Editorial: ସ୍ପୃଶ୍ୟ-ଅସ୍ପୃଶ୍ୟ ତୈଳ
ତେଣୁ ଟ୍ରଂପଙ୍କ ନୈତିକ ମାନଦଣ୍ଡ ଅନୁସାରେ ପ୍ରଶ୍ନ କରାଯିବା ଉଚିତ ଯେ ଭେନେଜୁଏଲାର ତୈଳ କ୍ରୟରୁ ଆମେରିକା ଲାଭ କରୁଥିବା ଅର୍ଥ ଯଦି ମଧ୍ୟ-ପ୍ରାଚ୍ୟ ଯୁଦ୍ଧରେ ନିୟୋଜିତ ହୁଏ, େତବେ? କିନ୍ତୁ ପ୍ରଶ୍ନ କରିବ କିଏ?

ତେଣୁ ଟ୍ରଂପଙ୍କ ନୈତିକ ମାନଦଣ୍ଡ ଅନୁସାରେ ପ୍ରଶ୍ନ କରାଯିବା ଉଚିତ ଯେ ଭେନେଜୁଏଲାର ତୈଳ କ୍ରୟରୁ ଆମେରିକା ଲାଭ କରୁଥିବା ଅର୍ଥ ଯଦି ମଧ୍ୟ-ପ୍ରାଚ୍ୟ ଯୁଦ୍ଧରେ ନିୟୋଜିତ ହୁଏ, େତବେ? କିନ୍ତୁ ପ୍ରଶ୍ନ କରିବ କିଏ?
ଗଲା ୫ ତାରିଖ ଦିନ ବିଦେଶୀ ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଓ ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ଖବର ଅନୁସାରେ ଭାରତ ପକ୍ଷରୁ ପୁନର୍ବାର ରୁଷୀୟ ତୈଳର ଖର୍ଦ୍ଦି ଆରମ୍ଭ ହୋଇ ଯାଇଛି। ଏହା ସମସ୍ତଙ୍କୁ ଜଣା କିଭଳି ରୁଷୀୟ ତୈଳ ଖର୍ଦ୍ଦିରେ ବିରାମ ଲଗାଇବାକୁ ପ୍ରାୟ ବର୍ଷଟିଏ ଧରି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ଭାରତର ବାହୁ ମୋଡ଼ି ତାକୁ ଏକରକମ ନାଚାର କରି ଦେଇଥିଲେ, ଯେଉଁ ପ୍ରକରଣରେ ଭାରତ ଉପରେ ୫୦% ଆମଦାନି ଶୁଳ୍କ ଲାଗୁ କରାଯିବା ଅନ୍ୟତମ ଥିଲା। ସେହି ଦୃଷ୍ଟିରୁ ଜିଦଖୋର ଟ୍ରଂପଙ୍କ ସକାଶେ ଭାରତର ପ୍ରତିଶ୍ରୁତି ଭଙ୍ଗ ରୁଚିକର ନ ହେବା କଥା। କିନ୍ତୁ, ଗଲା କାଲି ଆମେରିକା ସରକାରଙ୍କ ପକ୍ଷରୁ ପ୍ରଦତ୍ତ ‘ଏକ୍ସ’ ବାର୍ତ୍ତା ସହିତ ଏ ନେଇ କଳ୍ପନାଜଳ୍ପନା, ଆଶଙ୍କା ଓ ଉଦ୍ବେଗରେ ଭଟ୍ଟା ପଡ଼ିଛି, ଯହିଁରେ କୁହାଯାଇଛି େଯ ବୈଶ୍ବିକ ତୈଳ ସଂକଟ ଅବଶ୍ୟମ୍ଭାବୀ ହୋଇଥିବା ଦୃଷ୍ଟିରୁ ଭାରତୀୟ ତୈଳ କଂପାନିଗୁଡ଼ିକୁ ଅନ୍ତତଃ ୩୦ ଦିନ ସକାଶେ ରୁଷୀୟ ତୈଳ ଖର୍ଦ୍ଦି ଲାଗି ଅନୁମତି ପ୍ରଦାନ କରାଯାଇଛି, ଯେଉଁଥିରୁ ବିଶୋଧିତ ତୈଳ ଯୋଗାଣ ବିଶ୍ବରେ ତୈଳର ଅବାଧ ପ୍ରବାହକୁ ସମ୍ଭବ କରିବ। କିନ୍ତୁ, ଏଭଳି ସ୍ଥଳେ ପ୍ରଶ୍ନ ଉଠିଥାଏ ଯେ ଆମେରିକୀ ସନ୍ଦେଶର ସ୍ବରରେ ପରିଦୃଷ୍ଟ ଖାଉନ୍ଦପଣ ଭାରତ ଭଳି ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତି ସକାଶେ ଅବମାନନାମୂଳକ ହୋଇ ନ ଥାଏ କି?
ରଏଟର୍ସ ପକ୍ଷରୁ ପ୍ରକାଶିତ ସମ୍ବାଦ ଅନୁସାରେ ଖଣିଜ ତୈଳ ବୋଝେଇ ଗୋଟିଏ ରୁଷୀୟ ଟ୍ୟାଙ୍କର ପାରାଦୀପ ବନ୍ଦରରେ ଲଙ୍ଗର ପକାଇଥିବା ବେଳେ ୭ ଲକ୍ଷ ବ୍ୟାରେଲ ପରିମିତ ତୈଳ ବହନକାରୀ ଦ୍ବିତୀୟ ରୁଷୀୟ ଟ୍ୟାଙ୍କର ଆଜି ସୁଦ୍ଧା ଗୁଜରାଟ ସ୍ଥିତ ବାଡ଼ିନାର ବନ୍ଦରରେ ପହଞ୍ଚିବାକୁ ଯାଉଛି। ସୂଚନା ଅନୁସାରେ ପ୍ରାୟ ୯.୫ ନିୟୁତ ଗ୍ୟାଲନ ଅଶୋଧିତ ତୈଳବାହୀ ରୁଷୀୟ ଟ୍ୟାଙ୍କର ଭାସମାନ ଭଣ୍ତାର ରୂପେ ଆଖପାଖରେ ବିଦ୍ୟମାନ, ଯେଉଁମାନେ ଭାରତର ଇଙ୍ଗିତ ପାଇଲେ ସପ୍ତାହେ ବା ଦୁଇ ସପ୍ତାହ ମଧ୍ୟରେ ଭାରତରେ ପହଞ୍ଚିଯିବେ। ସମୁଦ୍ରରେ ଜାହାଜର ଗତିବିଧି ଉପରେ ନିଘା ରଖୁଥିବା ସଂସ୍ଥା ‘କେପ୍ଲର’ର ସୂଚନା ଅନୁସାରେ ପ୍ରାୟ ୩୦ ନିୟୁତ ଗ୍ୟାଲନ ତୈଳ ସହିତ କେତେକ ରୁଷୀୟ ଜାହାଜ ଭାରତ ମହାସାଗର, ଆରବ ସାଗର ଓ ସିଙ୍ଗାପୁର ପ୍ରଣାଳି ନିକଟରେ ଭାସି ବୁଲୁଛନ୍ତି, ଯେଉଁମାନଙ୍କ ଠାରୁ ମଧ୍ୟ ଭାରତ ପକ୍ଷରୁ ତୈଳ କ୍ରୟର ସମ୍ଭାବନା ରହିଛି। କୁହାଯାଉଛି ଯେ ଯଦି ଦିନେ ବା ଦୁଇ ଦିନ ମଧ୍ୟରେ ଭାରତ ଠାରୁ ଏ ସଂକ୍ରାନ୍ତରେ ସମ୍ମତି ନ ମିଳେ, ତେବେ ଜାହାଜଗୁଡ଼ିକ ଚୀନ ଅଭିମୁଖେ ପ୍ରସ୍ଥାନ କରିବେ। ପ୍ରକାଶ ଥାଉ କି ଅଶୋଧିତ ତୈଳର ଅଭାବ ଜନିତ ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ କଲାଣି, ଯେଉଁଥିରେ ରାଷ୍ଟ୍ରାୟତ୍ତ ମାଙ୍ଗାଲୋର ରିଫାଇନେରି (ବିଶୋଧନାଗାର) ଆପାତତଃ ଉତ୍ପାଦନ ବନ୍ଦ କରି ଦେଇଛି ଏବଂ ଅଶୋଧିତ ଖଣିଜ ତୈଳର ଦରରେ ବୃଦ୍ଧି ଘଟିଥିବା ହେତୁ ଇଣ୍ଡିଆନ ଅଏଲ ଓ ଭାରତ ପେଟ୍ରୋଲିଅମ ସକାଶେ ଲିଟର ପିଛା ୨୦ ଟଙ୍କା କ୍ଷତି ସହିବାକୁ ହେଲାଣି। ଏଭଳି ସ୍ଥିତିରେ, ପୂର୍ବ ଭଳି ଶସ୍ତାରେ ନ ହେଲେ ସୁଦ୍ଧା ସହଜରେ ଉପଲବ୍ଧ ହେଉଥିବା ରୁଷୀୟ ତୈଳକୁ କ୍ରୟ କରିବା ଏକ ସରଳ ସାଧାରଣ ଜ୍ଞାନର ବ୍ୟାପାର ହେବା କଥା। କିନ୍ତୁ ସଂପ୍ରତି ଭୂ-ରଣନୈତିକ ଓ ଭୂ-ରାଜନୈତିକ ସଂପର୍କର ହିସାବକିତାବରେ ଭୂଚଳନସୁଲଭ ପରିବର୍ତ୍ତନ ଘଟି ସାରିଥିବାରୁ ରୁଷୀୟ ତୈଳକୁ ଅସ୍ପୃଶ୍ୟ ବୋଲି ଯୁକ୍ତରାଷ୍ଟ୍ର ଆମେରିକା (ଏବଂ କେତେକ ୟୁରୋପୀୟ ରାଷ୍ଟ୍ର) ଦ୍ବାରା ବିବେଚନା କରାଯାଉଛି। କିନ୍ତୁ, ଏଭଳି ବିଚାରରେ ଯେଉଁ ବିଡ଼ମ୍ବନାଟି ନିହିତ, ତାହା ମଧ୍ୟ ପ୍ରଣିଧାନଯୋଗ୍ୟ।
ଏହା ସୁବିଦିତ ଯେ ରୁଷୀୟ ତୈଳ ଖର୍ଦ୍ଦି କରିବାରୁ ନିବୃତ୍ତ ରହିବାକୁ ଭାରତକୁ ବାଧ୍ୟ କରିବା ପଛରେ ଟ୍ରଂପ ଦର୍ଶାଉଥିବା ଏକମାତ୍ର କାରଣ ଥିଲା ଏହା ଯେ ଭାରତକୁ ତୈଳ ବିକ୍ରୟ କରି ରୁଷିଆ ଲାଭ କରୁଥିବା ଅର୍ଥକୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଓ ରକ୍ତପାତରେ ବ୍ୟୟ କରାଯାଉଛି, ଯାହାର ଅର୍ଥ ୟୁକ୍ରେନୀୟମାନଙ୍କ ରକ୍ତରେ ଭାରତର ହସ୍ତ ମଧ୍ୟ ରଂଜିତ। କିନ୍ତୁ, ଏକ ଦାରୁଣ ବାସ୍ତବତା ହେଲା, ଖଣିଜ ତୈଳର ବ୍ୟବସାୟ ସଂକ୍ରାନ୍ତରେ ଆମେରିକାର ଇଙ୍ଗିତକୁ ଅମାନ୍ୟ କରୁଥିବା ଦେଶଗୁଡ଼ିକ ଆମେରିକା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆକ୍ରମଣର ଶିକାର ହୋଇ ଧ୍ବସ୍ତବିଧ୍ବସ୍ତ ହୋଇଛନ୍ତି ଏବଂ ଅକଥନୀୟ ମାନବ ଜୀବନ ହାନି ଓ ରକ୍ତପାତ ଦେଖିଛନ୍ତି। ଖଣିଜ ତୈଳ କାରବାର ନେଇ ଆମେରିକାର ପ୍ରଚ୍ଛନ୍ନ ଆଦେଶକୁ ଭ୍ରୂକ୍ଷେପ କରି ନ ଥିବା କାରଣରୁ ଇରାକ ରାଷ୍ଟ୍ରପତି ସଦ୍ଦାମ ହୁସେନ ଜଣେ ମିତ୍ରରୁ ଶତ୍ରୁରେ ପରିଣତ ହୋଇଥିଲେ। ତା’ ପରେ ପ୍ରଥମ ଓ ଦ୍ବିତୀୟ ଗଲ୍ଫ ଯୁଦ୍ଧରେ ଇରାକ ବିଧ୍ବସ୍ତ ହେଲା, ସଦ୍ଦାମ ହୁସେନ କ୍ଷମତାଚ୍ୟୁତ ହୋଇ ମୃତ୍ୟୁ ଦଣ୍ଡ ଦ୍ବାରା ଦଣ୍ଡିତ ହେଲେ, ଆମେରିକା ବିରୋଧୀ ସ୍ବର ନିର୍ବାପିତ ହୋଇଗଲା। ପ୍ରକାଶ ଥାଉ କି ଅନ୍ୟ ଆରବ ରାଷ୍ଟ୍ରଗୁଡ଼ିକ ଆମେରିକାର ଅନୁଗତ ହୋଇ ରହି କ୍ରୋଧର ଶିକାର ହୋଇ ନାହାନ୍ତି। ଅନେକ ବିଶେଷଜ୍ଞଙ୍କ ମତରେ ଇରାକ ହେଉ ବା ଲିବିୟା ବା ଭେନେଜୁଏଲା ଅଥବା ଇରାନ; ଏମାନଙ୍କ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ପଛରେ ଦୁଇଟି କାରଣ ବିଦ୍ୟମାନ। ପ୍ରଥମଟି ହେଲା ଏ ସବୁ ଦେଶ ପ୍ରଚୁର ଖଣିଜ ତୈଳ ସଂସାଧନ ଦ୍ବାରା ପରିପୁଷ୍ଟ। ଦ୍ବିତୀୟରେ ଏହି ରାଷ୍ଟ୍ରର କ୍ଷମତାସୀନ ସରକାରଗୁଡ଼ିକ ଖଣିଜ ତୈଳ ବିପଣନ କ୍ଷେତ୍ରରେ ଆମେରିକାର କର୍ତ୍ତୃତ୍ବକୁ ବିଶେଷ ଗୁରୁତ୍ବ ପ୍ରଦାନ କରି ନାହାନ୍ତି। ପ୍ରକାଶ ଥାଉ କି ଭେନେଜୁଏଲାରେ ୩୦୩ ବିଲିଅନ ବ୍ୟାରେଲ ଖଣିଜ ତୈଳ ଗଚ୍ଛିତ ହୋଇ ରହିଥିବା ବେଳେ ଇରାନରେ ମହଜୁଦ ଖଣିଜ ତୈଳର ପରିମାଣ ହେଉଛି ୨୦୮ ବିଲିଅନ ବ୍ୟାରେଲ। ସଂପ୍ରତି ଇରାନ ଉପରେ ସଂଘଟିତ ହୋଇ ଚାଲିଥିବା ଆକ୍ରମଣ ପରିପ୍ରେକ୍ଷୀରେ ଅନେକ ବିଶେଷଜ୍ଞ କହନ୍ତି ଯେ ଆମେରିକା ସେହି ପୁରୁଣା ରଣକୌଶଳ ଅବଲମ୍ବନ କରି ଇରାନକୁ ଚୂର୍ଣ୍ଣ କରିବାରେ ପ୍ରମତ୍ତ, ଯେମିତି ଅଚିେର ସେଠାରେ କୌଣସି ଏକ କାକୁସ୍ଥ ସ୍ବରର ଆବିର୍ଭାବ ଘଟି ଆମେରିକାର ବଶ୍ୟତା ସ୍ବୀକାର କରିବ। ଏଠାରେ ଏ ସବୁ ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଲା ଖଣିଜ ତୈଳର ବିପଣନ ସଂଦର୍ଭରେ ନୈତିକ ମୂଲ୍ୟବୋଧର ପ୍ରବେଶ ଘଟାଇ ରୁଷୀୟ ତୈଳକୁ ଅସ୍ପୃଶ୍ୟ ବୋଲି ପରିଭାଷିତ କରିଥିବା ଆମେରିକାର ଲୋଲୁପ ଦୃଷ୍ଟି ହେତୁ ଖଣିଜ ତୈଳ ସମୃଦ୍ଧ ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ବ କ୍ଷୁଣ୍ଣ ହୋଇଛି, କ୍ଷମତାସୀନ ସରକାରଗୁଡ଼ିକ ଭୂଲୁଣ୍ଠିତ ହୋଇଛନ୍ତି, ଅବିଚାରିତ ବୋମା ମାଡ଼ରେ ନିରୀହ ନାଗରିକମାନଙ୍କ ରକ୍ତରେ ସେମାନଙ୍କ ମାତୃଭୂମି ସ୍ନାତ ହୋଇଛି।
ଅବଶ୍ୟ, ମାସକ ସକାଶେ ରୁଷୀୟ ତୈଳ ସ୍ପୃଶ୍ୟ ହୋଇଛି, କାରଣ ପୃଥିବୀର ଚାହିଦା ପୂରଣ କରିବା ସକାଶେ ଏହା ଆବଶ୍ୟକ। କହିବା ବାହୁଲ୍ୟ, ଏଥିରେ ଆମେରିକାର ଚରମ ସୁବିଧାବାଦୀ ମାନସିକତାକୁ ଦେଖିହୁଏ। ଆମେରିକା ପକ୍ଷରୁ ପ୍ରଦତ୍ତ ଏକ୍ସ ବାର୍ତ୍ତାରେ କୁହାଯାଇଛି ଯେ ମାତ୍ର ମାସଟିଏର ତୈଳ କିଣାବିକାରେ ରୁଷିଆ ସେମିତି ବିଶେଷ କିଛି ଆର୍ଥିକ ଲାଭ ପାଇପାରିବ ନାହିଁ। ଏବଂ ସେଥିରେ ଆଶା ପ୍ରକଟ କରାଯାଇଛି ଯେ ଏହି ସୀମିତ ସମୟର କାରବାର ପରେ ଆମେରିକାର ଗୋଟିଏ ଅତ୍ୟାବଶ୍ୟକ ଅଂଶୀଦାର ରାଷ୍ଟ୍ର ରୂପେ ଭାରତ ପୁଣି ପ୍ରଚୁର ଆମେରିକୀୟ ତୈଳ ଖର୍ଦ୍ଦି କରିବ। ଆମେରିକୀୟ ତୈଳ ବୋଇଲେ ଭେନେଜୁଏଲାରୁ ଉତ୍ତୋଳିତ ହେଉଥିବା ତୈଳକୁ ବୁଝାଏ। ତେଣୁ ଟ୍ରଂପଙ୍କ ନୈତିକ ମାନଦଣ୍ଡ ଅନୁସାରେ ପ୍ରଶ୍ନ କରାଯିବା ଉଚିତ ଯେ ଭେନେଜୁଏଲାର ତୈଳ କ୍ରୟରୁ ଆମେରିକା ଲାଭ କରୁଥିବା ଅର୍ଥ ଯଦି ମଧ୍ୟ-ପ୍ରାଚ୍ୟ ଯୁଦ୍ଧରେ ନିୟୋଜିତ ହୁଏ, େତବେ? କିନ୍ତୁ ପ୍ରଶ୍ନ କରିବ କିଏ? ଏ ସାମର୍ଥ୍ୟ କେବଳ ଚୀନ ପାଖରେ ରହିଛି, ଯାହା ଟାରିଫ ଯୁଦ୍ଧରେ ଆମେରିକାର ମୁକାବିଲା କରିବାକୁ ସମର୍ଥ। ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଥିଲେ ହେଁ ଟାରିଫ ଯୁଦ୍ଧରେ ଦୁର୍ବଳ ଦିଶୁଥିବା ଭାରତ ପାଖରେ ହୁଏତ ପ୍ରଶ୍ନ କରିବାର ଦମ୍ଭ ଜୁଟାଇବା କଷ୍ଟକର ହେବ।
ସୌଜନ୍ୟ ସମ୍ବାଦ




