
ଭୁବନେଶ୍ୱର ୧୩/୦୩: ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ତିନି ଦିନ ବାକି ଅଛି । ସମୟ ଯେତିକି ଗଡ଼ୁଛି, ବିରୋଧୀ ବିଜେଡି ଓ କଂଗ୍ରେସରେ ସନ୍ଦେହ ସେତିକି ବଢ଼ୁଛି। ନିର୍ଦ୍ଦିଷ୍ଟ ଭାବେ ୭/୮ ଜଣ ବିଧାୟକଙ୍କ ମତିଗତି ଉପରେ ନଜର ଥିଲେ ବି ଅନ୍ୟମାନଙ୍କୁ ସମ୍ପୂର୍ଣ୍ଣ ଭରସା କରାଯାଇ ପାରୁ ନାହିଁ।
ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜେ ଏହି ନିର୍ବାଚନର ମଙ୍ଗ ଧରିଛନ୍ତି। ତେଣୁ କୌଣସି ଉପାୟରେ ବିଧାୟକଙ୍କୁ ଏକାଠି କରିବାକୁ ସବୁ କଳବଳ ଲଗାଇ ଦେଇଛନ୍ତି। ବିରୋଧୀ ଦଳ ଭୋଟ୍ ଭାଙ୍ଗିବାକୁ ବିଜେପି ବି ଦିନରାତି ଏକ୍ କରିଦେଇଛି। ଫଳରେ ରାଜ୍ୟସଭା ନିର୍ବାଚନ ରୋଚକ ମୋଡ଼କୁ ଆସିଯାଇଛି।
ସେପଟେ ରାଜ୍ୟସଭା ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ନିଷ୍ପତ୍ତି । ସବୁ ବିଜେଡି ବିଧାୟକଙ୍କୁ ଲେଖିଲେ ଚିଠି । ମୁଖ୍ୟ ସଚେତକ ଜାରି କରିଥିବା ହ୍ବିପକୁ ମାନିବାକୁ ଦେଲେ କଡା ନିର୍ଦ୍ଦେଶ । ଏହାସହ ଶୁକ୍ରବାର ଓ ଶନିବାର ନବୀନ ନିବାସରେ ସଂଧ୍ୟା ୫.୩୦ ରୁ ୭.୩୦ ପର୍ଯ୍ୟନ୍ତ ହେବାକୁ ଥିବା ଟ୍ରେନିଂରେ ଯୋଗଦେବାକୁ ନିର୍ଦ୍ଦେଶ।
ଏହାସହ ରବିବାର ହେବାକୁ ଥିବା ବିଧାୟକ ଦଳ ବୈଠକରେ ଯୋଗ ଦେବା ବାଧ୍ୟତାମୂଳକ। ଏହାକୁ ଅତି ଗୁରୁତର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଲେ ବିଜେଡି ସଭାପତି ନବିନ ପଟ୍ଟନାୟକ।ବିଜେଡି ପକ୍ଷରୁ ହ୍ବିପ୍ ଜାରି କରାଗଲା ପରେ କଂଗ୍ରେସ ପକ୍ଷରୁ ମଧ୍ୟ ତିନି ଧାଡ଼ିଆ ହ୍ବିପ୍ ଜାରି କରାଯାଇଛି। ୧୩ ତାରିଖରୁ ୧୬ ତାରିଖ ମଧ୍ୟରେ କୌଣସି ବିଧାୟକ ମୁଖ୍ୟାଳୟ ଛାଡ଼ି ନଯିବାକୁ କୁହାଯାଇଛି।
ପିସିସି ସଭାପତି ଭକ୍ତଚରଣ ଦାସ ପୁନର୍ବାର ବିଧାନସଭା ଯାଇ କଂଗ୍ରେସ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି। ଗଣମାଧ୍ୟମକୁ ଭକ୍ତ କହିଛନ୍ତି, ବିଜେପି ସୀମା ବାହାରକୁ ଯାଇ ରାଜନୈତିକ ଅସଦାଚରଣ କଲାଣି। ଛେଳି ମେଣ୍ଢା କିଣିବା ପରି କାରବାର କରୁଛନ୍ତି। ନିର୍ବାଚିତ ବିଧାୟକମାନଙ୍କର ସମ୍ମାନ ଅଛି। ଦଳ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଅଛି। ଦଳୀୟ ନିଷ୍ପତ୍ତି ଅନୁଯାୟୀ ସବୁ ବିଧାୟକ ଭୋଟ୍ ଦେବେ ବୋଲି ସେ ଦୋହରାଇଛନ୍ତି।
ସୌଜନ୍ୟ Prameya News7




