ଓଡିଶାମହାନଗର

RVNL ପ୍ରକଳ୍ପ ସାଇଟ୍ ପରିଦର୍ଶନ କଲେ ଓଡ଼ିଶା ପ୍ରତିନିଧି ଦଳ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପିଆଇବି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଉତ୍ତରାଖଣ୍ଡ ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଋଷିକେଶ ସ୍ଥିତ ରେଳ ବିକାଶ ନିଗମ ଲିମିଟେ

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପିଆଇବି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଉତ୍ତରାଖଣ୍ଡ ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଋଷିକେଶ ସ୍ଥିତ ରେଳ ବିକାଶ ନିଗମ ଲିମିଟେଡ୍ (ଆରଭିଏନଏଲ୍) ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଚାଲିଥିବା ଏହି ବିଶାଳ ରେଳ ପ୍ରକଳ୍ପର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିବା ସହ ଏହାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଥିଲେ।

ଆରଭିଏନଏଲ୍‌ର ଡିଜିଏମ୍ (ସିଭିଲ୍) ଶ୍ରୀ ଓମ୍ ପ୍ରକାଶ ମାଲଗୁଡୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱାଗତ କରିବା ସହ ବହୁ ପ୍ରତିକ୍ଷିତ ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ଲାଇନ୍ ପ୍ରକଳ୍ପର ଗୁରୁତ୍ୱ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ସେ ସୂଚନା ଦେଇଥିଲେ ଯେ, ପ୍ରାୟ ୩୭,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ୧୨୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳ ପଥ ଉତ୍ତରାଖଣ୍ଡର ୫ଟି ଜିଲ୍ଲା ଯଥା ଡେରାଡୁନ, ଟିହରୀ, ପୌଡ଼ି, ରୁଦ୍ରପ୍ରୟାଗ ଏବଂ ଚାମୋଲିକୁ ସଂଯୋଗ କରିବ। ହିମାଳୟ ଅଞ୍ଚଳରେ ଏହି ପ୍ରକଳ୍ପଟିକୁ ଭାରତୀୟ ରେଳବାଇର ଅନ୍ୟତମ ଚ୍ୟାଲେଞ୍ଜିଙ୍ଗ ଇଞ୍ଜିନିୟରିଂ କାର୍ଯ୍ୟ ଭାବେ ବିଚାର କରାଯାଉଛି।

ଏହି ପ୍ରକଳ୍ପର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏହାର ନିର୍ମାଣ ଶୈଳୀ। ପ୍ରକଳ୍ପର ପ୍ରାୟ ୮୫ ପ୍ରତିଶତ ଅଂଶ ଟନେଲ୍ ବା ସୁଡ଼ଙ୍ଗ ମଧ୍ୟ ଦେଇ ଗତି କରିବ, ଯାହା ଏହାକୁ ଦେଶର ଅନ୍ୟତମ ଟନେଲ୍-ସମୃଦ୍ଧ ରେଳ ପ୍ରକଳ୍ପରେ ପରିଣତ କରିଛି। ଏଥିପାଇଁ ୧୦୦ କିଲୋମିଟରରୁ ଅଧିକ ଦୂରତା ମଧ୍ୟରେ ୧୬ଟି ବଡ଼ ସୁଡ଼ଙ୍ଗ ଏବଂ ଗଭୀର ନଦୀ ଉପତ୍ୟକାରେ ଏକାଧିକ ବୃହତ୍ ପୋଲ ନିର୍ମାଣ କରାଯାଉଛି। ପରିଦର୍ଶନ ଅବସରରେ ପ୍ରତିନିଧି ଦଳ ପ୍ରସ୍ତାବିତ ଶିବପୁରୀ ଷ୍ଟେସନ ପର୍ଯ୍ୟନ୍ତ ନିର୍ମାଣାଧୀନ ସୁଡ଼ଙ୍ଗ ମଧ୍ୟକୁ ଯାଇ କାର୍ଯ୍ୟର ସ୍ଥିତି ପରଖିଥିଲେ। ହିମାଳୟର କଠିନ ପଥର କାଟି କିଭଳି ଅତ୍ୟାଧୁନିକ ଜ୍ଞାନକୌଶଳରେ ରେଳପଥ ନିର୍ମାଣ କରାଯାଉଛି, ସେ ବିଷୟରେ ସାମ୍ବାଦିକମାନେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ।

ଏହି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପାର୍ବତ୍ୟ ଜିଲ୍ଲାଗୁଡ଼ିକୁ ଯାତାୟାତ ଅତି ସହଜ ହେବା ସହ ଉତ୍ତରାଖଣ୍ଡର ପ୍ରମୁଖ ଧର୍ମପୀଠଗୁଡ଼ିକୁ ଶ୍ରଦ୍ଧାଳୁମାନେ ସ୍ୱଳ୍ପ ସମୟରେ ଯାଇପାରିବେ। ଏହା ଦ୍ୱାରା ଅଞ୍ଚଳର ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ସହ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆସିବ ବୋଲି ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି। ଏହି ପ୍ରତିନିଧି ଦଳକୁ ପିଆଇବି ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ମହେନ୍ଦ୍ର ଜେନା ଓ ସୂଚନା ସହାୟକ  ବିକାଶ ରଞ୍ଜନ ଦଳାଇ ପରିଚାଳନା କରୁଛନ୍ତି। ପରିଦର୍ଶନ ସମୟରେ ପିଆଇବି ଡେରାଡୁନର ସହକାରୀ ନିର୍ଦ୍ଦେଶକ ସଞ୍ଜୀବ ସୁନ୍ଦ୍ରିିୟାଲ ମଧ୍ୟ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button