Oil crisis: ନିର୍ମଳାଙ୍କ ‘୩-ଏଫ୍‌’ ସୂତ୍ର; ସମାଲୋଚକଙ୍କୁ ନିନ୍ଦା କଲେ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରୁ ଦେଶକୁ ସୁରକ୍ଷା ଦେବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘୩-ଏଫ୍‌’ ସୂତ୍ର ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶୀ ମୁଦ୍ରା ସଞ୍ଚୟ ଆହ୍ବାନକୁ ସମର୍ଥନ ଜଣାଇ ସେ କହିଛନ୍ତି ଯେ ଆମକୁ ୩ଟି ଏଫ୍‌-ଫୁଏଲ୍‌ (ଇନ୍ଧନ), ଫର୍ଟିଲାଇଜର (ସାର) ଓ ଫୋରେକ୍ସ (ବିଦେଶୀ ମୁଦ୍ରା ଭଣ୍ଡାର) ଉପରେ ଧ୍ୟାନ ଦେବାକୁ ପଡ଼ିବ।

ସାରା ବିଶ୍ବରେ ଯୁଦ୍ଧକୁ ନେଇ ଯେଉଁ ସ୍ଥିତି ଦେଖାଦେଇଛି, ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ଅଶୋଧିତ ତେଲ ଓ ସାରା ମୂଲ୍ୟ ଅସମ୍ଭାଳ ସ୍ତରରେ ପହଞ୍ଚିଯାଇଛି। ସୁନା ଆମଦାନି ଅଧିକ ଚାପ ସୃଷ୍ଟି କରିଥିବା ସେ କହିଛନ୍ତି। ବର୍ତ୍ତମାନ ସମୟକୁ ଭିନ୍ନ ବୋଲି ଦର୍ଶାଇବାକୁ ଯାଇ ନିର୍ମଳା କହିଛନ୍ତି ଯେ ଏହା ଆଉ କୂଟନୈତିକ କିମ୍ବା ଭୂରାଜନୈତିକ ବିଷୟ ନୁହେଁ। ଏହା ହେଉଛି ଏକ ବାହ୍ୟ ସମସ୍ୟା। ମଧ୍ୟପ୍ରାଚ୍ୟ ଯୁଦ୍ଧ ଲାଗି ରହିଲେ ତାହା ଭାରତୀୟ ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିବ।

ଆମଦାନି ମହଙ୍ଗା ହେବ ଓ ପରିବହନ ପ୍ରଭାବିତ ହେବ। ସରକାର କିନ୍ତୁ ସାଧାରଣ ନାଗରିକ, ଏମ୍ଏସ୍‌ଏମ୍ଇ ଓ ରପ୍ତାନିକାରୀମାନଙ୍କୁ ସୁରକ୍ଷା ଦେବା ଉପରେ ଗୁରୁତ୍ବ ଦେଉଥିବା ସେ କହିଛନ୍ତି। ଜଟିଳ ସମୟର ସୁଯୋଗ ନେଇ ଭାରତୀୟ ଅର୍ଥନୀତିର ଏକ ଖରାପ ଛବି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସମାଲୋଚକମାନଙ୍କୁ ଟାର୍ଗେଟ କରି ନିର୍ମଳା କହିଛନ୍ତି ଯେ ସେମାନେ ଯାହା କରୁଛନ୍ତି ଠିକ୍‌ ନୁ‌ହେଁ। କାରଣ ତାହା ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। ଆମକୁ ନିଜ କାର୍ଯ୍ୟ ଓ ବଚନ ଜରିଆରେ ଲୋକମାନଙ୍କ ମନରେ ବିଶ୍ବାସ ଜାଗତ୍ର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ବାହ୍ୟ ଚାପ ସତ୍ତ୍ବେ ଭାରତ ବିଶ୍ବର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଅର୍ଥନୀତି ହୋଇ ରହିଛି ବୋଲି ଦୋହରାଇଛନ୍ତି। ଦେଶର ଅଭିବୃଦ୍ଧି ବଜାୟ ରଖିବା ଲାଗି ସରକାର ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ହ୍ରାସ କରାଯାଇଥିବାରୁ ସରକାର ୧ ଲକ୍ଷ କୋଟି ଟଙ୍କାର ରାଜସ୍ବ ହରାଇବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ