାଦୀୟ ହୋଇ ପଡ଼ିଥିବା ଭିଡିଓ କ୍ଲିପ୍‌ ସଂଦର୍ଭରେ ପ୍ରାୟ ସମସ୍ତେ ଏକମତ ଯେ ତହିଁରେ ସେ ବିବେଚନାବୋଧର ଲକ୍ଷ୍ମଣ ରେଖାଟିକୁ ଅତିକ୍ରମ କରିଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମାତ୍ର ୧୮ ସେକଣ୍ଡର ସେହି ଭିଡିଓଟି ଆସାମ ପ୍ରଦେଶ ବିଜେପିର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲରୁ ନିସୃତ ହୋଇଥିଲା, କିନ୍ତୁ ସହସା ଘୋର ପ୍ରତିବାଦ ସୃଷ୍ଟି କରିବାରୁ ତାକୁ ଚବିଶ ଘଣ୍ଟା ମଧ୍ୟରେ ଡିଲିଟ କରି ଦିଆଯାଇଥିଲା। ତେବେ, ଏଭଳି ଉଦ୍ୟମ ଦ୍ବାରା କିଭଳି ବିପଦର ସୃଷ୍ଟି ହୋଇପାରେ, ଏ ସଂଦର୍ଭ‌େର ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରଥମେ ବିବାଦୀୟ ଭିଡିଓ କ୍ଲିପ୍‌ ଉପରେ ସାମାନ୍ୟ ଦୃଷ୍ଟି ନିକ୍ଷେପ କରାଯାଉ; ଯହିଁରେ ଦେଖିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏକ ରାଇଫଲହସ୍ତେ ଲକ୍ଷ୍ୟ ସାଧି ଟ୍ରିଗର ଉପରେ ଚାପ ଦିଅନ୍ତେ ତହିଁରୁ ନିର୍ଗତ ବୁଲେଟ୍‌ ଯାଇ ବାଜୁଛି କାନ୍ଥରେ ଲାଗିଥିବା ଏକ ଫଟୋଚିତ୍ରରେ, ଯହିଁରେ ସ୍ଥାନିତ ବ୍ୟକ୍ତି ଦ୍ବୟ ସେମାନଙ୍କ ବେଶଭୂଷାରୁ ମୁସଲିମ ସଂପ୍ରଦାୟଭୁକ୍ତ ବୋଲି ସ୍ପଷ୍ଟ। ଅବଶ୍ୟ, ଆପଣା ପକ୍ଷ ରଖି ବିଶ୍ବ ଶର୍ମା କହିଛନ୍ତି ଯେ ଭିଡିଓଟି ପ୍ରକୃତରେ ସାଂକେତିକ ଭାବେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନିଶାଣ କରିଥିଲା, କିନ୍ତୁ ପ୍ରଶ୍ନ ଉଠେ ଯେ ବଙ୍ଗଭାଷୀ ଭାରତୀୟ ମୁସଲମାନଙ୍କ ଠାରୁ ବାଂଲାଦେଶୀ ମୁସଲମାନଙ୍କୁ ପୃଥକ୍‌ କରିବା ସକାଶେ କୌଣସି ‘ଲିଟମସ ଟେଷ୍ଟ’ ଅଛି କି? ସୁତରାଂ, ଭାରତରେ ବସବାସ କରୁଥିବା ମୁସଲିମ ସମୁଦାୟ ବିରୋଧରେ ଏହା ଅଭିପ୍ରେତ। ଏହି ପରିପ୍ରେକ୍ଷୀରେ, କିଛି ବର୍ଷ ତଳେ, ଆମ ରାଜଧାନୀ ଭୁବନେଶ୍ବରରେ କିଛି ଯୁବକ ନିଶାର୍ଧରେ ରାଜପଥ ଉପରେ ମାରଣାସ୍ତ୍ର ଦେଖାଇ ଆପଣା ବହପ ପ୍ରଦର୍ଶନ କରୁଥିବାର ଭିଡିଓ ଭାଇରାଲ ହେବା ପରେ ଆତଙ୍କ ସୃଷ୍ଟିକାରୀ କାର୍ଯ୍ୟ ସକାଶେ ପୁଲିସ ସେମାନଙ୍କୁ ଖୋଜିଖୋଜି ବିଭିନ୍ନ ଆପରାଧିକ ଦଫାରେ ଗିରଫ କରିଥିଲା। ଶଂସିତ ଭିଡିଓରେ ତ ଗୋଟିଏ ଦଶନ୍ଧି ଧରି ଗାଦିନସୀନ ଜଣେ ମୁଖ୍ୟମନ୍ତ୍ରୀ ଦୃଶ୍ୟମାନ, ଯାହାଙ୍କର ଏକ ବିଶାଳ ଜନାଧାର ଥିବା ସୁନିଶ୍ଚିତ ଏବଂ ଯେଉଁ କାରଣରୁ ଜଣେ ବନ୍ଧୁକଧାରୀ ଶିକାରୀ ରୂପେ ସେ ଆବିର୍ଭୂତ ହେବା ସେ ରାଜ୍ୟର ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟକୁ ଆତଙ୍କ ଜର୍ଜର କରି ଦେଇଥିବ। ତେଣୁ, ଏଭଳି ଉଦ୍ୟମ ଆପରାଧିକ ବୋଲି ଦର୍ଶାଇ କେତେକ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ବିଶ୍ବ ଶର୍ମାଙ୍କ ବିରୋଧରେ ଥାନାରେ ଏବଂ ସର୍ବୋଚ୍ଚ ଅଦାଲତରେ ମାମଲା ଦାୟର କରାଗଲାଣି। ଅବଶ୍ୟ, ବିଶ୍ବ ଶର୍ମା ତାଙ୍କ ସଫେଇରେ କହିଛନ୍ତି ଯେ ଆସାମରେ ବାଂଲାଦେଶୀଙ୍କ ଅନୁପ୍ରବେଶ ସମସ୍ୟା ଅତ୍ୟନ୍ତ ସାଂଘାତିକ, ଯାହା ଅନ୍ୟ ଭାରତୀୟ ରାଜ୍ୟଗୁଡ଼ିକରେ ଦେଖିବାକୁ ମିଳି ନ ଥାଏ। ସେହି କାରଣରୁ ଜନସଂଖ୍ୟାର ଭାଗମାପକୁ ନେଇ ସେଠାକାର ସମାଜରେ ଯେଉଁ ତୀବ୍ର ଭୟ ଓ ଉଦ୍‌ବେଗ ରହିଛି, ତାହା ରାଜନୈତିକ ବ୍ୟାଖ୍ୟାନଗୁଡ଼ିକରେ ପ୍ରତିଫଳିତ ହେବା ସ୍ବାଭାବିକ। କିନ୍ତୁ ତାଙ୍କ ବିରୋଧୀ ପକ୍ଷ କହିଥାଆନ୍ତି ଯେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରାବଲ୍ୟକୁ ନେଇ ସୃଷ୍ଟ ସଂଦର୍ଭ ପ୍ରକୃତରେ ହେଉଛି ବିଜେପି ଦ୍ବାରା ତିଆରି ଏକ ପାଳ ଭୂତ, କାରଣ ତାହା ହୋଇ ନ ଥିଲେ ବାଂଲାଦେଶ ସହିତ ସ୍ଥଳଭାଗ ବା ଜଳଭାଗରେ ସଂଯୁକ୍ତ ହୋଇ ନ ଥିବା ବିହାର ଓ ଝାଡ଼ଖଣ୍ଡରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆତଙ୍କ ନେଇ ଉଚ୍ଚାଟ ଦେଖିବାକୁ ମିଳନ୍ତା ନାହିଁ। ସେମାନଙ୍କ ମତ‌େର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପସ୍ଥିତି ଅସହନୀୟ ହୋଇଥିଲେ ହେଁ ସେମାନଙ୍କୁ ଚିହ୍ନଟ କରିବା ଏକ ଦୁରୂହ ବ୍ୟାପାର, ଯେଉଁ କାରଣରୁ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦେଢ଼ରୁ ଦୁଇ କୋଟି ବୋଲି ଆକଳନ କରାଯାଉଥିଲେ ହେଁ ୨୦୧୫ ମସିହାରୁ ୨୦୨୫ ମଧ୍ୟରେ ମାତ୍ର ପ୍ରାୟ ୨୫୦୦ ସରିକି ଅନୁପ୍ରବେଶକାରୀଙ୍କୁ ବାଂଲାଦେଶକୁ ତଡ଼ିବା ସମ୍ଭବ ହୋଇଛି। କିନ୍ତୁ ଏଣେ ଏହି ଅନର୍ଥକାରୀ ବ୍ୟାଖ୍ୟାନ ହେତୁ ଜାତୀୟ ସଂହତି ଦୁର୍ବଳ ହେବାର ବିପଦ ସୃଷ୍ଟି ହେଲାଣି।

 

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୨୦ ମସିହାର ଦିଲ୍ଲୀ ନିର୍ବାଚନ କାଳରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ବାରା ଏକ ସ୍ଲୋଗାନ ଅତ୍ୟନ୍ତ ବିବାଦୀୟ ହୋଇପଡ଼ିବା ସହିତ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ଭର୍ତ୍ସନାର ଶରବ୍ୟ ହୋଇଥିଲା, କାରଣ ସେହି ସ୍ଲୋଗାନରେ ଦେଶର ଗଦ୍ଦାର(ବିଶ୍ବାସଘାତକ)ମାନଙ୍କୁ ଗୁଳି କରି ଦେବାକୁ ଡାକରା ଦିଆଯାଇଥିଲା। ଏବେ ହିମନ୍ତ ବିଶ୍ବ ଶର୍ମା ସେହି ଡାକରାକୁ ଚରିତାର୍ଥ କରିବା ଲାଗି ପ୍ରସ୍ତୁତ ବୋଲି ସଂକେତ ଦେଇଛନ୍ତି। କିନ୍ତୁ ସମସ୍ୟା ଉତ୍ପନ୍ନ ହୁଏ, ଯେତେବେଳେ ପ୍ରାୟ ୨୮ କୋଟି ଜନସଂଖ୍ୟା ସଂବଳିତ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଭାରତୀୟଙ୍କୁ ‘ଗଦ୍ଦାର’ ବା ‘ବିଶ୍ବାସଘାତକ’ର ବନ୍ଧନୀ ମଧ୍ୟରେ ସ୍ଥାନିତ କରିବାର ଉଦ୍ୟମ ହୁଏ; ଏଣେ ସିନେମାରୁ ନେଇ ବିଜ୍ଞାନ ପର୍ଯ୍ୟନ୍ତ କ୍ଷେତ୍ରରେ, ଉଚ୍ଚ ସାମରିକ ପଦାଧିକାରୀଙ୍କ ଠାରୁ ନେଇ ଉଚ୍ଚ ଅଦାଲତର ବିଚାରପତି, ଏପରିକି ଦେଶର ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ପରାକାଷ୍ଠା ପ୍ରଦର୍ଶନରେ ଏହି ବନ୍ଧନୀସ୍ଥ ସଦସ୍ୟମାନେ ସଫଳ ହୋଇଛନ୍ତି। ଏହା ମଧ୍ୟ ସତ ଯେ ଏଭଳି ସଂଦର୍ଭକୁ କେନ୍ଦ୍ର କରି ତର୍କ, ବିତର୍କ ଓ ବିବାଦର କଳରବରୁ ଗୋଳ ପର୍ଯ୍ୟନ୍ତ ଶୁଣାଯିବାରେ ଆପତ୍ତି ନ ଥାଏ, କିନ୍ତୁ ଗୁଳି କରିବାର ଧମକ ବା ଡାକରା ଦେଇ ଏକ ସଂତ୍ରସ୍ତ ନିରବତା ସୃଷ୍ଟିର ଉଦ୍ୟମ ଯେ ଅନସ୍ବୀକାର୍ଯ୍ୟ, ତାହା କହିବା ଅନାବଶ୍ୟକ। ପୁଣି, ଏଠାରେ ଶିକାରୀ ରୂପେ ଆବିର୍ଭୂତ ପୁରୁଷ ଜଣକ ହେଉଛନ୍ତି ପୃଥିବୀର ସର୍ବବୃହତ୍‌ ଗଣତନ୍ତ୍ରରେ ଜଣେ ନିର୍ବାଚିତ ଜନ ପ୍ରତିନିଧି, ଯିଏ ସଂବିଧାନ ଛୁଇଁ ଶପଥ ନେଇଥିବେ ଯେ ମୁଖ୍ୟମନ୍ତ୍ରୀ ରୂପେ ସେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷର ସଭିଁଙ୍କ ଉପରେ ସମଦୃଷ୍ଟି ରଖିବେ। ପ୍ରସିଦ୍ଧ ଇତିହାସକାର ଓ ଚିନ୍ତକ ୟୋଭାଲ ନୋଆ ହାରାରିଙ୍କ ମତ‌େର ଗଣତନ୍ତ୍ରର ବୀଜ ହେଉଛି ‘ବିଶ୍ବାସ’ ଏବଂ ଏକଛତ୍ରବାଦର ଆଧାର ହୋଇଥାଏ ଭୟ ପ୍ରଦର୍ଶନ। ଏହି ବିଚାରରେ ବିଶ୍ବ ଶର୍ମାଙ୍କ କାର୍ଯ୍ୟ ଅସଂଗତ ଭଳି ଲାଗିଥାଏ, କାରଣ ସେଭଳି ପ୍ରକରଣରେ ଭଗ୍ନ-ବିଶ୍ବାସର ଭିତ୍ତି ଉପରେ ଗଣତାନ୍ତ୍ରିକ କୌଶଳରେ ଏକଛତ୍ରବାଦର ହର୍ମ୍ୟ ଛିଡ଼ା କରି ଦିଆଯାଇପାରେ। ଏଥିରେ ଗଣତନ୍ତ୍ରର ଆତ୍ମା ଯେ ବିପନ୍ନ ହୋଇଥାଏ, ତାହା କହିବା ବାହୁଲ୍ୟ ମାତ୍ର!
ଶଂସିତ ବିବାଦଟି ତୀବ୍ର ହେବା ପରେ ହିମନ୍ତି ବିଶ୍ବ ଶର୍ମା କହିଛନ୍ତି ଯେ ସେ ଏଥିରେ ସଂପୃକ୍ତ ନୁହନ୍ତି।

 

ସେ ହୁଏତ କହିବାକୁ ଚାହିଛନ୍ତି ଯେ ଭିଡିଓଟି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ସଂପର୍କରେ ସେ ଅଜ୍ଞ ଥିଲେ। କିନ୍ତୁ ଭିଡିଓର ସୁଟିଂରେ ତ ସେ ସଂପୃକ୍ତ! ଯାହା ହେଉ, ଅଭିଯୋଗକୁ ସଂପୂର୍ଣ୍ଣ ନାକଚ କରି ଦେଇ ସେ କହି ନାହାନ୍ତି ଯେ ଏହା ପୂର୍ଣ୍ଣତଃ ଏ.ଆଇ.(କୃତ୍ରିମ ବୁଦ୍ଧିମତ୍ତା) ଦ୍ବାରା ସର୍ଜିତ! ତେବେ, ଏକ ବାସ୍ତବତା ହେଲା, ଅଦୂର ଭବିଷ୍ୟତ୍‌ରେ ଏ.ଆଇ.ର ପ୍ରାଦୁର୍ଭାବ କାରଣରୁ ଭିଡିଓମାନ ଯେତେ ଜୀବନ୍ତ ହେଲେ ସୁଦ୍ଧା ସତ୍ୟର ପ୍ରତ୍ୟକ୍ଷଦର୍ଶୀ ପ୍ରମାଣ ରୂପେ ସ୍ବୀକୃତ ହେବେନାହିଁ। କିନ୍ତୁ ଏଣେ କଳ୍ପିତ କାହାଣୀଗୁଡ଼ିକ ଅବିକଳ ସତର ରୂପ ନେଇ ଆବିର୍ଭୂତ ହୋଇ ଚାଲିବେ। ସତ ଓ ମିଛର ଏଭଳି ଗୋଧୂଳି ବେଳାରେ ଗୁଜବର ସ୍ରଷ୍ଟା ଏବଂ ଅନ୍ତର୍ଘାତର ଅପଦେବତାମାନେ ଅତ୍ୟନ୍ତ ପ୍ରବଳ ହେବେ। ଏହା ଦ୍ବାରା ଆମ ସମାଜରେ ସାଂପ୍ରଦାୟିକ ବିଭାଜନ ଅଧିକ ଗଭୀର ହୋଇପାରେ; ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ସଂଖ୍ୟାଲଘୁ ବର୍ଗ ପ୍ରତିକ୍ରିୟାଶୀଳ ଆକ୍ରମଣର ଅଧିକ ଶରବ୍ୟ ହୋଇପାରନ୍ତି; ଏବଂ ସେତେବେଳେ ଏଭଳି କୌଣସି ଜନନେତା ହୁଏତ ଆମ ପାଖରେ ନ ଥାଇ ପାରନ୍ତି, ଯାହାଙ୍କୁ ନେଇ ଆମେ ହଲପ କରି କହି ପାରୁଥିବା ଯେ ସେ ଏଭଳି ଆଦୌ କହି ବା କରି ନ ଥିବେ! ଏହା ତୃତୀୟ ବିପଦ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button