ଅର୍ଥନୀତି

AI should be human-centric: ‘ମାନବ ଦର୍ଶନ’ ଉପସ୍ଥାପନ କଲେ ମୋଦୀ: ‘ଏଆଇ ମାନବକୈନ୍ଦ୍ରିକ ହେଉ’

କୃତ୍ରିମ ବୁଦ୍ଧିମତା (ଏଆଇ) ମାନବକୈନ୍ଦ୍ରିକ ହେବା ଜରୁରୀ। ଏହା ମଣିଷର ନିୟନ୍ତ୍ରଣରେ ରହି ବିକାଶକୁ ତ୍ବରାନ୍ବିତ କରୁ। ଅନ୍ୟପକ୍ଷରେ ମଣିଷ ଏହାଦ୍ବାରା ନିୟନ୍ତ୍ରିତ ନ ହେଉ। ନୂଆଦିଲ୍ଲୀରେ ଚାଲିଥିବା ଏଆଇ....

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା (ଏଆଇ) ମାନବକୈନ୍ଦ୍ରିକ ହେବା ଜରୁରୀ। ଏହା ମଣିଷର ନିୟନ୍ତ୍ରଣରେ ରହି ବିକାଶକୁ ତ୍ବରାନ୍ବିତ କରୁ। ଅନ୍ୟପକ୍ଷରେ ମଣିଷ ଏହାଦ୍ବାରା ନିୟନ୍ତ୍ରିତ ନ ହେଉ। ନୂଆଦିଲ୍ଲୀରେ ଚାଲିଥିବା ଏଆଇ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା କହିଛନ୍ତି।  ସର୍ବାଧିକ ଲୋକଙ୍କ ମଙ୍ଗଳ ଓ ଆନନ୍ଦ ପ୍ରାପ୍ତି ପାଇଁ ଏଆଇକୁ କିଭଳି ବିନିଯୋଗ କରାଯିବ ସେ ନେଇ ମଞ୍ଚ ଉପରୁ ପ୍ରଧାନମନ୍ତ୍ରୀ ଏଆଇକୁ ନେଇ ଭାରତର ‘ମାନବ ଦର୍ଶନ’ ଉପରେ ଆଲୋକପାତ କରିଛନ୍ତି। ଏହି ମାନବ ଦର୍ଶନର ବ୍ୟାଖ୍ୟା କରି ମୋଦୀ କହିଛନ୍ତି ଯେ ଏହା ପାଞ୍ଚଟି ନୀତି ଉପରେ ପର୍ଯ୍ୟବସିତ। ସେଗୁଡ଼ିକ ହେଲା -ନୈତିକ ମୂଲ୍ୟବୋଧ, ଉତ୍ତରଦାୟୀ ପ୍ରଶାସନ, ଜାତୀୟ ସାର୍ବଭୌମତ୍ବ, ସମାବେଶୀ ପ୍ରଯୁକ୍ତି ଓ ବିଧିଗତ ତଥା ଆଇନସଂଗତ ବ୍ୟବସ୍ଥା। ଏହା ଦ୍ବାରା ଏଆଇକୁ ଦାୟିତ୍ବପୂର୍ଣ୍ଣ ଭାବେ ମାନବକୈନ୍ଦ୍ରିକ ଲକ୍ଷ୍ୟ ହାସଲ ଦିଗରେ ବ୍ୟବହାର କରାଯାଇ ପାରିବ ବୋଲି ସେ କହିଛନ୍ତି।

ଏଆଇ ମାନବ ସମାଜର ପରିବର୍ତ୍ତନ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ନ ହେଲେ ଏହା ବିଭ୍ରାଟ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କେଉଁ ଦିଗରେ ଗଲେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ହେବ ସେ ନେଇ ଜିପିଏସ୍‌ ଆମକୁ ଏକ ସୂଚନା ମାତ୍ର ଦେଇଥାଏ। କିନ୍ତୁ ଆମେ ତାହା ଉପରେ ସଂପୂର୍ଣ୍ଣ ନିର୍ଭର ନ କରି କେଉଁ ଦିଗରେ ଯିବାକୁ ହେବ ନିଜେ ନିଷ୍ପତ୍ତି ନେଇଥାଉ। ତେଣୁ ଏଆଇକୁ ମଧ୍ୟ ସେହିଭଳି ବିନିଯୋଗ କରାଯିବା ଆବଶ୍ୟକ। ଭାରତ ମଣ୍ଡପମ୍‌ରେ ଚାଲିଥିବା ପାଞ୍ଚ ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଲେ ଯେ କେତେକ ରାଷ୍ଟ୍ର ଏଆଇକୁ ଏକ ନିବୁଜ ପରିସଂସ୍ଥା ମଧ୍ୟରେ ବିକଶିତ କରିବା ଉପରେ ଗୁରୁତ୍ବ ଦେଇଥାନ୍ତି। କିନ୍ତୁ ଭାରତ ଏଭଳି ମାନସିକତା ଉପରେ ବିଶ୍ବାସ କରେ ନାହିଁ। ବରଂ ଭାରତୀୟମାନଙ୍କ ଭାବନା ହେଲା- ଯେତେବେଳେ ଏହା ସର୍ବାଧିକ ଲୋକଙ୍କ ପାଇଁ ଉନ୍ମୁକ୍ତ ରହିବ ଏବଂ ଏହାର ସବୁ କୋଡ୍‌ ଉନ୍ମୁକ୍ତ ରହିବ, ସେତେବେଳେ ଯାଇ ଏଆଇର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ। ମାନବ ଜାତିର ଇତିହାସରେ ଏଆଇ ଏକ ଯୁଗାନ୍ତକାରୀ ଓ ପରିବର୍ତ୍ତନକାରୀ ଶକ୍ତି ଭାବେ ବିବେଚିତ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୃଢ଼ୋକ୍ତି ବାଢ଼ିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button