ସମ୍ପାଦକୀୟ

Editorial: ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ସମ୍ପାଦକୀୟ ଓଡ଼ିଶା ଡାଏରିରେ ଏଥର ନୁହେଁ ବନ୍ଧୁ, ନୁହେଁ ଏହା ଚିତା…

ସେ ସମୟର କଳିଙ୍ଗ ଆକ୍ରମଣ କରିଥିବା ସମ୍ରାଟ ଅଶୋକଙ୍କୁ ଓଡ଼ିଶାରେ ବା ଓଡ଼ିଶା ବାହାରେ ଯେତେ ଲୋକ ଜାଣନ୍ତି ଅଶୋକଙ୍କ ମଗଧକୁ ପରାଜିତ କରିଥିବା କଳିଙ୍ଗ ସମ୍ରାଟ ଖାରବେଳଙ୍କୁ ତାହାର ଏକ ଶତାଂଶ ଲୋକ ସୁଦ୍ଧା ଜାଣନ୍ତିନାହିଁ।

ନୁହେଁ ବନ୍ଧୁ, ନୁହେଁ ଏହା ଚିତା

ଗୌରହରି ଦାସ (ଓଡ଼ିଶା ଡାଏରି)

“ନୁହେଁ ବନ୍ଧୁ, ନୁହେଁ ଏହା ଚିତା
ଏ ଜାତି ତିମିର ତଳେ, ଏ ଅଲିଭା ମୁକତି ସଳିତା
ନୁହେଁ ଏହା ଜଳିଯିବା ପାଇଁ,
ଏହାର ଜନମ ଏଥି ଜାଳି ପୋଡ଼ି ଦେବାକୁ ଧସାଇ।”
(ବାଜି ରାଉତ- ସଚ୍ଚି ରାଉତରାୟ)

ଗତ ସପ୍ତାହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ପତ୍ର ଲେଖିଛନ୍ତି। ସେ ପତ୍ରର ଯେଉଁ ବିବରଣୀ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଛି, ତାହା ହେଲା ୧୯୨୬ ଅକ୍‌ଟୋବର ୫ ତାରିଖରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁରରେ ଜନ୍ମ ହୋଇଥିବା ବାଜି ରାଉତଙ୍କର ଶତବାର୍ଷିକୀ ୨୦୨୬ ଅକ୍‌ଟୋବର ୫ ତାରିଖକୁ ଜାତୀୟ ସ୍ତରରେ ଖୁବ୍ ଭଲ ଭାବରେ ପାଳନ କରାଯିବା ଉଚିତ।

ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ଓଡ଼ିଶା ବାହାରର ଲୋକ ଜାଣନ୍ତି ନାହିଁ। ବାଜି ରାଉତ ସେହିଭଳି ଜଣେ। ଆଉ ଏକ ଉଜ୍ଜ୍ବଳ ଉଦାହରଣ ହେଉଛନ୍ତି ସମ୍ରାଟ ଖାରବେଳ। ଓଡ଼ିଶା ବା ସେ ସମୟର କଳିଙ୍ଗ ଆକ୍ରମଣ କରିଥିବା ସମ୍ରାଟ ଅଶୋକଙ୍କୁ ଓଡ଼ିଶାରେ ତଥା ଓଡ଼ିଶା ବାହାରେ ଯେତେ ଲୋକ ଜାଣନ୍ତି ଅଶୋକଙ୍କ ମଗଧକୁ ପରାଜିତ କରିଥିବା କଳିଙ୍ଗ ସମ୍ରାଟ ଖାରବେଳଙ୍କୁ ତାହାର ଏକ ଶତାଂଶ ଲୋକ ସୁଦ୍ଧା ଜାଣନ୍ତି ନାହିଁ। ଏ ପ୍ରକାର ପରିସ୍ଥିତି ଦୁର୍ଭାଗ୍ୟଜନକ। ଭାରତର ଇତିହାସରେ ଖାରବେଳଙ୍କ ସ୍ଥାନ ବହୁ କାରଣରୁ ସ୍ବତନ୍ତ୍ର। ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କର ‘ଓଡ଼ିଆ ସାହିତ୍ୟର କ୍ରମ ପରିଣାମ’ରେ ଉଲ୍ଲେଖ କରିଛନ୍ତି ଯେ ଅଶୋକଙ୍କ ମୃତ୍ୟୁର ଦେଢ଼ଶହ ବର୍ଷ ପରେ ଦିଗ୍‌ବିଜୟୀ ଖାରବେଳଙ୍କ ଆବିର୍ଭାବ ଘଟିଥିଲା। ସିଏ ଭାରତୀୟ ଉପମହାଦେଶର ଦୁଇ-ତୃତୀୟାଂଶ ଅଞ୍ଚଳ ଅଧିକାର କରିଥିଲେ। ଖାରବେଳ ନନ୍ଦରାଜାଙ୍କ ଦ୍ବାରା କଳିଙ୍ଗରୁ ଅପସାରିତ ‌ଜୀନାସନକୁ ମଗଧରୁ ନେଇଆସି କଳିଙ୍ଗ ବିଜୟର ଯଥାର୍ଥ ପ୍ରତ୍ୟୁତ୍ତର ଦେଇଥିଲେ। ଖାରବେଳ କେବଳ ଯେ ଦିଗ୍‌ବିଜୟୀ ଯୋଦ୍ଧା ଥିଲେ ସେତିକି ନୁହେଁ, ସେ ଜଣେ ଦୟାଶୀଳ ଓ କ୍ଷମାଶୀଳ ସମ୍ରାଟ ଥିଲେ। ଅଶୋକଙ୍କ ପରି ସେ ରକ୍ତରେ ହୋରି ଖେଳିବାକୁ ଚାହିଁ ନ ଥିଲେ; ବରଂ ମଗଧ ରାଜାଙ୍କୁ ଗ୍ରୀକ୍ ଆକ୍ରମଣକାରୀଙ୍କ ହାତରୁ ସେ ରକ୍ଷା କରିଥିଲେ। ମଗଧ ଆକ୍ରମଣ ପାଇଁ ଯାଇଥିବା ସମ୍ରାଟ ଖାରବେଳ ବାଟରେ ଶୁଣିଲେ ଯେ ଗ୍ରୀକ୍ ଯବନମାନେ ‘ପାଟଳିପୁତ୍ର’ ଧ୍ବଂସ କରି ମଗଧ ଅଭିମୁଖେ ଆସୁଛନ୍ତି। ସେ ସାଙ୍ଗେ ସାଙ୍ଗେ ପାଟଳିପୁତ୍ର ଅଭିଯାନ ଛାଡ଼ି ଯବନମାନଙ୍କୁ ଘଉଡ଼େଇବା ଲାଗି ସୈନ୍ୟସାମନ୍ତ ନେଇ ଅଜ୍ଞାତ ବନପ୍ରାନ୍ତର ଭେଦି ଯାତ୍ରା କରିଥିଲେ। ପୃଥିବୀରେ ଯେତେ ବିଜୟ ଅଭିଯାନ କଥା ଜଣାଅଛି, ସେଥିରେ ଏପରି ଅଭିଯାନ ଦେଖାନାହିଁ ବୋଲି ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ବହିରେ ‌ଉଲ୍ଲେଖ କରିଛନ୍ତି। ମାତ୍ର ଏଭଳି ଜଣେ ବିଖ୍ୟାତ ସମ୍ରାଟଙ୍କର ସ୍ମୃତିରକ୍ଷା ଲାଗି ଓଡ଼ିଶା ବାହାରେ ଦୂରର କଥା, ଓଡ଼ିଶା ଭିତରେ ମଧ୍ୟ ଆମେ କିଛି କରିନାହୁଁ। ଅନ୍ୟ କଥା ଦୂରରେ ଥାଉ, କୌଣସି ଗୋଟିଏ ସରକାରୀ ବିଶ୍ବବିଦ୍ୟାଳୟ ସୁଦ୍ଧା ସମ୍ରାଟ ଖାରବେଳଙ୍କ ନାମରେ ନାମିତ ହୋଇନାହିଁ।

ଏବେ ବାଜି ରାଉତ ପ୍ରସଙ୍ଗ। ଗୋଟିଏ ସମୟରେ ବାଜି ରାଉତଙ୍କ ପାଖରୁ ତାଙ୍କର ପ୍ରସିଦ୍ଧି ଛଡ଼େଇ ନେବା ଲାଗି ଯୋଜନା‌ ହୋଇଥିଲା। ରାଜାରାଜୁଡ଼ାଙ୍କ ପ୍ରାୟୋଜିତ ଏହି ଯୋଜନାରେ କିଛି ବୁଦ୍ଧିଜୀବୀ ମଧ୍ୟ ଭାଗ ନେଇଥିଲେ। ବିଖ୍ୟାତ ଲେଖକ ସୁରେନ୍ଦ୍ର ମହାନ୍ତି ସୁଦ୍ଧା ତାଙ୍କର ଜୀବନସ୍ମୃତି ‘ପଥ ଓ ପୃଥିବୀ’ରେ ଏ ପ୍ରକାର ପ୍ରତିକୂଳ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି  ‘ବାଜି ରାଉତ’ର କବି ସଚ୍ଚି ରାଉତରାୟ ତାହାର ତୀବ୍ର ପ୍ରତିବାଦ ଜଣାଇଥିଲେ। ୧୯୮୬ରେ ପ୍ରକାଶିତ ‘ପଥ ଓ ପୃଥିବୀ’‌େର ‘କଂଗ୍ରେସ-ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳ’ ଶୀର୍ଷକ ପରିଚ୍ଛେଦରେ ସୁରେନ୍ଦ୍ର ମହାନ୍ତି ଲେଖିଥିଲେ ଯେ ପୁଲିସ ଫଉଜ ଗୁଳି କଲାବେଳେ ଗୁଳିଟା ଛିଟ୍‌କି ଯାଇ ବାଜି ଦେହରେ ଲାଗିଗଲା। ବାଜି ସେଇଠି ଟଳିପଡ଼ିଲା। ମାତ୍ର ଏହାର ତୀବ୍ର ପ୍ରତିବାଦ ଜଣାଇଥିଲେ କବି ସଚ୍ଚି ରାଉତରାୟ। କାରଣ, ବହୁ ପୂର୍ବରୁ, ୧୯୪୩ ମସିହାରେ ସୁଦ୍ଧା ଶ୍ରୀ ରାଉତରାୟ ପୁଲିସ ଗୁଳିରେ ସହିଦ ବାଜି ରାଉତଙ୍କ ନିଧନ ଘଟଣାକୁ ବିଶଦ ଭାବରେ ‘ବାଜି ରାଉତ’ କାବ୍ୟର ପରିଚୟରେ ଉଲ୍ଲେଖ କରିଥିଲେ। ସେ ଲେଖିଥିଲେ, ‘‘ଏ କବିତା (ବାଜି ରାଉତ)ର ନାୟକ କୌଣସି ବିଖ୍ୟାତ ସେନାପତି, ଜନନାୟକ କିମ୍ବା ମଧ୍ୟଯୁଗୀୟ ସର୍ଦ୍ଦାର ନୁହେଁ। ବାଜି ରାଉତ ନାମକ ଏକ ଛୋଟ ବାର ବର୍ଷର ନାଉରି ପିଲା ହଉଚି ଏ କବିତାର ପ୍ରଧାନ ଉପଜୀବ୍ୟ।’’

୧୯୩୮ ଅକ୍‌ଟୋବର ମାସ ୧୦ ତାରିଖ। ଅନ୍ଧାର କିଟିକିଟି ଶୀତରାତି। ମେଘବର୍ଷା, ଘଡ଼ଘଡ଼ି, ବିଜୁଳି- ତିନି ଦିନ ଧରି ଝଡ଼ି ଲଗେଇଚି। ସେଇ କଳା ମିଚିମିଚି ଅନ୍ଧାର ରାତିରେ ବାଜି ଘାଟ ଡଙ୍ଗାଟି ଜଗି ଡଙ୍ଗା ଉପର ଚାଳିଘରେ ହାଲିଆ ହୋଇ ଶୋଇପଡ଼ିଚି। ସେ ‘ପ୍ରଜାମଣ୍ଡଳ’ର ସିପାହି। ଘାଟ ଡଙ୍ଗା ଉପରେ ପହରା ଦେବା ଇ ଥିଲା ତା’ର ସେ ଦିନର କାମ।

ଅଧରାତିରେ ଦରବାରର ପୁଲିସ ଫୌଜ ‘ଭୁବନ’ ଗାଆଁରେ ଗୁଳି ଫଏର କରିସାରି ରକ୍ତମୁହାଁ ହେଇ ଆସିଲେ। ଆଗରେ ବ୍ରାହ୍ମଣୀ ନଈ। ନଈ ପାର ହେବା ପାଇଁ ବାଜିକୁ ସେମାନେ ଡଙ୍ଗା ମାଗିଲେ। ବାଜି ନିଦ ମଳମଳ ଆଖିରେ ଫୌଜ ମୁହଁକୁ ଅନାଇଲା। ଆଖିରେ ସେମାନଙ୍କର ହିଂସ୍ର ଚାହାଣି। ଓଠ ତଳେ ବଣୁଆ ହସର ଢେଉ। ‘ପ୍ରଜାମଣ୍ଡଳର ହୁକୁମ ନାଇ। ମୁଁ ଡଙ୍ଗା ଛାଡ଼ିବି ନାଇ।’ ବାଜି ଜବାବ ଦେଲା।

ସଙ୍ଗେ ସଙ୍ଗେ ସଂଗୀନର ଆବାଜ। ବାଜିର ମଥା ବନ୍ଧୁକ କୁନ୍ଦାର ମାଡ଼ରେ ଫାଟିଗଲା। ସେ ସବୁ ବଳ ଜୁଟେଇ ଡାକ ପକାଇଲା- କିଏ କୋଉଠି ଅଛ ଧାଇଁଆସ। ଗାଆଁ ଲୋକେ ଜମାହେଲେ। ଆହୁରି ଆସିଲେ ପ୍ରଜାମଣ୍ଡଳର ଅନେକ ଅନେକ ଟାଣୁଆ ସିପାହି- ନଟ, ଫଗୁ, ହୁରୁଷି, ଗୁରି, ରଘୁ, ଲକ୍ଷ୍ମଣ… ସମସ୍ତେ ଡଙ୍ଗା ଦଉଡ଼ିକୁ ଅଣ୍ଟାରେ ବାନ୍ଧି ଠିଆହେଲେ ସେଇ ନଈ ତୁଠରେ। ପୁଲିସ ଡଙ୍ଗା ଦଉଡ଼ିକୁ ଛୁରୀରେ କାଟିଦେଇ ନଈ ମଝିକୁ ଡଙ୍ଗା ବାହିନେଲା। ତା’ ପରେ ସେମାନେ ଖଣ୍ଡେ ଦୂର ଚାଲିଯିବା ପରେ ମଝି ନଈରୁ ଭାସି ଆସିଲା ଅବିଶ୍ରାନ୍ତ ବନ୍ଧୁକର ଆବାଜ, ଘନଘନ ଗୁଳିର ଶବ୍ଦ। ଗଛ କାଟିଲା ପରି ବାଜି ରାଉତ, ହୁରୁଷି ପଧାନ, ରଘୁ ନାୟକ, ଗୁରି ନାୟକ, ନଟ ମଳିକ, ଲକ୍ଷ୍ମଣ ମଳିକ ଏବଂ ଫଗୁ ସାହୁ ମୁର୍ଦ୍ଦାର ହେଇ ତଳେ ପଡ଼ିଗଲେ। ୧୯୩୮ ଅକ୍‌ଟୋବର ୧୨ ତାରିଖ ଅପରାହ୍‌ଣରେ ଛ’ଟି ଯାକ ମୁର୍ଦ୍ଦାରକୁ ଡଙ୍ଗା ଯୋଗେ ଢେଙ୍କାନାଳର କବାଟବନ୍ଧ ଠାରୁ ଜେନାପୁର ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରୁ ବୈଷ୍ଣବ ପଟ୍ଟନାୟକ, ରବି ଘୋଷ ଓ ଜେନାପୁରର ବଳଦେବ ଲାଲା ପ୍ରଭୃତି ଗୋଟିଏ ମାଲ୍‌ଗାଡ଼ି ଡବା ଭଡ଼ାକରି ସେଥିରେ ଛ’ଟି ଯାକ ଶବକୁ କଟକ ଆଣିଥିଲେ।

କବି ସଚ୍ଚି ରାଉତରାୟ ଲେଖିଛନ୍ତି, କଟକରେ ବିରାଟ ପଟୁଆର କରି ସହିଦମାନଙ୍କ ଶବକୁ ସମ୍ମାନ ଦେଖାଇବା ପରେ ଡାକ୍ତର ମଇନା କରାଗଲା। ତା’ ପରେ ଅନନ୍ତ ପଟ୍ଟନାୟକ, ରବି ଘୋଷ, ମୋତିଲାଲ ତ୍ରିପାଠୀ, ଗୋବିନ୍ଦ ମହାନ୍ତି ଏବଂ ନିଜେ ସଚ୍ଚି ରାଉତରାୟ ଛ’ଟି ଯାକ ଶବକୁ ନେଇ ଅସହାୟ ଅନ୍ଧାର ରାତିରେ କଟକ କାଠଯୋଡ଼ି କୂଳ ଖାନ୍‌ନଗର ମଣାଣିରେ ଗୋଟିଏ ଚିତାରେ ଶୁଆଇ ଦେଇଥିଲେ। “ସେଦିନ ସେ ଭୟାବହ ଚିତାର ଲାଲ ଜିଭ ତଳେ ବସି ମୋ ମନରେ ଯେଉଁ ଅସଂଲଗ୍ନ ଭାବନାର ଉଦ୍ରେକ ହୋଇଥିଲା, ତା’ରି ସ୍ମରଣ ପରେ ଏ କବିତାଟି ରଚିତ ହୋଇଥିଲା।’’

କେବଳ କବି ସଚ୍ଚି ରାଉତରାୟ ନୁହନ୍ତି, ତାଙ୍କ ସମୟର ଏକାଧିକ କବି ଓ ଲେଖକ ବାଜି ରାଉତ ଘଟଣାର ସତ୍ୟତା ସମ୍ବନ୍ଧରେ ସାକ୍ଷ୍ୟ ଦେଇଛନ୍ତି ଏବଂ ଶବ ଶୋଭାଯାତ୍ରାର ଫଟୋଚିତ୍ର ମଧ୍ୟ କେହି କେହି ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗ ସେତେବେଳେ ‘କୃଷକ’ ପତ୍ରିକାରେ ପ୍ରକାଶ ପାଇଥିବା କଥା ସଚ୍ଚି ରାଉତରାୟ ତାଙ୍କର ଆତ୍ମଜୀବନୀ ‘ଉତ୍ତର କକ୍ଷ’ରେ ଉଲ୍ଲେଖ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ତାଙ୍କ ଆତ୍ମଜୀବନୀ ‘ସ୍ମୃତି ଓ ଅନୁଭୂତି’ରେ ଏ ଶବ-ଶୋଭାଯାତ୍ରାର ବର୍ଣ୍ଣନା କରିଛନ୍ତି। ବାଜି ରାଉତ କେବଳ ଓଡ଼ିଶାର ନୁହେଁ, ସମଗ୍ର ଭାରତର ସର୍ବକନିଷ୍ଠ ସହିଦ। ବାଜି ରାଉତଙ୍କ ବଳିଦାନ ଘଟଣାକୁ ସଚ୍ଚି ରାଉତରାୟଙ୍କ କାବ୍ୟ ବାସ୍ତବରେ ଦେଦୀପ୍ୟମାନ କରିଛି। ଏପରି ଏକ କାବ୍ୟ ମଧ୍ୟ ଭାରତୀୟ ସାହିତ୍ୟରେ ବିରଳ। ସରୋଜିନୀ ନାଇଡୁଙ୍କ ଭାଇ ହରୀନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ ଏହାର ଇଂରେଜୀ ଅନୁବାଦ କରିଥିଲେ ଓ ତାହାର ନାମ ଥିଲା ‘ଦ ବୋଟ୍‌ମ୍ୟାନ ବୟ ଆଣ୍ଡ୍ ଅଦର ପଏମ୍‌ସ’। ପରେ ଶେଖ୍ ଅବଦୁଲା ଏହାକୁ କାଶ୍ମୀରୀ ଭାଷାରେ ଏବଂ କେରଳର ଇ. ଏସ୍. ନାମ୍ବୁଦ୍ରିପଦ ଏହାକୁ ମାଲୟାଲମ ଭାଷାରେ ଅନୁବାଦ କରିଥିଲେ। ଏହି ଦୁଇ ଭଦ୍ରଲୋକ ଯଥାକ୍ରମେ କାଶ୍ମୀର ଓ କେରଳର ମୁଖ୍ୟମନ୍ତ୍ରୀ ଥିଲେ। ଏହା ଭିନ୍ନ ‘ବାଜି ରାଉତ’ ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ ହୋଇଛି। ଏହି କନିଷ୍ଠ ସହିଦଙ୍କ ବଳିଦାନକୁ ନେଇ କାଳିନ୍ଦୀଚରଣ ପାଣିଗ୍ରାହୀ ଏବଂ ଚାରଣକବି ଏମ୍. ଏ. ହମିଦ ମଧ୍ୟ ବିଭିନ୍ନ ରଚନା କରିଛନ୍ତି। ବହୁ ନାଟ୍ୟକାର ଏହାକୁ ନେଇ ନାଟକ ଲେଖିଛନ୍ତି। ଏ ଘଟଣା ଓଡ଼ିଶା ଇତିହାସରେ ଏକ କରୁଣ-ଉଜ୍ଜ୍ବଳ ଅଧ୍ୟାୟ।

ଏହା ସତ୍ତ୍ବେ ବାଜି ରାଉତଙ୍କର ଯେଉଁଭଳି ସ୍ମୃତିରକ୍ଷା ହେବା କଥା ତାହା ହୋଇନାହିଁ। ତାଙ୍କର ଶତବାର୍ଷିକୀ ଅବକାଶ ଆମ ଅବହେଳାର କ୍ଷତିପୂରଣ ଲାଗି ଏକ ସୁଯୋଗ ସୃଷ୍ଟି କରିଛି। ବାଜି ରାଉତଙ୍କ ଜୀବନୀ ଭାରତରେ ସବୁ ଭାଷାରେ ପ୍ରକାଶ ପାଇବା ସହ ଏହାଙ୍କ ଅବଦାନକୁ ନେଇ ଫିଲ୍ମ ନିର୍ମିତ ହେବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ମାଧ୍ୟମରେ ବାଜି ରାଉତଙ୍କ ଜୀବନୀ ଓ ବାଜି ରାଉତଙ୍କ ସଂପର୍କରେ ରଚିତ ବହିଗୁଡ଼ିକ ସବୁ ଭାରତୀୟ ଭାଷାରେ ପ୍ରକାଶନ କରାଇ ପାରିବେ।

ବାଜି ରାଉତଙ୍କର ସ୍ମୃତିରକ୍ଷା ଏତିକିରେ ସୀମିତ ରହିବା ଉଚିତ ନୁହେଁ। ଓଡ଼ିଶାର ରାଜଧାନୀରେ ତାଙ୍କର ସ୍ମୃତିରକ୍ଷା ଲାଗି ବିଶେଷ ଉଦ୍ୟମ ହୋଇନାହିଁ। ଆଠ ନମ୍ବର ୟୁନିଟର ଡିଏଭି ସ୍କୁଲ ନିକଟରେ ବାଜି ରାଉତଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ‌ହୋଇଛି ତାହା ଆକାରରେ କ୍ଷୁଦ୍ର ଏବଂ ତାହା ଏଭଳି ସ୍ଥାନରେ ନିର୍ମିତ ଯେ ନିରେଖି ନ ଖୋଜିଲେ କାହା ଆଖିରେ ପଡ଼େନାହିଁ। ବାଜି ରାଉତଙ୍କର ଭଲ ସମାଧି କଟକର ଖାନ୍‌ନଗରରେ ନିର୍ମିତ ହେବା ଲାଗି ଥରେ ପ୍ରସ୍ତାବ ଆସିଥିଲା। ତାଙ୍କର ଶବଦାହ ବେଳେ ଏ ସମାଧି ଶୀଘ୍ର ତୋଳାହେବ ବୋଲି ଆଲୋଚନା ହୋଇଥିଲା। ମାତ୍ର ବହୁ କଥା ପରି ଏ କଥାକୁ ମଧ୍ୟ ଓଡ଼ିଶା ଭୁଲି ଯାଇଛି।

ପ୍ରସଙ୍ଗତଃ ଉଲ୍ଲେଖ କରିବାକୁ ଚାହୁଁଛୁ ଯେ, ଓଡ଼ିଶାର ଅନେକ କଥା ଲୋକଲୋଚନକୁ ଆସି ପାରୁନାହିଁ। ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ହେଉ ବା ‘ମହିମାଧର୍ମ’ ପ୍ରସଙ୍ଗ ହେଉ- ଏ ସବୁର ଅଧିକ ପ୍ରଚାର ଆବଶ୍ୟକ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରସଙ୍ଗ ମଧ୍ୟ ରାଜ୍ୟ ବାହାରେ ଅନେକ ଲୋକ ଜାଣନ୍ତି ନାହିଁ। ତାଙ୍କର ‘ସତ୍ୟବାଦୀ ବନବିଦ୍ୟାଳୟ’ ଏକ ଯୁଗାନ୍ତକାରୀ ପରୀକ୍ଷଣ ଥିଲା। ଏହାର ପରିକଳ୍ପନା ରବୀନ୍ଦ୍ରନାଥଙ୍କ ଶାନ୍ତିନିକେତନ ଠାରୁ ସୁଦ୍ଧା ପୁରୁଣା। ଯାହାଙ୍କୁ ଆମେ ଉତ୍କଳମଣି କହିଥାଉ, ତାଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ଭଲ ଇଂରେଜୀ ଜୀବନୀଟିଏ ମଧ୍ୟ ପ୍ରକାଶିତ ହୋଇନାହିଁ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ କ’ଣ ସଂପୂର୍ଣ୍ଣ ସଂଗ୍ରହାଳୟଟିଏ ଆମେ ନିର୍ମାଣ କରିପାରିଛୁ?

ବାଜି ରାଉତଙ୍କ ଶତବାର୍ଷିକୀ ପାଳନର ଅବକାଶ ଓଡ଼ିଆଙ୍କୁ ଆଉଥରେ ତା’ର ଇତିହାସମନସ୍କ କରାଉ। ଆମ ଇତିହାସ ଯେ ବହୁ ଗୌରବାବହ କୀର୍ତ୍ତିରେ ସମୃଦ୍ଧ ସେ କଥା ଆମେ ଉପଲବ୍‌ଧି କରୁ। ବାଜି ରାଉତଙ୍କ ଶତବାର୍ଷିକୀ ପ୍ରସଙ୍ଗ ଉତ୍‌ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି କନିଷ୍ଠ ସହିଦଙ୍କର ସମାଧି, ପ୍ରତିମୂର୍ତ୍ତି ଓ ସ୍ମୃତିପୀଠ ବିଭିନ୍ନ ସ୍ଥାନରେ କିଭଳି ନିର୍ମିତ ହେବ, ଦିଲ୍ଲୀର ଏକ ରାସ୍ତା ତାଙ୍କ ନାମରେ ନାମିତ ହେବା ସହ ସେଠାରେ ମଧ୍ୟ କିଭଳି ଭବ୍ୟ ମୂର୍ତ୍ତିଟିଏ ସ୍ଥାପିତ ହେବ ସେ ଦିଗରେ ଉଭୟ ସରକାର ପଦକ୍ଷେପ ନେବା ଉଚିତ। ଏସବୁ ଦ୍ବାରା ବାଜି ରାଉତ କୌଣସି ମତେ ଲାଭବାନ ହେ‌େବ ନାହିଁ, ଲାଭବାନ ହେବ ଓଡ଼ିଶା। ଓଡ଼ିଶାର ଯୁବପିଢ଼ି ଏସବୁ ଦେଖି ଉଦ୍‌ବୁଦ୍ଧ ହେବ ଏବଂ ଆମେ ଯେ ବଡ଼ବଡ଼ କାର୍ଯ୍ୟ କରିବାକୁ ସମର୍ଥ ସେ ଆତ୍ମବିଶ୍ବାସ ଖୋଜି ପାଇବା।
(ମତାମତ ଲେଖକଙ୍କ ନିଜସ୍ବ)

ମୋ:୯୪୩୭୦୭୭୨୮୮

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button