ବାଲେଶ୍ବର: ମାଡ଼ି ଆସୁଛି ସମୁଦ୍ର। ଗିଳି ଚାଲିଛି ସ୍ଥଳଭାଗ। ବାଲେଶ୍ବର ଓ ଭଦ୍ରକ ଉପକୂଳରେ ସ୍ଥିତି ସଙ୍ଗିନ ହେଲାଣି। ଯାହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡ଼ିଛନ୍ତି। ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ କୋଷ୍ଟାଲ୍ ରିସର୍ଚ୍ଚ (ଏନ୍ସିସିଆର୍)ର ତଥ୍ୟ ଅନୁଯାୟୀ, ଓଡ଼ିଶାରେ ମୋଟ ୫୪୯.୫ କିମି ବେଳାଭୂମି ଥିବା ବେଳେ ୧୯୯୦ ମସିହାରୁ ୨୦୧୮ ମସିହା ମଧ୍ୟରେ ସମୁଦ୍ର ୧୪୦.୨ କିମି ଅଞ୍ଚଳ ଗିଳିସାରିଲାଣି। ସେହିପରି ଗତ ୭ବର୍ଷ ମଧ୍ୟରେ ପ୍ରାୟ ୮ କିମିରୁ ଅଧିକ ଉପକୂଳ ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି।
ସୂଚନା ଅନୁସାରେ, ବାଲେଶ୍ବରରେ ୯୨.୧୪ କିମି ଏବଂ ଭଦ୍ରକରେ ୫୯.୮୮ କିମି ଉପକୂଳ ରହିଛି। ଏଠାରେ ସମୁଦ୍ର କ୍ରମଶଃ ଉପକୂଳକୁ ଗିଳିଚାଲିଛି। ବାଲେଶ୍ବରରେ ୨୧.୬ କିମି ଅଞ୍ଚଳ ସମୁଦ୍ର ଆଁରେ ଥିବାବେଳେ ୫.୫୦ କିମି ଅଞ୍ଚଳ ସବୁଠାରୁ ଅଧିକ ସମ୍ବେଦନଶୀଳ ଏବଂ ୧୬.୧୦ କିମି ଅପେକ୍ଷାକୃତ କମ୍ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ସେହିପରି ଭଦ୍ରକରେ ୧୩.୫୬ କିମି ଅଞ୍ଚଳ ସମୁଦ୍ର ଆଁରେ ଥିବା ବେଳେ ୬.୬୪ କିମି ଅଞ୍ଚଳ ସବୁଠାରୁ ଅଧିକ ସମ୍ବେଦନଶୀଳ ଏବଂ ୬.୯୨ କିମି ଅଞ୍ଚଳ ଅପେକ୍ଷାକୃତ କମ୍ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ବାଲେଶ୍ବର ତୁଳନାରେ ଭଦ୍ରକର ଉପକୂଳ ଅଞ୍ଚଳ ଯଥେଷ୍ଟ କମ୍ ଥିଲେ ବି ଅଧିକ କ୍ଷୟ ହେଉଛି। କେନ୍ଦ୍ରାପଡ଼ାରେ ସର୍ବାଧିକ ୩୧.୦୨ କିମି ଉପକୂଳ କ୍ଷୟ ହୋଇଥିବା ବେଳେ ଜଗତସିଂହପୁରରେ ୧୪.୫୮ କିମି ଏବଂ ପୁରୀରେ ୬.୬୮ କିମି ଉପକୂଳ କ୍ଷୟ ହୋଇଛି।
ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ନିୟମିତ ଉପକୂଳ କ୍ଷୟ ହେଉଥିବାରୁ ଶତାଧିକ ଗାଁ ଉପରେ ତା’ର ପ୍ରଭାବ ପଡ଼ିଛି। ଏକାଧିକ ଅଞ୍ଚଳରେ ଏକର ଏକର ଚାଷଜମି ଓ ଜନବସତି ସମୁଦ୍ର ଭିତରକୁ ଚାଲିଯାଇଛି। ଫଳରେ ଲୋକମାନେ ଚାଷ ଓ ବାସ ହରାଇଛନ୍ତି। ଏନେଇ ପରିବେଶପ୍ରେମୀ ତଥା ବିଶିଷ୍ଟ ଗବେଷକ ତରୁଣକାନ୍ତି ଓଝା କହିଛନ୍ତି, ଉପକୂଳ କ୍ଷୟ ଏକ ଚିନ୍ତାଜନକ ବିଷୟ। ଏହାର ପ୍ରତିକାର କରା ନ ଗଲେ ସମୁଦ୍ର ତଟବର୍ତ୍ତୀ ଅଧିକାଂଶ ଅଞ୍ଚଳ ସମୁଦ୍ର ଗର୍ଭକୁ ଚାଲିଯିବା ପାଇଁ ଆଉ ବେଶି ବର୍ଷ ଲାଗିବନି। ସମସ୍ୟାରୁ ମୁକୁଳିବାକୁ ହେଲେ ସମ୍ବେଦନଶୀଳ ଅଞ୍ଚଳରେ ଦୃଢ଼ ଲୁଣାବନ୍ଧ ନିର୍ମାଣ କରିବାକୁ ପଡ଼ିବ। ସେହିପରି ବ୍ୟାପକ ଲୁଣାଜଙ୍ଗଲ ସୃଷ୍ଟି କରାଯିବା ଆବଶ୍ୟକ।
ସୌଜନ୍ୟ ସମ୍ବାଦ