ମହାନଗର

The unique ritual: ସରାଟ ନୀଳକଣ୍ଠେଶ୍ବର ମନ୍ଦିରରେ ନିଆରା ବିଧି ଦଧିନଉତିକୁ ଉଠେନି ମହାଦୀପ

ପବିତ୍ର ଜାଗର ଅମାବାସ୍ୟା ତଥା ମହାଶିବରାତ୍ରିରେ ସମସ୍ତ ଶିବ ମନ୍ଦିର ଚୂଡ଼ାରେ ମହାଦୀପ ଜଳେ। ମହାସମାରୋହରେ ମନ୍ଦିର ଦଧିନଉତିକୁ ମହାଦୀପ ଉଠାଯାଏ। ମାତ୍ର ରାଜଧାନୀ.....

ବାଲିପାଟଣା: ପବିତ୍ର ଜାଗର ଅମାବାସ୍ୟା ତଥା ମହାଶିବରାତ୍ରିରେ ସମସ୍ତ ଶିବ ମନ୍ଦିର ଚୂଡ଼ାରେ ମହାଦୀପ ଜଳେ। ମହାସମାରୋହରେ ମନ୍ଦିର ଦଧିନଉତିକୁ ମହାଦୀପ ଉଠାଯାଏ। ମାତ୍ର ରାଜଧାନୀ ଉପକଣ୍ଠରେ ଏମିତି ଏକ ପ୍ରାଚୀନ ଶିବ ମନ୍ଦିର ଅଛି, ଯେଉଁଠି ଏହି ବିଧି ନାହିଁ। ମନ୍ଦିରରେ ଜାଗରଯାତ୍ରା ତଥା ମହାଶିବରାତ୍ରି ଯଥାବିଧି ପାଳିତ ହୁଏ, ଜାଗର ଦୀପ ଜଳାହୁଏ, ଶ୍ରଦ୍ଧାଳୁମାନେ ରାତିସାରା ଉଜାଗର ରହି ବେଢ଼ାରେ ବସି ଦୀପ ଜାଳନ୍ତି। କିନ୍ତୁ ମନ୍ଦିର ଶିଖରକୁ ମହାଦୀପ ଉଠାଯାଏ ନାହିଁ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ହେଁ କଥାଟି ସତ। ମନ୍ଦିରଟି ହେଉଛି ବାଲିପାଟଣା ବ୍ଲକ୍‌ ପମ୍ପାଲୋ ପଞ୍ଚାୟତ ସରାଟସ୍ଥିତ ନୀଳକଣ୍ଠେଶ୍ବର ମନ୍ଦିର। ମହାଦୀପ ନ ଉଠିବା ପଛରେ ସେମିତି କିଛି ବଡ଼ କାରଣ ନାହିଁ। ଯେହେତୁ ଏଠାରେ ପାତାଳଫୁଟା ଶିବଲିଙ୍ଗ ଆବିର୍ଭାବ ହେବା ବେଳେ ପ୍ରଥମେ ଚାଳଛପର ଘରେ ପୂଜା ପାଉଥିଲେ, ମହାଦୀପ ଉଠିବା ବିଧି ନଥିଲା। ପରେ ମନ୍ଦିର ଗଢ଼ାହୋଇଛି ସିନା ପୁରୁଣା ବିଧିକୁ ସାଇତି ରଖାଯାଇଛି।

କେତକୀ ବଣରେ ମହାଦେବଙ୍କ ଆବିର୍ଭାବ

ଲୋକକଥା ଅନୁସାରେ ପ୍ରାୟ ପାଞ୍ଚଶହ ବର୍ଷ ପୂର୍ବେ ସରାଟ ଗାଁ ପାଖରେ ଥିଲା ଘଞ୍ଚ ଜଙ୍ଗଲ। ଆମ୍ବ, ପଣସ, ପୋଲାଙ୍ଗ, ଜାମୁ, କେନ୍ଦୁ, ତାଳ, ଗୁଆ, ବେଲ, ଓଉ ଆଦି ବିଶାଳ ଗଛ ଥିଲା। ବଡ଼ବଡ଼ ଗଛ ସହିତ ତଳେ କିଆ ଓ କେତକୀ ବଣ ବେଶ୍‌ ଘଞ୍ଚ ଥିଲା। କୁହାଯାଏ ଏଠାରେ କଲରାପତରିଆ ବାଘ, ହେଟା ବାଘ ବି ବିଚରଣ କରୁଥିଲେ। ସରାଟ ଅଞ୍ଚଳର ଜଣେ ଗୋପାଳକଙ୍କ ସବୁଠୁ ଭଲ ଗାଈଟି ଚରିବା ଲାଗି କେତକୀ ବଣକୁ ଯାଏ। ଏକଦା ଗୋପାଳକ ଲକ୍ଷ୍ୟ କଲେ ଯେ ଗାଈଟି କେତକୀ ବଣରୁ ଫେରିବା ପରେ ତା’ ପହ୍ନାରୁ ଦୁଧ ଝରୁନାହିଁ। ଚିରଗୁଡ଼ିକ ମଳିନ ଦେଖାଯାଉଛି। ତେଣୁ କେହି ବଣ ଭିତରେ ଗାଈକୁ ଦୁହିଁ ଦୁଧ ଚୋରି କରୁଛି ବୋଲି ସନ୍ଦେହ କରି ଗୋପାଳକ ଦିନେ ଲୁଚି ରହି ଲକ୍ଷ୍ୟ କଲା। ମାତ୍ର ସେ ଦେଖିଲା ଏକ ହୁଙ୍କା ଉପରେ ଗାଈଟିର ପହ୍ନାରୁ ଦୁଧ ଝରିପଡ଼ୁଛି। କଥା ପ୍ରଘଟ ହୋଇଗଲା ଏବଂ ହୁଙ୍କା ଖୋଳିବା ପରେ ପାତାଳଫୁଟା ଶିବଲିଙ୍ଗ ଆବିର୍ଭାବ ହେଲେ।

ମହିମା ଅପାର

ସେତେବେଳେ ଡାକ୍ତରଖାନା ନଥିଲା। ଲୋକେ ଗାଁ ବଇଦ ଭରସାରେ ବଞ୍ଚୁଥିଲେ। ସାପ କାମୁଡ଼ିଥିବା ଲୋକକୁ ଶିବ ମନ୍ଦିର ନିଆଯାଉଥିଲା ଏବଂ ତା’ ଉପରେ ପାଣି ଢଳା ହେଉଥିଲା। ଏଠା‌ରେ କିନ୍ତୁ ସାପ କାମୁଡ଼ିଥିବା ଲୋକଟି ମନ୍ଦିର ନିକଟସ୍ଥ ପୋଖରୀରେ ବେକ ପର୍ଯ୍ୟନ୍ତ ବୁଡ଼ି ରହୁଥିଲେ ଏବଂ ପୂଜକ ପାଦୁକ ପାଣି ଓ ବେଲପତ୍ର ଖାଇବାକୁ ଦେଉଥିଲେ। ସାପ ବିଷ ଝଡ଼ିଯାଉଥିଲା। କେବଳ ସେତିକି ନୁହେଁ, ମାରାତ୍ମକ ରୋଗରେ ପୀଡ଼ିତ ଲୋକେ ଏଠାରେ ସାତଦିନିଆ କିମ୍ବା ଏକୋଇଶଦିନିଆ ଅଧିଆ ପଡ଼ି ଆରୋଗ୍ୟ ହେବା ବିଶ୍ବାସ ମଧ୍ୟ ରହିଛି। ଦୋଳପୂର୍ଣ୍ଣିମା, ପଞ୍ଚୁଦୋଳଯାତ୍ରା, ଝାମୁଯାତ୍ରା, ଚନ୍ଦନଯାତ୍ରା, ଶୀତଳଷଷ୍ଠୀ, ଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣ୍ଣିମା, ପଞ୍ଚୁକରାସ, ବଉଳଅମାବାସ୍ୟା, ପୁଷପୂନେଇ, ମକରସଂକ୍ରାନ୍ତି, ଜାଗରଯାତ୍ରା ଭଳି ସମସ୍ତ ପର୍ବ ଏଠାରେ ପାଳନ କରାଯାଏ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button