ଓଡିଶାବିଶେଷ

Development halted: ଖଣି ପାଇଁ ଅଟକିଗଲା ବିକାଶ

ବିକାଶର ସ୍ବପ୍ନ ଦେଖାଇ ଖଣି ଖୋଳାଯାଏ, କାରଖାନା ବସେ। ଲୋକେ ବି ନୂଆ ଜୀବନ ଜିଇଁବାର ସ୍ବପ୍ନରେ ଭିଟାମାଟି, ଘରବାଡ଼ି, ଜମି ଟେକି ଦିଅନ୍ତି। ହେଲେ ଅନେକ ସ୍ଥାନରେ ସେହି ଖଣି.....

ସୁନ୍ଦରଗଡ଼: ବିକାଶର ସ୍ବପ୍ନ ଦେଖାଇ ଖଣି ଖୋଳାଯାଏ, କାରଖାନା ବସେ। ଲୋକେ ବି ନୂଆ ଜୀବନ ଜିଇଁବାର ସ୍ବପ୍ନରେ ଭିଟାମାଟି, ଘରବାଡ଼ି, ଜମି ଟେକି ଦିଅନ୍ତି। ହେଲେ ଅନେକ ସ୍ଥାନରେ ସେହି ଖଣି ପାଇଁ ବିକାଶ ଅଟକିଯାଏ। ସୁନ୍ଦରଗଡ଼ କୋଇଲା ଖଣି ଅଞ୍ଚଳରୁ ଆସିଛି ଏମିତି ଏକ ବିଡ଼ମ୍ବିତ ଚିତ୍ର। ଜମି ଅଧିଗ୍ରହଣ ହୋଇସାରିଥିବା ଦର୍ଶାଇ ଲୋକଙ୍କ ମୌଳିକ ଆବଶ୍ୟକତା ପାଣିକୁ ନା କରିଦେଇଛି ପ୍ରଶାସନ। ହେମଗିର ବ୍ଲକ୍‌ ଏମ୍‌ସିଏଲ୍‌ କ୍ଷେତ୍ର ଗୋପାଳପୁର ପଞ୍ଚାୟତ ପତ୍ରପାଲି ଗାଁରେ ରହିଛି ଏକ ମୁଣ୍ଡା (ପୋଖରୀ)। ଯାହା ଗାଁର ୭ ଶହ ଲୋକଙ୍କ ସ୍ନାନ‌ଶୌଚ ପାଇଁ ବ୍ୟବହୃତ ହୋଇ ଆସୁଥିଲା। ଏପରିକି ଗାଈଗୋରୁ ମଧ୍ୟ ଏଠାରେ ନିଜ ଶୋଷ ମେଣ୍ଟାଉଥିଲେ। କିନ୍ତୁ କିଛି ବର୍ଷ ହେଲା ପୋଖରୀ ଅନାବନା ଘାସଲତାରେ ଭରି ହୋଇଯାଇଛି।

ପ୍ରଶାସନ କେବେ ପୋଖରୀରେ ଏକ ପକ୍କା ଗାଧୁଆ ଘାଟ ତିଆରି କରିଥିଲା। ତା’ ତଳକୁ ଚହଲାଏ ପାଣି ରହିଛି। ସେହି ପାଣିରେ ଗାଁ ଲୋକେ ସ୍ନାନ‌‌ଶୌଚ କରି ନାନା ରୋଗରେ ପଡ଼ୁଥିବା ଅଭିଯୋଗ ରହିଛି। ପୋଖରୀର ପୁନରୁଦ୍ଧାର ପାଇଁ ୨୦୨୨ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଟଙ୍କା ସେମିତି ୨ ବର୍ଷ ଧରି ପଡ଼ିରହିଲା। ପତ୍ରାପାଲି ଗାଁର ବୀରେନ୍ଦ୍ର ବୋଡ଼ା ଓ ଅନ୍ୟ ଅଧିବାସୀ ପୋଖରୀ ପୁନରୁଦ୍ଧାର ପାଇଁ ପୁଣି ଦାବି ଉଠାଇବାରୁ ହେମଗିର ବ୍ଲକ୍‌ ପ୍ରଶାସନ ୨୨.୧.୨୦୨୪ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଚିଠି ଲେଖି କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ମାଗିଥିଲେ। କିନ୍ତୁ ସେତେବେଳେ ଜିଲ୍ଲା ପ୍ରଶାସନ ଗାଁଟି କୋଇଲା ଖଣି ପାଇଁ ଅଧିଗ୍ରହଣ ହୋଇସାରିଥିବା ଦର୍ଶାଇ ଏହାକୁ ବାତିଲ କରିଦେବା ସହ ୪୦ ଲକ୍ଷ ଟଙ୍କା ଫେରାଇ ନେଇଥିଲେ।

ଗାଁରେ ପାଣି ସମସ୍ୟା ଉତ୍କଟ ଥିଲେ ମଧ୍ୟ ତାକୁ ଅଣଦେଖା କରିଦେଲେ। ଖଣି ପାଇଁ ଗାଁ ଅଧିଗ୍ରହଣ ହୋଇ ସାରିଥିବାବେଳେ ଲୋକେ ଗାଁ ଛାଡ଼ି ନାହାନ୍ତି। ଏ ନେଇ ଆଜି ବିସ୍ଥାପିତ ନେତା ରାଜେନ୍ଦ୍ର ନାଏକ ଜିଲ୍ଲାପାଳଙ୍କୁ ଭେଟି ପୋଖରୀ ପୁନରୁଦ୍ଧାର ନେଇ ପୁଣି ନିବେଦନ କରିଥିଲେ। ଡିଏମ୍‌ଏଫ୍‌ର ପରବର୍ତ୍ତୀ ପ୍ରକଳ୍ପ ଅନୁମୋଦନରେ ଏହାକୁ ସାମିଲ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button