Rice or bread: ଭାତ ନା ରୁଟି-ରାତ୍ରିଭୋଜନରେ କେଉଁଟା ଭଲ?
ଭାତ ଓ ରୁଟି ବିନା ଆମ ଭାରତୀୟଙ୍କ ଖାଦ୍ୟ ଅସମ୍ପୂର୍ଣ୍ଣ। ମଧ୍ୟାହ୍ନ ଭୋଜନ ହେଉ ବା ରାତ୍ରିଭୋଜନ, ପ୍ରତ୍ୟେକ ଘରେ ଭାତ କିମ୍ବା ରୁଟି ଖାଉଥିବା ଲୋକ ମିଳିବେ। ତେବେ ଏଥିପାଇଁ ଉପଯୁକ୍ତ ସମୟ ରହିଛି।

ଭାତ ଓ ରୁଟି ବିନା ଆମ ଭାରତୀୟଙ୍କ ଖାଦ୍ୟ ଅସମ୍ପୂର୍ଣ୍ଣ। ମଧ୍ୟାହ୍ନ ଭୋଜନ ହେଉ ବା ରାତ୍ରିଭୋଜନ, ପ୍ରତ୍ୟେକ ଘରେ ଭାତ କିମ୍ବା ରୁଟି ଖାଉଥିବା ଲୋକ ମିଳିବେ। ତେବେ ଏଥିପାଇଁ ଉପଯୁକ୍ତ ସମୟ ରହିଛି। ଆଜିର ଜୀବନଶୈଳୀ ଆମକୁ ସେଭଳି କରାଇନଦେଲେ ମଧ୍ୟ ଆମକୁ ତାହା ପାଳନ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା, ଶରୀର ପାଇଁ ଭାତ ଓ ରୁଟିର କେତେ ଆବଶ୍ୟକତା ରହିଛି-
l ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ରୁଟି ଖାଇବା ଅଧିକ ଲାଭଦାୟକ ହୋଇଥାଏ। ତେବେ ଖାଦ୍ୟ ତାଲିକାରେ ଭାତ ଓ ରୁଟିକୁ ସମାନ ପରିମାଣରେ ନେଇପାରିବେ। ଅଧିକ ଧଳା ଦିଶୁଥିବା ଭାତଠାରୁ ଦୂରେଇବା ଭଲ। ଯଦି ଆପଣଙ୍କର ଭାତ ପସନ୍ଦ, ତେବେ ସେଥିରେ ସନ୍ତୁଳା ବା ତରକାରୀ ମିଶାଇ ଖାଇବା ଆବଶ୍ୟକ।
l ରାତିରେ କେବଳ ରୁଟି ହିଁ ଖାଇବା ଦରକାର। କାରଣ ଏହା ଅଧିକ ପୁଷ୍ଟିକର ହୋଇଥାଏ। ଏହାଛଡ଼ା ରୁଟିରେ ଫାଇବର୍ ମାତ୍ରା ଅଧିକ ଥାଏ, ତେଣୁ ଏହା ଶୀଘ୍ର ହଜମ ହୋଇଥାଏ। ସେହିପରି ରାତିରେ ରୁଟି ଖାଇଲେ ନିଦ ମଧ୍ୟ ଭଲ ହୋଇଥାଏ।
l ପୋଷଣ ଅନୁଯାୟୀ ଦେଖିଲେ, ୧/୩ କପ୍ ଭାତରେ ୮୦ କ୍ୟାଲୋରି, ୧ ଗ୍ରାମ୍ ଫ୍ୟାଟ୍ ଓ ୧୮ ଗ୍ରାମ କାର୍ବୋହାଇଡ୍ରେଟ୍ ରହିଥାଏ। ସେହିଭଳି ଗୋଟିଏ ରୁଟିରେ ୭୧ କ୍ୟାଲୋରି, ୩ ଗ୍ରାମ୍ ପ୍ରୋଟିନ୍, ୦.୪ ଗ୍ରାମ୍ ଫ୍ୟାଟ୍ ଓ ୧୫ ଗ୍ରାମ୍ କାର୍ବୋହାଇଡ୍ରେଟ୍ ଥାଏ। ଏହାଛଡ଼ା ରୁଟିରେ କ୍ୟାଲସିୟମ୍ ଓ ଆଇରନ୍ ମଧ୍ୟ ରହିଥାଏ।
l ରୁଟିରେ ଭାତଠାରୁ ଅଧିକ ଫାଇବର୍ ଥାଏ, ଏହାଦ୍ବାରା ପାଚନ ପ୍ରକ୍ରିୟା ସଂପାଦନ କରୁଥିବା ନଳୀଗୁଡ଼ିକ ସଫା ହୋଇଥାଏ। ଏହାଦ୍ବାରା ଅପଚ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ବି ମୁକ୍ତି ମିଳିଥାଏ।
l ରୁଟି ଖାଇବା ଦ୍ବାରା ଆଳସ୍ୟ ଓ ନିଦ ଭଳି ସମସ୍ୟା ହୋଇ ନ ଥାଏ, ତେବେ ଭାତ ଖାଇବା ପରେ ଏହି ଦୁଇଟି ସମସ୍ୟା ଦେଖାଦେଇଥାଏ।
l ଯଦି ଆପଣ ଓଜନ ହ୍ରାସ କରିବା ପାଇଁ ଚାହୁଛନ୍ତି, ତେବେ ରୁଟି ଖାଇବା ଆପଣଙ୍କ ପାଇଁ ବହୁତ ଲାଭଦାୟକ। ରୁଟିରେ ଥିବା କାର୍ବୋହାଇଡ୍ରେଟ୍କୁ ଜୀର୍ଣ୍ଣ କରିବା ପାଇଁ ଶରୀର ଅଧିକ ଶକ୍ତି ନେଇଥାଏ, ଯାହା ଫଳରେ ଓଜନ କମିଥାଏ।
l ଭାତକୁ କୁକର୍ ବଦଳରେ ଅଧିକ ପାଣିଦେଇ ହାଣ୍ଡିରେ ରୋଷେଇ କରନ୍ତୁ। ଏଭଳି ରୋଷେଇ କରି ପାଣି ବାହାର କରିଦିଅନ୍ତୁ। ଏହାଦ୍ବାରା ଏହାର ନ୍ୟୁଟ୍ରିସନ୍ ବଢ଼ି ଯାଇଥାଏ। ଭାତକୁ ଡାଲି ସହିତ ଖାଆନ୍ତୁ। ଏହାଦ୍ବାରା ଶରୀରକୁ ଜରୁରି ଆମିନୋ ଏସିଡ୍ ମିଳିଥାଏ।
ସୌଜନ୍ୟ ସମ୍ବାଦ




