ଭାଷା ଓ ସାହିତ୍ୟ

Literature: ଅନେକ କବିତା ପୁସ୍ତକର ସଫଳସ୍ରଷ୍ଟା କବି ଡ. ଆଶୁତୋଷ ପରିଡ଼ାଙ୍କୁ ଭେଟନ୍ତୁ ‘ସୃଜନ ସପ୍ତପଦୀ’ରେ…

ଈପ୍‌ସିତ କ୍ରୋଧ, ଚଣ୍ଡାଳ, ଶବ୍ଦ ଭେଦୀ, ଦେଶ ନଥିବା ଲୋକ, ଅପ୍ରସ୍ତୁତ ମୃତ୍ୟୁ ପରି ଅନେକ କବିତା ପୁସ୍ତକର ସଫଳସ୍ରଷ୍ଟା କବି ଡ. ଆଶୁତୋଷ ପରିଡ଼ା। ନିଜ କୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ଆସନ୍ତୁ ଭେଟିବା ତାଙ୍କୁ ‘ସୃଜନ ସପ୍ତପଦୀ’ରେ...

କବିତା ଭିତରେ ସାନ୍ଦ୍ର ଭାବରେ ରହିଥାଏ କବିର ବ୍ୟକ୍ତିଗତ ଓ ସାମାଜିକ ଆବେଗ

ଲେଖିବସିବା ବେଳେ ଆପଣଙ୍କୁ କଲମ ଚଳାଇ ନିଏ ନା ଆପଣ କଲମ ଚଳାନ୍ତି?

କିଛି ଲେଖିବା ପାଇଁ ମୋତେ ହିଁ କଲମ ଚଳାଇବାକୁ ହୁଏ। କଲମ ଏକ ବସ୍ତୁ। ତାକୁ ଚଳାଇବାକୁ ହେଲେ ଗୋଟିଏ ହାତ ଦରକାର ହୁଏ। ପୁଣି ସେ ହାତ କଲମରେ କ’ଣ ଲେଖିବ, ସେଥିପାଇଁ ମସ୍ତିଷ୍କ ଭିତରୁ ନିର୍ଦ୍ଦିଷ୍ଟ ସଂକେତ ଆସିବା ଆବଶ୍ୟକ। ଆମେ ଯଦି କବିତା ରଚନାର କଥା କହିବା, ତେବେ ଏ ସଂକେତ କବିତାର ଅଭିବ୍ୟକ୍ତିକୁ ଧାରଣ କରିଥାଏ। କାବ୍ୟ ରଚନା ପ୍ରକ୍ରିୟାର ଆରମ୍ଭରେ ଥାଏ ଲେଖକର ବ୍ୟକ୍ତିସତ୍ତା ଯାହା ଭିତରେ ବାସ୍ତବତାର ସଂଘାତ ଆଲୋଡ଼ନଟିଏ ସୃଷ୍ଟିକରେ। ଏହି ଆଲୋଡ଼ନ ମାନସିକ ସ୍ତରରେ ବିବର୍ତ୍ତିତ ହୋଇ ଅଭିବ୍ୟକ୍ତିରେ ପରିଣତ ହୁଏ। ଏହି ଅଭିବ୍ୟକ୍ତିକୁ ଅକ୍ଷରରେ, ବାକ୍ୟରେ, ପଙ୍‌କ୍ତିରେ ରୂପ ଦିଏ କଲମ। ତେବେ ଲେଖକକୁ କଲମ ଚଳାଇ ନେଇପାରେ- ଏପରି ପ୍ରଶ୍ନ ଉଠେ କାହିଁକି? ଏହାର କାରଣ ହୋଇପାରେ ଲେଖକ ସହିତ ଲେଖନୀର ଅବିଚ୍ଛେଦ୍ୟ ସଂପର୍କ। ହୁଏତ ଏ ସଂପର୍କ ଭିତରେ ଏକ ଆହ୍ବନ ଥାଏ ଓ କଲମ ଏଠାରେ ଏହି ଆହ୍ବାନର ପ୍ରତୀକ ହୋଇଯାଏ।

କେଉଁ ବହିସବୁ ଆପଣ ଏକାଧିକ‌ବାର ପଢ଼ିଛନ୍ତି ଆଉ କାହିଁକି?

ଛାତ୍ର ଜୀବନରେ ଯେବେ କବିତା ରଚନା ଦିଗରେ ଆଗ୍ରହୀ ହେଲି, ସେତେବେଳେ ଓଡ଼ିଆ ଭାଷାର ମହାନ କବି ରାଧାନାଥ ରାୟ, ଗଙ୍ଗାଧର ମେହେର, ରାଧାମୋହନ ଗଡ଼ନାୟକ, ସଚ୍ଚି ରାଉତରାୟଙ୍କ ଅନେକ କାବ୍ୟଗ୍ରନ୍ଥ ଏକାଧିକବାର ପଢ଼ିଛି। ‘ବାଜି ରାଉତ’ ତ ପଢ଼ିଛି ଅନେକବାର, ସେହିପରି ଗୋପବନ୍ଧୁଙ୍କ ‘ଧର୍ମପଦ’। ଏହାର ପ୍ରଥମ କାରଣ ହେଉଛି ଏ ସବୁର କାବ୍ୟିକ ତୁଙ୍ଗିମା ମୋତେ ଆକର୍ଷିତ କରିଛି। ଅନ୍ୟ କାରଣଟି ହେଲା, କାବ୍ୟକବିତା କିପରି ଲେଖାହୁଏ ତାକୁ ବୁଝିବା ଓ ଆତ୍ମସ୍ଥ କରିବା। କବିତା ଲେଖିବା ପାଇଁ ସେପରି କୌଣସି ଗାଣିତିକ ସୂତ୍ର ନାହିଁ। କବିତାର ଭାଷା ଓ ଛନ୍ଦକୁ ଆୟତ୍ତ କରିବା ପାଇଁ, ଜଣେ କବିକୁ ପୂର୍ବସୂରୀମାନଙ୍କର ଲେଖା ବାରମ୍ବାର ପଢ଼ିବାକୁ ହୁଏ। ପରବର୍ତ୍ତୀ ସମୟରେ ପାବ୍ଳୋ ନେରୁଦା ଓ ଗାର୍ସିଆ ଲୋର୍କାଙ୍କ କବିତା ବହି ଅନେକ ବାର ପଢ଼ିଛି। କାରଣ ସେମାନଙ୍କ କବିତାର ପ୍ରାଣଶକ୍ତି ମୋତେ ଅଭିଭୂତ କରିଛି।

କୁହାଯାଏ, ଲେଖକଟିଏ ହେବା ସହଜ କଥା ନୁ‌ହେଁ। ଆପଣ କ’ଣ ଭାବନ୍ତି?

ପ୍ରକୃତରେ ଲେଖକଟିଏ ହେବା ସହଜ କଥା ନୁହେଁ। ମୋ ନିଜସ୍ବ ଅନୁଭବରୁ କହିବି, କବିତା ରଚନା ଏକ କଷ୍ଟକର ବ୍ୟାପାର। କେବଳ ଶବ୍ଦ ସହିତ ଶବ୍ଦ, ଧାଡ଼ି ସହିତ ଧାଡ଼ି ଯୋଡ଼ିଦେଲେ କବିତା ହୁଏନାହିଁ। କବିତା ଭିତରେ ସାନ୍ଦ୍ର ଭାବରେ ରହିଥାଏ କବିର ବ୍ୟକ୍ତିଗତ ଓ ସାମାଜିକ ଆବେଗ। ଏହି ଆବେଗକୁ କାବ୍ୟରୂପ ଦେବା ପାଇଁ କବିକୁ ନିଜ ସହିତ ସଂଘର୍ଷ କରିବାକୁ ପଡ଼େ। ତେବେ ଯାଇ ନିଚ୍ଛକ କବିତାଟିଏ ସୃଷ୍ଟି ହୋଇପାରେ।

ସାହିତ୍ୟ ନିଜେ ବଞ୍ଚୁଥିବା ସମୟର ପ୍ରତିଫଳନ ନା ସମୟକୁ ଅତିକ୍ରମ କରିଯିବା ତା’ର ଧର୍ମ ବୋଲି ଆପଣ ବିଚାର କରନ୍ତି?

ସାହିତ୍ୟ ତ ନିଜ ସମୟକୁ ପ୍ରତିଫଳିତ କରିବ। ଅନ୍ୟ ଅର୍ଥରେ ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡରେ ଯାହାସବୁ ଘଟିଯାଏ ଓ ମଣିଷର ଜୀବନ ପ୍ରବାହ ଯେପରି ଭାବେ ପ୍ରଭାବିତ ହୁଏ, ତାହା ସାହିତ୍ୟରେ ରୂପାୟିତ ହେବ। ଏହାକୁ ସାହିତ୍ୟର ସାମାଜିକ ପ୍ରତିବଦ୍ଧତ‌ା କୁହାଯାଇପାରେ। ମୋ ମତରେ ସବୁ ସାହିତ୍ୟସୃଷ୍ଟି ସମୟକୁ ଅତିକ୍ରମ କରିପାରନ୍ତି ନାହିଁ। କିନ୍ତୁ ଯେଉଁ ସାହିତ୍ୟ ଭିତରେ କଳାତ୍ମକ ଉତ୍କର୍ଷ ଥାଏ, ଗଭୀର ମାନବିକ ସମ୍ବେଦନା ଥାଏ ଓ ଭବିଷ୍ୟତ ପାଇଁ ନୂତନ ସନ୍ଦେଶ ଥାଏ, ସେହି ସାହିତ୍ୟ ହିଁ କାଳୋତ୍ତୀର୍ଣ୍ଣ ହୋଇ ବଞ୍ଚିରହେ।

କେଉଁ ଗଳ୍ପ, କବିତା ବା ପୁସ୍ତକକୁ ଆପଣଙ୍କ ସଫଳତମ କୃତି ବୋଲି କହିବେ?

ମୋର ୧୨ ଖଣ୍ଡ କବିତା ସଂକଳନ ପ୍ରକାଶିତ। ‘ଈପ୍‌ସିତ କ୍ରୋ‌ଧ’ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ଓ ‘ଅପ୍ରସ୍ତୁତ ମୃତ୍ୟୁ’ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ। କିନ୍ତୁ ଅନ୍ୟ ୧୦ଟି କାବ୍ୟଗ୍ରନ୍ଥ ମଧ୍ୟ ମୋର ଅନ୍ତରଙ୍ଗ ସୃଷ୍ଟି। ତେଣୁ କୌଣସି ଗୋଟିଏ ପୁସ୍ତକକୁ ମୋର ସଫଳତମ କୃତି ବୋଲି କହିବା ସମ୍ଭବ ନୁହେଁ। ତେବେ ମନେହୁଏ ମୋର ‘ଚଣ୍ଡାଳ’ କାବ୍ୟ ସଂକଳନ ଅଧିକ ଚର୍ଚ୍ଚିତ ହୋଇଛି ଓ ଜନପ୍ରିୟତା ଲାଭ କରିଛି।

ସାଂପ୍ରତିକ ସମୟରେ କବିତାର ଭୂମିକାକୁ ଆପଣ କିପରି ଦେଖନ୍ତି?

ମୁଁ କବିତାର ଭୂମିକାକୁ ସକାରାତ୍ମକ ଭାବେ ଦେଖେ, କାରଣ ଅ‌େନକ ପ୍ରତିକୂଳତା ସତ୍ତ୍ବେ କବିତାର କଣ୍ଠରୋଧ କରାଯାଇ ପାରିନି। ତେଣୁ କବିତା ବଞ୍ଚିତ ଓ ନିଷ୍ପେଷିତଙ୍କ ସ୍ବରକୁ ବ୍ୟକ୍ତ କରିପାରେ। ଦୁଇଟି ବିଶ୍ବଯୁଦ୍ଧ ଓ ଅନେକ ଗଣସଂହାର ପରେ କୁହାଯାଉଥିଲା- କବିତା ଆଉ ଲେଖା ହେବନି। ତଥାପି କବିତା ବଞ୍ଚିରହିଲା। ଏବେ ଆମେ ଏକ ଜଟିଳ ଓ ନିଷ୍ଠୁର ସମୟ ଭିତରେ ବଞ୍ଚିଛେ। କିନ୍ତୁ କବିତାର ଏପରି କିଛି ଅନ୍ତର୍ନିହିତ ଶକ୍ତି ଅଛି ଯାହା ଏହି ସମୟର ସ୍ବବିରୋଧକୁ ଉନ୍ମୋଚିତ କରିପାରିବ।

କୃତ୍ରିମ ବୁଦ୍ଧିମତ୍ତା ମଣିଷର ସୃଜନଶୀଳତାର ବିକଳ୍ପ ଭାବେ ଆସିପାରିବକି? କୃତ୍ରିମ ବୁଦ୍ଧିମତ୍ତା ଦ୍ବାରା ରଚିତ କବିତାର ସ୍ବରୂପ କିପରି ହେବ?

ମୋ ମତରେ ମଣିଷର ମସ୍ତିଷ୍କ ଦ୍ବାରା ସୃଷ୍ଟି ହୋଇଥିବା କୃତ୍ରିମ ବୁଦ୍ଧିମତ୍ତା ‌ତା’ର ସ୍ରଷ୍ଟାକୁ ଅତିକ୍ରମ କରିବାକୁ ସକ୍ଷମ ହେବନାହିଁ। ଏହି ଯୁକ୍ତିରେ କୃତ୍ରିମ ବୁଦ୍ଧିମତ୍ତା ମାନବିକ ସୃଜନଶୀଳତାର ବିକଳ୍ପ ହୋଇପାରିବନି। ଏହା ହୁଏତ ଯନ୍ତ୍ରଚାଳିତ ହୋଇ କବିତା ଲେଖିପାରେ କିନ୍ତୁ ସେ କବିତାରେ ପ୍ରକୃତ କାବ୍ୟିକ ସମ୍ବେଦନା ଓ ଦୂରଦୃଷ୍ଟି ରହିବ ନାହିଁ।

ମୋ:୯୯୩୭୫୬୩୩୫୮

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button