Private bank: ଘରୋଇ ବ୍ୟାଙ୍କରେ କମିଲେ କର୍ମଚାରୀ: ଏଆଇ, ଅଟୋମେସନ ପ୍ରଭାବ

ମୁମ୍ବାଇ: ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗ୍ରାହକମାନଙ୍କ ହାତପାଆନ୍ତରେ ବ୍ୟାଙ୍କ ସେବା ପହଞ୍ଚାଇବାକୁ ବ୍ୟାଙ୍କଗୁଡ଼ିକ ବିପୁଳ ନିବେଶ କରୁଛନ୍ତି। ସେଥିରେ ସେମାନଙ୍କୁ ଉଲ୍ଲେଖନୀୟ ସଫଳତା ମିଳିଛି। ବ୍ୟାଙ୍କର ଉତ୍ପାଦକତା ବଢ଼ିବା ସହ ଆବଶ୍ୟକ ହେଉଥିବା କର୍ମଚାରୀ ମଧ୍ୟ ହ୍ରାସ ପାଇଛନ୍ତି। ୨୦୨୫-୨୬ରେ ଦେଶର ତିନିଟି ଘରୋଇ ବ୍ୟାଙ୍କରେ କର୍ମଚାରୀ ସଂଖ୍ୟା ହ୍ରାସ ପାଇଛି। ସେଗୁଡ଼ିକ ହେଉଛି ଆକ୍ସିସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଆର୍‌ବିଏଲ୍‌ ବ୍ୟାଙ୍କ। ଦେଶର ତୃତୀୟ ବୃହତ୍ତମ ଘରୋଇ ବ୍ୟାଙ୍କ ଆକ୍ସିସ୍‌ ବ୍ୟାଙ୍କରେ କର୍ମଚାରୀ ସଂଖ୍ୟା ୩୧୦୦ କମ୍‌ ହୋଇଛି। ୨୦୨୪-୨୫ରେ ବ୍ୟାଙ୍କର ମୋଟ୍‌ କର୍ମଚାରୀ ସଂଖ୍ୟା ୧,୦୪,୪୦୦ ଥିଲା। ୨୦୨୫-୨୬ରେ ତାହା ୧,୦୧,୩୦୦କୁ ଖସିଆସିଛି। ତେବେ କର୍ମଚାରୀ ସଂଖ୍ୟାରେ ଏକକାଳୀନ ହ୍ରାସ ଘଟିନାହିଁ। ବର୍ଷସାରା ପର୍ଯ୍ୟାୟକ୍ରମେ କର୍ମଚାରୀ କମ୍‌ ହୋଇଛନ୍ତି। ‌ସେହିପରି ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୩,୩୪୩ ଜଣ କର୍ମଚାରୀ କମିଛନ୍ତି। ୨୦୨୪-୨୫ରେ ବ୍ୟାଙ୍କର ମୋଟ୍‌ କର୍ମଚାରୀ ୨,୧୪,୫୨୧ ଥିଲା। ୨୦୨୫-୨୬ରେ ସେହି ସଂଖ୍ୟା ୨,୧୧,୧୭୮କୁ ହ୍ରାସ ପାଇଛି। ଅନ୍ୟତମ ବେସରକାରୀ ବ୍ୟାଙ୍କ ଆର୍‌ବିଏଲ୍‌ ବ୍ୟାଙ୍କରେ ମଧ୍ୟ ୯୪୯ ଜଣ କର୍ମଚାରୀ କମ୍‌ ହୋଇଛନ୍ତି। ବର୍ଷ ଭିତରେ ବ୍ୟାଙ୍କର କର୍ମଚାରୀ ସଂଖ୍ୟା ୧୪,୨୬୫କୁ ହ୍ରାସ ପାଇ ୧୩,୩୧୬କୁ ଖସିଆସିଛି।

ଏ ସମ୍ପର୍କରେ ବ୍ୟାଙ୍କର ଅଧିକାରୀ ସୁବ୍ରତ ମହାନ୍ତି କହିଛନ୍ତି ଯେ ଗତ କିଛି ବର୍ଷ ଧରି ବ୍ୟାଙ୍କ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିବେଶ କରୁଥିବାରୁ ଉତ୍ପାଦକତା ବଢ଼ିଛି। ବ୍ୟାଙ୍କ ୪୦୦ ନୂଆ ଶାଖା ଖୋଲିବା ସତ୍ତ୍ବେ କର୍ମଚାରୀ କମ୍‌ ହୋଇଛନ୍ତି। କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର ପ୍ରଭାବ ସମ୍ପର୍କରେ ସେ କହିଛନ୍ତି ଯେ ଶ୍ରମଶକ୍ତି ଉପରେ ତାହାର ବିଶେଷ ପ୍ରଭାବ ଅନୁଭୂତ ହୋଇନାହିଁ। କିନ୍ତୁ ତାହା ଜରିଆରେ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି। ବ୍ୟାଙ୍କ ଏହାର କେଉଁ ବିଭାଗରେ କର୍ମଚାରୀ ହ୍ରାସ କରିଛି ତାହା ସେ କହିନଥିଲେ। ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଶଶିଧର ଜଗଦିଷନ କହିଛନ୍ତି ଯେ ଜ୍ଞାନକୌଶଳରେ ବ୍ୟାଙ୍କର ନିବେଶ ଚାରି ଗୁଣା ବୃଦ୍ଧି ପାଇ ୧୦୦ କୋଟି ଡଲାରରେ ପହଞ୍ଚିଛି। ଆମେ ଏକ ପ୍ରଯୁକ୍ତି ପ୍ରଥମ ଅନୁଷ୍ଠାନ ଭାବେ ଆଗକୁ ବଢ଼ିବାକୁ ପ୍ରୟାସ କରୁଛୁ ବୋଲି ସେ କହିଛନ୍ତି। ଆପ୍‌ନା ଜବ୍‌ସ ମାର୍କେଟ୍‌ପ୍ଲେସ୍‌ର ସିଇଓ କାର୍ତ୍ତିକ ନାରାୟଣ କହିଛନ୍ତି ଯେ ଏଆଇ ନୁହେଁ ଅଟୋମେସନ ପ୍ରଭାବରେ ବ୍ୟାଙ୍କରେ କର୍ମଚାରୀ କମ୍‌ ହୋଇଛି। ଶାଖା ସ୍ତରରେ କର୍ମଚାରୀ ସଂଖ୍ୟା ପ୍ରାୟ ସ୍ଥିର ରହିଛି। କିନ୍ତୁ ବିକ୍ରି ଓ ଗ୍ରାହକ ସହାୟତା ବିଭାଗରେ ଡିଜିଟାଲ ସେବା ତ୍ବରାନ୍ବିତ ହୋଇଥିବାରୁ କର୍ମଚାରୀ ଆବଶ୍ୟକତା ହ୍ରାସ ପାଇଛି।

କେଉଁ ବ୍ୟାଙ୍କରେ କେତେ

ବ୍ୟାଙ୍କ କର୍ମଚାରୀ ହ୍ରାସ

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୩୩୪୩
ଆକ୍ସିସ୍‌ ବ୍ୟାଙ୍କ ୩୧୦୦

ଆର୍‌ବିଏଲ୍‌ ବ୍ୟାଙ୍କ ୯୪୯

ସୌଜନ୍ୟ ସମ୍ବାଦ