ନାରୀମାନେ ଶ୍ରେଷ୍ଠ ପରିବେଶ ସୁରକ୍ଷାକାରୀ: ଜେନ୍ ଗୁଡଲ୍
୧୯୩୪ ମସିହା ଏପ୍ରିଲ ୩ ତାରିଖରେ ଜେନ୍ ଗୁଡଲ୍ ଇଂଲଣ୍ଡର ଲଣ୍ଡନ ସହରରେ ଜନ୍ମଗ୍ରହଣ କରିଥିଲେ। ସିମ୍ପାଞ୍ଜି ମଣିଷ ଭାବେ ଜଣାଶୁଣା ଜେନ୍ ଗୁଡଲ୍ ତାଞ୍ଜାନିଆର ଗୋମ୍ବେ ନ୍ୟାସନାଲ ପାର୍କରେ ସିମ୍ପାଞ୍ଜି ଅଧ୍ୟୟନର ଅଗ୍ରଣୀ କାର୍ଯ୍ୟ ଓ ଗବେଷଣା ପାଇଁ ସେ ବିଶ୍ୱ ବନ୍ଦିତା।
୧୯୩୪ ମସିହା ଏପ୍ରିଲ ୩ ତାରିଖରେ ଜେନ୍ ଗୁଡଲ୍ ଇଂଲଣ୍ଡର ଲଣ୍ଡନ ସହରରେ ଜନ୍ମଗ୍ରହଣ କରିଥିଲେ। ସିମ୍ପାଞ୍ଜି ମଣିଷ ଭାବେ ଜଣାଶୁଣା ଜେନ୍ ଗୁଡଲ୍ ତାଞ୍ଜାନିଆର ଗୋମ୍ବେ ନ୍ୟାସନାଲ ପାର୍କରେ ସିମ୍ପାଞ୍ଜି ଅଧ୍ୟୟନର ଅଗ୍ରଣୀ କାର୍ଯ୍ୟ ଓ ଗବେଷଣା ପାଇଁ ସେ ବିଶ୍ୱ ବନ୍ଦିତା। ସିମ୍ପାଞ୍ଜି ଉପରେ ଲେଖିଥିବା ଅନେକ ପୁସ୍ତକ ବିଶ୍ୱରେ ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକ ତାଲିକାରେ ସ୍ଥାନିତ ହୋଇ ରେକର୍ଡ ସୃଷ୍ଟି କରିବା ସହିତ ଜେନ୍ ଅନେକ ବିରଳ ପୁରସ୍କାର ବିଜେତା ଭାବରେ ସୁଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ପ୍ରସିଦ୍ଧ ପୁସ୍ତକ ମଧ୍ୟରେ ରହିଛି ‘ଇନ୍ ଦ ସ୍ୟାଡୋ ଅଫ୍ ମ୍ୟାନ୍’ ଓ ‘ରିଜନ୍ ଫର୍ ହୋପ୍’ ଇତ୍ୟାଦି।
୧୯୭୦ ଦଶକରୁ ଜେନ୍ ପୃଥିବୀର ଅଗ୍ରଣୀ ପ୍ରାଣୀ ସଂରକ୍ଷଣବାଦୀ ଭାବେ ନିଜର ପରିଚୟ ସୃଷ୍ଟି କରିବା ସହ ଆଜି ବି ଶ୍ରେଷ୍ଠ ପ୍ରାଇମେଟୋଲୋଜିଷ୍ଟ (ସିମ୍ପାଞ୍ଜି ଭଳି ବାନର ପ୍ରାଣୀ ଗବେଷକ) ଭାବେ ନିଜର ସ୍ଥାନକୁ ବଜାୟ ରଖିଛନ୍ତି। ବାନର ଜାତିର ପ୍ରାଣୀମାନଙ୍କ ଉପରେ ଅଧିକରୁ ଅଧିକ ଗବେଷଣା ପାଇଁ ସେ ନିଜ ନାମରେ ‘ଗୁଡଲ୍ ଇନଷ୍ଟିଚ୍ୟୁଟ୍’ ପ୍ରତିଷ୍ଠା କରିଛନ୍ତି। ଭାରତର ପୁନେ ସହର ସମେତ ବର୍ତ୍ତମାନ ବିଶ୍ୱରେ ୩୪ ଦେଶରେ ଏହି ଅନୁଷ୍ଠାନ ସିମ୍ପାଞ୍ଜିଙ୍କ ସଂରକ୍ଷଣ, ଅନୁସନ୍ଧାନ ଓ ଗବେଷଣା ଉପରେ ଧ୍ୟାନ ଦେଇଥାଏ। ଏହି ପ୍ରତିଷ୍ଠାନ ଜରିଆରେ ସେ ବିଭିନ୍ନ ଦେଶରେ ନିଜର ‘ରୁଟ୍ସ ଆଣ୍ଡ ସୁଟ୍ସ’ କାର୍ଯ୍ୟକ୍ରମ ଜରିଆରେ ପରବର୍ତ୍ତୀ ପିଢ଼ିର ପ୍ରାଣୀ ସଂରକ୍ଷଣକାରୀଙ୍କୁ ପ୍ରେରଣା ଯୋଗାଉଛନ୍ତି।
ପିଲାଦିନର କଥା ଓ ସିମ୍ପାଞ୍ଜି ପ୍ରତି ଆକର୍ଷଣର ଅନୁଭୂତିକୁ ମନେପକାଇ ସେ କହନ୍ତି, ‘‘ପିଲାଦିନେ ବାପା ମୋତେ ଗୋଟିଏ ବ୍ୟାଟେରି ଚାଳିତ ସିମ୍ପାଞ୍ଜି ଖେଳନା ଆଣି ଦେଇଥିଲେ ଏବଂ ତାହା ଚାଲିବା ସହ ବିଭିନ୍ନ ଧ୍ୱନି କରୁଥିଲା। ଏହା ମୋ ମନରେ ସେଦିନ ଅନେକ କୌତୂହଳ ସୃଷ୍ଟି କରିଥିଲା। ମୋ ବାପା ଦେଇଥିବା ଅନେକ ଉପହାର ମଧ୍ୟରୁ ଏହି ଉପହାରଟି ମୋ ଜୀବନର ଶ୍ରେଷ୍ଠ ଉପହାର ଥିଲା ଏବଂ ଏହାହିଁ ମୋ ଜୀବନର ଗତିପଥକୁ ସିମ୍ପାଞ୍ଜି ଆଡ଼କୁ ଆକର୍ଷିତ କରିଥିଲା। ଆଜିବି ସେହି ଖେଳନା ସିମ୍ପାଞ୍ଜି ମୋ ପାଖରେ ଅଛି। ବୟସ ବୃଦ୍ଧି ଓ ଶିକ୍ଷା ଗ୍ରହଣ ପରେ ମୁଁ ଜାଣିଲି ଏହି ସିମ୍ପାଞ୍ଜି ମଣିଷର ପୂର୍ବଜ ବଂଶଧର। ଏମାନଙ୍କ ଉପରେ କେହି ଗବେଷଣା କରିନଥିଲେ। ତେଣୁ ମୁଁ ସିମ୍ପାଞ୍ଜି ଉପରେ ଅଧିକ ଅନୁଧ୍ୟାନ ଓ ଗବେଷଣା ପାଇଁ ମନ ବଳାଇଲି। ପରବର୍ତ୍ତୀ ସମୟରେ ଏହା ମୋର ନିଶାରେ ପରିଣତ ହୋଇଗଲା। ଅବଶ୍ୟ ମୁଁ ଜନ୍ମରୁ ପ୍ରାଣୀପ୍ରେମୀ ଥିଲି। ମୋର ମା’ ମୋତେ ଏଦିଗରେ ଉତ୍ସାହିତ କରୁଥିଲେ ଏବଂ ସବୁବେଳେ ମୋତେ ବିଭିନ୍ନ ପ୍ରାଣୀମାନଙ୍କ ଉପରେ ପୁସ୍ତକ ଉପହାର ଦେଉଥିଲେ।’’
ଜେନ୍ ଗୁଡଲ୍ ମହିଳାମାନଙ୍କୁ ଶ୍ରେଷ୍ଠ ପରିବେଶ ସୁରକ୍ଷାକାରୀ ବୋଲି କହନ୍ତି। ତାଙ୍କ ମତରେ, “ମହିଳାମାନେ ପରିବେଶ ସୁରକ୍ଷାର ଗୁରୁତ୍ବ ଓ ଆବଶ୍ୟକତାକୁ ବୁଝିବାକୁ ସମର୍ଥ।
ଏଣୁ ଆଜିର ନାରୀସମାଜ ଆମ ଭବିଷ୍ୟତ ପିଲାଙ୍କ ପାଇଁ କାର୍ଯ୍ୟ ଆରମ୍ଭ କରିବାର ସମୟ ଉପସ୍ଥିତ ହୋଇଗଲାଣି। ଏହାକୁ ବର୍ତ୍ତମାନ ସମସ୍ତେ ବୁଝିବା ଜରୁରି। ଆଜିର ନାରୀଶକ୍ତି ହିଁ ଭବିଷ୍ୟତ ଜୈବବିଧତାର ମୁଖ୍ୟ ସଂରକ୍ଷକ ଅଟନ୍ତି। ନିଜର ପ୍ରଥମ ସିମ୍ପାଞ୍ଜି ଅନୁଭୂତିକୁ ନେଇ ଜେନ୍ ଆବେଗଭରା କଣ୍ଠରେ କହନ୍ତି, “୧୯୫୭ ମସିହାରେ ମୁଁ ପ୍ରଥମଥର ପାଇଁ କେନିଆ ଏବଂ ସେଠାରୁ ତାଞ୍ଜାନିଆ ଯାତ୍ରାକଲି। ଆଜିପରି ସେଦିନ କୌଣସି ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶ ଯିବା ଏତେ ସହଜ ନଥିଲା। ଗମନାଗମନ ବ୍ୟବସ୍ଥା ପାଇ ବିମାନର ସୁଗମ ମଧ୍ୟ ନଥିଲା। ମୁଁ କିଛି ଅର୍ଥ ସଂଚୟ କରି ଜଳଯାତ୍ରା ଆରମ୍ଭ କରିଲି ଏବଂ ମୋ ମାମା ମୋତେ ନେଇ ଡଙ୍ଗାରେ ବସାଇଥିଲେ। ସେଠାରେ ପ୍ରସିଦ୍ଧ ପ୍ରାଣୀବିଜ୍ଞାନୀ ଓ ପ୍ରତ୍ନତତ୍ତ୍ୱବିତ୍ ଲୁଇସ୍ ଲିକିଙ୍କୁ ଭେଟିଲି। ସେ ମୋତେ କେଉଁ ପ୍ରାଣୀ ଉପରେ ଅଧ୍ୟୟନ କରିବ ପଚାରିବାରୁ ମୁଁ ତତ୍କ୍ଷଣାତ୍ ଉତ୍ତର ଦେଲି କେବଳ ସିମ୍ପାଞ୍ଜି। ତାଞ୍ଜାନିଆର ସେହି ଅଂଶ ସେତେବେଳେ ଟାଙ୍ଗାନିକା ଥିଲା ଏବଂ ଏକଦା ଏହା ବ୍ରିଟିସ୍ ସାମ୍ରାଜ୍ୟର ଏକ ଅଂଶ ଥିଲା। ବ୍ରିଟିସ୍ କର୍ତ୍ତୃପକ୍ଷ ମୋତେ ଏକୁଟିଆ ରହିବାକୁ ମନା କରିଦେଇଥିଲେ। ତେଣୁ ଅନେକ ପରିଶ୍ରମ ଓ କଷ୍ଟ ସହି ମୋ ମାମା ମୋ ନିକଟକୁ ଆସିଥିଲେ।”।
ନିଜର ଦ୍ବିତୀୟ ଭାରତ ଗସ୍ତ ଅବସରର ଅଭିଜ୍ଞତା ବିଷୟରେ କହିଥିଲେ, “ଭାରତ ଏକ ସମୃଦ୍ଧ ଜୈବବିବିଧତା ପରିପୂର୍ଣ୍ଣ ଦେଶ ଏବଂ ଏହାର ପ୍ରତ୍ୟେକ ରାଜ୍ୟର ବନ୍ୟପ୍ରାଣୀ, ଜଳଜ ଜୀବ ଓ ପରିବେଶ ସମୃଦ୍ଧ ଅଟେ। ହେଲେ ବିଶ୍ୱର ଅନ୍ୟ ଦେଶଭଳି ଭାରତରେ ମଧ୍ୟ ଏସବୁ ଆଜି ବିପନ୍ନ। ଆମେ ସମସ୍ତେ ପ୍ରତ୍ୟେକ ଦିନ ଆମର ଗ୍ରହ ଉପରେ କିଛିନାକିଛି କୁପ୍ରଭାବ ପକାଇବାର ଏକ ଅଭ୍ୟାସ ସାବ୍ୟସ୍ତ କରି ସାରିଲୁଣି। ସୁରକ୍ଷିତ ଭବିଷ୍ୟତ ପାଇଁ ଏହି ସମସ୍ୟାକୁ ବୁଝି ବର୍ତ୍ତମାନ ଏହାକୁ କିପରି ନିୟନ୍ତ୍ରଣ କରି କାର୍ଯ୍ୟକ୍ରମ ପରିଚାଳନା କରିବାକୁ ପଡ଼ିବ। ବିଶ୍ୱ ଏକ ବିଶୃଙ୍ଖଳିତ ପରିସ୍ଥିତି ଦେଇ ଗତି କରୁଛି। ଜଳବାୟୁ ପରିବର୍ତ୍ତନ ବିପଦ ଆମ ପ୍ରଗତିର ଗତିକୁ ଧ୍ବଂସ ମୁହଁକୁ ନେବାର ଚେଷ୍ଟା ଆରମ୍ଭ କରି ସଫଳ ହେବାକୁ ଲାଗିଛି। କାଳ ବିଳମ୍ବ ନକରି ଆମେ ଏହାକୁ ସୁରକ୍ଷା ଦେବା ଉଚିତ।
ସୌଜନ୍ୟ-ସମ୍ୱାଦ
Comments are closed.