Human civilization: ‘୪୦ ହଜାର ବର୍ଷ ତଳେ ସୁନ୍ଦରଗଡ଼ରେ ଥିଲା ମାନବ ସଭ୍ୟତା’
ଆଜିକୁ ୪୦ ହଜାର ବର୍ଷ ତଳେ ସୁନ୍ଦରଗଡ଼ରେ ଥିଲା ମାନବ ସଭ୍ୟତା। ଇବ୍ନଦୀ ଅବବାହିକାରୁ ମଧ୍ୟ ପ୍ରସ୍ତର ଯୁଗ ଓ ଉଚ୍ଚ ପ୍ରସ୍ତର ଯୁଗର ଅବଶେଷ ଠାବ କରି ସୁନ୍ଦରଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ଏହି ବିରଳ ତଥ୍ୟ ସାମନାକୁ ଆଣିଛି।

ଡମ୍ବରୁଧର ନାୟକ
ସୁନ୍ଦରଗଡ଼: ଆଜିକୁ ୪୦ ହଜାର ବର୍ଷ ତଳେ ସୁନ୍ଦରଗଡ଼ରେ ଥିଲା ମାନବ ସଭ୍ୟତା। ଇବ୍ନଦୀ ଅବବାହିକାରୁ ମଧ୍ୟ ପ୍ରସ୍ତର ଯୁଗ ଓ ଉଚ୍ଚ ପ୍ରସ୍ତର ଯୁଗର ଅବଶେଷ ଠାବ କରି ସୁନ୍ଦରଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ଏହି ବିରଳ ତଥ୍ୟ ସାମନାକୁ ଆଣିଛି। ବିଭାଗର ସହକାରୀ ପ୍ରଫେସର ଡ. ସାକିର ହୁସେନ୍ଙ୍କ ତତ୍ତ୍ବାବଧାନରେ ୭ ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀ ୨ ବର୍ଷ ଧରି ଇବ୍ ଅବବାହିକାର ବାଲିଯୋରି ଓ ସୁନ୍ଦରଗଡ଼ ସଦର ବ୍ଲକ୍ ଅଞ୍ଚଳର ବଳଦମାଲରେ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ କରି ୧୦ ହଜାରରୁ ୪୦ ହଜାର ବର୍ଷ ତଳେ ଥିବା ମାନବ ସଭ୍ୟତାକୁ ଠାବ କରିଛନ୍ତି। ଉକ୍ତ ଅଞ୍ଚଳରୁ ସେ ସମୟରେ ଶିକାର ପାଇଁ ମଣିଷ ବ୍ୟବହାର କରୁଥିବା ପଥର ନିର୍ମିତ ଅସ୍ତ୍ରଶସ୍ତ୍ର ସହିତ ଦୈନନ୍ଦିନ ଜୀବନଚର୍ଯ୍ୟାର ବିଭିନ୍ନ ଉପକରଣ ମଧ୍ୟ ପାଇଛନ୍ତି।
ଇବ୍ ଅବବାହିକାରୁ ମଧ୍ୟ ପ୍ରସ୍ତର ଯୁଗର ଅସ୍ତ୍ର, ଉପକରଣ ଠାବ
ଜିଲ୍ଲାର ଏ ଦୁଇଟି ସ୍ଥାନରେ ଅଧିକ ଗବେଷଣା ଓ ପ୍ରତ୍ନତାତ୍ତ୍ବିକ ଖନନ କଲେ ସେହି ଯୁଗରେ ମଣିଷର ଜୀବନଧାରା ସମ୍ପର୍କରେ ଅଧିକ ବିରଳ ଓ ବିସ୍ମୟକର ତଥ୍ୟ ମିଳିପାରେ ବୋଲି କହିଛନ୍ତି ସହକାରୀ ପ୍ରଫେସର ଡ. ହୁସେନ୍। କେବଳ ବାଲିଯୋରି ଓ ବଳଦମାଲ ନୁହେଁ, ଜିଲ୍ଲାର ବିଭିନ୍ନ ସ୍ଥାନରେ ସେହି ଯୁଗର ଅବଶେଷ ଥିବା ଅନୁମାନ କରାଯାଉଛି ଓ ସେ ଦିଗରେ ବିଭାଗର ସର୍ବେକ୍ଷଣ ଜାରି ରହିବ ବୋଲି ସେ କହିଛନ୍ତି। ପୂର୍ବରୁ ୨୦୨୪ରେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଳକ୍ କନିକା ବ୍ରାହ୍ମଣୀଗାଁ ନିକଟରେ ବିସ୍ମୟକର ଭୂ-ଐତିହ୍ୟକୁ ଠାବ କରିଥିଲା ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା। ସ୍ଥାନୀୟ ଭାଷାରେ ଛେଙ୍ଗାପାହାଡ଼ ଭାବେ ପରିଚିତ ଏହି ସ୍ଥାନ ଦେଶର ୯୦ଟି ବିରଳ ଭୂ-ଐତିହ୍ୟରେ ସ୍ଥାନ ପାଇଛି। ଏବେ ପ୍ରାକ୍-ଐତିହାସିକ ଯୁଗର ଅବଶେଷ ଆବିଷ୍କୃତ ହେବା ସୁନ୍ଦରଗଡ଼ ପାଇଁ ବିରଳ ଉପଲବ୍ଧି ଆଣି ଦେଇଛି।
ସୌଜନ୍ୟ ସମ୍ବାଦ




