Editorial: ବ୍ୟୟ ବୁଦ୍ଧିମତ୍ତା
ଏହି ଅନୁଶୀଳନରେ ଯାହା ଅତ୍ୟନ୍ତ ସ୍ପଷ୍ଟ, ତାହା ହେଲା ବିତ୍ତର ପରିମାଣ ନୁହେଁ, ବିତ୍ତ ପରିଚାଳନାଗତ ବୁଦ୍ଧିମତ୍ତା ହିଁ ଆର୍ଥିକ ସ୍ବାସ୍ଥ୍ୟର ମୂଳ କଥା। ସେହି କାରଣରୁ ବିକାଶ କ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ କରିବା ସହିତ ବ୍ୟୟରେ ଶୃଙ୍ଖଳା....

ଏହି ଅନୁଶୀଳନରେ ଯାହା ଅତ୍ୟନ୍ତ ସ୍ପଷ୍ଟ, ତାହା ହେଲା ବିତ୍ତର ପରିମାଣ ନୁହେଁ, ବିତ୍ତ ପରିଚାଳନାଗତ ବୁଦ୍ଧିମତ୍ତା ହିଁ ଆର୍ଥିକ ସ୍ବାସ୍ଥ୍ୟର ମୂଳ କଥା। ସେହି କାରଣରୁ ବିକାଶ କ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ କରିବା ସହିତ ବ୍ୟୟରେ ଶୃଙ୍ଖଳା ରଖି ଝାଡ଼ଖଣ୍ଡ ପୂର୍ବ ତାଲିକାର ତ୍ରୟୋଦଶତମ ସ୍ଥାନରୁ ଲମ୍ଫ ମାରି ଏଥର ଦ୍ବିତୀୟ ସ୍ଥାନରେ ପହଞ୍ଚିଛି।
ଗଲା ୧୧ ତାରିଖରେ ‘ନିତି ଆୟୋଗ’ ଦ୍ବାରା ପ୍ରକାଶିତ ‘ଫାଇନାନସିଆଲ ହେଲ୍ଥ ଇନ୍ଡେକ୍ସ’ (ଏଫ.ଏଚ.ଆଇ.) ବା ‘ଆର୍ଥିକ ସ୍ବାସ୍ଥ୍ୟ ସୂଚକାଙ୍କ’ ତାଲିକା ଆମକୁ ଆହ୍ଲାଦିତ କରିବାର ବିଶେଷ କାରଣ ହେଲା ଗଲା ବର୍ଷ ଭଳି ଏ ବର୍ଷ ମଧ୍ୟ ଆମ ରାଜ୍ୟ ତାଲିକାର ଶୀର୍ଷତମ ସ୍ଥାନରେ ରହିଛି; ଅର୍ଥାତ୍ ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ସର୍ବାଧିକ ସୁସ୍ଥ। ପ୍ରକାଶ ଥାଉ କି, ୨୦୨୫ ମସିହାରେ ପ୍ରଥମ କରି ‘ଏଫ.ଏଚ.ଆଇ.’ ରିପୋର୍ଟ ଆତ୍ମପ୍ରକାଶ କରିଥିବା କରିଥିଲା। ଏଥିରେ ପାଞ୍ଚଟି ମାପଦଣ୍ଡ ଆଧାରରେ ଯାଞ୍ଚ କରାଯାଇ ସୁବିସ୍ତୃତ ତର୍ଜମା ଏବଂ ସୁଦୃଶ୍ୟ ଗ୍ରାଫ୍ ଓ ଗ୍ରାଫିକ୍ସ ମାଧ୍ୟମରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ବାସ୍ଥ୍ୟ ବିଷୟରେ ଜଣାଇ ଦିଆଯାଇଛି। ତେବେ, ସ୍ବାଭାବିକ ଭାବେ ପ୍ରଶ୍ନ ଉଠିପାରେ ଯେ ମୋଟ ଆୟ ଏବଂ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ଆମ ରାଜ୍ୟର ସ୍ଥାନ ଦେଶରେ ଯଥାକ୍ରମେ ଷୋଡ଼ଶ ଓ ଏକବିଂଶତମ (୨୦୨୩-୨୦୨୫ ଡେଟା ଅନୁସାରେ) ହୋଇଥିବା ବେଳେ ସ୍ବାସ୍ଥ୍ୟ ସୂଚକାଙ୍କରେ ଏହା ପ୍ରଥମ ସ୍ଥାନ ଅଧିକାର କରୁଛି କିଭଳି? ଏବଂ ଆର୍ଥିକ ସ୍ବାସ୍ଥ୍ୟ ଦୃଷ୍ଟିରୁ ମହାରାଷ୍ଟ୍ର ବା ତାମିଲନାଡୁ ବା କର୍ଣ୍ଣାଟକ ଭଳି ଉଚ୍ଚ ଆୟକାରୀ ବର୍ଗର ବନ୍ଧନୀ ମଧ୍ୟରେ ଥିବା ରାଜ୍ୟଗୁଡ଼ିକ ଓଡ଼ିଶା ତୁଳନାରେ ଦୁର୍ବଳତର ଦିଶନ୍ତି କାହିଁକି? ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
Editorial: ଜିତଶତ୍ରୁ ମହାନ୍ତିଙ୍କ ସମ୍ପାଦକୀୟରେ ସମୁଦ୍ର ଘାସର ପଡ଼ିଆରେ ଲୀଳାଖେଳା…
ଉଲ୍ଲେଖଯୋଗ୍ୟ ଯେ ‘ଏଫ.ଏଚ.ଆଇ.-୨୦୨୫’ରେ ୧୮ଟି ରାଜ୍ୟକୁ ଅନୁଶୀଳନଭୁକ୍ତ କରାଯାଇଥିବା ବେଳେ ‘ଏଫ.ଏଚ.ଆଇ.-୨୦୨୬’ରେ, ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକୁ ମିଶାଇ, ମୋଟ ୨୮ଟି ରାଜ୍ୟର ତର୍ଜମା କରାଯାଇଛି। ଗଲା ଥର ଓଡ଼ିଶା ୬୭.୩% ନମ୍ବର ସହିତ ପ୍ରଥମ ହୋଇଥିବା ବେଳେ ଏହି ବର୍ଷ ୭୧.୩% ନମ୍ବର ରଖି ସ୍ଥିତି ଅପରିବର୍ତ୍ତିତ ରଖିଛି। ଏହି ପ୍ରକରଣରେ ଯେଉଁ ପାଞ୍ଚଟି ମାପଦଣ୍ଡର ବ୍ୟବହାର କରାଯାଇଛି, ସେଗୁଡ଼ିକ ହେଲେ ଯଥାକ୍ରମେ ଆର୍ଥିକ ବ୍ୟୟର ଗୁଣବତ୍ତା, ରାଜସ୍ବ ସୃଷ୍ଟିର ସୂତ୍ର, ବ୍ୟୟରେ ସଂଯମ ବା ହିସାବ ମନସ୍କତା, ଋଣର ଆକାର ଏବଂ ପରିଶେଷରେ ଋଣ ସହନଶୀଳତା। ଉଦାହରଣ ସ୍ବରୂପ, ଯଦି ଭିତ୍ତିିଭୂମି ନିର୍ମାଣ ବା ସ୍ଥାୟୀ ସଂପଦ ସୃଷ୍ଟି ଭଳି ଦୂରଦୃଷ୍ଟିସଂପନ୍ନ କାର୍ଯ୍ୟରେ ରାଜ୍ୟର ଅର୍ଥ ବିନିଯୁକ୍ତ ବା ଖର୍ଚ୍ଚ ନ ହୋଇ ଦରମା, ପେନସନ, ମାଗଣା ବଣ୍ଟନ ଇତ୍ୟାଦି ଭଳି ଅଣଉତ୍ପାଦନଶୀଳ କାର୍ଯ୍ୟରେ ଲାଗେ, ତେବେ ଗୁଣବତ୍ତା ଦୃଷ୍ଟିରୁ ତାକୁ ନିକୃଷ୍ଟ ପର୍ଯ୍ୟାୟଭୁକ୍ତ କରାଯିବ। ତହିଁରୁ କୌଣସି ରାଜ୍ୟ ତା’ର ବ୍ୟୟରେ ପ୍ରଦର୍ଶନ କରୁଥିବା ସଂଯମ, ବୁଦ୍ଧିମତ୍ତା ଓ ହିସାବ-ମନସ୍କତା ବିଷୟରେ ଧାରଣା ମିଳିପାରେ। ସେମିତି କେନ୍ଦ୍ର ଅନୁଦାନ ଉପରେ ମାତ୍ରାଧିକ ନିର୍ଭରଶୀଳ ନ ହୋଇ ଟିକସଲବ୍ଧ ଆୟ ସହିତ ରୟାଲ୍ଟି ଓ ଡିଭିଡେଣ୍ଡ ଆଦି ସୂତ୍ରରୁ ରୋଜଗାର ଉପରେ ପ୍ରାଧାନ୍ୟକୁ ରାଜସ୍ବ ସୃଷ୍ଟିର ଉତ୍ତମ ମାର୍ଗ ରୂପେ ‘ନିତି ଆୟୋଗ’ ଗ୍ରହଣ କରିଛନ୍ତି। ସେହିଭଳି ମାତ୍ରାଧିକ ଋଣ କରିବା ଏବଂ ଋଣ ଅର୍ଥକୁ ମଧ୍ୟ ଅଣଉତ୍ପାଦନଶୀଳ କାର୍ଯ୍ୟରେ ବ୍ୟୟ କରିବାର ଉଚ୍ଚାଟକୁ ବିଚାର କରି କୌଣସି ରାଜ୍ୟର ଋଣ ସହନଶୀଳତା ଏବଂ ତଜ୍ଜନିତ ଆର୍ଥିକ ସ୍ବାସ୍ଥ୍ୟାବସ୍ଥାର ଆକଳନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ‘ଏଫ.ଏଚ.ଆଇ.’ ନିର୍ଦ୍ଧାରଣର ପ୍ରଥମ ଉଦ୍ୟମରେ ଉପରୋକ୍ତ ପାଞ୍ଚଟି ମାପ ଅନୁସାରେ, ୨୦୧୪ରୁ ୨୦୨୨ ମସିହା ମଧ୍ୟବର୍ତ୍ତୀ କାଳଖଣ୍ଡର, ‘ଡେଟା’ ସଂଗ୍ରହ କରାଯାଇ ରାଜ୍ୟଗୁଡ଼ିିକର ଆର୍ଥିକ ସ୍ବାସ୍ଥ୍ୟ ପରଖା ଯିବା ସହିତ ହାରାହାରି ହିସାବରେ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ତା’ ପରେ ୨୦୨୨-୨୩ ଆର୍ଥିକ ବର୍ଷର ‘ଡେଟା’ ଆଧାରରେ ସେହି ରାଜ୍ୟଗୁଡ଼ିକର ଆର୍ଥିକ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇ ପୂର୍ବ ତାଲିକା ସହିତ ମେଳ କରାଯାଇଥିଲା; ଯାହାର ଉଦ୍ଦେଶ୍ୟ ଥିଲା ଏହି ନୂତନ ଉଦ୍ୟମରେ ଗୋଟିଏ ସ୍ଥୂଳ ଧାରଣା ଆହରଣ କରିବା। ‘ଏଫ.ଏଚ.ଆଇ.-୨୦୨୫’ର ରିପୋର୍ଟରେ ଏ ସଂକ୍ରାନ୍ତ ଉଲ୍ଲେଖରୁ ଦେଖିବାକୁ ମିଳିଥିଲା ଯେ ପ୍ରାୟ ସମସ୍ତ ରାଜ୍ୟ କ୍ଷେତ୍ରରେ ୨୦୧୪-୨୦୨୨ର ସ୍ଥିତି ସହିତ ୨୦୨୨-୨୩ର ସ୍ଥିତି ଊଣାଅଧିକ ସମାନ ଥିଲା ବେଳେ କର୍ଣ୍ଣାଟକ ଏକ ତୀବ୍ର ସ୍ଖଳନ ଦର୍ଶାଇଛି, ଅର୍ଥାତ୍ ତାଲିକାର ତୃତୀୟ ସ୍ଥାନରୁ ଦଶମ ସ୍ଥାନକୁ ପତିତ ହୋଇଛି। ଚଳିତ ‘ଏଫ.ଏଚ.ଆଇ.’ ତାଲିକାରେ କର୍ଣ୍ଣାଟକ ଗୋଟିଏ ପାହାଚ ଉପରକୁ ଉଠି ରହିଛି ନବମ ସ୍ଥାନରେ। ଏଥର ସର୍ବାଧିକ ଉନ୍ନତ ପ୍ରଦର୍ଶନକାରୀ ତିନି ରାଜ୍ୟ ହେଉଛନ୍ତି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଗୋଆ। ପୂର୍ବ ‘ଏଫ.ଏଚ.ଆଇ.’ ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବା ଛତିଶଗଡ଼ ଏଥର ଷଷ୍ଠ ସ୍ଥାନକୁ ଖସି ଯାଇଛି। ପଞ୍ଜାବ ମାତ୍ର ୧୨.୫% ନମ୍ବର ରଖି ପୂର୍ବ ଥର ଭଳି ସର୍ବନିମ୍ନ ସ୍ଥାନରେ ରହିଛି, ଯଦିଓ ଏକ ବିତ୍ତଶାଳୀ ରାଜ୍ୟ ରୂପେ ପଞ୍ଜାବର ଚମକ ସମସ୍ତଙ୍କୁ ବିମୋହିତ କରିଥାଏ। ସୁତରାଂ, ‘ଏଫ.ଏଚ.ଆଇ.’ କହିଥାଏ ଯେ ଉତ୍ତମ ସ୍ବାସ୍ଥ୍ୟର ଅର୍ଥ ସୁଠାମ ମଞ୍ଜ, ବାହାର ଚେହେରା ନୁହେଁ!
‘ଏଫ.ଏଚ.ଆଇ.-୨୦୨୬’ ଅନୁସାରେ ଓଡ଼ିଶା ତା’ର ବଜେଟ ବରାଦର ପାଖାପାଖି ୮୦% ଅର୍ଥ ଭିତ୍ତିଭୂମି ନିର୍ମାଣ ଓ ବିକାଶମୂଳକ କାର୍ଯ୍ୟରେ ବ୍ୟୟ କରିଥିବା ବେଳେ ଋଣ ପରିମାଣ ହେଉଛି ରାଜ୍ୟର ମୋଟ ଆୟ ବା ‘ଜି.ଏସ.ଡି.ପି.’ର ମାତ୍ର ୧୮% ଏବଂ ପରିଶୋଧନୀୟ ସୁଧର ପରିମାଣ ହେଉଛି ରାଜସ୍ବର ମାତ୍ର ୬ ପ୍ରତିଶତ। ଏହା ଅତ୍ୟନ୍ତ ଆଦର୍ଶ ସ୍ଥାନୀୟ। ଏହି ତାଲିକାରେ ପ୍ରଥମ ତିନିଟି ରାଜ୍ୟକୁ ‘ଆଚିଭର୍ସ’ ବା ସଫଳ ବୋଲି ଅଭିହିତ କରାଯାଇଛି। ଏହା ପରେ ରହିଥିବା ତିନିଟି ବର୍ଗ ହେଉଛନ୍ତି ‘ଫ୍ରଣ୍ଟରନର୍’ ବା ‘ଅଗ୍ରଣୀ’, ‘ପରଫର୍ମର’ ବା ‘କର୍ମବୀର’ ଏବଂ ‘ଆାସପିରେସନାଲ’ ବା ‘ଅଭିଳାଷୀ।’ ଏଥିରେ ଦ୍ବିଧା ନାହିଁ ଯେ ନର୍ସରି ଶ୍ରେଣୀ ଶିଶୁମାନଙ୍କ ସକାଶେ ଦିଆଯାଉଥିବା ରେଜଲ୍ଟ ସିଟ୍ର ଦୃଷ୍ଟାନ୍ତ ଅନୁସରଣ କରି ଅତ୍ୟନ୍ତ ନିକୃଷ୍ଟ ପ୍ରଦର୍ଶନ ଲାଗି ମଧ୍ୟ ‘ନିତି ଆୟୋଗ’ଙ୍କ ପକ୍ଷରୁ କୌଣସି ନକାରାତ୍ମକ ବିଶେଷଣ ବ୍ୟବହାର କରାଯାଇନାହିଁ। ତେବେ, ଏହି ଅନୁଶୀଳନରେ ଯାହା ଅତ୍ୟନ୍ତ ସ୍ପଷ୍ଟ, ତାହା ହେଲା ବିତ୍ତର ପରିମାଣ ନୁହେଁ, ବିତ୍ତ ପରିଚାଳନାଗତ ବୁଦ୍ଧିମତ୍ତା ହିଁ ଆର୍ଥିକ ସ୍ବାସ୍ଥ୍ୟର ମୂଳ କଥା। ସେହି କାରଣରୁ ବିକାଶ କ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ କରିବା ସହିତ ବ୍ୟୟରେ ଶୃଙ୍ଖଳା ରଖି ଝାଡ଼ଖଣ୍ଡ ପୂର୍ବ ତାଲିକାର ତ୍ରୟୋଦଶତମ ସ୍ଥାନରୁ ଲମ୍ଫ ମାରି ଏଥର ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ଏହି ରିପୋର୍ଟ ଦର୍ଶାଇଛି ଯେ ‘ଆଚିଭର୍ସ’ ଏବଂ ‘ଫ୍ରଣ୍ଟରନର୍ସ’ ବନ୍ଧନୀଭୁକ୍ତ ରାଜ୍ୟଗୁଡ଼ିକ କେନ୍ଦ୍ର ଅନୁଦାନ ଆଡ଼କୁ ନ ଚାହିଁ ୬୦% ରାଜସ୍ବର ବନ୍ଦୋବସ୍ତ ନିଜେ କରନ୍ତି ଏବଂ ବିତ୍ତୀୟ ନିଅଣ୍ଟକୁ ୩% ମଧ୍ୟରେ ସୀମାବଦ୍ଧ ରଖନ୍ତି। ସେହି ଦୃଷ୍ଟିରୁ ପଞ୍ଜାବର ସ୍ଥିତି ଅତ୍ୟନ୍ତ ହତାଶାଜନକ, କାରଣ ସେ ରାଜ୍ୟର ଋଣର ଆକାର ହେଉଛି ‘ଜି.ଏସ.ଡି.ପି.’ର ୪୮% ଏବଂ ସମୁଦାୟ ଆୟର ୨୦% କେବଳ ସୁଧ ପରିଶୋଧରେ ହିଁ ଖର୍ଚ୍ଚ ହେଉଛି। ତାଲିକାରେ ପଞ୍ଜାବ ଉପରକୁ ଥିବା ତିନି ରାଜ୍ୟ ହେଲେ କେରଳ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ; ଯେଉଁମାନେ ଆୟର ୫୦ରୁ ୬୦ ପ୍ରତିଶତ ଅର୍ଥ ଦରମା, ପେନସନ, ଋଣ ପରିଶୋଧ ଓ ମାଗଣା ବଣ୍ଟନ ଭଳି ଅଣଉତ୍ପାଦନଶୀଳ କାର୍ଯ୍ୟରେ ନିଃଶେଷ କରିଛନ୍ତି। ଏହି ରିପୋର୍ଟରୁ ଯେଉଁ ଏକ ଧାରା ସ୍ପଷ୍ଟ ଦିଶିଥାଏ, ତାହା ହେଲା ଅଧିକରୁ ଅଧିକ ପରିମାଣର ଅର୍ଥ ମାଗଣା ବଣ୍ଟନ ବ୍ୟବସ୍ଥାରେ ବ୍ୟୟ କରୁଥିବା ରାଜ୍ୟଙ୍କ ସ୍ବାସ୍ଥ୍ୟରେ ସ୍ଖଳନ ଘଟିଛି।
କହିବା ବାହୁଲ୍ୟ ଯେ ‘ଏଫ.ଏଚ.ଆଇ.-୨୦୨୫’ ଏବଂ ୨୦୨୬ ହେଉଛି ଓଡ଼ିଶାର ପୂର୍ବବର୍ତ୍ତୀ ବିଜେଡି ସରକାରଙ୍କ ଆର୍ଥିକ ସୁପରିଚାଳନାର ସ୍ବୀକୃତି ପତ୍ର, କାରଣ ସେହି ସମୟର ‘ଡେଟା’କୁ େଘନି ଏହି ରିପୋର୍ଟ ପ୍ରକାଶିତ ହୋଇଛି। ସୁତରାଂ, ୨୦୨୭ ମସିହାରେ ପ୍ରକାଶିତ ହେବାକୁ ଯାଉଥିବା ସୂଚକାଙ୍କ ତାଲିକାରୁ ବର୍ତ୍ତମାନର କ୍ଷମତାସୀନ ସରକାରଙ୍କ ପ୍ରଦର୍ଶନ ବିଷୟରେ ଜଣା ପଡ଼ିବ। ଏଭଳି ସ୍ଥଳେ ଆଶା କରିବା ଉଚିତ ଯେ ଆମ ରାଜ୍ୟ ସରକାର ଏହି ବ୍ୟୟ ବୁଦ୍ଧିମତ୍ତା ବଜାୟ ରଖିବେ, କାରଣ ବିଶୃଙ୍ଖଳ ହେଲେ ଛତିଶଗଡ଼ ଭଳି ପତନର ସାମନା କରିବାକୁ ପଡ଼ିପାରେ।
ସୌଜନ୍ୟ ସମ୍ବାଦ




