ସମ୍ପାଦକୀୟ

Editorial: ସେଲୁନରେ ସତ୍ୟେନ୍ଦୁ: ସତ୍ୟନାରାୟଣ ଗନ୍ତାୟତଙ୍କ ସଂପାଦକୀୟ ଲେଖନୀରୁ…

ଆପଣ ଯେତେ ଗର୍ବରେ ମଥା ଟେକି ରହିଥାନ୍ତୁ ନା କାହିଁକି, ସେଲୁନ ହେଉଛି ଏମିତି ଗୋଟେ ଥାନ, ଯେଉଁଠି ବୋଲାଯିବା କ୍ଷଣି ଆପଣ କିଞ୍ଚିତ ମଥା ନୁଆଁଇବାକୁ ବାଧ୍ୟ ହେବେ। ସତ୍ୟେନ୍ଦୁ ସେ ଦିନ ଗଡ଼ଗଡ଼ା ସହରର ସେଇ ସର୍ବଜନ ଖ୍ୟାତ ‘ଲଭଲି ହେୟାର୍ ଷ୍ଟାଇଲ୍‌ସ’ ଆଗରେ ଠିଆ ହେଉ ହେଉ ତା’ ମନରେ ଉପରୋକ୍ତ ଧାଡ଼ିଟି ଖେଳିଗଲା।

ସେଲୁନରେ ସତ୍ୟେନ୍ଦୁ

ସତ୍ୟନାରାୟଣ ଗନ୍ତାୟତ

ଆପଣ ଯେତେ ଗର୍ବରେ ମଥା ଟେକି ରହିଥାନ୍ତୁ ନା କାହିଁକି, ସେଲୁନ ହେଉଛି ଏମିତି ଗୋଟେ ଥାନ, ଯେଉଁଠି ବୋଲାଯିବା କ୍ଷଣି ଆପଣ କିଞ୍ଚିତ ମଥା ନୁଆଁଇବାକୁ ବାଧ୍ୟ ହେବେ। ସତ୍ୟେନ୍ଦୁ ସେ ଦିନ ଗଡ଼ଗଡ଼ା ସହରର ସେଇ ସର୍ବଜନ ଖ୍ୟାତ ‘ଲଭଲି ହେୟାର୍ ଷ୍ଟାଇଲ୍‌ସ’ ଆଗରେ ଠିଆ ହେଉ ହେଉ ତା’ ମନରେ ଉପରୋକ୍ତ ଧାଡ଼ିଟି ଖେଳିଗଲା। ସେଇ ସେଲୁନରେ ହିଁ ମୂଳରୁ ସତ୍ୟେନ୍ଦୁ କେଶ କର୍ତ୍ତନ ଓ ଦାଢ଼ି ବର୍ଜନ କରିଆସୁଛି। କିନ୍ତୁ ସେ ଦିନ ସେଠି ‘ଜେନ୍ ନେକ୍‌ସଟ ମେନ୍‌ସ ପାର୍ଲର୍’ ଲେଖା ଥିବା ଗ୍ଲୋ ସାଇନ୍ ବୋର୍ଡ ଦେଖି ସେ ପହିଲେ ଚମକି ଗଲା। ଭିତରେ ପଶନ୍ତେ ଆହୁରି ଅଧିକ ଚମକିବା ବାକି ଥିଲା, କାରଣ ଫ୍ରେଞ୍ଚ କଟ୍ ଦାଢ଼ି ଓ ଲମ୍ବା କେଶକୁ ଅଜବ ଢଙ୍ଗରେ ଜୁଡ଼ା ପ୍ରାୟେ ବାନ୍ଧି ଚଇନି ଫିଟ ଯୁବକ ଜଣକ ଆଗେଇ ଆସି ତାକୁ କୁର୍ନିସ କରି କହିଲା: ନମସ୍ତେ ସାର୍, ଆଜି ଆପଣଙ୍କ ପାଦ ପଡ଼ିଲା, ଆମ ସୌଭାଗ୍ୟ! ସାର୍, ଆପଣ ମୋ ଜେଜେ ରାମମୂର୍ତ୍ତି ଓ ବାପା ଗୁରୁମୂର୍ତ୍ତିଙ୍କ ବେଳର ଗ୍ରେଟ୍ କଷ୍ଟମର୍! ମୁଁ ସାର୍ ଗୁରୁମୂର୍ତ୍ତି ପୁଅ ତେଜେଶ, ଡାକ ନାଁ ତେଜା!

ସତ୍ୟେନ୍ଦୁ ତା’ କଥା ଶୁଣି ଓ ଇତି ମଧ୍ୟରେ ଏସି, ସିସିଟିଭି ଓ ଏଲସିଡି ସ୍କ୍ରିନ ସହ ଅତ୍ୟାଧୁନିକ ସାଜସଜ୍ଜା ସମ୍ବଳିତ ସେଲୁନର ରୂପ ନିରୀକ୍ଷଣ କରୁଥିବା ଦେଖି ତେଜା କହିଲା, ‘‘ସାର୍, ଏବେ ଆମ ଘର ପାଖରେ ଥିବା ଖାଲି ପଡ଼ିଆରେ ମଲ୍‌ ଓ ମଲ୍‌ଟିପ୍ଲେକ୍‌ସ ହେବା ପରେ ଆମ ଘରର କମ୍ପାଉଣ୍ଡକୁ ଲାଗି ଗୋଟେ ଛୋଟ ରୁମ୍‌ କରି ସେଠାକୁ ଆଗର ସେଲୁନ ନେଇଯାଇଛୁ। ବାପା, ଆଗ ପରି ସେ ସେଲୁନ ଚଳାଉଛନ୍ତି।

ସତ୍ୟେନ୍ଦୁ ପଚାରିଲା- ‘ଆଚ୍ଛା, ତମେ ପରା ପଢୁଥିଲ! ବାପା ଥରେ କହୁଥିଲେ!’
କେଶ କର୍ତ୍ତନ ଆରମ୍ଭ କରିଥିବା ତେଜା ସେମିତି ହାତ ଚାଲୁ ରଖି ତା’ କଥା ସୁରୁ କରିଦେଲା- ‘ହଁ ସାର୍, ମୁଁ ଆର୍କିଟେକଚର୍ ଡିପ୍ଲୋମା କରିଛି। ଭଲ ପ୍ଲେସ୍‌ମେଣ୍ଟ ବି ପାଇଥିଲି। ହେଲେ ବାପା ମା’ଙ୍କ ଗୋଟେ ବୋଲି ପୁଅ। ଭଉଣୀଟି ବାହା ହୋଇ ଯାଇଛି। ବାପା ତ ଆମ କୌଳିକ ବୃତ୍ତି ଓ ଏ ଜନ୍ମମାଟି ଛାଡ଼ି ବାହାରକୁ ଯିବେନି। ତେଣୁ ମୁଁ ବି ଏଠି ରହିଗଲି। ମୋ ଭିଣୋଇ ବି.ଟେକ୍! କିନ୍ତୁ ତାଙ୍କ ସହରରେ ସେ ଗୋଟେ ମଡର୍ନ ମେନ୍‌ସ ସେଲୁନ ଚଳାଉଛନ୍ତି। ତାଙ୍କ କାରବାର ବଢ଼ିଆ ଚାଲିଛି। ତେଣୁ ଏ ପଟେ ମୁଁ ବି ଖୋଲି ଦେଲି।
ସତ୍ୟେନ୍ଦୁ କହିଲା- ବହୁତ ଭଲ କଲ। ହେଲେ, ତମ ପାଠ ଯାହା ପାଣିରେ ଗଲା।

ଦର୍ପଣରେ ସତ୍ୟେନ୍ଦୁ ଦେଖୁଥାଏ ଯେ ଚୁଟି କଟାରେ ନିମଗ୍ନ ତେଜା ନିର୍ବିକାର ଭାବେ କହିଲା- ନା ସାର୍, ମୋ ପାଠ ପାଣିରେ ପଡ଼ିନି। ମୁଁ ମ୍ୟୁନିସିପାଲିଟି ଓ ସ୍ପେସାଲ ପ୍ଲାନିଂ ଅଥରିଟିର ବିଲଡିଂ ଡିଜାଇନିଂ ଓ ଏଷ୍ଟିମେସନ ପାଇଁ ଲାଇସେନ୍‌ସ ପାଇଛି। କେତେକ ବିଲ୍‌ଡର ଓ ହୋମ୍‌ ଫାଇନାନ୍‌ସ କଂପାନି ଲାଗି କନ୍‌ସଲଟାଣ୍ଟ ବି ଅଛି। ସେ ସବୁ କାମ ବି ଚାଲିଛି।

ଏତିକି କହି ସେ ସତ୍ୟେନ୍ଦୁ ଉଦ୍ଦେଶ୍ୟରେ କହିଲା- ସାର୍, ଲାଗୁଚି ଆପଣ ଗୁଡ଼ାଏ ମାସ ଧରି ହେୟାର କେୟାର କରି ନାହାନ୍ତି। ଭଲ ହେଲା। ଆଜି ଆପଣଙ୍କ ଗର୍ଜିଅସ ପର୍ସନାଲିଟିକୁ ମ୍ୟାଚ୍ କଲା ଭଳି ଟୋଟାଲ୍ ଟ୍ରିଟମେଣ୍ଟ ମୁଁ କରିଦେବି! ଆପଣ ସାର୍‌ ଆମର ପ୍ରାଇମ କଷ୍ଟମର।

ସତ୍ୟେନ୍ଦୁ ଏକ ସିଂହାସନ ବାଗିଆ ଘୂରନ୍ତା ଚୌକିରେ ବସୁବସୁ ଆଗରୁ ଜଣାଇ ଦେବା ଉଚିତ ମଣି କହିଲା- ଦେଖ ବାବୁ, ମୁଁ ଜଣେ ରିଟାୟାର୍ଡ ବ୍ୟାଙ୍କ ଅଫିସର। ପୁଣି ଲେଖାଲେଖି କରେ। ସମୟ ଅଭାବରୁ ଆସିବାରେ ଡେରି ହୋଇଗଲା ବୋଲି ଚୁଟି ଅଲରା ହୋଇଯାଇଛି। ତେଣୁ ତାକୁ କାଟି ଛୋଟ କରିଦିଅ। ଦାଢ଼ି-ନିଶ ସାଫ୍ କରିଦିଅ। ବାସ୍।’’
ତେଜା ଏବେ ପଚାରିଲା- କିନ୍ତୁ ହେୟାର୍ ଡାଇଂ ତ ସିଓର କରିବେ ସାର୍?
ସତ୍ୟେନ୍ଦୁ କହିଲା- ନା, ମୁଁ ଘରେ ଚୁଟି ରଙ୍ଗ କରେ। ଆଉ ମୋ ରଙ୍ଗ ଅଲଗା। ମୁଁ ହୋମିଓପାଥିକ ରଙ୍ଗ ଲଗାଏ।
ତେଜା ପୂରା ଗୋଟେ ନୂଆ ପ୍ୟାକେଟ କାଢ଼ି ଦେଖାଇ କହିଲା- ଏଇ ରଙ୍ଗ ତ ସାର? ଆମ ପାଖରେ ବି ଅଛି! ଏଇ କଲେଜର ପ୍ରିନ୍‌ସିପାଲ ସାର୍ ବି ଏଇଟା ୟୁଜ୍ କରନ୍ତି। ଆମେ ଏଠି ନୂଆ ବ୍ରସ୍, ନୂଆ ଗ୍ଲୋଭ୍‌ସ ସବୁ ବ୍ୟବହାର କରୁ। ଆପଣଙ୍କ ହେୟାର୍ ଡାଇଂ ବି କରିଦେବା, ସାର୍।

ସତ୍ୟେନ୍ଦୁ ବାଧ୍ୟ ହୋଇ ହଁ ଭରନ୍ତେ ତେଜା ଟିକିଏ ନଇଁ ପଡ଼ି ଅତି ବିନମ୍ରତାର ସହିତ ଯାହା କହିଲା ତାହା ସତ୍ୟେନ୍ଦୁ କାନକୁ ବିଶ୍ବାସ କରି ପାରିଲା ନାହିଁ। ତେଜା କହିଲା- ସାର୍, ଆପଣ ବହୁତ ୟୁଥଫୁଲ! ଡେସିଂ ପର୍ସନାଲିଟି। କହିବେ ଯଦି ଗୋଟିଏ ସେକଣ୍ଡ ଭିତରେ ଆପଣଙ୍କ ଇଅର୍ ଲୋବ୍ ପିଅର୍ସିଂ କରି ଆପଣଙ୍କ ପର୍ସନାଲିଟିକୁ ମ୍ୟାଚ୍ କଲା ଭଳି ଗୋଟେ ସିମ୍ପଲ୍ ଷ୍ଟଡ୍ ପିନ୍ଧାଇ ଦିଅନ୍ତି!

ଚମକି ପଡ଼ିଲା ସତ୍ୟେନ୍ଦୁ! କ’ଣ କହୁଛି ଏ ଟୋକା? କାନ ଫୋଡ଼ି ରିଂ ପିନ୍ଧାଇବ? ଏ ବୟସରେ?

ସତ୍ୟେନ୍ଦୁ ଏଥର ତେଜାର ଆଖିରେ ଆଖି ମିଶାଇ କହିଲା- ଦେଖ ବାବୁ, ଜିନ୍‌ସ ଓ ଟି-ସାର୍ଟ ପିନ୍ଧି ଏଠିକୁ ଆସିଛି ବୋଲି ଭାବି ନିଅନା ଯେ ତୁମେ ଯେମିତି ଭାବୁଛ ‌ସେମିତି ଫେସନ ମୁଁ କରିବି! ଯଦି ପାରୁଛ କେବଳ ଚୁଟିରେ ରଙ୍ଗ ଦେଇ ମୋତେ ବିଦା କର!
ତେଜା ହଠାତ୍‌ ଗମ୍ଭୀର ହୋଇଗଲା ଏବଂ ନିରବରେ କାମ ସଂପାଦନ କଲା।

ସେଲୁନରୁ ବାହାରୁ ବାହାରୁ ସତ୍ୟେନ୍ଦୁ କହିଲା- ବାବୁ, ତୁମେ ବେଶ୍‌ ଭଲ ଚୁଟି କାଟିଲ। ତୁମର ହାତଯଶ ହେବ। ତୁମ ବ୍ୟବହାର ବି ବେଶ୍‌ ଭଲ। ତେଣୁ ବହୁତ ଗରାଖ ପାଇବ। କିନ୍ତୁ ଆମ ଭଳି ଲୋକଙ୍କ ଲାଗି ‘ଲଭଲି ହେୟାର ଷ୍ଟାଇଲ୍‌ସ’ ହିଁ ଠିକ୍‌। ଆମମାନଙ୍କ ଲାଗି ତୁମ ବାପା ଗୁରୁମୂର୍ତ୍ତି ହିଁ ଠିକ୍‌! ସେଇଠି ହିଁ ଆମମାନଙ୍କ ପୃଥିବୀ। ଏଇଟା ତ ପୂରା ନୂଆ ଦୁନିଆ?

ସତ୍ୟେନ୍ଦୁ ଘରକୁ ପାଦ ବଢ଼ା‌ଇଲା ଓ ବାଟରେ ଭାବୁଥିଲା ଯେ ଗଡ଼ଗଡ଼ା ସହର ବି ବଦଳୁଛି। ବାହାରୁ ପବନ ବହିଲାଣି!
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୯୦୯୬୭୫

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button