Private farming: ସରକାରୀ ଫାର୍ମରେ ବେସରକାରୀ ଚାଷ: ୨୦ ଏକର ଜମିରେ ଲାଗିଛି ଧାନ, ସନ୍ଦେହରେ କର୍ମଚାରୀ

କୋରାପୁଟ: ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଜମିରେ ସରକାରୀ ବାବୁ କରିଛନ୍ତି ଚାଷ। ନା ଏଥିଲାଗି ସରକାରୀ ସ୍ତରରେ ହୋଇଛି ପଞ୍ଜୀକରଣ ନା କୃଷି ବିଭାଗ ନିକଟରେ ଅଛି ସୂଚନା। ବିଭାଗୀୟ ଅଧିକାରୀଙ୍କୁ ଅନ୍ଧାରରେ ରଖି ୨୦ ଏକର ଜମିରେ କରାଯାଇଛି ଧାନଚାଷ। ଆଉ କିଛି ଦିନ ପରେ ରବିଧାନ ଅମଳ ହେବାକୁ ଥିବା ବେଳେ ବିକ୍ରି ପରେ ସରକାରୀ ତହବିଲ ବଦଳରେ ବାବୁଙ୍କ ପକେଟକୁ ଯିବ ଧାନବିକ୍ରି ବାବଦ ୧୫ ଲକ୍ଷ ଟଙ୍କା। କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍‌ କୃଷି ବିଭାଗର ଏପରି କାରନାମା ଲୋକଲୋଚନକୁ ଆସିବା ପରେ ଉଚ୍ଚସ୍ତରୀୟ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଚାଷୀ ସଂଗଠନ।

୨୦ ଏକର ଜମିରେ ଲାଗିଛି ଧାନ, ସନ୍ଦେହରେ କର୍ମଚାରୀ
ସରକାରୀ ସାର, ବିହନ ଓ ଯନ୍ତ୍ରପାତିର ହୋଇଛି ବ୍ୟବହାର
ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କଲା ଚାଷୀ ସଂଗଠନ

ଚାଷୀଙ୍କୁ ଉନ୍ନତ କିସମର ବିହନ ଯୋଗାଇ ଦେବା ପାଇଁ କୋଟପାଡ଼ରେ ରହିଛି କୃଷି ଫାର୍ମ। ଚାଷୀଙ୍କୁ ଆବଶ୍ୟକ ବିହନ ସବ୍‌ସିଡି ମାଧ୍ୟମରେ ବଣ୍ଟନ ପାଇଁ ନିୟମ ରହିଛି। ଏଥିଲାଗି କୃଷି ବିଭାଗ ଫାର୍ମରେ ୩ରୁ ୪ ଜଣ କର୍ମଚାରୀଙ୍କୁ ନିୟୋଜିତ କରିଛି। ୬୨ ଏକର ପରିମିତ ଅଞ୍ଚଳରେ ଥିବା ଏହି ଫାର୍ମର ୨୩୦ ହେକ୍ଟରରୁ ଅଧିକ ଜମିରେ ବିହନ ଚାଷ କରାଯାଉଛି। ବାକି ଜମି ମଧ୍ୟରୁ ୨୦ ଏକରରେ କୃଷିଫାର୍ମରେ କାମ କରୁଥିବା ଜଣେ ସରକାରୀ ବାବୁ ବେସରକାରୀ ଭାବେ କରିଛନ୍ତି ଧାନଚାଷ। ଚାଷ ପାଇଁ ଫାର୍ମରେ ଥିବା ସରକାରୀ ବିହନ, ସାର ଓ କୃଷି ଯନ୍ତ୍ରପାତି ବ୍ୟବହାର ହୋଇଛି। ବର୍ତ୍ତମାନ ଅମଳ ସମୟ ଆସିଥିବା ବେଳେ ପାଖାପାଖି ୫୦୦ କ୍ବିଣ୍ଟାଲ୍‌ ଧାନ ଅମଳ ହେବାର ଆକଳନ କରାଯାଇଛି। ସରକାରୀ ଭାବେ ଧାନବିକ୍ରିର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା।

ନିୟମ ଅନୁଯାୟୀ, ଫାର୍ମରେ ଚାଷ ହେବା ପୂର୍ବରୁ ସରକାରୀ ଭାବେ ପଞ୍ଜୀକରଣ କରାଯିବ। ଅମଳ ଧାନରୁ ଉନ୍ନତମାନର ବିହନ ବାହାର କରି ଚାଷୀଙ୍କୁ ବଣ୍ଟନ କରାଯିବ। କିନ୍ତୁ କୋଟପାଡ଼ ଫାର୍ମରେ ବିହନ ଉତ୍ପାଦନ ବଦଳରେ ସରକାରୀ ବାବୁ ବ୍ୟବସାୟକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଗତ କିଛି ବର୍ଷ ଧରି ଫାର୍ମରେ ବେସରକାରୀ ଭାବେ ଧାନଚାଷ କରି ବାବୁ ମାଲାମାଲ ହେଉଥିଲେ ମଧ୍ୟ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟରେ ଏ ନେଇ କୌଣସି ସୂଚନା ନଥିବା ଜଣାପଡ଼ିଛି। ଚଳିତ ରବିଧାନ ଚାଷ ସମ୍ପର୍କରେ ଚାଷୀ ସଂଗଠନ ଅବଗତ ହେବା ପରେ କୃଷି ବିଭାଗକୁ ଅବଗତ କରିଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭବାନୀ ଶଙ୍କର ମହାପାତ୍ର କହିଛନ୍ତି, କେଉଁ କର୍ମଚାରୀ ଚାଷ କରିଛନ୍ତି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

 

 

ସୌଜନ୍ୟ ସମ୍ବାଦ