
କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲାସୁକିନ୍ଦା ଥାନା ହରିପୁର ପଞ୍ଚାୟତ ନାଏବ ସରପଞ୍ଚ ପୂଜାରାଣୀ ବେହେରା (ଗୋଛାୟତ)ଙ୍କ ସନ୍ଦେହଜନକ ମୃତ୍ୟୁରେ ତାଙ୍କ ମାଆ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଧିକ ଯୌତୁକ ଦାବିରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦିଆଯାଇ ଝିଅକୁ ସ୍ବାମୀ, ଦିଅର, ଶାଶୂ ଓ ଶ୍ବଶୁର ମିଶି ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା କୁହିକା ଗାଁର ଜଗନ୍ନାଥ ବେହେରାଙ୍କ ପତ୍ନୀ ସନ୍ଧ୍ୟାରାଣୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି।
ଏ ସଂକ୍ରାନ୍ତରେ ଥାନାରେ ଏକ ହତ୍ୟା ମାମଲା ୫୨/୨୬ ରୁଜୁ ହୋଇଛି। ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ଏସ୍ଆଇ ନିର୍ମଳ ଚନ୍ଦ୍ର ସାହୁ ସଦଳବଳ ପୂଜାରାଣୀଙ୍କ ମୃତଦେହ ଜବତକରି ଏହାକୁ ବ୍ୟବଛେଦ ପାଇଁ ପଠାଇ ମାମଲାର ତଦନ୍ତ ଜାରିରହିଥିବା କହନ୍ତି। ପୁଲିସ ଆଜି ମୃତକ ପୂଜାରାଣୀ(୩୩)ଙ୍କ ସ୍ବାମୀ ଅଭିଯୁକ୍ତ ଲିପୁ ଗୋଛାୟତ(୩୮)କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତ ପଠାଯାଇଛି।
ମାଆ ସନ୍ଧ୍ୟାରାଣୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ୧୩ ବର୍ଷ ପୂର୍ବେ ଝିଅଜ୍ବାଇଁଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ସେତେବେଳେ ଜ୍ବାଇଁଙ୍କୁ ଗାଡ଼ି ପାଇଁ ନଗଦ ୮୦ ହଜାର ଟଙ୍କା, ସୁନା ଚେନ୍ ଓ ମୁଦି ସହ ବିଭିନ୍ନ ଆସବାବପତ୍ର ଦିଆଯାଇଥିଲା। ତଥାପି ଅଧିକ ଯୌତୁକ ଦାବିରେ ତା’ ସ୍ବାମୀ ଏବଂ ଶ୍ବଶୁର ପୀତବାସ ଗୋଛାୟତ, ଶାଶୂ ବଉଳ ଓ ଦିଅର ଦିପୁ ପୂଜାରାଣୀକୁ ବିଭିନ୍ନ ସମୟରେ କଟୁକଥା କହି ମାଡ଼ପିଟ୍ କରୁଥିଲେ। ଏହାକୁ ନେଇ ଝିଅ ବାରମ୍ବାର ଆମକୁ ଦୁଃଖ ଜଣାଇ କାନ୍ଦୁଥିଲା।
କିଛିବର୍ଷ ପୂର୍ବେ ବାଧ୍ୟହୋଇ ଆମେ ପୁଣି ଗଡ଼ରେଜ ଆଲମିରା ପାଇଁ ଜ୍ବାଇଁକୁ ୧୫ ହଜାର ଟଙ୍କା ଦେଇଥିଲୁ। ପୂର୍ବରୁ ସେମାନେ ଥରେ ଝିଅକୁ କଟୁରିରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଓ ଆଉ ଥରେ ନିଆଁରେ ପୋଡ଼ି ଦେଇଥିଲେ। ଆହତ ଅବସ୍ଥାରେ ଥିବା ଝିଅର ଚିକିତ୍ସା ପାଇଁ ମୁଁ ବହୁ ଟଙ୍କା ଖର୍ଚ୍ଚ କରିଥିଲି। ସମୁଦୀଙ୍କ ପରିବାର ସନ୍ଦେହୀ। ଝିଅକୁ ଆମ ଘରକୁ ଛାଡ଼ୁନଥିଲେ, କିମ୍ବା କଥାହେବା ପାଇଁ ମୋବାଇଲ୍ ଦେଉନଥିଲେ। ସ୍ବାମୀ ସାଥୀରେ ଝିଅ ଘରକୁ ଆସୁଥିଲା ଓ ଯାଉଥିଲା। ଗତ ଅକ୍ଟୋବର ମାସରେ ପୂଜାର କେହି କିଛି ଖବର ପାଇବ ନାହିଁ ବୋଲି ଜ୍ବାଇଁ ଲିପୁ ଚେତାବନୀ ଦେଇଥିଲା। ମୃତକଙ୍କ ୨ ଶିଶୁପୁତ୍ର ଜେଜେମାଆ ଜେଜେବାପାଙ୍କ ହେପାଜତରେ ଅଛନ୍ତି।
ସୌଜନ୍ୟ ସମ୍ବାଦ




