Hermuz: ହର୍ମୁଜ ବନ୍ଦ, ତଥାପି ଉପସାଗରୀୟ ଦେଶମାନଙ୍କ ତୈଳ ପରିବହନ ଜାରି

ଆବୁଧାବି: ଆମେରିକାଇରାନ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱର ଏକ ପ୍ରମୁଖ ତୈଳ ଯୋଗାଣ ମାର୍ଗ ପ୍ରଭାବିତ ହୋଇଛି। ତଥାପି ୟୁଏଇ ଓ କତର ପରି ତୈଳ ସମୃଦ୍ଧ ଦେଶ ଶକ୍ତି ଆବଶ୍ୟକ କରୁଥିବା ରାଷ୍ଟ୍ରଗୁଡ଼ିକୁ ପାରସ୍ୟ ଉପସାଗର ଦେଇ ସେମାନଙ୍କ ତୈଳ ଓ ଗ୍ୟାସ ପରିବହନ ଜାରି ରଖିଛନ୍ତି। ଅଣପାରମ୍ପରିକ ପରିବହନ କୌଶଳ (ଡାର୍କ ଟ୍ରାଞ୍ଜିଟ) ଦ୍ବାରା ୟୁଏଇ ଓ କତର ପାରସ୍ୟ ସାଗର ଦେଇ ତୈଳ ପରିବହନ କରିବାରେ ସମର୍ଥ ହେଉଛନ୍ତି ବୋଲି ବ୍ଲୁମବର୍ଗ ଏହାର ରିପୋର୍ଟରେ କହିଛି।

ଆଡନୋକ୍ (ଆବୁ ଧାବି ନାସନାଲ ଅଏଲ କମ୍ପାନି) ଅତି ସମ୍ବେଦନଶୀଳ ହର୍ମୁଜ୍ ପ୍ରଣାଳୀରେ ଇରାନୀ ସେନା ଓ ଆମେରିକୀୟ ନୌସେନା ପାଟ୍ରୋଲିଂ ମଧ୍ୟରେ ନିଜର ତୈଳ ପରିବହନ ଜାରି ରଖିଛି। ସିପ୍‌-ଟ୍ରାକିଂ ତଥ୍ୟ ଓ ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ୟୁଏଇ ଜାତୀୟ ଏନର୍ଜି ଫାର୍ମ ଡାର୍କ ଟ୍ରାଞ୍ଜିଟ୍‌ ମାଧ୍ୟମରେ ତୈଳ ପରିବହନ ଜାରି ରଖିଛନ୍ତି। ଡାର୍କ ଟ୍ରାଞ୍ଜିଟ ଅର୍ଥ ଜାହାଜଗୁଡ଼ିକ ହର୍ମୁଜ ଦେଇ ଯାତ୍ରା କରିବା ସମୟରେ ଟ୍ରାନ୍ସପଣ୍ଡର୍ ବନ୍ଦ କରିଦେଇଥାନ୍ତି। ଏହାଦ୍ବାରା ରିୟଲ ଟାଇମ୍‌ ଟ୍ରାକିଂକୁ ଏଡ଼ାଇ ଦିଆଯାଇପାରେ। ଏହି କୌଶଳ ଏପର୍ଯ୍ୟନ୍ତ ଭୂରାଜନୈତିକ ବିପଦ ସମୟରେ ରପ୍ତାନି ପ୍ରବାହ ବଜାୟ ରଖିବାରେ ସାହାଯ୍ୟ କରିଛି। ଆଡନୋକ୍‌ ନାଭିଗ୍‌୮ ମାଧ୍ୟମରେ ପରିଚାଳିତ ଏହାର ନିଜସ୍ୱ ନିୟନ୍ତ୍ରିତ ଜାହାଜ ଉପରେ ନିର୍ଭରଶୀଳ।

ସୂତ୍ର ଅନୁଯାୟୀ, ଅନ୍ୟ ଦେଶମାନେ ଯେଉଁଠି ଜାହାଜ ମାଲିକଙ୍କ ରିସ୍କରେ ପରିବହନ ଜାରି ରଖିଥାନ୍ତି ସେଠାରେ ଆଡନୋକ୍‌ ଅପେକ୍ଷାକୃତ ଦକ୍ଷ କାର୍ଗୋ ପରିବହନ କରିପାରେ। କତର ମଧ୍ୟ ହର୍ମୁଜ ମାଧ୍ୟମରେ ରପ୍ତାନି ଜାରି ରଖିଛି। ଏଲ୍‌ଏନ୍‌ଜି ଅପରେସନ ପାଇଁ ସମାନ ପ୍ରକାରର ଗୁପ୍ତ ଗତିବିଧି ଗ୍ରହଣ କରାଯାଇଛି। ଟ୍ୟାଙ୍କରଗୁଡ଼ିକ ଉପସାଗର ଭିତରେ ଆଡନୋକ୍‌ର ପ୍ରମୁଖ ରପ୍ତାନି କେନ୍ଦ୍ର, ଡାସ୍‌ ଦ୍ୱୀପକୁ ଯିବା ରାସ୍ତାରେ ଟ୍ରାକିଂ ସିଷ୍ଟମକୁ ଅକ୍ଷମ କରିବା ପୂର୍ବରୁ ଫୁଜାଇରାହ ନିକଟରେ ହର୍ମୁଜ ପ୍ରଣାଳୀ ନିକଟକୁ ଆସିଥାନ୍ତି। ସାଟେଲାଇଟ୍ ଚିତ୍ରରୁ ଜାହାଜର ଗତିବିଧି ସମ୍ପର୍କରେ ବିଶେଷ ତଥ୍ୟ ମିଳିପାରେ ନାହିଁ। ବ୍ଲୁମବର୍ଗ ରିପୋର୍ଟରେ ବିଶ୍ଳେଷକମାନେ କହିଛନ୍ତି ଯେ, ଏହି ପଦ୍ଧତି ଉଭୟ ରଣନୈତିକ ଓ ଲଜିଷ୍ଟିକ୍ ଆବଶ୍ୟକତାକୁ ପ୍ରତିଫଳିତ କରେ, କାରଣ ସଂରକ୍ଷଣ ପ୍ରତିବନ୍ଧକ ଓ ଭୂରାଜନୈତିକ ଅନିଶ୍ଚିତତା ଉତ୍ପାଦକମାନଙ୍କୁ ରପ୍ତାନିକୁ ଚାଲୁ ରଖିବା ପାଇଁ ବାଧ୍ୟ କରିଥାଏ।

 

 

 

ସୌଜନ୍ୟ ସମ୍ବାଦ