
ଭୁବନେଶ୍ୱର,୨୧।୨(ତ୍ରିନାଥ ମହାନ୍ତି):ଇନ୍ଫୋସିଟି ଥାନା ଅନ୍ତର୍ଗତ କିସ୍(କଳିଙ୍ଗ ଇନ୍ଷ୍ଟଚ୍ୟୁଟ୍ ଅଫ୍ ସୋସିିଆଲ ସାଇନ୍ସ)ରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ହେଲେ ଚନ୍ଦନ ସବର। ତାଙ୍କ ଘର ନୂଆପଡ଼ାରେ ହୋଇଥିବାବେଳେ ସେ କିସ୍ରେ ଯୁକ୍ତ ୨ କଳାରେ ପାଠ ପଢୁଥିଲେ। ଖବରପାଇ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ବ୍ୟକ୍ତିଗତ କାରଣ ପାଇଁ ସେ ଆମତ୍ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଛାତ୍ର ମୃତ୍ୟୁ ଘଟଣାରେ ଡିସିପି ଜଗମୋହନ ମୀନା ନିଜେ ତଦାରଖ କରୁଛନ୍ତି। କିଭଳି ଏବଂ କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ଘଟିଲା ଖୋଳତାଡ଼ କରାଯାଉଛି। ଆହୁରି ମଧ୍ୟ ମୃତ ଛାତ୍ରଙ୍କ ସହ ହଷ୍ଟେଲରେ ରହୁଥିବା ଅନ୍ୟ ପିଲାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।
ମିଳିଥିବା ସୂଚନା ଅନୁସାରେ, ଚନ୍ଦନ ଗତ କିଛି ଦିନ ହେବ ମାନସିକ ଚିନ୍ତାରେ ରହୁଥିଲେ। ସେ କାହାସହ କଥା ହେଉ ନ ଥିବାବେଳେ ସବୁବେଳେ ଗୁମ୍ସୁମ୍ ହୋଇ ରହୁଥିଲେ। ଶୁକ୍ରବାର ଅପରାହ୍ନରେ ହଷ୍ଟେଲ ରୁମ୍ରେ କେହି ନ ଥିବା ସମୟରେ ଚନ୍ଦନ ହଷ୍ଟେଲ ଭିତରେ ଝୁଲିପଡ଼ିଥିଲେ। ସନ୍ଧ୍ୟାରେ ସହପାଠୀ ହଷ୍ଟେଲକୁ ଫେରିବା ପରେ କବାଟ ଖୋଲିବାକୁ କହିଥିଲେ। ହେଲେ ସେ ନ ଖୋଲିବାରୁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କର୍ତ୍ତୃପକ୍ଷ ପୋଲିସକୁ ଫୋନ୍ କରିବା ପରେ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଏନେଇ ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ କହିଛନ୍ତି ଯେ, ଜଣେ ଛାତ୍ର ଆମତ୍ହତ୍ୟା କରିଛନ୍ତି। ଆମେ ଏହାକୁ ଗୁରୁତର ସହ ନେଇ ତଦନ୍ତ କରୁଛୁ। କିଭଳି ଏବଂ କାହିଁକି ଛାତ୍ର ଆତ୍ମହତ୍ୟା କଲେ ତାହାର ତଦନ୍ତ କରାଯାଉଛି।
ସୂଚନାଯୋଗ୍ୟ, ୨୦୨୫ ଫେବୃଆରୀ ୧୬ରେ କିଟ୍ରେ ଜଣେ ନେପାଳି ବିଟେକ୍ ଛାତ୍ରୀ ହଷ୍ଟେଲ ରୁମ୍ରେ ଆମତ୍ହତ୍ୟା କରଥିବାବେଳେ ୨୦୨୫ ମେ ୧ରେ ଆଉ ଜଣେ ନେପାଳୀ ବିଟେକ୍ ଛାତ୍ର ଆମତ୍ହତ୍ୟା କରିଥିଲେ। ସେହିପରି ୨୦୨୫ ଡିସେମ୍ବର ୧ରେ ଛତିଶଗଡ଼ର ଜଣେ ବିଟେକ୍ ଛାତ୍ର ଆମତ୍ହତ୍ୟା କରିଥିବାବେଳେ ଡିସେମ୍ବର ଶେଷ ଆଡକୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅନ୍ୟ ଛାତ୍ରମାନେ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ସୌଜନ୍ୟ ଧରିତ୍ରୀ




