ସମ୍ପାଦକୀୟ

Editorial: ଧନଞ୍ଜୟ ସ୍ୱାଇଁଙ୍କ ସୁରଞ୍ଜନଙ୍କ ଡାଏରିରେ ଏଥର ’ସ୍ମୃତିର ସେହି ଗାଁ’…

ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ସାତଶଙ୍ଖ, ସତ୍ୟବାଦୀ ଡେଇଁ ବୀର ନରସିଂହପୁର ଗାଁରେ ପହଞ୍ଚିଲେ ସୁରଞ୍ଜନ।। ସେତେବେଳୁ ଆଦ୍ୟ ଫାଲ୍‌ଗୁନର ମୁଲାୟମ ଖରା ମୁଠାଏ ଫୁଲ ବିଞ୍ଚିଦେଲା ପରି ଲାଗୁଥିଲା।

ସ୍ମୃତିର ସେହି ଗାଁ

ଧନଞ୍ଜୟ ସ୍ୱାଇଁ (ସୁରଞ୍ଜନଙ୍କ ଡାଏରି)

ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ସାତଶଙ୍ଖ, ସତ୍ୟବାଦୀ ଡେଇଁ ବୀର ନରସିଂହପୁର ଗାଁରେ ପହଞ୍ଚିଲେ ସୁରଞ୍ଜନ।। ସେତେବେଳୁ ଆଦ୍ୟ ଫାଲ୍‌ଗୁନର ମୁଲାୟମ ଖରା ମୁଠାଏ ଫୁଲ ବିଞ୍ଚିଦେଲା ପରି ଲାଗୁଥିଲା। ଗାଁ ମୁଣ୍ଡ ସୁପ୍ରଶସ୍ତ ଦୋଳ ବେଦି ନିକଟରେ ପ୍ରଭୁ ନୀଳକଣ୍ଠ ମହାଦେବ। ତାଙ୍କୁ ମୁଣ୍ଡିଆ ମାରିଲା ପରେ ଦୃଷ୍ଟିପଥରେ ପଡ଼ିଲା ଗାଁର ପ୍ରାଥମିକ ବିଦ୍ୟାଳୟ, ଯାହାକୁ ଦେଖି ତାଙ୍କ ଚିତ୍ରମୟ ପିଲାଦିନ କଥା ମନେ ପଡ଼ିଯାଉଥିଲା।

ଏବେ ସେହି ବିଦ୍ୟାଳୟଟି ନଡ଼ା ଚାଳର ନ ଥିଲା; ହୋଇ ଯାଇଥିଲା ସୁବୃହତ୍ ଓ ଦ୍ୱିତଳ ବିଶିଷ୍ଟ। ଧାଡ଼ିଧାଡ଼ି ନାରିକେଳ ବୃକ୍ଷ ଶୋଭିତ ଓ ମାଳମାଳ କୋଠାଘର ଦେଇ ଏଇ ବ୍ରାହ୍ମଣ ଶାସନ ଗାଁରେ ଗଲା ବେଳେ ଜଣା ପଡୁ ନଥିଲା କିଭଳି ଗାଁ ଭିତରକୁ ସହର ଧସେଇ ପଶି ଆସୁଛି।

ଗାଁର ଦକ୍ଷିଣ-ପୂର୍ବ ଦିଗରେ ପ୍ରବାହିତ ଭାର୍ଗବୀର ନଈଆଳି ପବନ ଦେହରେ ଚିତ୍ରେଇ ଦେଉଥିଲା ଆମ୍ବ ବଉଳର ସୁବାସ। ସୁରଞ୍ଜନ ଭାର୍ଗବୀ ଆଡ଼େ ଚାହିଁ ମନେ ପକାଉଥିଲେ ଗୋପବନ୍ଧୁ ତାଙ୍କ ସତୀର୍ଥଙ୍କ ଗହଣରେ ଏହି ନଈର ବାଲି ଉପରେ ବସି ନେଇଥିବା ସଂକଳ୍ପର କଥା, ‘ଆମେ ଜନ୍ମ ବେଳେ ଯେଉଁ ଓଡ଼ିଶା ଦେଖିଥିଲୁ, ଆମେ ଶେଷ ନିଃଶ୍ୱାସ ତ୍ୟାଗ କଲାବେଳକୁ ତା’ ଠାରୁ ଢେର ଭଲ ଓ ଉନ୍ନତ ଓଡ଼ିଶା ଛାଡ଼ିକି ଯିବା।’ ବୀର ନରସିଂହପୁର ଗାଁର ପଶ୍ଚିମ ପଟକୁ ଲାଗି ବହି ଯାଇଛି ଭାର୍ଗବୀର ଶାଖା ନଦୀ ରତ୍ନଚିରା। ପଙ୍କ ଓ ଦଳ ଭର୍ତ୍ତି ରତ୍ନଚିରା। ଏବେ ସେ କୃଶୋଦରୀ ଓ ତା’ର ପୂର୍ବ ଶ୍ରୀ ଓ ସୌନ୍ଦର୍ଯ୍ୟ ହଜି ସାରିଛି। ଇଏ ସେହି ରତ୍ନଚିରା ଯାହାକୁ କବିବର ତାଙ୍କ ‘ଚିଲିକା’ କାବ୍ୟରେ ଅମର କରି ଯାଇଛନ୍ତି।

“ମଞ୍ଜୁ ଛୁରିଅନା କୁଞ୍ଜ ବିହାରିଣୀ
ସାକ୍ଷୀ ଗୋପୀନାଥ ହୃଦୟହାରିଣୀ
ଦ୍ୱିଜକନ୍ୟା ଲକ୍ଷ୍ମୀ ସ୍ନାନ ପୁଣ୍ୟ ନୀରା
ସୌଗନ୍ଧିକ ଗନ୍ଧେ ଚାରୁ ରତ୍ନଚିରା।”

ଏଇ ଗାଁର ପୂର୍ବ ପଟେ ପାନ ଓ ଚୁଡ଼ା କଦମା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଚନ୍ଦନପୁର ବଜାର। ପୁରୀ ସଦର ବ୍ଲକର ଏହି ସମୃଦ୍ଧ, ମନ୍ଦିରମାଳିନୀ ଗାଁଟିର ଲୋକ ସଂଖ୍ୟା ପାଖାପାଖି ୩,୦୦୦। ପୁରୀର ଗଜପତି ରାଜା ନରସିଂହଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବାରୁ ଏହାର ନାମ ବୀର ନରସିଂହପୁର। ସୁରଞ୍ଜନଙ୍କ ଦେଖା ହେଲା, ଭାରତୀୟ ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ, ସେହି ଗ୍ରାମର ସନ୍ତାନ। କଥା ଛଳରେ ସେ ତାଙ୍କ ପିତା ସ୍ବର୍ଗତ ନାରାୟଣ ମହାପାତ୍ରଙ୍କ ଦ୍ୱାରା ରଚିତ ‘ଜନ୍ମଭୂମି ବୀର ନରସିଂହପୁର’ ବିଷୟ ଅବତାରଣା କରିଥିଲେ, ଯହିଁରେ ଭୌଗୋଳିକ ରୂପ ଓ ଐତିହାସିକ ମହତ୍ତ୍ୱ ବାବଦରେ ବର୍ଣ୍ଣନା ଅଛି।

ପ୍ରଭୁ ଲୋକନାଥଙ୍କ ମନ୍ଦିର ପ୍ରାଙ୍ଗଣରୁ ଭାସି ଆସୁଥିଲା ଚୁଡ଼ାଘଷା ଓ କଦଳୀ ଚକଟାର ବାସନା। ତା’ର ନିକଟରେ ଅବସ୍ଥିତ ମାଆ ଜାଗେଶ୍ୱର ଓ ମା’ ହରଚଣ୍ଡୀ ପୀଠ, ଶ୍ରୀ ନୀଳକଣ୍ଠ ଦେବ ଓ ଗୋପୀନାଥ ଦେବଙ୍କ ଦେବାଳୟ। ଏକ ଭାକ୍ତିକ ପରିବେଶ ସେ ଅନୁଭବ କରୁଥିଲେ ସତ, କିନ୍ତୁ ତା’ ସହିତ ଥିଲା ସମୃଦ୍ଧି ଓ ବିକାଶର ଚିତ୍ର। ଗ‌ାଁ ଭିତରେ ବୁଲିଲା ବେଳେ ସୁରଞ୍ଜନଙ୍କ ମନେ ପଡ଼ି ଯାଇଥିଲା ତାଙ୍କ ପିଲାଦିନ କଥା, ଯାହା କଟିଥିଲା ଏକ ଅବିକଶିତ ଗାଁରେ। ସରଳ, ନିର୍ଭେଜାଲ ମଣିଷମାନଙ୍କ ଗହଣରେ। ମାଟି ଗୋବର ଲିପା ନୁଆଁଣିଆ ଚାଳଘର, ସବୁଜିମା ଭରା ବିଲମାଳ, ମାଣବସା ଗୁରୁବାର ଦିନ ସାତ ସାହି ଡେଇଁ ଭାସି ଆସୁଥିବା କାନଫଟା ହୁଳହୁଳି, ଆମ୍ବ ପତ୍ରର ତୋରଣ। ସଂକ୍ଷେପରେ କହିଲେ, ଗାଁ ଆଉ ଗାଁ ଭଳି ଲାଗୁ ନ ଥିଲା।

ଭାବନାରେ ବୁଡ଼ି ଯାଇଥିଲେ ସୁରଞ୍ଜନ। ଜାଣି ପାରୁ ନ ଥିଲେ ସ୍ମୃତି ଚାରଣ କଲା ବେଳେ କେତେ ବେଳେ ବିତି ଯାଇଥିଲା ଏତେ ସମୟ। ଅପରାହ୍‌ଣ ବି ଉତ୍ତୀର୍ଣ୍ଣ ହେବାକୁ ବସିଥିଲା। ପଉଷ କୁହୁଡ଼ିର ଉପଦ୍ରବ ସତ୍ତ୍ୱେ କଷି ବଉଳର ମହକ ମନକୁ ଉଚ୍ଚାଟିତ କରୁଥିଲା। ସୂର୍ଯ୍ୟର ତେଜ ମଉଳି ଆସୁଥିଲା। ଚକଡ଼ା ପରେ ଚକଡ଼ାରେ ଦିଘି ଓ ଦେଉଳ ଭିତରେ ଲୁଚି ରହିଥିଲା କେତେ କାହାଣୀ ଓ କିଂବଦନ୍ତି। ଅଟ୍ଟାଳିକା ଓ ପକ୍କା ଘରର ଗହଳି ଭିତରେ ଏହି ଐତିହ୍ୟ ସମୃଦ୍ଧ ଗାଁଟି ସତେ ଯେମିତି କାହାଣୀ, କିଂବଦନ୍ତି ଓ ଲୋକକଥାରେ ବଞ୍ଚି ରହିଥିଲା। ଫେରିବା ବାଟରେ ସୁରଞ୍ଜନ ହେଜୁଥିଲେ ଅତୀତର ଦିନଗୁଡ଼ିକୁ। ସମୟର ଚକ ସତେ କେତେ କ୍ଷିପ୍ର ଗତିରେ ଘୂରି ନ ଯାଇଛି ସତେ!
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୦୦୦୬୩୬

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button