ଓଡିଶାମହାନଗର

Even ordinary: ‘ସାଧାରଣ ଲୋକ ବି ସ୍ମରଣୀୟ ଘଟଣାକୁ ଲିପିବଦ୍ଧ କରି ରଖନ୍ତୁ’

ଜୀବନୀ ଓ ଆତ୍ମଜୀବନୀ ଆମ ସାହିତ୍ୟର ଏକ ଦୁର୍ବଳ ଅଙ୍ଗ ହୋଇରହିଛି। ଆମ ସାହିତ୍ୟ‌ରେ ଅତୀତ ଓ ସମକାଳକୁ ନେଇ ଖୁବ୍‌ କମ୍‌ ପରିମାଣରେ ଜୀବନୀ ବା ଆତ୍ମଜୀବନୀ ରଚନା.......

ଭୁବନେଶ୍ବର: ଜୀବନୀ ଓ ଆତ୍ମଜୀବନୀ ଆମ ସାହିତ୍ୟର ଏକ ଦୁର୍ବଳ ଅଙ୍ଗ ହୋଇରହିଛି। ଆମ ସାହିତ୍ୟ‌ରେ ଅତୀତ ଓ ସମକାଳକୁ ନେଇ ଖୁବ୍‌ କମ୍‌ ପରିମାଣରେ ଜୀବନୀ ବା ଆତ୍ମଜୀବନୀ ରଚନା ହୋଇଛି। ଏଣୁ ଏବେଠାରୁ ପ୍ରତିଟି ସାଧାରଣ ମଣିଷ ସ୍ମରଣୀୟ ଘଟଣାଗୁଡ଼ିକୁ ଲିପିବଦ୍ଧ କରି ରଖିବାର ଆବଶ୍ୟକତା ରହିଛି। କାରଣ ସମାଜରେ ଏବେ ଇତିହାସ ବଦଳାଇବାର ପ୍ରବୃତ୍ତି ବୃଦ୍ଧି ପାଇବାରେ ଲାଗିଛି। ଯଦି ଆମେ ସମକାଳର ଘଟଣାବଳୀକୁ ଯେକୌଣସି ମାଧ୍ୟମରେ ଲେଖି ଭବିଷ୍ୟତ ପାଇଁ ସଂରକ୍ଷିତ ନ ରଖିବା ବା ଇତିହାସ ସୃଷ୍ଟି ନ କରିବା ତେବେ ଇତିହାସ ବଦଳିଯିବାର ଅନେକ ଆଶଙ୍କା ରହିଛି ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।

ଆଜି ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ ଏକ ସମାରୋହରେ ‘ପକ୍ଷୀଘର ପ୍ରକାଶନୀ’ ପକ୍ଷରୁ ପ୍ରକାଶିତ ତଥା ପ୍ରଫେସର ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଦ୍ବାରା ରରିତ ପୁସ୍ତକ ‘ପ୍ରବାଦ ପୁରୁଷ ଦାଶରଥୀ ପଟ୍ଟନାୟକ(ଦାଶିଆ ଅଜା)’କୁ ଉନ୍ମୋଚନ କରି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଏଥିସହ ଛାପା ପୁସ୍ତକର ଦିନ ସରି ସରି ଆସୁଥିବା‌ ବେଳେ ଲେଖକ, ପ୍ରକାଶକ ଓ ପାଠକ ସମସ୍ତେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଦ୍ବାରା ସୃଜନ ଯାତ୍ରାକୁ ବଞ୍ଚାଇ ରଖିବାକୁ ପରାମର୍ଶ ଦେଇଥିଲେ। ଇଂ ଅଜୟ ସୂତାରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲେଖକ ଶ୍ରୀ ମହାନ୍ତି ପୁସ୍ତକ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଏହି ପୁସ୍ତକରେ ଦାଶିଆ ଅଜାଙ୍କର ଜନ୍ମଠାରୁ ଆରମ୍ଭ କରି ବାଲ୍ୟ ଜୀବନ, ତାଙ୍କ କର୍ମମୟ ଜୀବନ, ପୁରୁଣା ସାମଗ୍ରୀକୁ ସଂଗ୍ରହ କରିବାର ନିଶା ଆଦି ଆଲୋଚନା କରାଯାଇଛି। ଏଥିସହ ଦାଶିଆ ଅଜା ଯେ ଜୁନ୍‌ ୧୨ ନୁହେଁ ଜୁଲାଇ ୧୨, ୧୯୦୭ ମସିହାରେ ଜନ୍ମଗ୍ରହଣ କରିଥିଲେ, ସେ ସମ୍ପର୍କରେ ବି ତଥ୍ୟଗତ ପ୍ରମାଣ ପ୍ରଦାନ କରାଯାଇଥିବା ଶ୍ରୀ ମହାନ୍ତି କହିଛନ୍ତି।

ସମାରୋହ ଅବସରରେ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ୍‌ର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ମିଶ୍ର ଓ ତାଙ୍କ ସହଧର୍ମିଣୀ ସୀମା ମିଶ୍ରଙ୍କ ପକ୍ଷରୁ ୫୦ ବର୍ଷ ପୂର୍ବରୁ ବିଦେଶରେ ପ୍ରଚଳିତ ୫୦୦ରୁ ଅଧିକ ବିଦେଶୀ ମୁଦ୍ରା ‘ଦାଶିଆ ଅଜା ପାଠାଗାର ସଂଗ୍ରହାଳୟ’କୁ ପ୍ରଦାନ କରିଥିଲେ। ଏଥିସହ ଆଦିବାସୀ ସଂସ୍କୃତି ଗବେଷକ ବିପିନ ବିହାରୀ ସାହୁ ଆଦିବାସୀଙ୍କ ଦ୍ବାରା ବିରଳ ବ୍ୟବହୃତ ସାମଗ୍ରୀ ଯଥା, ଡଙ୍ଗରିଆ କନ୍ଧଙ୍କ ବସ୍ତ୍ର ‘କପଡ଼ା ଗନ୍ଧା’, ସାନ୍ତାଳ ବସ୍ତ୍ର, କୁଲିସ ବସ୍ତ୍ର, ଦୁରୁଆ ପାନିଆ, ବଣ୍ଡା ଜନଜାତିଙ୍କ ତୁରାବୁ ଗଡ଼ଗଡ଼ିଆ ମାଳି ଆଦି ‘ଦାଶିଆ ଅଜା ପାଠାଗାର ସଂଗ୍ରହାଳୟ’କୁ ଦାନ କରିଥିବା ବେଳେ ପୁଣିଆ ପ୍ରଦୀପ ମିଶ୍ରଙ୍କ ପକ୍ଷରୁ ୧୯୪୭ ମସିହା ପୂର୍ବର ୧ ଶହରୁ ଅଧିକ ଓଡ଼ିଆ ସାହିତ୍ୟର ପୁରାତନ ପୁସ୍ତକମାନ ପ୍ରଦାନ କରାଯାଇଥିଲା। ଦାଶିଆ ଅଜାଙ୍କ ନାତି ତଥା ସଂଗ୍ରାହକ ଓ ପାଠାଗାର ସଂଗ୍ରହାଳୟର ସମ୍ପାଦକ ଦୀପକ ପଟ୍ଟନାୟକ ସାମଗ୍ରୀ ସବୁକୁ ଗ୍ରହଣ କରିଥି‌ଲେ। ଦାସିଆ ଅଜାଙ୍କ ସ୍ମୁତି ରକ୍ଷା ପାଇଁ ବିଶ୍ୱବିଖ୍ୟାତ ପାଠାଗାର ସଂଗ୍ରହାଳୟ ପ୍ରତି ସରକାରଙ୍କ ଅବହେଳା ଓ ଉଦାସୀନତାକୁ ନେଇ ଉପସ୍ଥିତ ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ପ୍ରତିବର୍ଷ ଜୁଲାଇ ୧୨ ତାରିଖ ତାଙ୍କ ଜୟନ୍ତୀକୁ ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟସ୍ତରୀୟ ଭାବେ ପାଳନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ।  ଆଜିର ସମାରୋହରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ସୂଚନା କମିସନର୍‌ ଶଶିପ୍ରଭା ବିନ୍ଧାଣୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶୋକ ପଟ୍ଟନାୟକ, ଅଶ୍ବିନୀ କୁମାର ଦାସ ଓ ସମ୍ପଦ ନାୟକ, ପଣ୍ଡିତ ଦଇତାରୀ ମହାପାତ୍ର, ପୁସ୍ତକର ପ୍ରକାଶକ ବନୋଜ ତ୍ରିପାଠୀ, ଯୁଗୋଳ କିଶୋର ମହାରଣା, ଅଧ୍ୟାପକ ପ୍ରବୀର କୁମାର ମହାନ୍ତି, ସମାଜସେବୀ ସଂଗ୍ରାମ ଭାଇ, ଉତ୍କଳ ସମ୍ମିଳନୀ ଭୁବନେଶ୍ବର ଶାଖା ସଭାପତି ଅଶୋକ ବେହେରା ଓ ସମ୍ପାଦକ ରଜତ ପାତ୍ର ଉପସ୍ଥିତ ଥିଲେ। ବିକାଶ ଶତପଥୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଦୀପକ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button