ଦେଶ ବିଦେଶବାଣିଜ୍ୟ

Sensex: ସେନ୍‌ସେକ୍ସ ୪୮୦ ପଏଣ୍ଟ୍‌ ବଢ଼ିଲା, ନିଫ୍ଟି ବଢ଼ିଲା ୧୪୧ ପଏଣ୍ଟ୍‌

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ସେଠକାର ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ନିବେଶକମାନେ ବେଶ୍‌ ଖୁସି ହୋଇଯାଇଛନ୍ତି। ସେଥିପାଇଁ ସୋମବାର ଷ୍ଟକ୍‌ ବଜାରରେ ‌ସେୟାର କ୍ରୟ ତ୍ବରାନ୍ବିତ ହୋଇଥିଲା। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ...

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ସେଠକାର ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ନିବେଶକମାନେ ବେଶ୍‌ ଖୁସି ହୋଇଯାଇଛନ୍ତି। ସେଥିପାଇଁ ସୋମବାର ଷ୍ଟକ୍‌ ବଜାରରେ ‌ସେୟାର କ୍ରୟ ତ୍ବରାନ୍ବିତ ହୋଇଥିଲା। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୪୮୦ ପଏଣ୍ଟ ବୃଦ୍ଧି ପାଇ ୮୩,୨୯୪ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୪୧ ପଏଣ୍ଟ ବଢ଼ି ୨୫,୭୧୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜିର କାରବାରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଥିଲା। ଔଷଧ, ତୈଳ ଓ ଗ୍ୟାସ୍‌, ଭିତ୍ତିଭୂମି, ଏଫ୍‌ଏମ୍‌ସିଜି ଓ ଅଟୋମୋବାଇଲ୍‌ କ୍ଷେତ୍ରର କମ୍ପାନିଗୁଡ଼ିକ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଆର୍ଥିକ ସେବା କ୍ଷେତ୍ରର କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ମଧ୍ୟ ବଢ଼ିଥିଲା। ତେବେ ସୂଚନା ପ୍ରଯୁକ୍ତି ସୂଚୀରେ ହ୍ରାସ ଘଟିଥିଲା। କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବିପ୍ଳବ ଓ ବିଶ୍ବ ବଜାରରେ ଅନିଶ୍ଚିତତା ଲାଗି ରହିଥିବାରୁ ସୂଚନା ପ୍ରଯୁକ୍ତି କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ଗତ କିଛି ଦିନ ହେଲାଣି ଲଗାତାର ଭାବେ ହ୍ରାସ ପାଉଛି। ଖଣିଜ ପଦାର୍ଥ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ମଧ୍ୟ କମ୍‌ ହୋଇଛି।

ନିଫ୍ଟିରେ ଆଦାନୀ ପୋର୍ଟସ୍‌, କୋଟକ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ଲାଇଫ୍‌, ଡକ୍ଟର ରେଡ୍ଡିସ୍‌ ଓ ଅଲ୍‌ଟ୍ରାଟେକ୍‌ ସିମେଣ୍ଟ୍‌ର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି। ତେବେ ହିଣ୍ଡାଲ୍‌କୋ, ୱିପ୍ରୋ, ଇନ୍‌ଫୋସିସ୍‌, ଟେକ୍‌ ମହିନ୍ଦ୍ରା ଓ ସିପ୍‌ଲା ସେୟାର ମୂଲ୍ୟ କମ୍‌ ହୋଇଛି। ବିଶେଷଜ୍ଞ ମାନଙ୍କ ମତରେ ଆଗାମୀ ଦିନରେ ଆମେରିକାରେ ଘଟୁଥିବା ଘଟଣା ଉପରେ ବଜାରର ପ୍ରଦର୍ଶନ ନିର୍ଭର କରିବ। ଆମେରିକା ସୁପ୍ରିମକୋର୍ଟ ଶୁଳ୍କକୁ ଅସିଦ୍ଧ କରିବା ପରେ ଟ୍ରମ୍ପ ଦୁଇଟି ପର୍ଯ୍ୟାୟରେ ୧୫ ପ୍ରତିଶତର ନୂଆ ଟିକସ ଲଗାଇଛନ୍ତି। କୌଣସି ଦେଶ ବାଣିଜ୍ୟ ରାଜିନାମା ବାତିଲ କରି ନଥିବା ଦାବି କରୁଛନ୍ତି। ତେଣୁ ଶୁଳ୍କକୁ ନେଇ ଆଗାମୀ ଦିନରେ ସ୍ଥିତି କଣ ରହିବ ତାହା କେହି ଆକଳନ କରିପାରୁନାହାନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button